‘କଳାଭୂମି’ ଜଗନ୍ନାଥ ଗ୍ୟାଲେରିରେ ବଢ଼ୁଛି ପର୍ଯ୍ୟଟକଙ୍କ ଭିଡ଼

ଜଗନ୍ନାଥ ସଂସ୍କୃତି ବିଷୟରେ ମିଳୁଛି ବିସ୍ତୃତ ସୂଚନା

‘କଳାଭୂମି’ ଜଗନ୍ନାଥ ଗ୍ୟାଲେରିରେ ବଢ଼ୁଛି ପର୍ଯ୍ୟଟକଙ୍କ ଭିଡ଼

ଭୁବନେଶ୍ବର: କମ୍‌ ସମୟରେ ମହାପ୍ରଭୁ ଜଗନ୍ନାଥ, ତାଙ୍କ ରୀତିନୀତି, ପରମ୍ପରା, ବେଶଭୂଷା ସଂପର୍କ‌ରେ ଜାଣିବା ପାଇଁ ଓଡ଼ିଶା ହସ୍ତଶିଳ୍ପ ସଂଗ୍ରହାଳୟ ‘କଳାଭୂମି’ରେ ଖୋଲିଥିବା ଜଗନ୍ନାଥ ଗ୍ୟାଲେରି ଏକ ଉତ୍କୃଷ୍ଟ ସ୍ଥାନ ପାଲଟିଛି। ଗତ ଏପ୍ରିଲ୍‌ରେ ଖୋଲିଥିବା ଏହି ଗ୍ୟାଲେରିକୁ ବୁଲି ଦେଖିବା ପାଇଁ ଦର୍ଶକଙ୍କ ମଧ୍ୟରେ ଆଗ୍ରହ ବଢ଼ିବାରେ ଲାଗିଛି। ପ୍ରତିଦିନ ଏଠାରେ ୨୫୦ରୁ ୫ଶହ ଲୋକଙ୍କ ଭିଡ଼ ଜମୁଥିବା ସଂଗ୍ରହାଳୟ ପକ୍ଷରୁ ସୂଚନା ଦିଆଯାଇଛି। ଏଥିଯୋଗୁଁ କଳାଭୂମିର ରାଜସ୍ବ ମଧ୍ୟ ବଢ଼ୁଛି। ତେବେ ଏଠାରେ ମୁକ୍ତ ରଙ୍ଗମଞ୍ଚରେ ପୂର୍ବପରି ନାଟକ ଦେଖିବା ପାଇଁ ଲୋକଙ୍କୁ ଆହୁରି କିଛି ଦିନ ଅପେକ୍ଷା କରିବାକୁ ପଡ଼ିବ ବୋଲି ସଂଗ୍ରହାଳୟ ପକ୍ଷରୁ କୁହାଯାଇଛି।

ସୂଚନା ଅନୁଯାୟୀ, କଳାଭୂମିରେ ଓଡ଼ିଶାର ବିଭିନ୍ନ ପ୍ରାନ୍ତର ହସ୍ତକଳା ଯଥା ଟେରାକୋଟା, ପାରମ୍ପରିକ ଚିତ୍ରକଳା, ପ୍ରସ୍ତର ଓ କାଠ ଖୋଦେଇ କଳାବସ୍ତୁ, ଧାତୁଶିଳ୍ପ କଳା ପ୍ରକୋଷ୍ଠ, ପ୍ରାକୃତିକ ଉପାଦାନରେ ପ୍ରସ୍ତୁତ କଳାବସ୍ତୁ, ପ୍ରାକ୍‌-ବୟନ କାରିଗରୀ ପ୍ରକୋଷ୍ଠ, ଜନଜାତି କଳା ଓ କଳାବସ୍ତୁ ପ୍ରକୋଷ୍ଠ, ହସ୍ତତନ୍ତ ଗ୍ୟାଲେରି ରହିଛି।

ଗତ ଏପ୍ରିଲ ମାସରେ ଶ୍ରୀଜଗନ୍ନାଥ ସଂସ୍କୃତି କଳାକୃତିକୁ ନେଇ ଏଠାରେ ନୂଆ ଏକ ଗ୍ୟାଲେରି ଜଗନ୍ନାଥ ଗ୍ୟାଲେରି ଖୋଲିଛି। ଏଥିରେ ଲୋକେ ରଥଯାତ୍ରାର ବିଭିନ୍ନ ବିଧି ସହ ଜଗନ୍ନାଥଙ୍କ ବିଭିନ୍ନ ବେଶ ଯଥା ନାଗାର୍ଜୁନ, ପଦ୍ମ, ଗଜାନନ, ବଡ଼ସିଂହାର, ରଘୁନାଥ ଓ ସୁନାବେଶର କଳାକୃତି ପ୍ରଦର୍ଶିତ ହେଉଛି। ଏଥିସହ ପ୍ରଭା ସିଂହାସନ, ବାରିଖଣ୍ଡୁଆ, ଶ୍ରୀଜିଉଙ୍କ ଶେଯ ବା ଗଦି ଆଦି ସମ୍ପର୍କରେ ମଧ୍ୟ ଦର୍ଶକ ଏଠାରୁ ଅନେକ କଥା ଜାଣିପାରିବେ। ବାରି ଖଣ୍ଡୁଆକୁ ନେଇ ଏଠାରେ ସୂଚନା ଦିଆଯାଇଛି ଯେ ଶ୍ରୀବିଗ୍ରହମାନଙ୍କୁ ସପ୍ତାହର ପ୍ରତ୍ୟେକ ଦିନ ବିଭିନ୍ନ ରଙ୍ଗର ରେଶମ କପଡ଼ା ଲାଗି କରାଯାଏ। ଏହା କଟକ ଜିଲ୍ଲାର ତିଗିରିଆ, ଖୋର୍ଧା ଜିଲ୍ଲାର ରାଉତପଡ଼ା ଗାଁରେ ବୁଣାଯାଏ।

ସପ୍ତାହର ୭ଦିନ ମହାପ୍ରଭୁଙ୍କ ବିଭିନ୍ନ ରଙ୍ଗର ପୋଷାକ ଦେଖି ଦର୍ଶକ ଏଠାରୁ ଭିନ୍ନ ଆନନ୍ଦ ଉଠାଇ ପାରିବେ। ଏଥିସହ ଶ୍ରୀଜଗନ୍ନାଥଙ୍କ ପାଇଁ ବିଭିନ୍ନ ରୀତିନୀତିରେ ବ୍ୟବହୃତ ବସ୍ତ୍ର ଯଥା ପ୍ରଥମାଷ୍ଟମୀରେ ଲାଗି ହେଉଥିବା ସୂତା ପାଞ୍ଜି, ରଥଯାତ୍ରା ସମୟରେ ଶ୍ରୀବିଗ୍ରହଙ୍କ ଗୁପ୍ତନୀତିରେ ବ୍ୟବହୃତ ଲୁଗା ନେତ ଖଣ୍ଡୁଆ, ନନ୍ଦ ଉତ୍ସବ, ସ୍ନାନ ପୂର୍ଣ୍ଣିମା, ରଥଯାତ୍ରାରେ ଲାଗି ହେଉଥିବା ବୋଇରାଣି, ରଥଯାତ୍ରା ସମୟରେ ଶ୍ରୀବିଗ୍ରହଙ୍କୁ ଲାଗି ହେଉଥିବା ପତନି ପ୍ରଭୃତି ଦେଖି ଅନେକ କିଛି ଜାଣି ହେବ। ଗ୍ୟାଲେରିରେ ରଥ କପଡ଼ା, ରଥ ଦଉଡ଼ି, କୋରାମୁଣ୍ଡା, ପଟିଦିଅଁର ମଧ୍ୟ କଳାକୃତି ରହିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe