ଅଗ୍ନିଶମ ବିଭାଗରେ ସାମିଲ ହେଲା ଅତ୍ୟାଧୁନିକ ଉଦ୍ଧାର ଯାନ

Advertisment
ଅଗ୍ନିଶମ ବିଭାଗରେ ସାମିଲ ହେଲା ଅତ୍ୟାଧୁନିକ ଉଦ୍ଧାର ଯାନ

ଭୁବନେଶ୍ୱର: ଓଡ଼ିଶା ଅଗ୍ନିଶମ ବିଭାଗରେ ସାମିଲ୍ ହେଲା ଅତ୍ୟାଧୁନିକ ଜ୍ଞାନକୌଶଳରେ ନିର୍ମିତ ଉଦ୍ଧାର ଗାଡ଼ି। ଅଗ୍ନିଶମ ଡିଜି ସନ୍ତୋଷ ଉପାଧ୍ୟାୟ ବରମୁଣ୍ଡାସ୍ଥିତ ଓଡ଼ିଶା ଅଗ୍ନିଶମ ଓ ବିପତ୍ତି ନିସ୍ତାର ପ୍ରତିଷ୍ଠାନ(ଓଫ୍‌ଡ୍ରା)ରେ ଏହାର ଶୁଭାରମ୍ଭ କରିଛନ୍ତି। ଏହି ଗାଡ଼ି ଏକା ସାଙ୍ଗରେ ପ୍ରାୟ ୧୦ପ୍ରକାରର ବିପତ୍ତିରୁ ଲୋକଙ୍କୁ ଉଦ୍ଧାର କରିପାରିବ। ଅଗ୍ନିକାଣ୍ଡ, ରାସାୟନିକ ଦୁର୍ଘଟଣା, ସଡ଼କ ଓ ରେଳ ଦୁର୍ଘଟଣା, କୋଠା ଭୁଶୁଡ଼ିଥିବାସ୍ଥଳରେ ଲୋକଙ୍କୁ ଉଦ୍ଧାର ଏବଂ ଉଚ୍ଚ କୋଠାରୁ ତଳକୁ ଡେଇଁ ଆତ୍ମହତ୍ୟା କରୁଥିଲେ ପୀଡ଼ିତଙ୍କୁ ଉଦ୍ଧାର କରିବା ଭଳି ଏକାଧିକ କ୍ଷମତା ଏହି ଗାଡ଼ିରେ ଉପଲବ୍ଧ।

ଏହି ଅତ୍ୟାଧୁନିକ ଗାଡ଼ିର ମୂଲ୍ୟ ପ୍ରାୟ ସାଢ଼େ ୩କୋଟି ଟଙ୍କା। ଗାଡ଼ିରେ ୧୫୦ରୁ ଊର୍ଦ୍ଧ୍ୱ କିଟ୍ ରଖାଯାଇଛି। ଏହା ବ୍ୟତୀତ ଗାଡ଼ିରେ ଭିକ୍ଟିମ୍ ଲୋକେଟିଂ କ୍ୟାମେରା ଲଗାଯାଇଛି। କୌଣସି ସ୍ଥାନରେ ଭୂମିକମ୍ପ କିମ୍ବା ବିଲ୍ଡିଂ ଶୁଭୁଡ଼ିଲେ ତଳେ ଚାପି ହୋଇ ଅନେକ ଲୋକେ ରହିଥାନ୍ତି। ତେଣୁ ଏହି ଭିକ୍ଟିମ୍ କ୍ୟାମେରା ଓ ଥର୍ମାଲ୍ ଇମେଜିଂ କ୍ୟାମେରା ଦ୍ୱାରା ସେମାନେ କେଉଁ ସ୍ଥାନରେ ଅଛନ୍ତି, ତାହା ଏହି କ୍ୟାମେରା ମାଧ୍ୟମରେ ଜାଣିହେବ।

ସେହିଭଳି ଏହି ଗାଡ଼ିରେ ୧୦ଟି ଲକର୍‌ ମଧ୍ୟ ରହିଛି। ଲାଇଫ୍ ଡିଟେକ୍ଟର ବ୍ୟବସ୍ଥା, ହାଇଡ୍ରୋଲିକ୍ ସାମଗ୍ରୀ, ହାଇପାୱାର ବୋଟ୍ ସହ ଅତ୍ୟାଧୁନିକ ଯନ୍ତ୍ରପାତି ରଖାଯାଇଛି। ଏହା ବ୍ୟତୀତ ଅଗ୍ନିକାଣ୍ଡରେ ନିଆଁକୁ ତ୍ବରିତ ଆୟତ୍ତ କରିବା ପାଇଁ ଅତ୍ୟାଧୁନିକ ଭ୍ୟାନ୍‌ରେ ଉଚ୍ଚକ୍ଷମତା ବିଶିଷ୍ଟ ପମ୍ପ୍ ଲଗାଯାଇଛି। ଫଳରେ ଟ୍ୟାଙ୍କ୍‌ରେ ଶୀଘ୍ର ପାଣି ଭରିବା ସହିତ ନିଆଁ ଲିଭାଇବା ସମୟରେ ଦୂର ପର୍ଯ୍ୟନ୍ତ ପାଣି ମାଡ଼ କରିହେବ।

ପ୍ରାଥମିକ ପର୍ଯ୍ୟାୟରେ ଏହି ଗାଡ଼ି ଭୁବନେଶ୍ବରସ୍ଥିତ ଓଫ୍‌ଡ୍ରାରେ ରହିବ। ଆବଶ୍ୟକ ହେଲେ ଖୋର୍ଦ୍ଧା, କଟକ ଏବଂ ଆଖପାଖ ସହରକୁ ଏହି ଗାଡ଼ି ବିପର୍ଯ୍ୟୟ ସମୟରେ ବ୍ୟବହାର କରାଯିବ। ତେବେ ଏହି ଅତ୍ୟାଧୁନିକ ଗାଡ଼ି ସଫଳତାର ସହ ବ୍ୟବହୃତ ହେଲେ ଆଗାମୀ ଦିନରେ ରାଜ୍ୟର ପ୍ରମୁଖ ଫାୟାର୍ ଷ୍ଟେସନ୍ ଗୁଡ଼ିକରେ ଏହା ଉପଲବ୍ଧ ହେବ। ଏହି କାର୍ଯ୍ୟକ୍ରମରେ ଅତିରିକ୍ତ ଫାୟାର ଡିଜି ସୌମ୍ୟା ମିଶ୍ର, ପୁଲିସ କମିସନର ସୌମେନ୍ଦ୍ର ପ୍ରିୟଦର୍ଶୀ ଓ ମୁଖ୍ୟ ଫାୟାର ଅଫିସର୍ ଦେବେନ୍ଦ୍ର କୁମାର ସ୍ବାଇଁ ପ୍ରମୁଖ ଉପସ୍ଥିତ ଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe