ଅପହରଣର ଖଳନାୟିକା ପୁରୁଣା ପ୍ରେମିକା: ମାଡ଼ ଖାଇ ଖସିଆସିଲେ ଗଣମାଧ୍ୟମ କର୍ମଚାରୀ, କିନ୍ନର ଗିରଫ, ୩ ଫେରାର୍

ଅପହରଣର ଖଳନାୟିକା ପୁରୁଣା ପ୍ରେମିକା: ମାଡ଼ ଖାଇ ଖସିଆସିଲେ ଗଣମାଧ୍ୟମ କର୍ମଚାରୀ, କିନ୍ନର ଗିରଫ, ୩ ଫେରାର୍

ଭୁବନେଶ୍ବର: ପ୍ରେମରେ ବିଫଳ ହୋଇ ପାଗଳ ହୋଇଯାଇଥିଲା ପ୍ରେମିକା। ତେଣୁ ପ୍ରେମିକକୁ ଜୋର୍‌ କରି ବିବାହ କରିବାକୁ ବିଛାଇଲା ଜାଲ। ରଚନା କଲା ଅପହରଣ ନାଟକ। ନିଜେ ସାଜିଲା ଅପହରଣର ଖଳନାୟିକା। ଏହି ନାଟକରେ ତାକୁ ସହଯୋଗୀ ସାଜିଲେ ଜଣେ ଧରମ ଭାଇ ଓ ଜଣେ କିନ୍ନର। ସେମାନଙ୍କ ସହଯୋଗରେ ପ୍ରେମିକକୁ ଉଠାଇ ନେଲା ଧୋକା ଖାଇ ରାଗରେ ଜଳୁଥିବା ପ୍ରେମିକା। ଘଣ୍ଟାଏ କାଳ ଏକ ଘରେ ବନ୍ଦୀ କରି ବିବାହ କରିବାକୁ ଚାପ ପକାଇଲା ଓ ପ୍ରେମିକ ରାଜି ନହେବାରୁ ନିସ୍ତୁକ ପିଟିଲା। ତେବେ ସୌଭାଗ୍ୟକୁ କୌଶଳକ‌୍ରମେ ଖସିବା ବାଟ ପାଇ ଛୁ’ ମାରିଲେ ପ୍ରେମିକ। ଏନେଇ ନୂଆପଲ୍ଲୀ ଥାନାରେ ସେ ଅଭିଯୋଗ କରିବା ପରେ ପୁଲିସ କିନ୍ନରକୁ ଗିରଫ କରିଛି। ସେ ହେଲା ଭରତପୁରରେ ରହୁଥିବା ବନ୍ଦନା ପତି। ମାତ୍ର ଧରମ ଭାଇ ଓ ଅନ୍ୟ ଅଭିଯୁକ୍ତମାନେ ଫେରାର୍‌ ହୋଇଯାଇଛନ୍ତି। ଘଟଣାଟି ଆଜି ନୂଆପଲ୍ଲୀ ଗାନ୍ଧୀ ବସ୍ତି ଓ ଭରତପୁର ଅଞ୍ଚଳରେ ବେଶ୍ ଚର୍ଚ୍ଚାର ବିଷୟ ହୋଇଛି।

ସୂଚନାନୁସାରେ ନୂଆପଲ୍ଲୀ ଥାନା ଗାନ୍ଧୀ ବସ୍ତିରେ ରୁହନ୍ତି ରାଜେନ୍ଦ୍ର ସାହୁ। ସେ ଏକ ବୈଦ୍ୟୁତିକ ଗଣମାଧ୍ୟମରେ କାମ କରନ୍ତି। ତାଙ୍କ ପଡ଼ୋଶୀ ଜଣେ ଯୁବତୀଙ୍କ ସହ ତାଙ୍କର ପ୍ରେମ ସମ୍ପର୍କ ଥିଲା। ଏମିତିକି ସେମାନେ ବିବାହ ବନ୍ଧନରେ ବାନ୍ଧି ହେବେ ବୋଲି ଶପଥ କରିଥିଲେ। ମାତ୍ର ସେମାନଙ୍କ ଏହି ପ୍ରେମ ବେଶି ଦିନ ତିଷ୍ଠି ନଥିଲା। କୌଣସି କାରଣକୁ ନେଇ ସେମାନଙ୍କ ଭିତରେ ଫାଟ ସୃଷ୍ଟି ହୋଇଥିଲା। ରାଜେନ୍ଦ୍ର ଆଉ ଧରାଛୁଆଁ ଦେଲେ ନାହିଁ। ମାତ୍ର ପ୍ରେମିକା ଥିଲା ନଛୋଡ଼ବନ୍ଧା। ଯେମିତି ବି ହେଉ ସେ ରାଜେନ୍ଦ୍ରକୁ ପାଇବାକୁ ବ୍ୟାକୁଳ ହୋଇପଡ଼ିଥିଲା। ସବୁ ଚେଷ୍ଟା ବିଫଳ ହେବା ପରେ ପୁରୁଣା ପ୍ରେମିକା ରାଜେନ୍ଦ୍ରକୁ ଅପହରଣ କରି ଜୋର୍‌ କରି ବିବାହ କରିବାକୁ ସ୍ଥିର କଲା। ଦୁଇ ଦିନ ପୂର୍ବେ ରାଜେନ୍ଦ୍ର ଅଫିସ୍ ଯିବା ପାଇଁ ବାହାରୁଥିବା ବେଳେ ଅଚାନକ ୩ଜଣ ଦୁର୍ବୃତ୍ତ ଓ ଜଣେ କିନ୍ନର ତାଙ୍କ ଘରକୁ ଧସେଇ ପଶିଥିଲେ। ସେ କିଛି ବୁଝିବା ପୂର୍ବରୁ ସେମାନେ ତାଙ୍କୁ ନିସ୍ତୁକ ମାଡ଼ ମାରିଚାଲିଲେ। ପରେ ପରେ ଜୋର୍‌ ଜବରଦସ୍ତ ତାଙ୍କୁ ଗାଡ଼ିରେ ପୂରାଇ ଭରତପୁରସ୍ଥିତ ଏକ ବସ୍ତିକୁ ନେଇଯାଇଥିଲେ। ସେଠାରେ ଘଣ୍ଟାଧିକ କାଳ ଅଟକ ରଖି ରାଜେନ୍ଦ୍ରଙ୍କୁ ପ୍ରବଳ ମାଡ଼ ମାରିଥିଲେ। ତେବେ କୌଶଳ କରି ରାଜେନ୍ଦ୍ର ସେଠାରୁ ଖସିଆସିବା ପରେ ଗତକାଲି ନୂଆପଲ୍ଲୀ ଥାନାରେ ଅଭିଯୋଗ କରିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe