ହତ୍ୟାକାରୀଙ୍କ ଚରାଭୂଇଁ କୁଆଖାଇ ନଦୀପଠା

Advertisment

୧୨ ବର୍ଷରେ ୫ ମୁଣ୍ଡ ଗଡ଼ିଲାଣି, ରହସ୍ୟ ଭେଦ କରିପାରିନି ପୁଲିସ

୧୨ ବର୍ଷରେ ୫ ମୁଣ୍ଡ ଗଡ଼ିଲାଣି, ରହସ୍ୟ ଭେଦ କରିପାରିନି ପୁଲିସ

ହତ୍ୟାକାରୀଙ୍କ ଚରାଭୂଇଁ କୁଆଖାଇ ନଦୀପଠା

ଭୁବନେଶ୍ବର : ରାଜଧାନୀ ଭୁବନେଶ୍ବର ଉପକଣ୍ଠ ଚନ୍ଦକା ଜଙ୍ଗଲ ଭଳି କୁଆଖାଇ ନଦୀପଠା ମଧ୍ୟ ହତ୍ୟାକାରୀଙ୍କ ଚରାଭୂଇଁରେ ପରିଣତ ହୋଇଛି। ଗତ ୧୨ ବର୍ଷ ଭିତରେ ଏଠାରେ ୫ ମୁଣ୍ଡ ଗଡ଼ିଲାଣି। କିନ୍ତୁ କୌଣସି ହତ୍ୟାକାଣ୍ଡର ରହସ୍ୟ ଭେଦ କରିପାରିନି କମିସନରେଟ ପୁଲିସ। ଜଣେ ଯୁବତୀଙ୍କୁ ହତ୍ୟା ପରେ ବ୍ୟାଗ୍‌ ଭିତରେ ପୂରାଇ ମୃତଦେହକୁ ନଦୀପଠାରେ ଫିଙ୍ଗାଯିବା ଘଟଣାକୁ ସାଢ଼େ ୪ ବର୍ଷ ବିତି ଯାଇଥିଲେ ବି ଏଯାଏ ଯୁବତୀଙ୍କ ପରିଚୟ ମିଳିପାରି ନାହିଁ। ଆଉ ଏବେ ପୁଣି କୁଆଖାଇ ନଦୀପଠାର ବରିମୁଣ୍ଡ ନିକଟ ବାଲିଯାତ୍ରା ପଡ଼ିଆରେ ଜଣେ ଯୁବକଙ୍କୁ ହତ୍ୟା କରି ବାଲିରେ ପୋତିଦେବା ଘଟଣା ଆଲୋଡ଼ନ ସୃଷ୍ଟି କରିଛି।

publive-image new indian express

ଗଣ୍ଡରପୁର ଡବଲ୍ ମର୍ଡର
୨୦୦୯ ମାର୍ଚ୍ଚ ୨୭। କୁଆଖାଇ ନଦୀର ଗଣ୍ଡରପୁର ପଠାରେ ଦୁଇ ଜଣଙ୍କୁ ବୀଭତ୍ସ ହତ୍ୟା ଘଟଣା ରାଜଧାନୀରେ ଆଲୋଡ଼ନ ସୃଷ୍ଟି କରିଥିଲା। ଜଣଙ୍କର ମୁଣ୍ଡ ବିହୀନ ଶବ ମିଳିଥିଲା। ମୃତକ ଦ୍ବୟ ଥିଲେ ଗଣ୍ଡରପୁର ମଝିସାହିର ସୁରେନ୍ଦ୍ର ପଢ଼ିହାରୀ ଓ ବଡ଼ମ୍ବା ଗୋପୀନାଥପୁର ଅଞ୍ଚଳର ବାସୁଦେବ ବାରିକ। ହତ୍ୟାକାଣ୍ଡ ପଛରେ ଠିକାଦାରୀ ଶତ୍ରୁତା, ରାଜନୈତିକ ଲିଙ୍କ୍, ଗୁଣିଗାରେଡ଼ି ଆଦି ଏକାଧିକ ଦିଗ ସାମ୍ନାକୁ ଆସିଥିଲା। କିନ୍ତୁ ପର୍ଦ୍ଦାଫାସ୍ କରିବାରେ ଫେଲ୍ ମାରିଥିଲା ପୁଲିସ। ଏହି ମାମଲା ଏବେ ବି ରହସ୍ୟାବୃତ୍ତ ହୋଇ ରହିଛି।

publive-image

ବ୍ୟାଗ୍ ଭିତରେ ଯୁବତୀଙ୍କ ଶବ
୨୦୧୭ ଫେବ୍ରୁଆରି ୧। କୁଆଖାଇ ବ୍ରିଜ୍ ତଳୁ ଏକ ବ୍ୟାଗ ଭିତରୁ ଜଣେ ଯୁବତୀଙ୍କ ମୃତଦେହ ଉଦ୍ଧାର କରାଯାଇଥିଲା। ଶବ ବ୍ୟବଚ୍ଛେଦ ରିପୋର୍ଟରୁ ଏହା ହତ୍ୟାକାଣ୍ଡ ବୋଲି ସ୍ପଷ୍ଟ ହୋଇ ଯାଇଥିଲା। ପୁଲିସ ମାମଲାର ଅନେକ ତନାଘନା କରିଥିଲା। କିନ୍ତୁ ହତ୍ୟାକାରୀକୁ ଧରିବା ଦୂରେ ଥାଉ; ଏହି ଯୁବତୀ କିଏ ସେ ସମ୍ପର୍କରେ ପୁଲିସ ସାମାନ୍ୟତମ ସୁରାକ୍ ପାଇପାରିଲା ନାହିଁ। ସୂଚନାଦାତାଙ୍କୁ ୧ ଲକ୍ଷ ଟଙ୍କା ପୁରସ୍କାର ରାଶି ମଧ୍ୟ ଘୋଷଣା କରାଯାଇଥିଲା। କିନ୍ତୁ ପୁଲିସକୁ କୌଣସି ସଫଳତା ମିଳିପାରି ନ ଥିଲା।

ମତ୍ସ୍ୟଜୀବୀଙ୍କୁ ପଥରରେ ଛେଚି ହତ୍ୟା
୨୦୧୭ ସେପ୍ଟେମ୍ବର ୮, କୁଆଖାଇ ବ୍ରିଜ୍ ତଳ ନଦୀପଠାରୁ ଜଣେ ମଧ୍ୟ ବୟସ୍କ ବ୍ୟକ୍ତିଙ୍କ କ୍ଷତବିକ୍ଷତ ମୃତଦେହ ଉଦ୍ଧାର କରାଯାଇଥିଲା। ମୃତକ ଥିଲେ ବିଜୟ ବେହେରା। କୁଆଖାଇ ନଦୀରେ ମାଛ ଧରି ସେ ତାଙ୍କ ପରିବାର ଚଳାଉଥିଲେ। ତାଙ୍କୁ କେହି ପଥରରେ ଛେଚି ହତ୍ୟା କରିଥିବା ଜଣାପଡ଼ିଥିଲା। ତେବେ ହତ୍ୟାକାରୀ କିଏ ଏବଂ ହତ୍ୟାର କାରଣ କ’ଣ ତାହା ପତ୍ତା ଲଗାଇ ପାରି ନ ଥିଲା ପୁଲିସ।

publive-image WordPress.com

ଉନ୍ମୟ ପାଢ଼ୀ ମୃତ୍ୟୁ ମାମଲା: ଛୁରି ଭୁସି ପୋଡ଼ା ଯାଇଥିଲା, ପୁଲିସ କହିଥିଲା ଆତ୍ମହତ୍ୟା
୨୦୧୮ ମାର୍ଚ୍ଚ ୨୦ ତାରିଖରେ କୁଆଖାଇ ନଦୀପଠା ନହରକଣ୍ଟା ନିକଟରୁ ଏକ କ୍ଷତାକ୍ତ ଓ ଅର୍ଦ୍ଧଦଗ୍ଧ ମୃତଦେହ ମିଳିବା ଘଟଣା ରାଜଧାନୀରେ ଚାଞ୍ଚଲ୍ୟ ଖେଳାଇ ଦେଇଥିଲା। ମୃତକ ବିଜେବିନଗର ଅଞ୍ଚଳର ଉନ୍ମୟ ପାଢ଼ୀ ବୋଲି ଚିହ୍ନଟ ହୋଇଥିଲା। ପେଟରେ ଛୁରି ଭୁସା ଯାଇଥିଲା, ପରେ ନିଆଁରେ ପୋଡ଼ି ଦିଆଯାଇଥିଲା। ତାଙ୍କ ଅଫିସରେ କାମ କରୁଥିବା ଯୁବତୀଙ୍କ ସହ ଏକାଧିକ ଅଶ୍ଳୀଳ ଭିଡିଓ ଭାଇରାଲ୍ ହୋଇଥିଲା। ଏପରିକି ତାଙ୍କ ମୃତ୍ୟୁ ପରେ ଏ ସବୁ ଭିଡିଓ ଭାଇରାଲ୍ କେମିତି ହେଲା ଓ କିଏ କଲା ତାହାର ମଧ୍ୟ କିଛି ସୁରାକ୍ ମିଳି ନ ଥିଲା। ଉନ୍ମୟ ନିଜେ ନିଜ ପେଟରେ ଛୁରି ଭୁସିବା ପରେ ବାଇକ ତେଲ ଟାଙ୍କିରୁ ପେଟ୍ରୋଲ କାଢ଼ି ଦେହରେ ଢାଳି ହୋଇ ନିଆଁ ଲଗାଇ ଦେଇଥିଲେ ବୋଲି ପୁଲିସ କହିଥିଲା। କିନ୍ତୁ ଟାଙ୍କିରୁ କେଉଁଥିରେ ତେଲ କାଢ଼ିଲେ, ଡିଆସିଲି ନାଁ ଲାଇଟରରେ ନିଆଁ ଲଗାଇଲେ ସେମିତି କୌଣସି ସାମଗ୍ରୀ ମଧ୍ୟ ପୁଲିସ ଘଟଣାସ୍ଥଳରୁ ଜବତ କରିପାରି ନ ଥିଲା। ଯାହାକୁ ନେଇ ସନ୍ଦେହ ଆହୁରି ବଢ଼ିଥିଲା ଏବଂ ଘଟଣା ରହସ୍ୟ ଭିତରେ ରହି ଯାଇଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe