ବିଗୁଡ଼ୁଛି ରାଜଧାନୀର ଆଇନଶୃଙ୍ଖଳା ସ୍ଥିତି

Advertisment

ହତ୍ୟା, ଦୁଷ୍କର୍ମ, ଗୋଷ୍ଠୀ ସଂଘର୍ଷରେ ଲୋକେ ଆତଙ୍କିତ

ହତ୍ୟା, ଦୁଷ୍କର୍ମ, ଗୋଷ୍ଠୀ ସଂଘର୍ଷରେ ଲୋକେ ଆତଙ୍କିତ

ବୃଦ୍ଧାଙ୍କୁ ଟାଙ୍ଗିଆରେ ହାଣି ହତ୍ୟା, ହତ୍ୟାକାରୀକୁ ଆଜୀବନ କାରାଦଣ୍ଡ

Image Courtesy of Zee News

ଭୁବନେଶ୍ବର: ଦିନକୁ ଦିନ ରାଜଧାନୀର ଆଇନଶୃଙ୍ଖଳା ସ୍ଥିତି ବିଗିଡ଼ିବାରେ ଲାଗିଛି। କଥା କଥାରେ ଖଣ୍ଡା, ଭୁଜାଲି ଉଠୁଛି। ରକ୍ତାକ୍ତ ସଂଘର୍ଷରେ ମୁଣ୍ଡ ଗଡ଼ୁଛି। ଲୁଟେରାମାନେ ଦିନ ଦି’ପହରେ ଲୋକଙ୍କୁ ହଣାକଟା କରି ଲୁଟୁଛନ୍ତି। ଗୋଷ୍ଠୀ ସଂଘର୍ଷରେ ବସ୍ତି ଅଞ୍ଚଳ ରକ୍ତରଂଜିତ ହେଉଛି। ଏମିତିକି ବିଚ୍‌ ରାସ୍ତାରେ ବର୍ଦ୍ଦିରେ ଥିବା ପୁଲିସକୁ ମଧ୍ୟ ଆକ୍ରମଣ ହେଉଛି। ବର୍ଷ ଆରମ୍ଭରୁ ଗତ ମାସକ ମଧ୍ୟରେ ଗୋଷ୍ଠୀ ସଂଘର୍ଷଠାରୁ ଆରମ୍ଭ କରି ନାବାଳିକା ଦୁଷ୍କର୍ମ, ଦୁଇ ଦୁଇଟି ବୀଭତ୍ସ ହତ୍ୟାକାଣ୍ଡ ଏବଂ ଅନ୍ୟାନ୍ୟ ଛାତିଥରା ଅପରାଧ ରାଜଧାନୀବାସୀଙ୍କୁ ଆତଙ୍କିତ କରିରଖିଛି। ରାତି ଦିନ ସବୁବେଳେ ସବୁ ମୁହୂର୍ତ୍ତରେ ରାଜଧାନବାସୀଙ୍କୁ ଗୋଡ଼େଗୋଡ଼େ ବିପଦ ଛକି ରହୁଛି। ପୁଲିସ ଯେତେ ବ୍ଲକିଂ, ଚେକିଂ କରୁ କିମ୍ବା ୨୪ ଘଣ୍ଟିଆ ପଇଁନ୍ତରା ମାରୁ, ଅପରାଧୀଙ୍କ ଉପରେ ଅଙ୍କୁଶ ଲଗାଇବା କାଠିକର ପାଠ ହୋଇପଡ଼ିଛି। ଗତ ମାସରେ ରାଜଧାନୀରେ ଘଟିଥିବା ବିଭିନ୍ନ ଭୟଙ୍କର ଅପରାଧର ଚିତ୍ର ଏହା ସ୍ପଷ୍ଟଭାବେ ବୟାନ କରୁଛି।

ବଢ଼ୁଛି ଗୋଷ୍ଠୀ ସଂଘର୍ଷ

publive-image Zee News

୧/୧: ଲୋକମାନେ ନୂଆ ବର୍ଷ ପାଳନ କରୁଥାଆନ୍ତି। ହଠାତ୍‌ ୫/୭ ବାଇକ୍‌ରେ ୧୫ରୁ ଅଧିକ ଯୁବକ ହାତରେ ଖଣ୍ଡା, ଭୁଜାଲି ଧରି ବସ୍ତିରେ ପଶିଲେ। ବାଇକ୍‌ ଘୁଁ ଘାଁ କରି ଗର୍ଜନ କରାଇବା ସହ ଲୋକଙ୍କୁ ଗାଳିଗୁଲଜ କଲେ। ଯିଏ ସେମାନଙ୍କ ହାବୁଡ଼ରେ ପଡ଼ିଲା ତାକୁ ଆକ୍ରମଣ କଲେ। ଗାଡ଼ି ମଟର ଯାହା ସାମ୍ନାକୁ ଆସିଲା ପିଟି ଭାଙ୍ଗିଲେ। ରାତି ଅଧରେ ନୂଆପଲ୍ଲୀ ଭୋଇସାହି ଅଞ୍ଚଳରେ ଦୁର୍ବୃତ୍ତଙ୍କ ଏଭଳି ଉତ୍ପାତ ସ୍ଥାନୀୟ ଅଞ୍ଚଳରେ ଆତଙ୍କ ଖେଳାଇ ଦେଇଥିଲା। ତେବେ ଆକ୍ରମଣ ଓ ପ୍ରତିଆକ୍ରମଣ ଯୋଗୁଁ ଦୁଇ ଗୋଷ୍ଠୀର ୬ରୁ ଅଧିକ ଯୁବକ ଆହତ ହୋଇଥିଲେ। ସେହିପରି ଦୁର୍ବୃତ୍ତମାନେ ଗୋଟିଏ ହାଇୱା, କାର୍‌ ଆଦି ୪ରୁ ଅଧିକ ଗାଡ଼ି ଭାଙ୍ଗି ଗୁଣ୍ଡ କରିଦେଇଥିଲେ।
୧୭/୧: ଇନ୍‌ଫୋସିଟି ଥାନା ଅଧୀନ ଶିଖରଚଣ୍ଡୀ ଓ ଚିରଗାଲଟୋଲା ବସ୍ତିର ଯୁବକଙ୍କ ମଧ୍ୟରେ ହୋଇଥିଲା ଗୋଷ୍ଠୀ ସଂଘର୍ଷ। ଚିରଗାଲଟୋଲା ବସ୍ତିରେ ମକର ପୂଜା ଅବସରରେ ମାରାମବୁରୁ ମଣ୍ଡପ ନିକଟରେ କିଛି ପିଲା ଭୋଜି କରୁଥିଲେ। ସେହି ବାଟ ଦେଇ ଶିଖରଚଣ୍ଡୀର ଦୁଇ ଜଣ ଯୁବକ ଚାଲିଚାଲି ଯାଉଥିଲା ବେଳେ ଭୋଜି କରୁଥିବା ପିଲାଙ୍କ ସହ ବଚସା ହୋଇଥିଲା। ବଚସାରୁ ସୃଷ୍ଟି ହେଲା ଗୋଷ୍ଠୀ ସଂଘର୍ଷ ଏବଂ ପରେ ଏହା ଉଗ୍ର ରୂପ ନେଇଥିଲା। ଆକ୍ରମଣ ପ୍ରତିଆକ୍ରମଣ ଯୋଗୁଁ ଉଭୟ ପକ୍ଷର ୮ରୁ ଅଧିକ ଆହତ ହୋଇଥିଲେ। ଘଟଣାରେ ପୁଲିସ ଉଭୟ ପକ୍ଷର ୧୩ଜଣଙ୍କୁ ଗିରଫ କରିଥିଲା।
୨୮/୧: ରାତି ଅଧରେ ତାରିଣୀ ବସ୍ତିରେ ବୁଲିଲା ଖଣ୍ଡା ଭୁଜାଲି। ୫ରୁ ଅଧିକ ଯୁବକ ଖଣ୍ଡା ଭୁଜାଲି ଧରି ଆତଙ୍କ ରଚିଲେ। ଯାହାକୁ ପାରିଲେ ତାକୁ ହାଣିବାକୁ ଗୋଡ଼ାଇଲେ। ଆକ୍ରମଣରେ ଜୀବନ ଷଡ଼ଙ୍ଗୀ ଓ ତାଙ୍କ ସାଙ୍ଗ ଆହତ ହୋଇଥିଲେ। ଘଟଣାରେ ସହିଦନଗର ଥାନା ପୁଲିସ ଉଭୟ ପକ୍ଷର ତିନି ଜଣଙ୍କୁ ଗିରଫ କରିଥିଲା।

ରାଜଧାନୀ ଛାତି ଉପରେ ମହିଳା ଏସ୍‌ଆଇଙ୍କୁ ଖଣ୍ଡା ଧରି ଗୋଡ଼ାଇଲେ

୪/୧: ବିଚ୍‌ ରାସ୍ତାରେ ପୁଲିସ୍‌ ବର୍ଦ୍ଦିରେ ଥିବା ଜଣେ ମହିଳା ସବ୍‌ ଇନ୍ସପେକ୍ଟରଙ୍କୁ ଅସାମାଜିକ ଯୁବକମାନେ ଗାଡ଼ି ଚଢ଼ାଇ ଦେବାକୁ ଉଦ୍ୟମ କଲେ। ପ୍ରତିବାଦ କରିବାରୁ ଖଣ୍ଡା ଧରି ଗୋଡ଼ାଇଲେ। ଏଭଳି ଘଟଣା ଘଟିଥିଲା ରାଜଧାନୀ ଛାତିରେ ସହିଦନଗର ଥାନାଠାରୁ ମାତ୍ର କିଛି ଦୂର ସାଇନ୍ସ ପାର୍କ ରୋଡ୍‌ରେ। ନୂଆବର୍ଷ ରାତିରେ ମହିଳା ଥାନା ପୁଲିସ୍ ଏସ୍‌ଆଇ ଶୁଭଶ୍ରୀ ନାୟକ ଥାନାରୁ ଡ୍ୟୁଟି ସାରି ନିଜ କାର୍‌ରେ ଘରକୁ ଫେରୁଥିଲେ। ଆଚାର୍ଯ୍ୟବିହାର ନିକଟ ସାଇନ୍ସ ପାର୍କ ପାଖରେ ଯାଉଥିବା ବେଳେ ସାମ୍ନାପଟୁ ଆସୁଥିବା ଏକ ଇନୋଭା କାର୍‌ ତାଙ୍କ କାର୍‌ ସାମ୍ନାକୁ ମାଡ଼ିଆସିଥିଲା। କାର୍‌ଟି ଅଚାନକ ତାଙ୍କ ଆଗକୁ ମାଡ଼ିଆସିବାରୁ ଭୟରେ ସେ ନିଜ କାର୍‌କୁ ରାସ୍ତା କଡ଼କୁ ନେଇଯାଇଥିଲେ। ଦୁର୍ବୃତ୍ତମାନେ ଇନୋଭାରୁ ବାହାରି ଖଣ୍ଡା ଧରି ତାଙ୍କ ଆଡ଼କୁ ଆସିଥିଲେ। ଭୟରେ ସେ କାର୍‌ ଚଳାଇ ରିଜର୍ଭ ପୁଲିସ ଗ୍ରାଉଣ୍ଡକୁ ପଳାଇଯାଇଥିଲେ। ଦୁର୍ବୃତ୍ତ ଏତିକିରେ ଅଟକି ନଥିଲେ। ତାଙ୍କୁ ପିଛା କରି ସାଇନ୍ସ ପାର୍କ ଗଳିଆଡ଼େ ଯାଇଥିଲେ। ଏନେଇ ଶୁଭଶ୍ରୀ ସହିଦନଗର ଥାନାରେ ଅଭିଯୋଗ କରିବା ପରେ ପୁଲିସ ୩ ଅଭିଯୁକ୍ତଙ୍କୁ ଗିରଫ କରିବା ସହ ଇନୋଭା ଜବତ କରିଥିଲା।

୨ ନାବାଳିକାଙ୍କୁ ହାତ ଗୋଡ଼ ବାନ୍ଧି ଗଣଦୁଷ୍କର୍ମ

publive-image Daily Times

୧୬/୧: ରାଜଧାନୀରେ ଦୁଇ ନାବାଳିକାଙ୍କୁ ଗୋଡ଼ ହାତ ବାନ୍ଧି ଗଣ ଦୁଷ୍କର୍ମ କରାଗଲା। ତା’ ପୁଣି ରେଳେଷ୍ଟେସରେ ଥିବା ଏକ ଘର ଭିତରେ। ରାତି ତମାମ ଦୁଷ୍କର୍ମ କରିବା‌ ପରେ ଅଭିଯୁକ୍ତମାନେ ଧମକଚମକ ଦେଇ ଛାଡ଼ିଦେଲେ। ଏଭଳି ଘଟଣା ଘଟିଥିଲା ପଟିଆ ଷ୍ଟେସନ ରେଲବାଇ ଓଭରବ୍ରିଜ୍‌ରେ। ଗତ ୧୬ତାରିଖ ଦିନ ପ୍ରାୟ ସାଢ଼େ ୧୨ଟା ସମୟରେ ସ୍ଥାନୀୟ ଅଞ୍ଚଳର ଦୁଇ ନାବାଳିକା ପଟିଆ ଷ୍ଟେସନ ଅଞ୍ଚଳକୁ ବୁଲାବୁଲି କରିବାକୁ ଯାଇଥିଲେ। ଏହିସମୟରେ ଦୁଇ ଜଣ ଯୁବକ ସେମାନଙ୍କୁ ଓଭରବ୍ରିଜ୍ ଉପରକୁ ଟେକି ନେଇ ଯାଇଥିଲେ। ସେଠାରେ ସେମାନଙ୍କୁ ବାନ୍ଧି ପକାଇ ଦୁଷ୍କର୍ମ କରି ଚାଲିଥିଲେ। ରାତି ତମାମ ନାବାଳିକା ଦ୍ବୟ ଦୁଷ୍କର୍ମର ଶିକାର ହୋଇଥିଲେ ବି ‌ଯୁବକଦ୍ବୟଙ୍କ କବଳରୁ ବର୍ତ୍ତିପାରିନଥିଲେ। ସେମାନେ ଯେତେ ଚିତ୍କାର କରିଥିଲେ ମଧ୍ୟ ଶୁଣିବାକୁ କେହି ନଥିଲେ। ପରଦିନ ସକାଳେ ନାବାଳିକା ଦୁହେଁ ଘରକୁ ଫେରି ଘଟଣା ସମ୍ପର୍କରେ ପରିବାର ଲୋକଙ୍କୁ ଜଣାଇବା ପରେ ମାମଲା ପଦାକୁ ଆସିଥିଲା।

ମହିଳାଙ୍କୁ ପିଟିପିଟି ହତ୍ୟା

୨/୧: ନୂଆପଲ୍ଲୀ ଇନ୍ଦ୍ରଧନୁ ମାର୍କେଟ୍‌ସ୍ଥିତ ରିଚି ହୋଟେଲ୍‌ ପଛପଟ ନିର୍ମାଣାଧୀନ କୋଠାରେ ଜଣେ ମହିଳାଙ୍କୁ ପିଟିପିଟି ହତ୍ୟା କରାଯାଇଥିଲା। ମୟୂରଭଞ୍ଜ ଜିଲ୍ଲା ଉଦଳା ଅଞ୍ଚଳର ମୃତ ସୁନିମାନୀ ସିଂ ତାଙ୍କ ଦ୍ବିତୀୟ ସ୍ବାମୀ ମହେଶ୍ବରଙ୍କ ସହ ଏହି ନିର୍ମାଣାଧୀନ କୋଠାରେ କାମ କରୁଥିଲେ। ହେଲେ ପାରିବାରିକ କଳହକୁ ନେଇ ପତିପତ୍ନୀଙ୍କ ମଧ୍ୟରେ ବିବାଦ ଲାଗିରହିଥିଲା। ତେବେ ଗତ ୨ ତାରିଖ ରାତିରେ ଦମ୍ପତ୍ତିଙ୍କ କଳି ଭୀଷଣ ରୂପ ନେଇଥିଲା। ମହେଶ୍ବର ରାଗିଯାଇ ଏକ କାଠଫାଳିଆରେ ପିଟିପିଟି ମାନୀଙ୍କୁ ହତ୍ୟା କରିଥିଲା। ହତ୍ୟା କରିବା ପରେ ତାଙ୍କୁ ଏକ ରଶିରେ ଝୁଲାଇ ଫେରାର୍‌ ହୋଇଯାଇଥିଲା। ପୁଲିସ ମହିଳାଙ୍କ ମୃତଦେହକୁ ଜବତ କଲା ସମୟରେ ତାଙ୍କ ମୁଣ୍ଡ, ଶରୀର ଏବଂ ମୁହଁରେ କ୍ଷତ ଚିହ୍ନ ରହିଥିବାରୁ ମୃତ୍ୟୁକୁ ନେଇ ସନ୍ଦେହ କରିଥିଲା। ଏନେଇ ପୁଲିସ ଅପମୃତ୍ୟୁ ମାମଲା ରୁଜୁକରି ଘଟଣାର ତଦନ୍ତ ଜାରି ରଖିଥିବା ବେଳେ ବ୍ୟବଚ୍ଛେଦ ରିପୋର୍ଟ ମୃତ୍ୟୁ ପଛର ଗୁମର ଖୋଲିଥିଲା। ମାଡ଼ ଯୋଗୁଁ ମହିଳାଙ୍କ ମୃତ୍ୟୁ ଘଟିଥିବା ଜଣାପଡ଼ିଥିଲା। ଏହାପରେ ପୁଲିସ ହତ୍ୟା ମାମଲା ରୁଜୁକରି ମହେଶ୍ବର ସିଂକୁ ଗିରଫ କରିଥିଲା।

ମାଉଁସ ପାଇଁ ସାଙ୍ଗକୁ ହତ୍ୟା

୧୭/୧: ମାଉଁସ ତରକାରିକୁ ନେଇ ଆରମ୍ଭ ହୋଇଥିବା ସାଙ୍ଗମାନଙ୍କ ମଧ୍ୟରେ ହୋଇଥିବା ପାଟିତୁଣ୍ଡ ଶେଷରେ ହତ୍ୟାକାଣ୍ଡର ରୂପ ନେଇଥିଲା। ଅଭିଯୁକ୍ତମାନେ ସାଙ୍ଗ ସୁଶିଲ ହେମ୍ବ୍ରମଙ୍କୁ କାଠଫାଳିଆରେ ପିଟିପିଟି ହତ୍ୟା କରିଥିଲେ। ଏଭଳି ବୀଭତ୍ସ ହତ୍ୟାକାଣ୍ଡ ଘଟିଥିଲା ସାଲିଆସାହି ଇଡ୍‌କୋ ବସ୍ତିରେ। ଘଟଣା ଦିନ ରାତିରେ ସୁଶିଲ କୁକୁଡ଼ା ମାଂସ ରାନ୍ଧିଥିଲେ। ରୋଷେଇ ସାରି ବାହାକୁ ଯାଇଥିଲେ। ଏହି ସମୟରେ ସୋନୁ ଓ ବିଶ୍ବନାଥ ତାଙ୍କ ଘରକୁ ଆସି ମଦ ପିଇବା ସହ ତରକାରି ତକ ଖାଇଦେଇଥିଲେ।

ସୁଶିଲ ଫେରିବା ବେଳକୁ ଦୁଇ ଭାଇ ଘରେ ମଦ ପିଉଥିବା ସହ ତାଙ୍କ ତରକାରି ଖାଇଦେଇଥିବା ଜାଣି ପାଟି କରିଥିଲେ। ଏହାକୁ ନେଇ ସେମାନଙ୍କ ମଧ୍ୟ ଭୀଷଣ ପାଟିତୁଣ୍ଡ ହୋଇଥିଲା। ଦୁଇ ଭାଇ ରାଗ ତମତମ ହୋଇ ସେଠାରୁ ଚାଲିଯାଇଥିଲେ। ହେଲେ ସୁଶିଲକୁ ରାସ୍ତାରୁ ହଟାଇବା ପାଇଁ ଯୋଜନା କରିଥିଲେ। ରାତି ପାଖାପାଖି ୩ଟା ବେଳେ ଦୁଇଭାଇ ସୁଶିଲକୁ ଡ଼ାକିଥିଲେ। ସେ କବାଟ ଖୋଲିବା ମାତ୍ରେ ସେମାନେ କାଠଫାଳିଆରେ ତାଙ୍କ ମୁଣ୍ଡକୁ ଶକ୍ତ ପାହାର ଦେଇଥିଲେ। ସୁଶିଲ ତଳେ ପଡ଼ିଯିବା ପରେ ଦୁଇ ଭାଇ ନିସ୍ତୁକ ପିଟି ଚାଲିଥିଲେ। ହତ୍ୟା କରିବା ପରେ ଉଭୟ ସେଠାରୁ ଫେରାର୍‌ ହୋଇଯାଇଥିଲେ। ପରେ ପୁଲିସ ଦୁଇ ଅଭିଯୁକ୍ତଙ୍କୁ ଗିରଫ କରିଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe