ଭୁବନେଶ୍ବର: ଦଶମ ଓ ଦ୍ବାଦଶ ଶ୍ରେଣୀରେ କ୍ଲାସରୁମ୍ ପାଠପଢ଼ା ଚାଲିଛି। ଶିକ୍ଷକ ଶିକ୍ଷୟିତ୍ରୀ ବିଦ୍ୟାଳୟକୁ ଆସୁଥିବା ବେଳେ ଛାତ୍ରଛାତ୍ରୀଙ୍କ ଉପସ୍ଥାନ କମ୍ ରହୁଛି। ଅନ୍ୟ ଦିନଗୁଡ଼ିକ ପରି ଉପସ୍ଥାନ ହେଉନାହିଁ। ଗତ ସପ୍ତାହରେ ‘ସମ୍ବାଦ’ ପକ୍ଷରୁ ଭୁବନେଶ୍ବର ସହରରେ ଥିବା ବିଭିନ୍ନ ସରକାରୀ ସ୍କୁଲର ସ୍ଥିତି ଅନୁଧ୍ୟାନ କରାଯିବା ସହ ରବିବାରିଆ ପାଠପଢ଼ା ପ୍ରତି ଛାତ୍ରଛାତ୍ରୀ ମନ ବଳାଉ ନ ଥିବା ସମ୍ପର୍କରେ ଖବର ପ୍ରକାଶ ପାଇଥିଲା। ଆଜି ଖୋଦ୍ ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ ରବିବାରିଆ ପାଠପଢ଼ା ସ୍ଥିତି ବୁଲି ଦେଖିଛନ୍ତି।
ମନ୍ତ୍ରୀ ଶ୍ରୀ ଦାଶ ପୂର୍ବାହ୍ନରେ ୟୁନିଭର୍ସିଟି ହାଇସ୍କୁଲରେ ପହଞ୍ଚି ପିଲାଙ୍କ ଉପସ୍ଥାନ ଯାଞ୍ଚ କରିଥିଲେ। ଦଶମ ଶ୍ରେଣୀରେ ଏଠାରେ ୬୩ଜଣ ଛାତ୍ରଛାତ୍ରୀ ପଢ଼ୁଥିବା ବେଳେ ଆଜି ପ୍ରାୟ ୪୦ ଜଣ ବିଦ୍ୟାଳୟକୁ ଆସିଥିଲେ। ଶିକ୍ଷକ/ଶିକ୍ଷୟିତ୍ରୀ ସେମାନଙ୍କୁ ବିଭିନ୍ନ ସେକ୍ସନରେ ବିଭକ୍ତ କରି ପଢ଼ାଉଥିଲେ। ଗସ୍ତ ସମୟରେ ଶ୍ରୀ ଦାଶ ଛାତ୍ରଛାତ୍ରୀଙ୍କୁ ପାଠପଢ଼ା ସମ୍ପର୍କରେ ବି ପଚାରି ବୁଝିଥିଲେ। ସିଲାବସ୍ କେତେ ସରିଲାଣି, ଆଉ କେତେ ବାକି ରହିଛି, ଅନ୍ଲାଇନ୍ ପାଠପଢ଼ା କିଭଳି ଚାଲିଥିଲା, ସାମାଜିକ ଦୂରତା ପାଳନ ହେଉଛି କି ନାହିଁ, ସାନିଟାଇଜର୍ର ବ୍ୟବହାର ହେଉଛି କି ନାହିଁ, ଆଦି ବିଷୟରେ ପିଲାଙ୍କ ସହ ଆଲୋଚନା କରିଥିଲେ। ଏଥିସହ ସୋମବାରଠାରୁ ୯ମ ଶ୍ରେଣୀ ଛାତ୍ରଛାତ୍ରୀଙ୍କ ପାଠପଢ଼ା ଆରମ୍ଭ ହେଉଥିବାରୁ ପିଲାଙ୍କ ଲାଗି କିଭଳି ବ୍ୟବସ୍ଥା କରାଯାଇଛି, ସେ ସମ୍ପର୍କରେ ସ୍କୁଲ କର୍ତୃପକ୍ଷଙ୍କଠାରୁ ପଚାରି ବୁଝିଥିଲେ।
ଶ୍ରୀ ଦାଶଙ୍କ କହିବାନୁଯାୟୀ, ରବିବାରିଆ ଉପସ୍ଥାନ ସାମାନ୍ୟ କମୁଛି। ତେବେ ଅଧିକାଂଶ ବିଦ୍ୟାଳୟରେ ୫୦%ରୁ ଅଧିକ ପିଲା ଆସୁଥିବା ପରିଲକ୍ଷିତ କରାଯାଉଛି। ଆଜି ଏଠାରେ ଉପସ୍ଥାନ ୬୦% ଥିଲା। ସୋମବାର ୯ମ ଶ୍ରେଣୀ ଛାତ୍ରଛାତ୍ରୀଙ୍କ ପାଠପଢ଼ା ଆରମ୍ଭ ହେବ। ଏହି ବିଦ୍ୟାଳୟରେ ୯ମ ଶ୍ରେଣୀରେ ୮୩ ଜଣ ପିଲା ପଢ଼ୁଥିବାରୁ ସେମାନଙ୍କ ଲାଗି ସମସ୍ତ ପ୍ରକାର ବ୍ୟବସ୍ଥା ହୋଇଛି।
Follow Us