ମନୋକ୍ରୋମରେ ମହାନଗର: ଖରାଦିନେ ବି ସନ୍ଧ୍ୟା ୫ରୁ ସୁଲୁସୁଲିଆ ପବନ

ଭୁବନେଶ୍ବର କୋର୍ଟରେ ୧୯୬୯ ମସିହା ଅକ୍ଟୋବର ମାସରେ ମୋ’ର ଓକିଲାତି ଆରମ୍ଭ ହୋଇଥିଲା। ସେତେବେଳେ ପ୍ରାୟ ୨୫ଜଣ ଓକିଲ ଥିଲେ। ଗୋଟିଏ ମହଲାରେ ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସହ ବିଭିନ୍ନ କୋର୍ଟ ରହିଥିଲା।

dgjgdgjjg

ପୁରୁଣା ଭୁବନେଶ୍ୱର: ଭୁବନେଶ୍ବର କୋର୍ଟରେ ୧୯୬୯ ମସିହା ଅକ୍ଟୋବର ମାସରେ ମୋ’ର ଓକିଲାତି ଆରମ୍ଭ ହୋଇଥିଲା। ସେତେବେଳେ ପ୍ରାୟ ୨୫ଜଣ ଓକିଲ ଥିଲେ। ଗୋଟିଏ ମହଲାରେ ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସହ ବିଭିନ୍ନ କୋର୍ଟ ରହିଥିଲା। ଉପର ମହଲାରେ ତହସିଲ କାର୍ଯ୍ୟାଳୟ ଥିଲା। ଭୁବନେଶ୍ବରରେ ପ୍ରଥମେ ଏସ୍‌ଡିଜେଏମ୍‌ କମ୍‌ ମୁନ୍‌ସିଫ୍‌ କୋର୍ଟ ଥିଲା। ଏକ ପ୍ରଥମ ଶ୍ରେଣୀ ମାଜିଷ୍ଟ୍ରେଟ୍‌ ଓ ଏକ ସବ୍‌ଜଜ୍‌ କୋର୍ଟ ଥିଲା। ୧୯୭୯ ଆଡିସ୍‌ନାଲ୍‌ ସିଭିଲ୍‌ ଜଜ୍‌ କୋର୍ଟ ହେଲା। ସେତେବେଳେ ଗୋଟିଏ କୋଠରିରେ ଓକିଲଙ୍କ ବୈଠକୀ ଥିଲା। ବଡ଼ ଟେବୁଲ ସହ ୧୦ଜଣ ବସିବା ପାଇଁ ଚୌକି ପଡ଼ିଥିଲା। ଯିଏ ଯେଉଁ ସମୟରେ ଆସୁଥିଲେ ସେ ସେହି ସମୟରେ ସେଠି ବସୁଥିଲେ। ଓକିଲ ହୁଅନ୍ତୁ କି ବିଚାରପତି, କାହାର କିଛି ବଡ଼ ସମସ୍ୟା ହେଲେ ସମସ୍ତେ ଏକାଠି ଠିଆ ହେଉଥିଲେ। ପ୍ରତିପକ୍ଷ ଓକିଲ ବି ସାହାଯ୍ୟ କରିବାକୁ ଆଗେଇ ଆସୁଥିଲେ। ଓକିଲ ସଂଘ ନିର୍ବାଚନ ପାଇଁ ଭୋଟ୍‌ ହେଉନଥିଲା। ଶୋଭାଯାତ୍ରା, ପୋଷ୍ଟର କି ବ୍ୟାନର୍‌ ନଥିଲା। ପ୍ରଚାରପତ୍ର ବାଣ୍ଟି ଷ୍ଟ୍ରିଟ୍‌ କର୍ନର ମିଟିଂ କରାଯାଉଥିଲା। ଶେଷରେ ଶାନ୍ତି ଶୃଙ୍ଖଳାର ସହିତ ମତାମତ ନିଆଯାଇ କର୍ମକର୍ତ୍ତା ମନୋନୟନ କରାଯାଉଥିଲା। 

ସଭାପତି, ଉପସଭାପତି, ସମ୍ପାଦକ, ଯୁଗ୍ମସମ୍ପାଦକ ସମେତ ୭ଜଣିଆ କମିଟି ଥିଲା। ସଭ୍ୟଚାନ୍ଦା ୧ଟଙ୍କା ଥିଲା। କଟକରେ ଲାଇସେନ୍‌ସ ପାଇଁ ୧୫୦ ଟଙ୍କା ଖର୍ଚ୍ଚ ହେଉଥିଲା। ୧୯୮୫ ଭୁବନେଶ୍ବରରେ ଆଡିସ୍‌ନାଲ୍‌ ଡିଷ୍ଟ୍ରିକ୍ଟ ଜଜ୍‌ କୋର୍ଟ ଥିଲ। ସେତେବେଳେ ଜିଲ୍ଲା ଜଜ୍‌ ପୁରୀରେ ବସୁଥିଲେ। ଭୁବନେଶ୍ବରକୁ ସ୍ବତନ୍ତ୍ର ଜିଲ୍ଲା କରିବାକୁ ବହୁ ଆନ୍ଦୋଳନ ହୋଇଥିଲା। ୧୯୯୩-୯୪ ମସିହାରେ ପୁରୀରୁ ଅଲଗା ହୋଇ ଖୋର୍ଦ୍ଧା ଜିଲ୍ଲା ପାଇଁ ପ୍ରଶାସନିକ ନିଷ୍ପତ୍ତି ହେଲା। ତେବେ ଓକିଲଙ୍କ ଦାବି ରକ୍ଷାକରି ତଥା  ଓ ଭୁବନେଶ୍ବରର ମାମଲା ସଂଖ୍ୟା ଅଧିକ ଭୁବନେଶ୍ବରରେ ଜିଲ୍ଲା ଜଜ୍‌ କୋର୍ଟ ସ୍ଥାପନ ହୋଇଥିଲା। ସେତେବେଳେ ଗୋଟିଏ ଆଫିଡେଭିଟ୍‌ ପାଇଁ ୧୬ ଟଙ୍କା ଖର୍ଚ୍ଚ ହେଉଥିଲା। ବହୁ ଓକିଲ କୋର୍ଟକାମ ଅତିକମ୍‌ରେ ୧୦-୧୫ ବର୍ଷ ଅଭ୍ୟାସ କରିବା ପରେ ଜୁଡିସିଆଲ୍‌ ଅଫିସର୍‌ ହେଉଥିଲେ। ତେଣୁ ଅଧିକ କାମ କରୁଥିଲେ। ସେତେବେଳେ କିନ୍ତୁ ଜୁଡିସିଆଲ ଅଫିସର୍‌ମାନେ ଅଧିକ କାମ କରୁଥିଲେ ବି କମ୍‌ ଦରମା ପାଉଥିଲେ। ଜମିବାଡ଼ି ରେଜିଷ୍ଟ୍ରି ହାତଲେଖାରେ ସମ୍ପାଦନ ହେଉଥିଲା। ହେଲେ କୋର୍ଟକାମର ଟାଇପ୍‌ ହେଉଥିଲା। ପିଟିସନ୍‌ ଦାଖଲ ପାଇଁ ସବୁ ଓକିଲ ଟାଇପିଷ୍ଟ୍‌ ଉପରେ ନିର୍ଭର କରୁଥିଲେ। କୋର୍ଟ ନିକଟରେ ୫ ଜଣ ଟାଇପିଷ୍ଟ୍‌ ବସୁଥିଲେ। 

ସେତେବେଳେ ଓକିଲମାନେ ବହୁ ଉଦାର ଭାବେ କାମ କରୁଥିଲେ। ଆର୍ଥିକ ଅବସ୍ଥା ଦେଖି କମ୍‌ ପଇସାରେ ବି ଲୋକଙ୍କ କାମ କରୁଥିଲେ। ମନେଅଛି, ଥରେ କୋର୍ଟ ଚାଲିବା ବେଳେ ବିଦ୍ୟୁତ୍‌ ଚାଲିଯାଇଥିଲା। କୋର୍ଟ ପରିସର ସମ୍ପୂର୍ଣ୍ଣ ଅନ୍ଧାର ହୋଇଯାଇଥିଲା। କିନ୍ତୁ ବିଚାରପତି ବସି ରହିଥିଲେ। ମହମବତି ଆସି ଜଳିଲା। ତା’ପରେ ବିଚାରପତି ତାଙ୍କ ରାୟ ପ୍ରଦାନ କରିଥିଲେ। ସେମାନେ ନିଜ କାମ ପାଇଁ ବେଶ୍‌ ସୁନାମ କରିଥିଲେ। ଆଗରୁ ଜୁନିୟର ଓକିଲମାନ ବଡ଼ ଓକିଲମାନଙ୍କୁ ଦେବତା ପରି ସମ୍ମାନ ଦେଉଥିଲେ। ସିନିୟରଙ୍କ ନିକଟରୁ ଶିକ୍ଷା ପାଇଁ ଜୁନିୟର ଓକିଲମାନେ ସକାଳ ୬ଟାରୁ ସାଢ଼େ ୯ଟା ପର୍ଯ୍ୟନ୍ତ ସିନିୟରଙ୍କ ଚାମ୍ବରରେ ରହୁଥିଲେ। ପୁଣି ସାଢ଼େ ୧୦ଟାରୁ କୋର୍ଟକୁ ଆସି ୪ଟା ପର୍ଯ୍ୟନ୍ତ କୋର୍ଟରେ ରହୁଥିଲେ। ପୁଣି ସନ୍ଧ୍ୟା ୭ରୁ ରାତି ୧୦ ପର୍ଯ୍ୟନ୍ତ ଚାମ୍ବରରେ ଅଭ୍ୟାସ କରୁଥିଲେ। 
ମୋ’ ପିଲାଦିନେ ଭୁବନେଶ୍ବରରେ ଯେତେ ବର୍ଷା ହେଲେ ବି ପାଣି ଜମୁ ନଥିଲା। ପାଣିକୁ ମାଟି ଶୋଷି ନେଉଥିଲା। ସବୁଜ ବଳୟ ଭିତ‌ରେ ଥିଲା ସହର। ଖରାଦିନରେ ବି ଗରମ ଅତିବେଶୀରେ ଅପରାହ୍ନ ୩ଟା ପର୍ଯ୍ୟନ୍ତ ରହୁଥିଲା। ପ୍ରତିଦିନ ୫ଟା ବାଜିଲେ ସୁଲୁସୁଲିଆ ପବନ ଆରମ୍ଭ ହୋଇ ଯାଉଥିଲା। ଫ୍ୟାନ୍‌ ଏତେ ଆବଶ୍ୟକ ନଥିଲା। ଶୀତଦିନରେ ସନ୍ଧ୍ୟାରୁ ଶୀତ ହେଉଥିଲା। ବିଏମ୍‌ ହାଇସ୍କୁଲରେ ପଢ଼ିବାକୁ ଯିବାବେଳେ ଆମେ ନାଲିଗୋଡ଼ି ରାସ୍ତାରେ ଯାଉଥିଲୁ। ରଥଦାଣ୍ଡ ବହୁ ଚଉଡ଼ା ଥିଲା। ଦୋକାନ ପାଇଁ ଜବରଦଖଲ ନଥିଲା। ଆଦୌ ଭିଡ଼ ନଥିଲା। ରିକ୍ସା ଉପରେ ସମସ୍ତେ ନିର୍ଭର କରୁଥିଲେ। ସ୍କୁଲରେ ପାଠ ପଢ଼ିବା ବେଳେ ସକାଳୁ କେଦାରଗୌରୀ କୁଣ୍ଡରେ ଗାଧୋଇବାକୁ ଯାଉଥିଲୁ। ଗାଧୋଇସାରି ଏକ ମାଠିଆରେ ଦୁଧ୍‌କୁଣ୍ଡ ପାଣି ସାଇକେଲ୍‌ ପଛ କ୍ୟାରିୟର୍‌ରେ ରଖି ସାଇକେଲ୍‌ ଗଡ଼ାଇ ଗଡ଼ାଇ ଘରକୁ ଆଣୁଥିଲୁ। ସେତେବେଳେ ପୁରୁଣା ଭୁବନେଶ୍ବରର ଅଧିକାଂଶ ଲୋକ ଦୁଧ୍‌କୁଣ୍ଡ ପାଣି ଘରକୁ ନେଇ ପିଉଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe