ଏକାମ୍ର ପ୍ରକଳ୍ପରେ ଶ୍ରୀଅନନ୍ତ ବାସୁଦେବ ମନ୍ଦିର ରୋଷଘର ନିର୍ମାଣ ପ୍ରସଙ୍ଗ: ପୂଜାପଣ୍ଡା ନିଯୋଗ ପକ୍ଷରୁ ବିରୋଧ

Advertisment
ଏକାମ୍ର ପ୍ରକଳ୍ପରେ ଶ୍ରୀଅନନ୍ତ ବାସୁଦେବ ମନ୍ଦିର ରୋଷଘର ନିର୍ମାଣ ପ୍ରସଙ୍ଗ: ପୂଜାପଣ୍ଡା ନିଯୋଗ ପକ୍ଷରୁ ବିରୋଧ

TripAdvisor

ଭୁବନେଶ୍ୱର: ଏକାମ୍ର ମେଗା ପ୍ରକଳ୍ପରେ ଶ୍ରୀଅନନ୍ତ ବାସୁସେବଙ୍କ ମନ୍ଦିର ଏବଂ ଏହାର ଚତୁଃପାର୍ଶ୍ବକୁ ସାମିଲ କରାଯାଇଛି। ମନ୍ଦିର ପରିସରସ୍ଥ ରୋଷଘର ନିର୍ମାଣ ନେଇ ଓଡ଼ିଶା ସେତୁ ନିର୍ମାଣ ନିଗମ (ଓବିସିସି) ପକ୍ଷରୁ ଟେଣ୍ଡର କରାଯାଇଛି। କିନ୍ତୁ ରୋଷଘର ନିର୍ମାଣ ଟେଣ୍ଡରକୁ ପୂଜାପଣ୍ଡା ନିଯୋଗ ପକ୍ଷରୁ ବିରୋଧ କରାଯାଇଛି। ଏନେଇ ଜିଲ୍ଲାପାଳ ଓ ବିଏମ୍‌ସି କମିସନରଙ୍କୁ ନିଯୋଗ ପତ୍ର ଲେଖିଛି।

ନିଯୋଗ ପକ୍ଷରୁ କୁହାଯାଇଛି ଯେ ଅନନ୍ତ ବାସୁଦେବ ମନ୍ଦିରରେ ଅନ୍ନଭୋଗ କିମ୍ବା ସଂକୁଡ଼ି ଭୋଗ ଲାଗି ବ୍ୟବସ୍ଥା ନାହିଁ। ଏଠାରେ କେବଳ ଶୁଖୁଲି ଭୋଗ ଲାଗି ହୁଏ। ଅତୀତରେ ଶ୍ରୀଲିଙ୍ଗରାଜ ମନ୍ଦିର ପ୍ରଶାସନ ଏହି ଶୁଖୁଲି ଭୋଗ ଯୋଗାଇ ଆସୁଥିଲା। ଲିଙ୍ଗରାଜ ମନ୍ଦିରରେ ଭୋଗ ମଣ୍ଡପ ସରିବା ପରେ ଏଠାରେ ବଲ୍ଲଭ ଭୋଗ ପାଇଁ ଖଇ ଭୋଗ କରାଯାଇଥାଏ। ଲିଙ୍ଗରାଜ ମନ୍ଦିରରେ ବଡ଼ସିଂହାର ସରିବା ପରେ ଏଠାରେ ମନ୍ଦିର ପକ୍ଷରୁ ଯୋଗାଇ ଦିଆଯାଇଥିବା ସାମଗ୍ରୀରେ ତିଆରି ଲଡୁ ଭୋଗ ସମର୍ପଣ କରାଯାଇଥାଏ। ମନ୍ଦିରରେ ଦ୍ବାରପାଳ ନାହାନ୍ତି। ଏହା ପଶ୍ଚିମା ମୁଖା ମନ୍ଦିର। ଉକ୍ତ ମନ୍ଦିର ଭିତରେ କୌଣସି କୂଅ ନାହିଁ। କଳ ପାଣିରେ ଅବଢ଼ା ରନ୍ଧା ହେଉଛି। ଅଗ୍ନି କୋଣରେ ରୋଷଘର ନାହିଁ।

ମନ୍ଦିର ପାଚେରିର ଉତ୍ତର ପାର୍ଶ୍ୱରେ ବିଏମ୍‌ସି ପକ୍ଷରୁ ୪୦ରୁ ଊର୍ଦ୍ଧ୍ବ ରୋଷଘର ନିର୍ମାଣ କାର୍ଯ୍ୟ ଅର୍ଦ୍ଧାଧିକ ସରିଯାଇଥିଲା। ଶ୍ରୀଲିଙ୍ଗରାଜ ଟ୍ରଷ୍ଟ ବୋର୍ଡର ବିରୋଧ ପରେ ଏହାକୁ ବନ୍ଦ କରାଯିବା ସହ ବିଏମ୍‌ସି ଏଥିରୁ ଓହରି ଯାଇଥିଲା। ଏନେଇ ସହକାରୀ ଦେବୋତ୍ତର କମିସନରଙ୍କ ନିକଟରେ ମାମଲା ବଳବତ୍ତର ରହିଛି। ଏବେ ପୁଣି ଏକାମ୍ର ମେଗା ପ୍ରକଳ୍ପରେ ଏଠାରେ ରୋଷଘର ନିର୍ମାଣ ପାଇଁ ଟେଣ୍ଡର ଡକାଯାଇଛି। ମାମଲା ଥିବା ସତ୍ତ୍ୱେ କିପରି ଏଠାରେ ରୋଷଘର ନିର୍ମାଣ ହେବ, ତାହାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ଏନେଇ ପୂଜାପଣ୍ଡା ନିଯୋଗ ସଭାପତି କାଶୀନାଥ ପୂଜାପଣ୍ଡା କୁହନ୍ତି ବିଧି ଓ ପରମ୍ପରା ଦୃଷ୍ଟିରୁ ଅନନ୍ତ ବାସୁଦେବ ମନ୍ଦିରରେ ଅନ୍ନଭୋଗ କିମ୍ବା ସଙ୍କୁଡ଼ି ଭୋଗ ହୁଏନାହିଁ। ଏଠାରେ ନିର୍ଦ୍ଦିଷ୍ଟ ଏକ ନିଯୋଗର କର୍ମକର୍ତ୍ତାମାନେ ଉକ୍ତ ମନ୍ଦିରରେ ଦୈନିକ ରୋଷେଇ କରିବା ସହ ହୋଟେଲ ଭଳି ବ୍ୟବହାର କରୁଛନ୍ତି। ଏହା ଏଏସ୍‌ଆଇର ଆମ୍‌ସାର ଆକ୍ଟକୁ ମଧ୍ୟ ଉଲ୍ଲଂଘନ କରୁଛି। ଏନେଇ ବିଏମ୍‌ସି କମସନରଙ୍କୁ ଯୋଗାଯୋଗ କରାଯାଇଥିଲେ ମଧ୍ୟ କୌଣସି ଉତ୍ତର ମିଳିନଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe