ଭୁବନେଶ୍ବର: ଆଗରୁ ମଞ୍ଜାରି ବନ୍ଧ ପୋଖରୀ ନାମରେ ଜଣାଶୁଣା ଥିଲା। କିନ୍ତୁ ଜବରଦଖଲକାରୀଙ୍କ ଲୋଲୁପଦୃଷ୍ଟି ଆଜି ଏହି ପୋଖରୀର ସତ୍ତାକୁ ନିଶ୍ଚିହ୍ନ କରିଦେଇଛି। ଜଳାଶୟ କିସମର ଏହି ସରକାରୀ ଜମିକୁ ସ୍ବଚ୍ଛଳବର୍ଗ, ସରକାରୀ ଚାକିରିଆମାନେ ମାଡ଼ି ବସିଛନ୍ତି। ସରଣାପଲ୍ଲୀ ବସ୍ତିବାସିନ୍ଦା ବାହାନାରେ ଜବରଦଖଲ କରିଛନ୍ତି। ପରିଣାମ ସ୍ବରୂପ ନାଳ ଅବରୋଧ ହୋଇଛି ଏବଂ ବର୍ଷା ପାଣି ନିଷ୍କାସନ ନ ହୋଇପାରୁନାହିଁ।
ସମସ୍ୟା ସଂପର୍କରେ ବାରମ୍ବାର ନଗର ଉନ୍ନୟନ ବିଭାଗ, ଭୁବନେଶ୍ବର ମହାନଗର ନିଗମ ଓ ଭୁବନେଶ୍ବର ଉନ୍ନୟନ କର୍ତ୍ତୃପକ୍ଷଙ୍କୁ ଲିଖିତ ଅଭିଯୋଗ ହୋଇଥିଲେ ସୁଦ୍ଧା ଏହି ବନ୍ଧ ଜବରଦଖଲମୁକ୍ତ ହୋଇପାରୁନି। କେବଳ ସେତିକି ନୁହେଁ, ଏହି ବନ୍ଧ ସଂଲଗ୍ନ ୪ ନମ୍ବର ନାଳକୁ ବି ଜବରଦଖଲକାରୀମାନେ ମାଡ଼ି ବସିଲେଣି। ଏଣୁ ଜଳ ନିଷ୍କାସନ ସମସ୍ୟା ଦିନକୁ ଦିନ ଜଟିଳ ହେବାରେ ଲାଗିଛି ବୋଲି ସ୍ଥାନୀୟ ଅଞ୍ଚଳର ଶ୍ରୀଜଗନ୍ନାଥ ବରିଷ୍ଠ ନାଗରିକ ସଂଘ ସାଧାରଣ ସଂପାଦକ ବିଜୟ କୁମାର ମହାପାତ୍ର ଅଭିଯୋଗ କରିଛନ୍ତି।
ଭୁବନେଶ୍ବର ତହସିଲ ଅଧୀନ ୟୁନିଟ୍-୧୬ ଜୟଦେବବିହାର ମୌଜା ୨୬ ନମ୍ବର ୱାର୍ଡ ଅଞ୍ଚଳରେ ଖାତା ନମ୍ବର-୧୪୨୭, ପ୍ଲଟ୍ ନମ୍ବର-୩୧୩ରେ ୧.୨୮୦ ଏକର ଓ ପ୍ଲଟ୍ ନମ୍ବର-୩୩୬ରେ ୬୭ ଡେସିମିଲ ସରକାରୀ ଜାଗା ସାଧାରଣ ପ୍ରଶାସନ ବିଭାଗ ଅଧୀନରେ ଜଳାଶୟ-୨ କିସମରେ ରହିଛି। ଶ୍ରୀଜଗନ୍ନାଥ ବରିଷ୍ଠ ନାଗରିକ ସଂଘ ଅଭିଯୋଗ କରିଛି ଯେ ଏହି ୱାର୍ଡ ଦେଇ ଯାଇଥିବା ୪ ନମ୍ବର ମୁଖ୍ୟ ନାଳ ଏହି ଅଞ୍ଚଳରୁ ବର୍ଜ୍ୟଜଳ ଓ ବର୍ଷା ଜଳ ନିଷ୍କାସନର ଏକମାତ୍ର ମାଧ୍ୟମ। କିନ୍ତୁ ୩୧୩ ଓ ୩୩୬ ନମ୍ବର ପ୍ଲଟ୍ରେ ଥିବା ମଞ୍ଜାରି ବନ୍ଧ ନାମରେ ପରିଚିତ ବିସ୍ତୃତ ସରକାରୀ ଜାଗାକୁ ସ୍ବଚ୍ଛଳ ବର୍ଗ ଓ ସରକାରୀ ଚାକିରିଆମାନେ ମାଡ଼ି ବସିଛନ୍ତି। ଏଥିରେ ପୁଲିସ, ପଞ୍ଜୀକୃତ ଠିକାଦାର ପ୍ରମୁଖ ଅଛନ୍ତି। ୧୫ରୁ ଅଧିକ ଜବରଦଖଲକାରୀ ଏହି ଜାଗାରେ ଆଜବେଷ୍ଟସ୍, କଂକ୍ରିଟ୍ ଘର,ଏପରିକି ଦୁଇମହଲା ଘର କରି ରହୁଛନ୍ତି। ଅନେକ ଘର ଭଡ଼ାରେ ଲଗାଇଛନ୍ତି। ଜବରଦଖଲ କାରଣରୁ ପ୍ରାଚୀନ ଜଳାଶୟ ମଞ୍ଜାରି ବନ୍ଧର ଆଉ ଚିହ୍ନବର୍ଣ୍ଣ ନାହିଁ। ଜବରଦଖଲ କାରଣରୁ ଚଳିତବର୍ଷ ମାର୍ଚ୍ଚରେ ଆରମ୍ଭ ହୋଇଥିବା ୪ ନମ୍ବର ମୁଖ୍ୟ ନାଳର ନିମ୍ନପାର୍ଶ୍ବର ନିର୍ମାଣ କାମ ଅଟକି ରହିଛି। ୭୫ ମିଟର ପାଖାପାଖି ଯେଉଁ ନାଳ କାମ ହୋଇଛି, ତାହା ବି ଜବରଦଖଲକାରୀଙ୍କ କାରଣରୁ କ୍ଷତିଗ୍ରସ୍ତ ହେଲାଣି। ନାଳର ଦୁଇପାର୍ଶ୍ବ କଂକ୍ରିଟ୍ ପ୍ରାଚୀର କଣା କରି ଶୌଚାଳୟ ପାଇପ୍ ପକାଯାଉଛି। ସାଂସଦ ଅପରାଜିତା ଷଡ଼ଙ୍ଗୀ ବି ଏ ପ୍ରସଙ୍ଗରେ ଗତବର୍ଷ ବିଏମ୍ସି କମିସନର୍ଙ୍କୁ ଚିଠି ଲେଖି ଆବଶ୍ୟକ ପଦକ୍ଷେପ ନେବାକୁ ନିବେଦନ କରିଥିଲେ। ଓଡ଼ିଶା ବରିଷ୍ଠ ନାଗରିକ ମହାସଂଘ ବି ବିଏମ୍ସି କମିସନରଙ୍କୁ ଚିଠି ଲେଖି ଜଣାଇଛନ୍ତି। କିନ୍ତୁ ଅଦ୍ୟାବଧି କୌଣସି ପଦକ୍ଷେପ ନିଆଯାଉନି। ଏଣୁ ୪ ନମ୍ବର ମୁଖ୍ୟନାଳର ସୁରକ୍ଷା ସହ ଅଞ୍ଚଳବାସୀଙ୍କ ଦୀର୍ଘଦିନର ଜଳବନ୍ଦି ସମସ୍ୟା ଦୂର ପାଇଁ ତ୍ବରିତ ଆବଶ୍ୟକ ପଦକ୍ଷେପ ନେବାକୁ ଅଞ୍ଚଳବାସୀ ଦାବି କରିଛନ୍ତି।
ଏସମ୍ପର୍କରେ ସାଧାରଣ ପ୍ରଶାସନର ଏନ୍ଫୋର୍ସମେଣ୍ଟ୍ ଓଏସ୍ଡି ଅମିୟ କୁମାର ଦାସ କହିଛନ୍ତି ଯେ ଏହି ଜାଗା ସରକାରୀ ଜାଗା ଓ ସାଧାରଣ ପ୍ରଶାସନ ବିଭାଗ ଅଧୀନରେ ରହିଛି। କିନ୍ତୁ ଜବରଦଖଲ ହୋଇଥିବାରୁ, ଆମେ ଉଚ୍ଛେଦ ପାଇଁ ଯାଇଥିଲୁ। କିନ୍ତୁ, ଜବରଦଖଲକାରୀମାନେ ଘର ଖାଲି କରିବାକୁ ସମୟ ମାଗିବାରୁ, ଆମେ ଏହାକୁ ବନ୍ଦ ରଖିଥିଲୁ। ଖୁବ୍ ଶୀଘ୍ର ଏଦିଗରେ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ଶ୍ରୀ ଦାସ କହିଛନ୍ତି।
Follow Us