Holidify
ଭୁବନେଶ୍ବର : ସାରା ରାଜ୍ୟରେ ଅନ୍ଲକ୍ ପ୍ରକ୍ରିୟା ଆରମ୍ଭ ହୋଇଥିବାବେଳେ ଦୀର୍ଘ ଦିନ ବ୍ୟବଧାନରେ ରାଜଧାନୀରେ ଅନେକ କଟକଣା କୋହଳ କରାଯାଇଛି। ରାଜ୍ୟର ଅନ୍ୟ ଇଲାକା ଭଳି ରାଜଧାନୀରେ ମଧ୍ୟ ମଲ୍, ସିନେମା ହଲ୍, ପାର୍କ, ପ୍ରେକ୍ଷାଳୟ ଆଦି ଖୋଲିବ ବୋଲି ଶନିବାର ମୁଖ୍ୟ ଶାସନ ସଚିବ ସୂଚନା ଦେବା ପରେ ସହରବାସୀ କିଛିଟା ଆଶ୍ବସ୍ତ ହୋଇଛନ୍ତି। ବିଶେଷ କରି ରାତି ୮ଟା ଯାଏ ଦୋକାନବଜାର ଖୋଲିବାକୁ ଅନୁମତି ମିଳିଥିବାରୁ ଏହି ନିଷ୍ପତ୍ତି ରାଜଧାନୀର ବଡ଼ ବ୍ୟବସାୟୀଠୁ ଆରମ୍ଭ କରି ଉଠା ଦୋକାନୀଙ୍କ ପର୍ଯ୍ୟନ୍ତ ସମସ୍ତଙ୍କୁ ଖୁସି କରିଛି। ତେବେ ପୂର୍ବପରି ସପ୍ତାହାନ୍ତ ସଟ୍ଡାଉନ୍ ଜାରି ରହିବା ଏବଂ ମନ୍ଦିର, ମସଜିଦ୍ ଓ ଚର୍ଚ୍ଚ ଭଳି ଧର୍ମସ୍ଥଳୀଗୁଡ଼ିକୁ ବନ୍ଦ ରଖାଯିବା ଘୋଷଣା ଅନେକଙ୍କୁ ନିରାଶ କରିଛି।
କରୋନାର ଦ୍ବିତୀୟ ଲହର ଆତଙ୍କ ସୃଷ୍ଟି କରିବା ପରେ ସରକାର ସାରା ରାଜ୍ୟରେ ଗତ ମେ’ ୪ ତାରିଖରୁ ଲକ୍ଡାଉନ୍ ଓ ସପ୍ତାହାନ୍ତ ସଟ୍ଡାଉନ୍ ଆରମ୍ଭ କରିଥିଲେ। ପରବର୍ତ୍ତୀ ସମୟରେ କରୋନାର ପ୍ରକୋପ ଟିକିଏ କମିବା ପରେ କିଛିଟା କଟକଣା କୋହଳ ହୋଇଥିଲେ ମଧ୍ୟ ମଲ୍, ସିନେମା ହଲ୍, ଥିଏଟର, ପ୍ରେକ୍ଷାଳୟ ଓ ପାର୍କ ଆଦିରୁ ତାଲା ଖୋଲି ନ ଥିଲା। ତେଣୁ ଲୋକେ ଅବସର ବିନୋଦନରୁ ବଞ୍ଚିତ ହେଉଥିଲେ। ଶେଷରେ ପ୍ରାୟ ତିନି ମାସ ପରେ ଆଜି କଟକଣାଯୁକ୍ତ ଭାବେ ମଲ୍, ହଲ୍, ଥିଏଟର, ପ୍ରେକ୍ଷାଳୟ ଖୋଲିବାର ଅନୁମତି ମିଳିଛି। ଉଭୟ ଡୋଜ୍ ଟିକା ନେଇଥିବା ପ୍ରମାଣପତ୍ର ଦେଖାଇବା ପରେ ହିଁ ଲୋକେ ଏସବୁ ଭିତରକୁ ଯାଇପାରିବେ ବୋଲି କୁହାଯାଇଛି।
Bhubaneswar Buzzକିଛଟା କଟକଣାରେ ହେଉ ପଛେ ସପ୍ତାହରେ ୫ ଦିନ ରାଜଧାନୀବାସୀଙ୍କୁ ମଉଜ କରିବାକୁ ସୁଯୋଗ ମିଳିବାକୁ ଯାଉଥିବାରୁ ଲୋକଙ୍କ ଭିତରେ ଏହାକୁ ନେଇ ଉତ୍ସାହ ବଢ଼ିଛି। ସେହିପରି ହାଟ ବଜାର ଉପରୁ ମଧ୍ୟ କଟକଣା ଉଠି ଯାଇଥିବାରୁ ରାସ୍ତାକଡ଼ରେ ବସି ପରିବା ବିକ୍ରି କରୁଥିବା ବେପାରୀଙ୍କୁ ଏବେ ୧ ନମ୍ବର ହାଟ ଭିତରେ ବସି ବିକିବା ପାଇଁ ସୁଯୋଗ ମିଳିବ। ସେହିଭଳି ୪ ନମ୍ବର ଆମିଷ ବଜାର ବି ସର୍ବସାଧାରଣଙ୍କ ପାଇଁ ଖୋଲିବ। ନୂଆ ଘୋଷଣା ମୁତାବକ ହୋଟେଲ, ରେଷ୍ଟୁରାଣ୍ଟରେ ବସି ଖାଇହେବ ଏବଂ ରାସ୍ତାକଡ଼ ଫାଷ୍ଟଫୁଡ୍ ଦୋକାନରେ ମଧ୍ୟ ଛିଡ଼ା ହୋଇ ଖାଇବାର ସୁଯୋଗ ମିଳିବ। ଫଳରେ ଦୀର୍ଘ ଦିନ ଧରି ହାତବାନ୍ଧି ବସିଥିବା ଫାଷ୍ଟଫୁଡ୍ ଦୋକାନୀ ଖୁସି ହୋଇଛନ୍ତି। ସେହିଭଳି ଦୀର୍ଘ ଦିନ ଧରି ବନ୍ଦ ପଡ଼ିଥିବା ରାଜଧାନୀର ବିଭିନ୍ନ ମଲ୍ ଖୋଲିବାକୁ ଯାଉଛି। ଏସ୍ପ୍ଲାନେଡ୍ ମଲ୍ରେ ଥିବା ରେଷ୍ଟୁରାଣ୍ଟ ସହ ଛୋଟପିଲାଙ୍କ ପାଇଁ ରହିଥିବା ଗେମିଂ ଜୋନ୍ ମଧ୍ୟ କାର୍ଯ୍ୟକ୍ଷମ ହୋଇଥିବାରୁ ମଲ୍ରେ ମାର୍କେଟିଂ ସହ ଗେମିଂ ଜୋନ୍ରେ ଖେଳିବାକୁ ସୁଯୋଗ ମିଳିବାକୁ ଯାଉଛି। ଏହାଛଡ଼ା ଅଟୋ ଓ ଟାକ୍ସି ଚଳାଚଳ ପାଇଁ ସୁଯୋଗ ମିଳିଥିବାରୁ ସେମାନେ ମଧ୍ୟ ରୋଜଗାରର ସୁଯୋଗ ପାଇଛନ୍ତି।
ଅନ୍ୟପଟେ ଅଧା ଦର୍ଶକରେ ଯାତ୍ରା ପାଇଁ ସ୍ବୀକୃତି ମିଳିଥିବାରୁ କଳାକାରମାନେ ପୁଣିଥରେ ମଞ୍ଚରେ ନିଜର କଳା ପ୍ରଦର୍ଶନ ପାଇଁ ପ୍ରସ୍ତୁତ ହେଉଛନ୍ତି। ଦୀର୍ଘ ଦିନ ହେବ ଯାତ୍ରା ମଉଜ ପାଇନଥିବା ଦର୍ଶକ ବି ଖୁସି ହୋଇଛନ୍ତି। ସେହିପରି ଖଣ୍ଡଗିରି, ଉଦୟଗିରି, ଧଉଳି ଭଳି ପର୍ଯ୍ୟଟନସ୍ଥଳୀରେ ମଧ୍ୟ ଏଣିକି ଭିଡ଼ ଜମିବ। ଅନ୍ଲକ୍ ନିୟମ ଅନୁସାରେ ଭାରତୀୟ ପ୍ରତ୍ନତତ୍ତ୍ବ ସର୍ବେକ୍ଷଣ ନିୟନ୍ତ୍ରଣରେ ଥିବା ସମସ୍ତ ପର୍ଯ୍ୟଟନସ୍ଥଳୀ ଖୋଲିବାକୁ ଯାଉଥିବାରୁ ଏହି ସୁଯୋଗ ସୃଷ୍ଟି ହୋଇଛି। ତା’ ଛଡ଼ା କଳ୍ପନା ଛକରେ ଥିବା ରାଜ୍ୟ ସଂଗ୍ରହାଳୟ ମଧ୍ୟ ସର୍ବସାଧାରଣଙ୍କ ପାଇଁ ଖୋଲିବାକୁ ଯାଉଛି। ଆସନ୍ତାକାଲିଠାରୁ ନନ୍ଦନକାନନ ଖୋଲିବା ନେଇ ମଧ୍ୟ ଘୋଷଣା ହୋଇ ସାରିଛି। ଅନ୍ୟପକ୍ଷରେ କୋଚିଂ ସେଣ୍ଟର ଖୋଲିବାକୁ ଅନୁମତି ମିଳିଥିବାରୁ ପିଲାଙ୍କ ଅଫ୍ଲାଇନ୍ ପାଠପଢ଼ା ମଧ୍ୟ ସ୍ବାଭାବିକ ହେବାକୁ ଯାଉଛି।
Follow Us