ଏମ୍‌ସ ଅଣ୍ଡରପାସ୍‌ରେ ଆଣ୍ଠୁଏ ପାଣି, ୧୦ଦିନ ହେଲା ଶୁଖୁନି

Advertisment
ଏମ୍‌ସ ଅଣ୍ଡରପାସ୍‌ରେ ଆଣ୍ଠୁଏ ପାଣି, ୧୦ଦିନ ହେଲା ଶୁଖୁନି

ଭୁବନେଶ୍ବର/ଖଣ୍ଡଗିରି: ଲଗାଣ ବର୍ଷା ଯୋଗୁଁ ଏମ୍‌ସ ଅଣ୍ଡରପାସ୍‌ ଛକରେ ୧୦ ଦିନ ହେଲା ବର୍ଷା ଜଳ ଜମି ରହିଛି। ପ୍ରାୟ ୫ ଶହ ମିଟର ପର୍ଯ୍ୟନ୍ତ ଅାଣ୍ଠୁଏ ଗଭୀରରେ ପାଣି ଜମି ରହିଛି। ଫଳରେ ୧୦ ଦିନ ହେଲାଣି ଏହି ରାସ୍ତା‌ରେ ଯାତାୟାତ ଏକପ୍ରକାର ଠପ୍‌ ହୋଇଯାଇଛି। ଏମ୍‌ସ ରାସ୍ତା ସହ ୧୬ ନମ୍ବର ଜାତୀୟ ରାଜପଥ ସଂଯୋଗ ହୋଇନପାରିବା ଯୋଗୁଁ ରୋଗୀମାନଙ୍କୁ ଏମ୍‌ସ ଯିବା ପାଇଁ ବହୁ ସମସ୍ୟାର ସମ୍ମୁଖୀନ ହେବାକୁ ପଡ଼ୁଛି। ଏଥିପ୍ରତି ନା ବିଏମ୍‌ସି ନା ଜାତୀୟ ରାଜପଥ କର୍ତ୍ତୃପକ୍ଷ ଏହି ସମସ୍ୟା ସମାଧାନ ଦିଗରେ କାମ କରୁଛନ୍ତି। ପ୍ରତିଦିନ ହଜାର ହଜାର ଲୋକ ଏଠାରେ ଦୁର୍ଦ୍ଦଶା ଭୋଗ କରୁଥିଲେ ବି କାହାର ଏଥିପ୍ରତି ନିଘା ନାହିଁ।

ଏଠାରେ ଏହି ସମସ୍ୟା ଆଜିର ନୁହେଁ। ପ୍ରାୟ ୨ ବର୍ଷ ହେଲା ଏମିତି ହେଉଛି। ବର୍ଷା ହେଲେ ଅଣ୍ଡରପାସ୍‌ ସହ ଖଣ୍ଡଗିରି ଦିଗରେ ଓ ପାତ୍ରପଡ଼ା ଦିଗରେ ପ୍ରାୟ ୫ ଶହ ମିଟର ରାସ୍ତା ବୁଡ଼ି ଯାଉଛି। ଏଠାରେ ରାସ୍ତା କଡ଼ରେ ନୂଆ ଡ୍ରେନ୍‌ ନିର୍ମାଣ କରାଯାଇଛି, କିନ୍ତୁ ଉକ୍ତ ଡ୍ରେନ୍‌ରୁ ଜଳ ନିସ୍କାସନ ହୋଇପାରୁନାହିଁ। ତେଣୁ ଡ୍ରେନ୍‌ ସହ ରାସ୍ତା ଜଳାର୍ଣ୍ଣବ ହୋଇ ରହୁଛି। ଏହି ରାସ୍ତା ଉପରେ ଯଦୁପୁର, ବେଗୁନିଆ, ଡୁମୁଡୁମା ଗାଁ, ସରକନ୍ତରା, ବାହଦଲପୁର, ରଘୁନାଥନଗର, କସ୍‌ମୋପଲିସ୍ ଆଦି ଅଞ୍ଚଳର ଲକ୍ଷ ଲକ୍ଷ ବାସିନ୍ଦା ବର୍ତ୍ତମାନ ନିର୍ଭରଶୀଳ। କାରଣ ଖଣ୍ଡଗିରି ଫ୍ଲାଏଓଭର୍ ନିର୍ମାଣ ହେବା ପରେ କସ୍‌ମୋପଲିସ ଛକ ନିକଟରେ ଥିବା ମେଡିଆନ୍ କଟ୍‌କୁ ବନ୍ଦ କରି ଦିଆଯାଇଛି। ଫଳରେ ଉକ୍ତ ଅଞ୍ଚଳର ଲୋକେ ଏମ୍‌ସର ଏହି ଅଣ୍ଡରପାସ୍‌ରେ ଯାତାୟାତ କଲେ। ଏହା ସହିତ ଜାତୀୟ ସ୍ତରର ଡାକ୍ତରଖାନା ଏମ୍‌ସ ବ୍ୟତୀତ କିଡ୍‌ସ ହସ୍ପିଟାଲ, ବିଜୁ ପଟ୍ଟନାୟକ ପୁଲିସ ଏକାଡେମି, ଆଇଟିସି ହୋଟେଲ, ଆଇଏଚ୍‌ଏମ୍ ଶିକ୍ଷାନୁଷ୍ଠାନ, କୃଷିର ଦୁଇଟି ବଡ଼ ପ୍ରତିଷ୍ଠାନ ସମେତ ୧୦ରୁ ଅଧିକ ପ୍ରମୁଖ ଅନୁଷ୍ଠାନ ରହିଛି। ଏମ୍‌ସକୁ ବାହାର ଜିଲ୍ଲା ସମେତ ପଡ଼ୋଶୀ ରାଜ୍ୟରୁ ପ୍ରତିଦିନ ହଜାର ହଜାର ସଂଖ୍ୟାରେ ରୋଗୀ ଆସୁଛନ୍ତି। କିନ୍ତୁ ରାସ୍ତା ଅବସ୍ଥା ଯୋଗୁଁ ଲୋକେ ବଡ଼ ହନ୍ତସନ୍ତ ହେଉଛନ୍ତି।

ସ୍ଥାନୀୟ ବାସିନ୍ଦା ରଘୁନାଥ ସାହୁଙ୍କ କହିଛନ୍ତି ଯେ ଗତ ୧୦ଦିନ ହେବ ଏହି ରାସ୍ତା ବୁଡ଼ି ରହିଛି। ଆଳୁଗଦି ଆସୁଥିବା ବଡ଼ ବଡ଼ ଟ୍ରକ୍ ଏହି ପଟେ ଯାତାୟାତ କରୁଥିବାରୁ ଆମ୍ବୁଲାନ୍ସ ଓ ଅନ୍ୟ ଗାଡ଼ି ସବୁ ଘଣ୍ଟାଘଣ୍ଟା ଧରି ଫସି ରହୁଛନ୍ତି। ବିଏମ୍‌ସି ଓ ଏନ୍‌ଏଚ୍‌ଆଇକୁ ବାରମ୍ବାର ଅଭିଯୋଗ କରିବା ପରେ ବି କାହାର ନିଦ ଭାଙ୍ଗୁନି ବୋଲି ସେ କହିଛନ୍ତି। ସେହିଭଳି କୁବେରପୁରୀର ଜଣେ ବ୍ୟବସାୟୀ କହିଛନ୍ତି ଯେ ଅଣଓସରିଆ ଅଣ୍ଡରପାସ୍‌ରେ ସବୁ ଗାଡ଼ି ଯିବା ଆସିବା କରୁଥିବାରୁ ଘଣ୍ଟା ଘଣ୍ଟା ଧରି ପରିବା ବୋଝେଇ ଗାଡ଼ି ଗୁଡ଼ିକ ଫସିରହୁଛି। ଫଳରେ ବ୍ୟବସାୟ ପ୍ରଭାବିତ ହେଉଛି। ଏନେଇ ଉଭୟ ବିଏମ୍‌ସି ଓ ଏନ୍‌ଏଚ୍‌ଆଇକୁ ଯୋଗାଯୋଗ କରାଯାଇଥିଲେ ବି କୌଣସି ଉତ୍ତର ମିଳିନଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe