ମନ୍ଦିର ମୁଖ୍ୟ କବାଟର ଦଶାବତାର ଓ ନବଗ୍ରହଙ୍କ ଚିତ୍ତାକର୍ଷକ କାରୁକାର୍ଯ୍ୟ

ଆଳୁ ଗଦି ଭାବେ ଏହି ସ୍ଥାନଟି ଭୁବନେଶ୍ବରିଆଙ୍କ ଭିତରେ ବେଶ୍‌ ଜଣାଶୁଣା। ହେଲେ ଅନେକ ଜାଣନ୍ତନାହିଁ ଯେ ଏହି ଗଦି ମଧ୍ୟରେ ରହିଛି ଏକ ସୁନ୍ଦର, ମନଲୋଭା ତଥା ଭବ୍ୟ ମନ୍ଦିର। ସୃଷ୍ଟିର ପାଳନକର୍ତ୍ତା ନାରାୟଣ ନିଜ ପାଟ୍ଟରାଣୀ ଐଶ୍ବର୍ଯ୍ୟଦେବୀ ମା’ ଲକ୍ଷ୍ମୀଙ୍କ ସହ ଏଠାରେ....

dadgadgdg

ସସ୍ମିତା ସାହୁ

ଭୁବନେଶ୍ବର: ଆଳୁ ଗଦି ଭାବେ ଏହି ସ୍ଥାନଟି ଭୁବନେଶ୍ବରିଆଙ୍କ ଭିତରେ ବେଶ୍‌ ଜଣାଶୁଣା। ହେଲେ ଅନେକ ଜାଣନ୍ତନାହିଁ ଯେ ଏହି ଗଦି ମଧ୍ୟରେ ରହିଛି ଏକ ସୁନ୍ଦର, ମନଲୋଭା ତଥା ଭବ୍ୟ ମନ୍ଦିର। ସୃଷ୍ଟିର ପାଳନକର୍ତ୍ତା ନାରାୟଣ ନିଜ ପାଟ୍ଟରାଣୀ ଐଶ୍ବର୍ଯ୍ୟଦେବୀ ମା’ ଲକ୍ଷ୍ମୀଙ୍କ ସହ ଏଠାରେ ବିରାଜିଛନ୍ତି ଏବଂ ରାଜଧାନୀବାସୀଙ୍କୁ ଐଶ୍ବର୍ଯ୍ୟ ଓ ସଫଳତାର ଆଶୀର୍ବାଦ ଦେଇଚାଲିଛନ୍ତି। ସହରର ପ୍ରମୁଖ ପ୍ରବେଶପଥରେ ଅବସ୍ଥିତ ଏହି ମନ୍ଦିରର କାରୁକାର୍ଯ୍ୟ ଯେତିକି ଆକର୍ଷଣୀୟ ଏହାର ମୁଖ୍ୟ କବାଟରେ ଖୋଦିତ କଳା ସେତିକି ଦର୍ଶନୀୟ ମଧ୍ୟ। ବ୍ୟବସାୟୀ ସଂଘ ଦ୍ବାରା ନିର୍ମିତ ଏହି ମନ୍ଦିର ଏବେ ରାଜଧାନୀର ଭିନ୍ନ ଏକ ଇତିହାସକୁ ବହନ କରୁଥିବା ବେଳେ ଆସନ୍ତୁ ଜାଣିବା ଆଇଗିଣିଆସ୍ଥିତ ଏହି ଲକ୍ଷ୍ମୀନାରାୟଣ ମନ୍ଦିର ପ୍ରତିଷ୍ଠାର ସମ୍ପୂର୍ଣ୍ଣ କାହାଣୀ।

ଭୁବନେଶ୍ବରକୁ ରାଜଧାନୀ ସ୍ଥାନାନ୍ତର ପରେ ଏହାର କଳେବରରେ ବହୁ ପରିବର୍ତ୍ତନ ଦେଖିବାକୁ ମିଳିଥିଲା। ଧୀରେଧୀରେ ସହର ବଢ଼ିବା ସହ ବିଭିନ୍ନ ସ୍ଥାନକୁ ରହଣି ଉପଯୋଗୀ କରାଯାଉଥିଲା। ଏହି କ୍ରମରେ ୧୯୮୯ ମସିହା ଆଡ଼କୁ ଭୁବନେଶ୍ବରର ଅଶୋକନଗର ଓ ୟୁନିଟ-୧ ହାଟର କିଛି କିଛି ହୋଲ୍‌ସେଲ୍‌ ଦୋକାନ ଆଇଗିଣିଆକୁ ଉଠି ଆସିଥିଲା। କାରଣ ଆଇଗିଣିଆରେ ଆରମ୍ଭ ହୋଇଥିଲା ‘କୁବେରପୁରୀ ଓୟାର ହାଉସିଂ ‌ମାର୍କେଟ୍‌ କମ୍ପ୍ଲେକ୍ସ’ ‌ପ୍ରକଳ୍ପ। ଏହି ପ୍ରକଳ୍ପ ଜରିଆରେ ସରକାର ୨୫ ଏକର ଜମି ଆଲର୍ଟ କରିଥିଲେ। ୧୨ ଜଣ ହୋଲ୍‌ସେଲ୍‌ ଗଦି ମାଲିକ ଆସି ଆଇଗିଣିଆଠାରେ ନୂଆ ପ୍ରକଳ୍ପରେ ଗୋଦାମ ଆରମ୍ଭ କରିଥିଲେ। ଏବେ ଏଠାରେ ୩୨ଟି ଗଦି ମାଲିକ ଗୋଦାମ କରି ବ୍ୟବସାୟ କରୁଛନ୍ତି। ଆଳୁ, ପିଆଜ, ଅଦା ଓ ରସୁଣ ଆଦିକୁ ନେଇ ପ୍ରାରମ୍ଭିକ ପର୍ଯ୍ୟାୟରେ ଏଠାରେ ଗଦି ଖୋଲିଥିଲା। ସମୟକ୍ରମେ କଞ୍ଚା ପରିବାଠାରୁ ଆରମ୍ଭ କରି ବିଭିନ୍ନ ଜିନିଷର ହୋଲ୍‌ସେଲିଂ ଏଠାରେ ହେଉଛି। ଫଳରେ ଧୀରେ ଧୀରେ ସେଠାରେ ଜନସାଧାରଣଙ୍କ ଭିଡ଼ ବି ଲାଗିଲା। ଏଣୁ ସେଠାରେ ଏକ ମନ୍ଦିର ପ୍ରତିଷ୍ଠା ପାଇଁ ଗଦି ମାଲିକମାନେ ଠିକ୍‌ କରିଥିଲେ। ଆଦ୍ୟ ଦେବଦେବୀ ଲକ୍ଷ୍ମୀନାରାୟଣଙ୍କୁ ପ୍ରତିଷ୍ଠା କରିବାକୁ ସ୍ଥିର ହୋଇଥିଲା। ଏଠାରେ ‘କୁବେରପୁରୀ ବ୍ୟବସାୟୀ ସଂଘ’ର ଏକ କମ୍ୟୁନିଟି ହଲ୍‌ କରିବା ସହ ୧୯୯୩ ମସିହାରେ ମନ୍ଦିର ନିର୍ମାଣର ଶୁଭ ପଡ଼ିଥିଲା। ୨୦୦୬ ମସିହାରେ ମନ୍ଦିର ନିର୍ମାଣ ଶେଷ ହୋଇଥିଲା। ରାଜସ୍ଥାନରୁ ଲକ୍ଷ୍ମୀନାରାୟଣଙ୍କ ମାର୍ବଲ ଚକ୍‌ଚକ୍‌ ୩ ଫୁଟିଆ ମୂର୍ତ୍ତି ଏଠାକୁ ଅଣାଯାଇଥିଲା। ମନ୍ଦିରର କାରୁକାର୍ଯ୍ୟ ବେଶ୍‌ ଆକର୍ଷଣୀୟ ହୋଇଥିବା ବେଳେ ନୟାଗଡ଼ ଜିଲ୍ଲା ଓଡ଼ଗାଁର କାରିଗର ମନ୍ଦିରକୁ ସୁନ୍ଦର ଭାବେ ନିର୍ମାଣ କରିଥିଲେ। ମନ୍ଦିରର ନିଖୁଣ କାରିଗରୀ ଯେତିକି ଆକର୍ଷଣୀୟ, ଏହାର ମୁଖ୍ୟ କବାଟରେ ଖୋଦିତ ଦଶାବତାର ଓ ନବଗ୍ରହ କାରୁକାର୍ଯ୍ୟ ସନାତନ ଧର୍ମର ଦୂରଦର୍ଶିତା ଓ ମହନୀୟତାକୁ ବଖାଣିବାରେ ବେଶ୍‌ ଦକ୍ଷ ମଧ୍ୟ।

କୁବେରପୁରୀ ବ୍ୟବସାୟୀ ସଂଘର ସମ୍ପାଦକ ଶକ୍ତି ମିଶ୍ର କହିଛନ୍ତି, ଆମେ ଗଦି ଖୋଲିଲା ବେଳକୁ ଏଠାରେ ଏକ ଓସ୍ତ ଗଛଟିଏ ଥିଲା। ସେଠାରେ ଶିଳା ରୂପରେ ଠାକୁର ପୂଜା ପାଉଥିଲେ। ସେ କେଉଁ ଠାକୁର; ସେ ଧାରଣା କାହାର ନାହିଁ। ସେତେବେଳେ ନିର୍ଜନତା ଯୋଗୁ ଭୂତପ୍ରେତର ଭୟ ଥିଲା। ଏଣୁ ଏହି କବଳରୁ ମୁକ୍ତି ପାଇଁ ଓସ୍ତଗଛ ମୂଳେ ଶିଳାକୁ ସିନ୍ଦୂର, ଧୂପଦୀପ ଦେଇ ପୂଜା କରାଯାଉଥିଲା। ମନ୍ଦିର ନିର୍ମାଣ ପାଇଁ ଯେତେବେଳେ ବ୍ୟବସାୟୀମାନେ ଚିନ୍ତା କରିଥିଲେ, ସେହି ସ୍ଥାନରେ ହିଁ ମନ୍ଦିର ନିର୍ମାଣ ପାଇଁ ଉଦ୍ଦିଷ୍ଟ ବୋଲି ନିଷ୍ପତ୍ତି ହୋଇଥିଲା। ଏବେ ସେ ଓସ୍ତ ଗଛ ଆଉ ନାହିଁ। କିନ୍ତୁ ଶିଳା ରୂପରେ ଭୂତପ୍ରେତ କବଳରୁ ମୁକ୍ତି ଦେଉଥିବା ସେ ଶିଳା ଠାକୁର ଏବେ ବି ମନ୍ଦିର ମଧ୍ୟରେ ବିଦ୍ୟମାନ। ଏବେ ମନ୍ଦିର ମଧ୍ୟରେ ମୁଖ୍ୟ ଲକ୍ଷ୍ମୀନାରାୟଣ ମନ୍ଦିର ସହ ‌କୁବେରେଶ୍ବର ମହାଦେବ ମନ୍ଦିର, କନକଦୁର୍ଗା ମନ୍ଦିର, ମହାବୀର ଓ ଗଣେଶ ମନ୍ଦିର ଆଦି ନିର୍ମିତ ହୋଇଛି। ବ୍ୟବସାୟୀମାନେ କିଛି କିଛି ଅନୁଦାନ ଦେଇ ଏହି ମନ୍ଦିର ନିର୍ମାଣ କରିଛନ୍ତି। ମନ୍ଦିରର ପ୍ରସ‌ାଦ ସେଠାକାର ଲୋକଙ୍କର ମୁଖ୍ୟ ଆକର୍ଷଣରେ ବି ରହିଛି।
‘କୁବେରପୁରୀ ଓୟାର ହାଉସିଂ ‌ମାର୍କେଟ କମ୍ପ୍ଲେକ୍ସ’ ‌ପ୍ରକଳ୍ପରେ ସରକାର ହୋଲ୍‌ସେଲ୍‌ ବ୍ୟବସାୟୀମାନଙ୍କୁ ୨୫ ଏକର ଜାଗା ଯୋଗାଇ‌ ଦେଇଥିଲେ। ଜାଗା ଆବଣ୍ଟନ ପରେ ବଳକା ୪୦୦୦ ବର୍ଗଫୁଟ ଜାଗାରେ ମନ୍ଦିର ନିର୍ମାଣ ହୋଇଥିଲା। ତେବେ ମନ୍ଦିରଟି ଏବେ ବିଡିଏ ଜ‌ାଗାରେ ଥିବାରୁ ଏହାକୁ ନେଇ ବିବାଦ ମୁଣ୍ଡ ଟେକିବାରୁ ହାଇକୋର୍ଟରେ ମାମଲା ବିଚାରଧୀନ ଅଛି। ବିଡିଏଠାରୁ ମାର୍କେଟ୍‌ ଦରରେ ମନ୍ଦିର ଜାଗା କିଣିବାକୁ ଆମ ଆସୋସିଏସନ୍‌ ପ୍ରସ୍ତାବ ଦେଇଛି ବୋଲି ଶ୍ରୀ ମିଶ୍ର କହିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe