ମାଷ୍ଟର କ୍ୟାଣ୍ଟିନ୍‌ ଛକର ନକ୍ସା ବଦଳିଲା: ନୂଆ ରାସ୍ତା ବଢ଼ାଇଲା ଟ୍ରାଫିକ୍‌ ସମସ୍ୟା, ଷ୍ଟେସନରୁ ପିଏମ୍‌ଜି ରାସ୍ତା ବନ୍ଦ, ଲୋକେ ହନ୍ତସନ୍ତ

ମାଷ୍ଟର କ୍ୟାଣ୍ଟିନ୍‌ ଛକର ନକ୍ସା ବଦଳିଲା: ନୂଆ ରାସ୍ତା ବଢ଼ାଇଲା ଟ୍ରାଫିକ୍‌ ସମସ୍ୟା, ଷ୍ଟେସନରୁ ପିଏମ୍‌ଜି ରାସ୍ତା ବନ୍ଦ, ଲୋକେ ହନ୍ତସନ୍ତ

ଭୁବନେଶ୍ବର: ମାଷ୍ଟରକ୍ୟାଣ୍ଟିନ୍‌ ଘୋଡ଼ାକୁ ନୂଆ ରୂପ ଦେବାକୁ ଯାଇ ବିଏସ୍‌ସିଏଲ୍‌ ପୂରା ଛକର ନକ୍ସା ବଦଳାଇ ଦେଇଛି। ଏଠାରେ ଥିବା ଗୋଲେଇ କାଟି ରାଜମହଲରୁ ବାଣୀବିହାର ଓ ବାଣୀବିହାରରୁ ରାଜମହଲ ରାସ୍ତାକୁ ସିଧା କରି ଦିଆଯାଇଛି। ଏହି ସିଧା ରାସ୍ତାରେ ଏବେ ଗାଡ଼ି ଚଳାଚଳ ଆରମ୍ଭ କରିଛି। ମ‌ାତ୍ର ବଡ଼ କଥା ହେଉଛି, ଷ୍ଟେସନ୍‌ କିମ୍ବା ବାଣୀବିହାର ପଟୁ ଆସୁଥିବା ଗାଡ଼ି ମାଷ୍ଟରକ୍ୟାଣ୍ଟିନ୍‌ ଛକ ଦେଇ ଆଉ ପିଏମ୍‌ଜି ଆଡ଼କୁ ଯାଇ ପାରୁନାହାନ୍ତି। କାରଣ ଏହି ରାସ୍ତାକୁ ବନ୍ଦ କରି ଦିଆଯାଇଛି। ଦୂରକୁ ସୁନ୍ଦର ଦିଶୁଥିଲେ ମଧ୍ୟ ଏହି ନୂଆ ବ୍ୟବସ୍ଥାରେ ଆରମ୍ଭରୁ ଗୁରୁତର ଟ୍ରାଫିକ୍‌ ସମସ୍ୟା ଉପୁଜିଛି। ଚାଳକମାନେ ଏହି ସୂଚନା ନେଇ ଅବଗତ ନଥିବାରୁ ଛକରେ ଫସି ଯାଉଛନ୍ତି। ଡାହାଣପଟକୁ ଯିବାକୁ ଉଦ୍ୟତ ହେବା ବେଳକୁ ବାଡ଼ ଦେଖୁଥିବାରୁ ହଡ଼ବଡ଼େଇ ଯାଉଛନ୍ତି। ଫଳରେ ପଛରୁ ଆସୁଥିବା ଗାଡ଼ି ପିଟିଦେବା ଭଳି ଆଶଙ୍କା ସୃଷ୍ଟି ହେଉଛି। ତେବେ ସକାଳେ ଓ ସନ୍ଧ୍ୟାରେ ଟ୍ରାଫିକ୍‌ ପୁଲିସ ଛିଡ଼ା ହୋଇ ଭିଡ଼ ନିୟନ୍ତ୍ରଣ କରୁଛି।

ମୁଖ୍ୟ ସମସ୍ୟା ହେଲା; ରାସ୍ତା ବନ୍ଦ କରି ଦିଆଯିବା ପରେ ବାଣୀବିହାର ପଟୁ ଆସୁଥିବା ସମସ୍ତ ଗାଡ଼ି ମାଷ୍ଟର କ୍ୟାଣ୍ଟିନ୍‌ରୁ ରାଜମହଲ ଛକ ଆଡ଼କୁ ଆଗକୁ ଯାଇ ରେମଣ୍ଡ ସୋ’ ରୁମ୍‌ ପାଖରେ ଡାହାଣକୁ ବୁଲି ଫେରୁଛନ୍ତି। ପରେ ମାଷ୍ଟରକ୍ୟାଣ୍ଟିନ୍‌ ଛକ ଦେଇ ପିଏମ୍‌ଜି ଯାଉଛନ୍ତି। ଯେଉଁଠି କଟ୍‌ ରହିଛି ବା ବୁଲିବା ପାଇଁ ବାଟ ରହିଛି ତାହା ସଙ୍କୁଚିତ ହୋଇରହିଛି। ଏକାଧିକ ଗାଡ଼ି ବୁଲିବା ପାଇଁ ଏହି କଟ୍‌ ଆଦୌ ଯଥେଷ୍ଟ ନୁହେଁ। ଏଠାରେ ରାସ୍ତାକୁ ଲାଗି ପବ୍ଲିକ୍‌ ପ୍ଲାଜା ତିଆରି ହୋଇଛି। ବଡ଼ବଡ଼ ଗାଡ଼ି ଏହି କଟ୍‌ ଦେଇ ବୁଲିବାକୁ ଚାହିଲେ ଏହି ପବ୍ଲିକ୍‌ ପ୍ଲାଜା ବାଧା ସୃଷ୍ଟି କରୁଛି। କିନ୍ତୁ ସମସ୍ୟା ସୃଷ୍ଟି ହେଉଥିବା ଏହି ସ୍ଥାନରେ ଟ୍ରାଫିକ୍‌ ପୁଲିସ ରହୁନାହିଁ। ଏକ ସମୟରେ ବାଣୀବିହାରରୁ ଆସୁଥିବା ଗାଡ଼ି ମାଷ୍ଟରକ୍ୟାଣ୍ଟିନ୍‌ ଆଡ଼କୁ ଫେରିବା ପାଇଁ କଟ୍‌ରେ ବୁଲୁଛି। ରାଜମହଲ ଆଡ଼ୁ ଆସୁଥିବା ଗାଡ଼ି ରେମଣ୍ଡ ସୋ’ ରୁମ୍‌ ରାସ୍ତା କିମ୍ବା ପୁଣି ରାଜମହଲ ଆଡ଼କୁ ଫେରିବା ପାଇଁ କଟ୍‌ ବୁଲୁଛି। ଅନ୍ୟ ଗାଡ଼ିଗୁଡ଼ିକ ବାଣୀବିହାର ଓ ରାଜମହଲ ପଟକୁ ସିଧାସିଧା ଯାଉଛନ୍ତି। ଫଳରେ ଏଠାରେ ଭୟଙ୍କର ଟ୍ରାଫିକ୍‌ ସମସ୍ୟା ସୃଷ୍ଟି ହୋଇଛି। ବଡ଼ବଡ଼ ଗାଡ଼ି ବୁଲିବା ପାଇଁ ସମୟ ଲାଗୁଥିବାରୁ ଅନ୍ୟ ଗାଡ଼ିଗୁଡ଼ିକ ଛିଡ଼ା ହୋଇ ରହୁଛନ୍ତି। ଅନେକ ସମୟରେ ଗାଡ଼ିର ଧାଡ଼ି ରାଜମହଲ ଓ ମାଷ୍ଟରକ୍ୟାଣ୍ଟିନ୍‌ ପର୍ଯ୍ୟନ୍ତ ଲମ୍ବି ଯାଉଛି। କୋଭିଡ୍‌ କଟକଣା ନଥିବାରୁ ଦିନକୁ ଦିନ ଭିଡ଼ ବଢ଼ିବାରେ ଲାଗିଛି। ଏଣୁ ଆଗକୁ ଅବସ୍ଥା ଆହୁରି ସାଂଘାତିକ ହେବ ବୋଲି ଆଶଙ୍କା କରାଯାଉଛି।

ସେହିଭଳି ବାଣୀବିହାର ପଟକୁ ଯାଇଥିବା ରାସ୍ତାକୁ ଲାଗି ଏକ ତାରିଣୀ ମନ୍ଦିର ରହିଛି। ଏହାକୁ ଉଚ୍ଛେଦ ପାଇଁ ଯୋଜନା ହୋଇଥିଲେ ମଧ୍ୟ ଏଯାଏ ଏହା ସମ୍ଭବ ହୋଇନାହିଁ। ଏହି ମନ୍ଦିର ସାମ୍ନାରେ ବସ୍‌ ଛିଡ଼ା ହୋଇ ଯାତ୍ରୀ ଉଠାଉଛି। କେତେକ ଅଟୋ ଏଠାରେ ଧାଡ଼ିବାନ୍ଧି ରହୁଛନ୍ତି। କେତେକ କାର୍‌ ମଧ୍ୟ ରାସ୍ତା ଉପରେ ପାର୍କିଂ ହେଉଛି। ଫଳରେ ଏଠା‌ରେ ଏକ ବିଚିତ୍ର ପରିସ୍ଥିତି ସୃଷ୍ଟି ହୋଇଛି। ଏ ନେଇ ଟ୍ରାଫିକ୍‌ ଏସିପି କହିଛନ୍ତି, ଏଠାରେ ଟ୍ରାଫିକ୍‌ ପୁଲିସ ମୁତୟନ କରାଯାଇଛି। ଖୁବ୍‌ଶୀଘ୍ର ଏଠାରେ ସ୍ମାର୍ଟସିଟି ଲିମିଟେଡ୍‌ ସିଗ୍‌ନାଲ ଲାଇଟ୍‌ ଲଗାଇବ। ଏଣୁ ଟ୍ରାଫିକ୍‌ ପରିଚାଳନା ସମସ୍ୟା ରହିବ ନାହିଁ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe