ଛଅ ବର୍ଷ ପରେ ମଧ୍ୟ ଖୋଲିଲାନି ମାଂସ ବଜାର

ଛଅ ବର୍ଷ ପରେ ମଧ୍ୟ ଖୋଲିଲାନି ମାଂସ ବଜାର

ଭୁବନେଶ୍ୱର: ରାଜଧାନୀରେ ଖୋଲାରେ ଝୁଲା ହେବନାହିଁ ମାଂସ। ପ୍ରତି ୱାର୍ଡରେ ହେବ ଆମିଷ ବଜାର। ରାସ୍ତାଘାଟରେ ମାଂସ କେହି କାଟିବେନି କି ମାଛ ବିକିବେନି। ଏଭଳି କିଛି ଲକ୍ଷ୍ୟ ନେଇ ବିଏମସି ପକ୍ଷରୁ ୟୁନିଟ୍‌ ୪ରେ ୨୦୧୮ ମସିହାରେ ପାଖାପାଖି ୭୩ ଲକ୍ଷ ଟଙ୍କା ବ୍ୟୟବହୁଳରେ ତିଆରି ହୋଇଥିଲା ମାଂସ ବଜାର। ସରକାରୀ ଅଧିକାରୀଙ୍କ ଅଦୂରଦର୍ଶିତା ପାଇଁ ଲୋକଙ୍କ ଟିକସଦିଆ ଅର୍ଥ କେମିତି ପାଣିରେ ପଡ଼େ ତାହା ଏହି ମାର୍କେଟରେ ସ୍ପଷ୍ଟ ପ୍ରତିପାଦିତ ହେଉଛି। ନିର୍ମାଣ ହେବା ପରଠାରୁ ନା ଦୋକାନର ତାଲା ଖୋଲିଛି ନା ବ୍ୟବସାୟୀ ଏଠା‌ରେ ବସୁଛନ୍ତି। ଏହା କେବଳ ପାର୍କିଂ ଓ ମଦୁଆଙ୍କ ଆଡ଼ା ସ୍ଥଳୀରେ ପରିଣତ ହେଉଛି। ଅପର ପକ୍ଷେ ଅବ୍ୟବହୃତ ଏହି ଘରଗୁଡ଼ିକ ଏବେ ମରାମତି ମାଗିଲାଣି। ବାହାରକୁ ଚକାଚକ୍‌ ଦେଖାଯାଉଥିଲେ ହେଁ କିଛି ଦୋକାନ ଘରଗୁଡ଼ିକର ସିମେଣ୍ଟ ଛାଡ଼ିଗଲାଣି ତ କାହାର ସଟର୍‌ ଜଙ୍କ୍‌ ଖାଇ ଗଲାଣି। ଏପରିକି କିଛି ଦୋକାନ ଘରର କାନ୍ଥ ମଧ୍ୟ ଫାଟି ଆସିଲାଣି। କିନ୍ତୁ ବ୍ୟବସାୟୀମାନେ ଯେମିତି ପୂର୍ବରୁ ରାସ୍ତାକଡ଼ରେ ଅସ୍ବାସ୍ଥ୍ୟକର ପରିବେଶରେ ମାଂସ ବେପାର କରୁଥିଲେ, ସେମିତି କରୁଛନ୍ତି।

ସେଠାକାର ବ୍ୟବସାୟୀମାନଙ୍କ କହିବା ଅନୁଯାୟୀ ବିଏମ୍‌ସି ମନଇଚ୍ଛା ଦୋକାନ ଘର ତିଆରି କରିଛି। ଏଠାରେ ମୋଟ ୨୭ଜଣ ମାଂସ ବେପାରୀ ଥିବା ବେଳେ ବିଏମ୍‌ସି ୧୭ଟି ଦୋକାନ ଘର କରିଛି। ଦୋକାନ ଘରଗୁଡ଼ିକ ୧୦ ଫୁଟ୍‌ ଲମ୍ବା ୮ ଫୁଟ୍‌ ଓସାରର। ସେହିପରି ଏହାର ମୁଖ୍ୟ ରାସ୍ତା ମାତ୍ର ୩୦ରୁ ୩୫ ଫୁଟ୍‌ ଲମ୍ୱା ଓସାର ମାତ୍ର ୮ ଫୁଟ୍‌। ଏହାର ସାମ୍ନାରେ ମଧ୍ୟ ଗ୍ରାହକଙ୍କୁ ଯିବା ଆସିବା କରିବାକୁ ଜାଗା ନାହିଁ। ପୁଣି ସେଠାକୁ ପ୍ରବେଶ କରିବା ରାସ୍ତାକୁ ମାଛ ବ୍ୟବସାୟୀମାନେ କବଜା କରି ରଖିଛନ୍ତି। ଏତେ କମ୍‌ ଯାଗାରେ ବେପାର କରିବା ସମ୍ଭବପର ନୁହେଁ ବୋଲି ବ୍ୟବସାୟୀମାନେ ଦାବି କରିଛନ୍ତି। ତେବେ ଏ ନେଇ ୟୁନିଟ୍‌ ୪ ବ୍ୟବସାୟୀ ସଂଘର ସମ୍ପାଦକ ବଦ୍ରି ନାରାୟଣ ମିଶ୍ରଙ୍କ କହିବା ଅନୁଯାୟୀ ଘର ତିଆରି ପୂର୍ବରୁ କାହା ସହ ଆଲୋଚନା କରାଯାଇ ନଥିଲା। ବ୍ୟବସାୟୀଙ୍କ ପାଇଁ ଯେତିକି ଘର ଦରକାର ସେତିକି ହୋଇପାରିଲା ନାହିଁ। ପୁଣି ସେଠାରେ ମାଂସ ମଧ୍ୟ କଟାଯାଇପାରିବ ନାହିଁ ବୋଲି ବିଏମ୍‌ସି ନିୟମ କରିଛି। ୧୫ କିମି ଦୂର ଗାଡ଼କଣ‌ରୁ ମାଂସ କାଟି ଆଣି ଏଠାରେ ବେପାର କରିବା, ବ୍ୟବସାୟୀଙ୍କ ପାଇଁ ସମ୍ଭବପର ନୁହେଁ। ଖାଲି ପରିବହନରେ ତ ଅଧା ଟଙ୍କା ପଳେଇବ ବୋଲି ସେ କହିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe