ଜୟଦେବ ବିହାର-ନନ୍ଦନକାନନ ସମାନ୍ତରାଳ ରାସ୍ତାରେ ପୁଣି ବାଧା, ଇଞ୍ଚେ ଜାଗା ବି ଛାଡ଼ିବୁନି

ସମାବେଶ କରି ରଣହୁଙ୍କାର ଦେଲେ ବସ୍ତିବାସିନ୍ଦା

ଜୟଦେବ ବିହାର-ନନ୍ଦନକାନନ ସମାନ୍ତରାଳ ରାସ୍ତାରେ ପୁଣି ବାଧା, ଇଞ୍ଚେ ଜାଗା ବି ଛାଡ଼ିବୁନି

ଚନ୍ଦ୍ରଶେଖରପୁର: ଜୟଦେବ ବିହାର-ନନ୍ଦନକାନନ ରାସ୍ତାରୁ ଭିଡ଼ କମାଇବାକୁ ବାମ ପାର୍ଶ୍ବରେ ନିର୍ମାଣାଧୀନ ସମାନ୍ତରାଳ ରାସ୍ତାରେ ପୁଣି ବାଧା ମୁଣ୍ଡ ଟେକିଛି। ୨୦୦ ଫୁଟିଆ ରାସ୍ତା ନିର୍ମାଣକୁ ବିରୋଧ କରି ଆଜି ସାଲିଆସାହି ଆଦିବାସୀ ଗାଁ ଫୁଟବଲ୍‌ ପଡ଼ିଆରେ ଶତାଧିକ ବସ୍ତିବାସିନ୍ଦା ଏକାଠି ହୋଇଥିଲେ। ପ୍ରଶାସନର ନିଷ୍ପତ୍ତି ବିରୋଧରେ ରଣହୁଙ୍କାର ଦେଇଛନ୍ତି। ଜଙ୍ଗଲ ଜମିରେ ରହିଥିବା ବସ୍ତି ମଧ୍ୟରେ ଅଙ୍କାବଙ୍କା ରାସ୍ତା ନିର୍ମାଣ କରିବାକୁ ଯୋଜନା ହୋଇଛି। ଏହାଦ୍ବାରା ବସ୍ତିବାସିନ୍ଦା ଅସୁବିଧାର ସମ୍ମୁଖୀନ ହେବା ସହ ଦୁର୍ଘଟଣା ବଢ଼ିବ। କୌଣସି ବି ପରିସ୍ଥିତିରେ ପ୍ରଶାସନର ଏଭଳି ଷଡ଼ଯନ୍ତ୍ରକୁ ସଫଳ ହେବାକୁ ଦିଆଯିବ ନାହିଁ। ରାସ୍ତା ନିର୍ମାଣ ଲାଗି ବସ୍ତିରେ ଇ‌େଞ୍ଚ ବି ଜାଗା ଛାଡ଼ିବୁ ନାହିଁ ବୋଲି ସାଲିଆସାହି ଆଞ୍ଚଳିକ କମିଟି ଘୋଷଣା କରିଛି।

କମିଟିର ସଦସ୍ୟମାନେ କହିଛନ୍ତି ଯେ ବିଡିଏ ଓ ବିଏମସି ପକ୍ଷରୁ ଡ୍ରୋନ୍ କ୍ୟାମେରା ଦ୍ବାରା ଗୁପ୍ତ ଭାବେ ସର୍ଭେ କରାଯାଇ ଗତ ୧୬ ତାରିଖ‌ରେ ବୁଲଡୋଜର ଲଗାଇ ୨୦୦ ଫୁଟିଆ ରାସ୍ତା ନିର୍ମାଣ କାମ ଆରମ୍ଭ କରାଯାଇଥିଲା। ତାହାକୁ ବସ୍ତିବାସିନ୍ଦା ବିରୋଧ କରିଥିଲେ। ତେବେ ୨୦୦୦ ମସିହା ପୂର୍ବରୁ ରେଳବିହାର ପଛ ପାର୍ଶ୍ବରୁ ଓମେନ୍ସ ପଲିଟେକ୍‌ନିକ୍ ଦେଇ ଏକାମ୍ରକାନନ ଗେଟ୍‌ ପର୍ଯ୍ୟନ୍ତ ରାସ୍ତା ସର୍ଭେ ହୋଇଥିଲା। ୨୦୧୭ରେ ସାଲିଆସାହି ବସ୍ତି ଭାଙ୍ଗିବା ସହ କଣ୍ଟ୍ରାକ୍ଟର ଓ ପ୍ରଭାବଶାଳୀ ଗୋଷ୍ଠୀଙ୍କ ସ୍ବାର୍ଥସାଧନ ଉଦ୍ଦେଶ୍ୟରେ ଆଦିବାସୀ ଗାଁ ବସ୍ତି ଭିତର ଦେଇ ୫ରୁ ୬ଟି ଅଙ୍କାବଙ୍କା କରି ଜଙ୍ଗଲ ଜମିରେ ଗଢ଼ି ଉଠିଥିବା ବସ୍ତିର ହଜାରରୁ ଅଧିକ ଘର ଭାଙ୍ଗିବା ପାଇଁ ଷଡ଼ଯନ୍ତ୍ର କରାଯାଇଛି। ଏହାକୁ କୌଣସି ମତେ ଫଳପ୍ରଦ ହେବାକୁ ଦିଆଯିବ ନାହିଁ। ୨୦୦୬ ଜଙ୍ଗଲ ଅଧିକାର ଆଇନ ଅନୁଯାୟୀ ଆଦିବାସୀଙ୍କର ଜଙ୍ଗଲ ଜମିରେ ବସବାସ କରିବାର ଅଧିକାର ରହିଛି। ବସ୍ତି ଭାଙ୍ଗିବା ପାଇଁ ମନ୍ଦ ଉଦ୍ଦେଶ୍ୟ ରଖି ଅଙ୍କାବଙ୍କା ରାସ୍ତା ତିଆରି କରି ପଥଚାରୀଙ୍କୁ ମରଣଯନ୍ତାକୁ ଠେଲିଦେବା ଅତ୍ୟନ୍ତ ଅପରାଧିକ କାର୍ଯ୍ୟ। ଏହାର ଉଚ୍ଚସ୍ତରୀୟ ତଦନ୍ତ କରାଯାଉ।

ଅନ୍ୟପକ୍ଷରେ ଭିଡ଼ କମ୍ କରିବା ଆଳରେ ଜାଭିୟର ଛକରୁ ନୀଳାଦ୍ରିବିହାର ପର୍ଯ୍ୟନ୍ତ ରାସ୍ତା ଖୋଲିବା ପାଇଁ ବସ୍ତିବାସିନ୍ଦାଙ୍କୁ ଜୋରଜବରଦସ୍ତ ଉଚ୍ଛେଦ କରିବା ପାଇଁ ଗତବର୍ଷ ପଦକ୍ଷେପ ନିଆଯାଇଥିଲା। ସାଲିଆସାହି ଜଙ୍ଗଲ ଜମିରେ ଥିବାରୁ ସରକାର କୌଣସି ଆବାସ ଯୋଜନା କିମ୍ବା ବସ୍ତିର ଭୂମିହୀନଙ୍କୁ ଜମି ଦେବାର ବ୍ୟବସ୍ଥା କରୁନାହାନ୍ତି। ବରଂ ଷଡଯନ୍ତ୍ର କରି ବସ୍ତି ଉଚ୍ଛେଦ କରୁଛନ୍ତି। ଜଙ୍ଗଲ ଆଇନ ଉଲ୍ଲଂଘନ କରି ରାଜ୍ୟ ସରକାର ବହୁ ବିଶିଷ୍ଟବ୍ୟକ୍ତି, ଅନୁଷ୍ଠାନ, ବ୍ୟବସାୟୀ ଓ ସହଯୋଗୀ ଅନୁଷ୍ଠାନକୁ ଜାଗା ଦେଇଛନ୍ତି। ତେଣୁ ସାଲିଆସାହିରେ ଥିବା ଆଦିବାସୀଙ୍କୁ ଉଚ୍ଛେଦ ନ କରି ସେହି ସ୍ଥାନରେ ରହିବାର ଅଧିକାର ଦେଇ ପଟ୍ଟା ଦେବାକୁ ଦାାବି ହୋଇଛି। ସାଲିଆସାହି ବସ୍ତି ଆଞ୍ଚଳିକ କମିଟି କୌଣସି ପ୍ରକାର ଉଚ୍ଛେଦକୁ ବରଦାସ୍ତ କରିବ ନାହିଁ ବୋଲି ଏହାର ସଭାପତି ଜୟଦେବ ନାୟକ କହିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe