ଖଣ୍ଡଗିରି: କମ୍ପୁଛି ଖଣ୍ଡଗିରି-ଉଦୟଗିରି। ଭଜନ କୀର୍ତ୍ତନ ଓ ହରିନାମରେ ମୁଖରିତ ଖଣ୍ଡମଣ୍ଡଳ। ସାଧୁସନ୍ଥଙ୍କ ଓମ୍କାର ଧ୍ବନି ପାହାଡ଼ ସାରା ଗୁଞ୍ଜରିତ ହେଉଛି। ଏହା ସହିତ ଆଜି ପବିତ୍ର ମାଘସପ୍ତମୀରେ ଖଣ୍ଡଗିରି କୁମ୍ଭମେଳା ଆରମ୍ଭ ହୋଇଛି। ଏକ ଭକ୍ତିମୟ ପରିବେଶରେ ହଜାର ହଜାର ଭକ୍ତଙ୍କ ଗହଣରେ ଭୋର୍ ୫ଟା ବେଳେ ଖଣ୍ଡଗିରିରେ ଥିବା ଆକାଶଗଙ୍ଗା, ଗୁପ୍ତଗଙ୍ଗା, ଲଳିତାକୁଣ୍ଡ, ଶ୍ୟାମାକୁଣ୍ଡ, ରାଧାକୁଣ୍ଡରେ ସ୍ନାନ କରି ଶହ ଶହ ସାଧୁସନ୍ଥ ନିଜ ଆସ୍ଥାନ ସ୍ଥଳରେ ପହଞ୍ଚିଥିଲେ। ଆଉ କିଛି ସାଧୁ ଚନ୍ଦ୍ରଭାଗାରେ ବୁଡ଼ ପକାଇ ଖଣ୍ଡଗିରିରେ ପହଞ୍ଚିଥିଲେ। ଦିନ ସାଢ଼େ୧୨ଟାରେ ଶ୍ୟାମକୁଣ୍ଡରୁ ଜଳ ନେଇ ମା'ଙ୍କ ପାଖରେ କଳସ ବସିବା ପରେ ସାଧୁମାନେ ହୋମଯଜ୍ଞ ଆରମ୍ଭ କରିଛନ୍ତି। ପୂର୍ଣ୍ଣମୀ ପର୍ଯ୍ୟନ୍ତ ଅସ୍ଥାୟୀ ତପ ଶିବିରଗୁଡ଼ିକରେ ଅହରହ ଜଳିବ ଏହି ଅଖଣ୍ଡ ଯଜ୍ଞଧୂପ। ନାଗାସାଧୁଙ୍କ ସମେତ ଅନ୍ୟ ସାଧୁସନ୍ଥମାନେ ନିଜ ନିଜ ଆସ୍ଥାନରେ ନାମ ସଂକୀର୍ତ୍ତନ ଆରମ୍ଭ କରିଦେଇଛନ୍ତି। ସକାଳ ୭ଟାରେ ମା' ବାରଭୂଜାଙ୍କ ପୂଜାର୍ଚ୍ଚନା କରାଯାଇ ଖଣ୍ଡଖିରି ଲାଗି ହୋଇଥିଲା। ଖଣ୍ଡଖିରି ପ୍ରସାଦ ପାଇଲେ ବହୁ ରୋଗର ନାଶ ହେବାସହ ପୁଣ୍ୟପ୍ରାପ୍ତି ହୋଇଥାଏ ବୋଲି ସାଧାରଣରେ ବିଶ୍ବାସ ରହିଛି। ସଞ୍ଜ ନଇଁ ଆସିବା ବେଳକୁ ବାବା ଓ ମାତାମାନଙ୍କ ପାଖରେ ଲୋକଙ୍କର ଭିଡ଼ ଜମିଥିଲା। ବହୁ କଷ୍ଟରେ ଦର୍ଶନ ସୗଭାଗ୍ୟ ମିଳୁଥିବା ଏହି ସନ୍ଥମାନଙ୍କ ଆଶୀର୍ବାଦ ଲାଭପାଇଁ ଶ୍ରଦ୍ଧାଳୁମାନେ ଧାଡ଼ିବାନ୍ଧି ଛିଡ଼ା ହୋଇଥିଲେ। ପ୍ରଥମ ଦିନରେ ୫,୦୦୦ରୁ ଅଧିକ ଭକ୍ତ ସାଧୁମାନଙ୍କୁ ଦର୍ଶନ କରିଛନ୍ତି। ବାବା ଆର୍ତ୍ତତ୍ରାଣ, ହୁଗୁଳିରୁ ଆସିଥିବା ମାତା ବୋମାମାଈ, ଜୁନା ଆଖଡ଼ାରୁ ଆସିଥିବା ବାବା ଦିଗମ୍ବର ବମନପୁରୀ ମହାରାଜ, କୋରାପୁଟରୁ ଆସିଥିବା ବାବା ରାମ ନାରାୟଣ ଦାସଙ୍କ ପାଖରେ ଭକ୍ତଙ୍କର ବିଶେଷ ଭିଡ଼ ଜମୁଛି। ଚେରମୂଳି ଦେଇ ରୋଗ ଭଲ କରୁଥିବା କିଛି ବାବା ମଧ୍ୟ ଆସିଛନ୍ତି। ସେଠାରେ ମଧ୍ୟ ଭିଡ଼ କିଛି କମ୍ ନାହିଁ। ସନ୍ଧ୍ୟା ୬ଟା ବେଳକୁ ଜାଗମରା ଗ୍ରାମ ପୁଷ୍କରିଣୀରୁ କଳସ ଯାତ୍ରା କରି ଶତାଧିକ ଶ୍ରଦ୍ଧାଳୁ ମା'ଙ୍କ ନିକଟରେ ପହଞ୍ଚିଥିଲେ। ସେଠାରେ ଘଟ ଆବାହନ ସହ ଶ୍ରୀ ଜଗନ୍ନାଥ, ବଳଭଦ୍ର ଓ ମା' ସୁଭଦ୍ରାଙ୍କ ନିକଟରେ ଅଖଣ୍ଡ ଦୀପ ଲଗାଇ ଯଜ୍ଞ ଆରମ୍ଭ ହୋଇଥିଲା।
ମେଳାବେଳେ ମନେପଡ଼େ ଯୋଗନଦୀ
ବିଲୁପ୍ତ ହୋଇଯାଇଛି ପୁଣ୍ୟତୋୟା ଯୋଗନଦୀ। ଏକଦା ଏହି ଚିରସ୍ରୋତା କ୍ଷୁଦ୍ର ଝରଣାଟି ଥିଲା ଯୋଗୀମୁନିଙ୍କ ସ୍ନାନପୀଠ। ଖଣ୍ଡଗିରି ଓ ଉଦୟଗିରିରେ ଯୋଗ ସାଧନ କରୁଥିବା ଯୋଗ ପୁରୁଷମାନଙ୍କ ସ୍ନାନଶୌଚର କ୍ଷେତ୍ର। ଏହାର ଜଳ ଥିଲା ବେଶ୍ ନିର୍ମଳ ଓ ପବିତ୍ର। ଲୋକେ ଏହି ଝରଣାକୁ ଏକ ପବିତ୍ର ନଦୀ ଭାବେ ଗ୍ରହଣ କରୁଥିଲେ ଓ ପୂଜା କରୁଥିଲେ। ଉଦୟଗିରି ତଳେ ବରମୁଣ୍ଡା ଦେଇ ବହି ଯାଉଥିବା ଏହି ଝରଣା କିନ୍ତୁ ସମୟଚକ୍ରରେ ଆଜି ରାଜଧାନୀର ପୂତିଗନ୍ଧମୟ ନର୍ଦ୍ଦମା। ତେବେ ଆଜି ମଧ୍ୟ ସେହି ପବିତ୍ର ନଦୀ ଗୁପ୍ତ ଅବସ୍ଥାରେ ମାଟି ତଳେ ପ୍ରବାହମାନ ବୋଲି ବିଶ୍ବାସ ରହିଛି। ସ୍ଥାନୀୟ ବରମୁଣ୍ଡା, ଜାଗମରା, ଘାଟିକିଆ, ନୂଆପଲ୍ଲୀ ଓ ଗଣ୍ଡମୁଣ୍ଡା ଗ୍ରାମବାସୀଙ୍କ ସୂଚନାନୁସାରେ, ଏକ ଅର୍ଜୁନ ଗଛମୂଳରୁ ଏହି ଝରଣା ବାହାରି ଥିଲା। ଏବେ ବି ସେହି ଅର୍ଜୁନ ଗଛ ରହିଛି ଓ ତା' ମୂଳର ଝରଣା ବି ରହିଛି। କିନ୍ତୁ ନଦୀ ଶୋଇଯାଇଛି ମାଟି ତଳେ। ଉପରେ ବହୁଛି ସହରର ନର୍ଦ୍ଦମା। ଚନ୍ଦକା ଜଙ୍ଗଲର ଉପତ୍ୟକାରୁ ସୃଷ୍ଟି ଏହି ଝରଣା ସେତେବେଳେ ଖଣ୍ଡଗିରିର ସାଧୁସନ୍ଥଙ୍କ ପାଇଁ ବେଶ୍ ଉପଯୋଗୀ ଥିଲା। ଏହାରି କୂଳରେ ଯୋଗ ତଥା ତପ ସାଧନା କରା ଯାଉଥିବାରୁ ଏହାକୁ ଯୋଗନଦୀ ବୋଲି କୁହାଯାଉଥିଲା। ବଡ଼ କଥା ହେଉଛି, ଏହା ଗ୍ରୀଷ୍ମକାଳରେ ବି ଶୁଖୁନଥିଲା। ତେଣୁ ଏହାର କୂଳରେ ଥିବା ବରମୁଣ୍ଡା, ଜାଗମରା, ଗଣ୍ଡମୁଣ୍ଡା ଗାଁର ଲୋକେ ବର୍ଷସାରା ଏହାରି ପାଣି ସାହାଯ୍ୟରେ ଚାଷ କରୁଥିଲେ। ତେଣୁ ଏହି ନଦୀ ଥିଲା ସ୍ଥାନୀୟ ଲୋକଙ୍କ ଜୀବନଧାରା। ସୂଚନାଯୋଗ୍ୟ, ଏହି ନଦୀ କୂଳକୁ ଲାଗି ରହିଥିବା ଯୋଗନଦୀ ସିଦ୍ଧି ଆଶ୍ରମ ଆଜି ବି ରହିଛି। ୧୬୦୦ ମସିହାରୁ ଏହି ଆଶ୍ରମ ରହିଛି। ଏହି ମଠରେ ରହୁଥିବା ଭକ୍ତଙ୍କ କହିବାକଥା, ସମୟକ୍ରମେ ନଦୀ ଗୁପ୍ତ ଅବସ୍ଥାକୁ ଚାଲି ଯାଇଛି। ଯେଉଁଠି ଡ୍ରେନ୍ ବହୁଛି, ତା' ତଳେ ଲୁଚି ରହିଛି ନଦୀର ସତ୍ତା। ନଦୀ ସିନା ମରିଯାଇଛି, ପବିତ୍ରତାର ମୃତ୍ୟୁ ନାହିଁ। ଏବେ ବି ଏହି ନଦୀର ସତ୍ତାକୁ ଅନୁଭବ କରିହୁଏ। ଶୀତଦିନେ ଏହି ଅଞ୍ଚଳରେ ଅଧିକ ଥଣ୍ଡା ଅନୁଭୂତ ହୁଏ। ଏମିତିକି ପ୍ରଚଣ୍ଡ ଖରାବେଳେ ଏଠାରେ ବହୁଥିବା ପବନ ବେଶ୍ ଶୀତଳ ଲାଗେ। ଏହି ପବିତ୍ର ନଦୀ ବାବଦରେ ଜାଣିଥିବା ଲୋକେ ହିଁ କେବଳ ଏହା ଅନୁଭବ କରିପାରନ୍ତି। ତେବେ ମେଳା ସମୟରେ ଏ ନଦୀକୁ ଖୋଜାପଡ଼େ।
ପ୍ରଥମ ଦିନରୁ କିଣାକିଣି: ୫ଟଙ୍କିଆ ହରେକମାଲରେ ମନ
ଏଥର ମେଳାରେ ବହୁ ପ୍ରକାର ମନୋହରି ଜିନିଷର ପସରା ମେଲିଛି। ମହିଳାମାନଙ୍କ ପାଇଁ ଚୁଡ଼ିଠାରୁ ଶାଢ଼ି ପର୍ଯ୍ୟନ୍ତ ସବୁ ଜିନିଷ ବିକ୍ରି ହେଉଛି। ୧୦୦ ଟଙ୍କିଆ ହରେକ୍ ମାଲ, ୫ଟଙ୍କିଆ ହରେକ୍ମାଲ ଓ ରାଜସ୍ଥାନୀ ଚୁଡ଼ି କିଣିବାକୁ ମହିଳାମାନେ ପସନ୍ଦ କରୁଛନ୍ତି। ବହୁ ଅଣଓଡ଼ିଆ ଟାଟୁବାଲାଙ୍କ ବେପାର ଭଲ ଜମୁଛି। ବଙ୍ଗୀୟ ଟାଟୁ ବ୍ୟବସାୟୀମାନେ ଭଲ ରୋଜଗାର କରୁଛନ୍ତି। ସେମାନେ ଇଞ୍ଚକୁ ୨୦୦ ଟଙ୍କା ହିସାବରେ ବିଭିନ୍ନ ପ୍ରକାର ଟାଟୁ କରୁଛନ୍ତି। ଘରକରଣା ଜିନିଷ ଦୋକାନ ଆଗରେ ଅଧିକ ଭିଡ଼ ଦେଖିବାକୁ ମିଳୁଛି।
ବିମୋହିତ କଲା ଅନନ୍ତକେଶରୀଙ୍କ ପଟୁଆର
ସନ୍ଧ୍ୟା ୭ରୁ ରାତି ସାଢ଼େ ୯।। ପ୍ରକମ୍ପିତ ହୋଇ ଉଠିଥିଲା ଜାଗମରା ଗାଁ ରାସ୍ତାରୁ ଖଣ୍ଡଗିରି। ପ୍ରଭୁ ଅନନ୍ତ କେଶରୀଙ୍କ ରାଣୀ ହଂସପୁର ଯାତ୍ରା ମହା ସମାରୋହରେ ଜାଗମରା ଗାଁ ନାଗାମଠରୁ ସୁସଜ୍ଜିତ ବିମାନରେ ଉଦୟଗିରି ପାହାଡ଼ ରାଣୀଗୁମ୍ଫାକୁ ନିଆଯାଇଥିଲା। ବାଜା ବାଣ ଓ ଶୋଭାଯାତ୍ରାରେ ପ୍ରଭୁ ଅନନ୍ତକେଶରୀ ରାଣୀ ହଂସପୁରକୁ ଯାଇଥିଲେ। ଚଳିତ ବର୍ଷ ପ୍ରଭୁଙ୍କ ଏହି ଯାତ୍ରା ପାଇଁ ୫ଟି ବାଣୁଆ ଦଳଙ୍କ ମଧ୍ୟରେ ଅଘୋଷିତ ବାଣ ଫୁଟା ପ୍ରତିଯୋଗିତା ହୋଇଥିଲା। ଗଛବାଣଠାରୁ ଆରମ୍ଭ କରି ହାବେଳି ପର୍ଯ୍ୟନ୍ତ ସବୁ ବାଣ ବେଶ୍ ଆକର୍ଷଣୀୟ ହୋଇଥିଲା। ଆତସ ବାଜିରେ ଆଜି ପ୍ରାୟ ଅଢ଼େଇ ଘଣ୍ଟା ଧରି କମ୍ପିଥିଲା ଖଣ୍ଡଗିରିରୁ ଜାଗମରା ପର୍ଯ୍ୟନ୍ତ ସନ୍ଧ୍ୟାର ଆକାଶ। ନିୟମ ଅଛି ଅନନ୍ତକେଶରୀ ସବୁଠାରୁ ବଡ଼ ଠାକୁର। ସେ କାହା ବାହୁତଳେ ଯିବେନି। ତେଣୁ ଖଣ୍ଡଗିରି ଓଭର୍ ବ୍ରିଜ୍ ହେବା ଦିନରୁ ଠାକୁର ବୁଲି ବୁଲି ରାଣୀଗୁମ୍ପା ଯାଉଛନ୍ତି। ଘଣ୍ଟ ଘଣ୍ଟା ଓ ମୃଦଙ୍ଗ, ଘୋଡ଼ାନାଚ, ରାବଣନାଚ, ଦୁଲୁକି, ସହ ରଙ୍ଗିନ୍ ଆଲୋକମାଳାରେ ଏକ ବିରାଟ ଶୋଭାଯାତ୍ରାରେ ପ୍ରଭୁଙ୍କୁ ନିଆଯାଇଥିଲା। ସନ୍ଧ୍ୟା ପ୍ରାୟ ୭ଟାରେ ପ୍ରଭୁ ଅନନ୍ତକେଶରୀ ଜାଗମରା ସ୍ଥିତ ନାଗାମଠରୁ ବାହାରି ଉଦୟଗିରି ରାଣୀ ଗୁମ୍ଫାସ୍ଥିତ ରାଣୀ ହଂସପୁରକୁ ବିଜେ କରିଥିଲେ। ସୁସଜ୍ଜିତ ବିମାନରେ ଭକ୍ତମାନେ ବିଭିନ୍ନ ବେଶରେ ଯାତ୍ରାରେ ସାମିଲ ହୋଇଥିଲେ। ପ୍ରଥମେ ବିମାନରେ ଗାଁ ପରିକ୍ରମା କରିବା ସହ ଠାକୁର ଚାଚେରୀ ଭୋଗ ଖାଇଥିଲେ। ସେଠାରେ ପ୍ରଭୁଙ୍କ ପୂଜାବିଧି ସମ୍ପନ୍ନ ହେବା ପରେ ଖଣ୍ଡଗିରି ଛକରୁ ଥାନା ଦେଇ ରମାମଣି ପେଟ୍ରୋଲ୍ ପମ୍ପ୍ରୁ ବୁଲି ଲଳିତାକୁଣ୍ଡରେ ପହଞ୍ଚି ସେ ଚାପ ଖେଳିଥିଲେ। ପରେ ଦୋଳବେଦୀରେ ପ୍ରଭୁ ବିଜେ କରିଥିଲେ ଓ ନୀତିକାନ୍ତି ଅନୁଯାୟୀ ପୂଜା ପାଇଥିଲେ। ଏହା ପରେ ଠାକୁର ନାଗାମଠକୁ ପ୍ରତ୍ୟାବର୍ତ୍ତନ କରିଥିଲେ।
Follow Us