ବିଏମ୍‌ସିରେ ଅଯୋଗ୍ୟ ଅଧିକାରୀ ଗାଡ଼ି ଚଢ଼ିବା ପ୍ରସଙ୍ଗ: ବାଦ୍‌ ପଡ଼ିଲେ କମ୍ୟୁନିଟି ଅର୍ଗାନାଇଜର୍‌, ଫୁଡ୍‌ ଇନ୍ସପେକ୍ଟର୍‌

Advertisment
ସବୁ ୱାର୍ଡରେ ଆମିଷ ହାଟ ପାଇଁ ମେୟରଙ୍କୁ ଚିଠି

ଭୁବନେଶ୍ବର : ବିଏମ୍‌ସିରେ ଅଯୋଗ୍ୟ ଅଫିସର ଚଢ଼ୁଥି‌ଲେ ଗାଡ଼ି। ଆବଶ୍ୟକତା ନଥାଇ ଗାଡ଼ି ନେଇଥିଲେ। ସରକାରୀ ନିୟମକୁ ଫୁ କରି ପତିଆରା ଦେଖାଉଥିଲେ। ଲକ୍ଷ ଲକ୍ଷ ଟଙ୍କା ତେଲ ବାବଦକୁ ବରବାଦ ହେଉଥିଲା। ଏ ନେଇ ଖବର ପ୍ରକାଶ ପାଇବା ପରେ ୮ଟି ଗାଡ଼ିକୁ ହଟାଇ ଦେଇଛନ୍ତି ବିଏମ୍‌ସି କର୍ତ୍ତୃପକ୍ଷ। ଆଉ ୭ଟି ବିଳାସପୂର୍ଣ୍ଣ ଗାଡ଼ିକୁ ହଟାଇ ‘ଇନ୍‌ସ୍ପେକ୍ସନ ଭେଇକିଲ୍‌’ ବ୍ୟବହାର କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ବିଏମ୍‌ସି କମିସନର ବିଜୟ ଅମୃତା କୁଲାଙ୍ଗେ। ଏଥିରେ ତିନିଜଣ ଡେପୁଟି କିମସନର ରହିଛନ୍ତି। ପୂର୍ବରୁ ଗାଡ଼ି ଯୋଗାଉଥିବା ଦୁଇଟି ସଂସ୍ଥାଙ୍କୁ ଏହି ୭ଟି ଇନ୍‌ସ୍ପେକ୍ସନ ଭେଇକିଲ ଯୋଗାଇବାକୁ ନିର୍ଦ୍ଦେଶ ଦିଆଯାଇଛି।

ହଟା ଯାଇଥିବା ୮ଟି ଗାଡ଼ି ମଧ୍ୟରୁ ୩ଟି କୋଭିଡ୍‌ ଡ୍ୟୁଟିରେ ଥିବା ଗାଡ଼ି ରହିଛି। ବାକି ୫ଟି ଅଧିକାରୀଙ୍କ ଗାଡ଼ି ହଟାଯାଇଛି। ଉକ୍ତ ୫ଟି ଗାଡ଼ି ମଧ୍ୟରୁ ଦକ୍ଷିଣ ପଶ୍ଚିମ, ଦକ୍ଷିଣ ପୂର୍ବ ଓ ଉତ୍ତର ଜୋନ୍‌ କମ୍ୟୁନିଟି ଅର୍ଗାନାଇଜରଙ୍କ ବୋଲେରୋ ଗାଡ଼ି ରହିଛି। ବାକି ଦୁଇଟି ଗାଡ଼ି ମଧ୍ୟରୁ ଲାଇସେନ୍ସ ସ୍କ୍ବାଡ୍‌ର ଗାଡ଼ି ହଟା ଯାଇଥିବା ବେଳେ ଫୁଡ୍‌ ଇନ୍‌ସ୍ପେକ୍ଟର ବିଭୁଦତ୍ତ ତ୍ରିପାଠୀ ବ୍ୟବହାର କରୁଥିବା ଗାଡ଼ି ହଟାଯାଇଛି। ଫୁଡ୍‌ ଇନ୍‌ସ୍ପେକ୍ଟରଙ୍କ ଗାଡ଼ି ହଟା ଯିବା ନେଇ ବିବାଦ ଦେଖାଦେଇଛି। ଚଢ଼ଉ ପାଇଁ ଗାଡ଼ି ଆବଶ୍ୟକ ହେଉଥିବା ବେଳେ କେଉଁ ପରିସ୍ଥିତିରେ ଗାଡ଼ିକୁ ହଟାଗଲା? ଆଗକୁ ଚଢ଼ଉ କେମିତି ହେବ ବୋଲି ପ୍ରଶ୍ନ ଉଠିଛି। ସେହିଭଳି ପୂର୍ବରୁ ଯେତେବେଳେ ଗାଡ଼ି ହଟାଇବା ପାଇଁ ଯୋଜନା ହୋଇଥିଲା ସେଥିରେ ଏସ୍‌ବିଏ ସେସ୍‌ପୁଲ୍‌ ସର୍ଭିସ୍‌ରେ ବ୍ୟବହାର ହେଉଥିବା ବୋଲେରୋ(ଓଡି ୦୨ ଏଜେଡ୍‌ ୫୯୭୨) ହଟାଯିବାକୁ ନିଷ୍ପତ୍ତି ହୋଇଥିଲା। ସେହିଭଳି ଏସ୍‌ବିଏ ସେଲ୍‌ ଟିମ୍‌ ଲିଡର ମନୋରଞ୍ଜନ ସାହୁ ବ୍ୟବହାର କରୁଥିବା ସେଲେରିଓ(ଓଡି ୦୨ ବିଇ ୪୭୩୮) ମଧ୍ୟ ହଟାଯିବାକୁ ଯୋଜନା ହୋଇଥିଲା। ଉଦ୍ୟାନବିତ୍‌ ଗିରିଜା ପ୍ରସ‌ାଦ ଶତପଥୀ ବ୍ୟବହାର କରୁଥିବା ବୋଲେରୋ(ଓଡି ୦୨ ଏୱାଇ ୧୧୦୬) ଓ ସହକାରୀ ଟାଉନ୍‌ ପ୍ଲାନର ବିପୁଲ ନାୟକ ବ୍ୟବହାର କରୁଥିବା ଡିଜାୟାର(ଓଡି ୦୨ ବିଜେ ୬୨୧୩) ହଟାଇ ନେବାକୁ ସ୍ଥିର କରାଯାଇଥିଲା। କିନ୍ତୁ ଏଗୁଡ଼ିକୁ କାହିଁକି ରଖାଗଲା ସେ ନେଇ କର୍ମଚାରୀଙ୍କ ମହଲରେ ଆଲୋଚନା ହେଉଛି।

ବିଳାସପୂର୍ଣ୍ଣ ଗାଡ଼ି ବ୍ୟବହାର କରୁଥିବା ୭ ଜଣଙ୍କ ଗାଡ଼ି ହଟାଇ ଇନ୍‌ସ୍ପେକ୍ସନ ଗାଡ଼ି ବ୍ୟବହାର କରିବାକୁ କୁହାଯାଇଛି। ମାର୍କେଟ୍‌ ଉପବିଭାଗ ଦାୟିତ୍ବରେ ଥିବା ପ୍ରମୋଦ ପୃଷ୍ଟି, ରାଜସ୍ବ ଦାୟିତ୍ବରେ ଥିବା ସପନ ନନ୍ଦ ଓ ସମାଜ ମଙ୍ଗଳ ଦାୟିତ୍ବରେ ଥିବା ରମେଶଚନ୍ଦ୍ର ଜେନା ତିନିଜଣ ଡେପୁଟି କମିସନର ରହିଛନ୍ତି। ତାଙ୍କ ସହିତ ଆଉ ଦୁଇଜଣ ଇଞ୍ଜିନିୟର ବି ରହିଛନ୍ତି।

ଏଠାରେ ଉଲ୍ଲେଖ କରାଯାଇପାରେ, ଜୁନିୟର କ୍ଲାସ୍‌-୧ ଅଫିସର ପହ୍ୟାରୁ ଅଧିକ ହେଲେ ‘ପୁଲ୍‌ ଭେଇକିଲ’ ବ୍ୟବହାର କରିବା ପାଇଁ ଯୋଗ୍ୟ ହୁଅନ୍ତି। ଅର୍ଥାତ୍‌ ଗୋଟିଏ ଗାଡ଼ିକୁ ଏକାଧିକ ଅଫିସ ବ୍ୟବହାର କରନ୍ତି। ଡେପୁଟି ସେକ୍ରେଟାରିଙ୍କ ଠାରୁ ଅଧିକ ପାହ୍ୟାର ଅଫିସର ହେଲେ ‘ଇୟରମାର୍କ ଭେଇକିଲ’ ବ୍ୟବହାର କରିବାକୁ ଯୋଗ୍ୟ ହୁଅନ୍ତି। କିନ୍ତୁ ବିଏମ୍‌ସିରେ ପରିମଳ ଓ ଇଲେକ୍ଟ୍ରିକାଲ୍‌ ଯନ୍ତ୍ରୀ ଗାଡ଼ି ଚଢ଼ୁଥିଲେ। ଏସ୍‌ବିଏ ସେଲ୍‌ ଟିମ୍‌ ଲିଡର ମନୋରଞ୍ଜନ ସାହୁ ମଧ୍ୟ ଗାଡ଼ି ଚଢ଼ୁଥିଲେ। ତା ସହିତ କମ୍ୟୁନିଟି ଅର୍ଗାନାଇଜର ମଧ୍ୟ ଗାଡ଼ି ବ୍ୟବହାର କରୁଥିଲେ। ଏ ନେଇ ଚର୍ଚ୍ଚା ହେବା ସହ ତେଲ ଖର୍ଚ୍ଚକୁ ନେଇ ଅଡିଟ୍‌ ପ୍ରଶ୍ନ ଉଠାଇବା ପରେ ଗଣମାଧ୍ୟମରେ ଖବର ପ୍ରକାଶ ପାଇଥିଲା। ଯାହାକୁ ନେଇ ବିଏମ୍‌ସି ତତ୍ପରତା ପ୍ରକାଶ କରି ଏଭଳି କାର୍ଯ୍ୟାନୁଷ୍ଠାନ ନେଇଛି। ତେବେ ଏବେ ବି ଗାଡ଼ି ବ୍ୟବହାର କରିବା‌ ପାଇଁ ଯୋଗ୍ୟ ନଥିବା ଅଧିକାରୀ ବ୍ୟବହାର କରୁଛନ୍ତି। କର୍ତ୍ତୃପକ୍ଷଙ୍କ ଏଭଳି ପାତର ଅନ୍ତର ନେଇ କର୍ମଚାରୀ ମହଲରେ ଅସନ୍ତୋଷ ପ୍ରକାଶ ପାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe