ଭୂତକୋଠି ହୋଇ ପଡ଼ିଛି ମାର୍କେଟ୍‌ କମ୍ପ୍ଲେକ୍ସ: ଅଦାଲତରେ ମାମଲା, ୩ ବର୍ଷ ହେଲା ଖୋଲିପାରୁନି

ଭୂତକୋଠି ହୋଇ ପଡ଼ିଛି ମାର୍କେଟ୍‌ କମ୍ପ୍ଲେକ୍ସ: ଅଦାଲତରେ ମାମଲା, ୩ ବର୍ଷ ହେଲା ଖୋଲିପାରୁନି

ଖଣ୍ଡଗିରି: ୨୦ ଲକ୍ଷ ଟଙ୍କା ବ୍ୟୟରେ ତିଆରି ହୋଇଥିଲା ମାର୍କେଟ୍‌ କମ୍ପ୍ଲକ୍ସ। ଲକ୍ଷ୍ୟ ଥିଲା ଗାଁ ଲୋକ ଆଉ ନିତ୍ୟ ବ୍ୟବହାରର ସାମଗ୍ରୀ କିଣିବାକୁ ସହର ଭିରକୁ ଯିବେନି କି ଜାତୀୟ ରାଜପଥକୁ ବାହାରିବେନି। ଘର ପାଖରେ ସବୁ ପ୍ରକାର ସାମଗ୍ରୀ ପାଇବେ। ହେଲେ ନିର୍ମାଣ ହେବାର ୩ବର୍ଷ ପରେ ମଧ୍ୟ ଦୋକାନ ଘର ଖୋଲିନାହିଁ। ଦଳୀୟ ବିବାଦରୁ ଅଦାଲତରେ ମାମଲା ଗଡ଼ୁ ଥିବାରୁ ନିକଟ ଭବିଷ୍ୟତରେ ମଧ୍ୟ ଏହା ଖୋଲାଯିବା ନେଇ ଆଶଙ୍କା ରହିଛି। ଏଣେ ଦୋକାନ ଘର ସଟର୍‌ ସବୁ କଳଙ୍କି ଲାଗିବାକୁ ବସିଥିବା ବେଳେ ଘରସବୁ ଭୂତକୋଠି ଭଳି ପଡ଼ି ରହିଛି।
ଏ ହେଉଛି ଭୁବନେଶ୍ବର ବ୍ଲକ୍‌ ରଣସିଂହପୁର ପଞ୍ଚାୟତ ମାର୍କେଟ୍‌ କମ୍ପ୍ଲେକ୍ସ। ଅଦାଲତ ମାମଲାରେ ଛନ୍ଦିହୋଇ ପଡ଼ିଛି ଏହି ମାର୍କେଟ୍‌ କମ୍ପ୍ଲେକ୍ସର ଭାଗ୍ୟ। ୩ ବର୍ଷ ତଳେ ନିର୍ମିତ ଏହି ପ୍ରକଳ୍ପ ଏବେ ଅବ୍ୟବହୃତ ହୋଇପଡ଼ିଛି।

ଗ୍ରାମରେ ମାର୍କେଟ୍ କମ୍ପ୍ଲକ୍ସ ନଥିବାରୁ ଏଠାରେ ୪୦ଟି ଦୋକାନ ଘର ନିର୍ମାଣ ପାଇଁ ଯୋଜନା ହୋଇଥିଲା। ପ୍ରଥମ ପର୍ଯ୍ୟାୟରେ ୧୧ଟି ଦୋକାନ ଘର ତିଆରି କରାଯାଇଥିଲା। ଏହାକୁ ୨୦୨୧ ଅଗଷ୍ଟ ୧୫ ତାରିଖରେ ଉଦ୍‌ଘାଟନ କରାଗଲା ଓ ୧୧ଜଣ ହିତାଧିକାରୀଙ୍କୁ ଦୋକାନ ଘର ବଣ୍ଟନ କରାଯାଇଥିଲା। କିନ୍ତୁ ଏହି ବଣ୍ଟନ ପ୍ରକ୍ରିୟାରେ ଏକ ନିର୍ଦ୍ଦିଷ୍ଟ ରାଜନୈତିକ ଦଳର ସମର୍ଥକଙ୍କୁ ଦୋକାନ ଘର ଦିଆଯାଇଥିଲା ବୋଲି ଅଭିଯୋଗ ହେବାପରେ ବିଡିଓ ଆବଣ୍ଟନକୁ ନାକଚ କରିଦେଇଥିଲେ। ବିଡିଓଙ୍କର ସେ ନିଷ୍ପତ୍ତିକୁ ବିରୋଧ କରି ଦୋକାନ ପାଇଥିବା ୧୧ ଜଣ ବ୍ୟବସାୟୀ ହାଇକୋର୍ଟଙ୍କ ଦ୍ବାରସ୍ଥ ହେଲେ। ଏହା ଭିତରେ ବଳିଥିବା ଟଙ୍କାରେ ଆଉ କିଛି ଦୋକାନ ଘର ମଧ୍ୟ ନିର୍ମାଣ ହୋଇଛି। ହେଲେ ମାମଲାର ଫଇସଲା ହୋଇ ନଥିବାରୁ ପୂର୍ବରୁ ତିଆରି ହୋଇଥିବା ୧୧ଟି ଦୋକାନ ଘରର ଭାଗ୍ୟ ଫିଟୁନାହିଁ କି ନୂଆ ନିର୍ମାଣ ହୋଇଥିବା ଘରସବୁ କାହାକୁ ଦିଆଯାଇ ପାରୁନାହିଁ। ଅନ୍ୟପଟେ ରାତି ହେଲେ ସେଠାରେ ଅସାମାଜିକଙ୍କ ଭିଡ଼ ଜମୁଛି। ଏନେଇ ଗ୍ରାମବାସୀଙ୍କ କହିବା କଥା, କୋର୍ଟରେ ମାମଲା ଯୋଗୁଁ ସେମାନେ ହାତ ପାହାନ୍ତାରେ ସୁବିଧା ପାଇବାରୁ ବଞ୍ଚିତ ହେଉଛନ୍ତି। ଉପର ସ୍ତରରେ ମାମଲାକୁ ଗୁରୁତ୍ବ ସହକାରେ ନେଲେ କୋର୍ଟରେ ଚ‌ାଲିଥିବା ମାମାଲାର ସମାଧାନ ତୁରନ୍ତ ହୋଇ ପାରନ୍ତା ବୋଲି ସେମାନେ କହିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe