ଆରମ୍ଭ ହେଲା ଜାତୀୟ ହସ୍ତତନ୍ତ ମେଳା: ଗୋଟିଏ ସ୍ଥାନରେ ସାରା ଦେଶର ହସ୍ତ କାରିଗରି

Advertisment

୧୫ଲକ୍ଷ ଟଙ୍କିଆ ଶାଲ୍

୧୫ଲକ୍ଷ ଟଙ୍କିଆ ଶାଲ୍

ଆରମ୍ଭ ହେଲା ଜାତୀୟ ହସ୍ତତନ୍ତ ମେଳା: ଗୋଟିଏ ସ୍ଥାନରେ ସାରା ଦେଶର ହସ୍ତ କାରିଗରି

ଭୁବନେଶ୍ବର: ରାଜ୍ୟ ହସ୍ତତନ୍ତ, ବୟନ ଓ ହସ୍ତଶିଳ୍ପ ବିଭାଗ ସହଯୋଗରେ ‘ବୟନିକା’ ପକ୍ଷରୁ ଆଜିଠାରୁ ପ୍ରଦର୍ଶନୀ ପଡ଼ିଆଠାରେ ଆରମ୍ଭ ହୋଇଛି ‘୨୦ତମ ଜାତୀୟ ହସ୍ତତନ୍ତ ମେଳା’। ବିଭାଗୀୟ ମନ୍ତ୍ରୀ ପଦ୍ମିନୀ ଦିଆନ୍ ଏବଂ ବିଜ୍ଞାନ ଓ ପ୍ରଯୁକ୍ତିବିଦ୍ୟା, ସାଧାରଣ ଉଦ୍ୟୋଗ, ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତୀକରଣ ମନ୍ତ୍ରୀ ଅଶୋକ ଚନ୍ଦ୍ର ପଣ୍ଡା ଏହାକୁ ଉଦ୍‌ଘାଟନ କରିଥିଲେ। ଭୁବନେଶ୍ବର ମଧ୍ୟ ବିଧାୟକ ଅନନ୍ତ ନାରାୟଣ ଜେନା, ହସ୍ତତନ୍ତ ବୟନ ଓ ହସ୍ତଶିଳ୍ପ ବିଭାଗର ଶାସନ ସଚିବ ଶୁଭା ଶର୍ମା, ବୟନଶିଳ୍ପର ନିର୍ଦ୍ଦେଶକ ଜ୍ୟୋତି ପ୍ରକାଶ ଦାସ ପ୍ରମୁଖ ଅତିଥି ଭାବେ ଯୋଗ ଦେଇଥିଲେ।

ଏଥର ମେଳାରେ ଓଡ଼ିଶାର ୮୪ଟି ଷ୍ଟଲ୍‌ ସମେତ ଉତ୍ତରପ୍ରଦେଶ, ଜାମ୍ମୁ ଓ କଶ୍ମୀର, ରାଜସ୍ଥାନ, ମଧ୍ୟପ୍ରଦେଶ, ମହାରାଷ୍ଟ୍ର, ପଶ୍ଚିମବଙ୍ଗ, ଝାଡ଼ଖଣ୍ଡ, ଆନ୍ଧ୍ରପ୍ରଦେଶ, ପୁଡୁଚେରୀ, ତାମିଲନାଡୁ, କର୍ଣ୍ଣାଟକ, ଉତ୍ତରାଖଣ୍ଡ, ହରିୟାଣାର ପ୍ରାୟ ୫୦ଟି ଷ୍ଟଲ୍ ଖୋଲିଛି। ଏଥିରେ ଦେଶର କୋଣ ଅନୁକୋଣରୁ ସୂତା, ସିଲ୍‌କ, ଟସର ଓ ବିଭିନ୍ନ ଡିଜାଇନ୍‌ର ଶାଢ଼ି, ଡ୍ରେସ ମାଟେରିଆଲ, ପରଦା, କପଡ଼ା, ଲୁଙ୍ଗି, ଧୋତି, ଟାୱେଲ, ଫର୍ନିସିଂ କପଡ଼ା ଆଦି ଉପଲବ୍ଧ ହେଉଛି। ପ୍ରଦର୍ଶନୀରେ ଓଡ଼ିଶାର ବୟନିକା, ସମ୍ବଲପୁରୀ ବସ୍ତ୍ରାଳୟ ଓ ସେରିଫେଡ୍‌ ତଥା ଅନ୍ୟାନ୍ୟ ପ୍ରାଥମିକ ତନ୍ତୁବାୟ ସହଯୋଗ ସମିତି ଅଂଶଗ୍ରହଣ କରିଛନ୍ତି। ଏଥିରେ ଓଡ଼ିଶାର ବାନ୍ଧବସ୍ତ୍ର ପରି ପଶ୍ଚିମବଙ୍ଗର ଜାମଦାନି ଓ ଟାଙ୍ଗାଇଲ୍‌, ଗୁଜୁରାଟର ପଟୋଲା, ଲକ୍ଷ୍ନୌର ଚିକନ୍‌କାରୀ, ଜମ୍ମୁ-କଶ୍ମୀରର ପଶ୍ମିନା ଶାଲ୍‌, ତାମିଲନାଡୁର କାଞ୍ଜିବରମ୍‌ ପାଟ ଶାଢ଼ି, ଦିଲ୍ଲୀ, ହରିୟାଣା ଓ ଉତ୍ତର ପ୍ରଦେଶର ଫର୍ନିସିଂ, ପଞ୍ଜାବର କମ୍ବଳ ଆଦି ବୟନ କଳାକୁ ଗୋଟିଏ ସ୍ଥାନରେ ପ୍ରଦର୍ଶିତ କରାଯାଉଛି। ସେହିଭଳି ବୟନିକା ପକ୍ଷରୁ ଏଥର ନୂଆ କରି ଏନ୍‌ଆଇଏଫ୍‌ଟି କୋର୍ସ କରିଥିବା ଛାତ୍ରଛାତ୍ରୀଙ୍କ ଦ୍ବାରା ନିର୍ମିତ ପ୍ରାୟ ୨୦୦ରୁ ଅଧିକ ଡିଜାଇନ୍‌ର ଗାଉନ୍, ସ୍କଟ୍, ଶାଢ଼ି ଓ ଅନ୍ୟାନ୍ୟ ଡ୍ରେସ୍ ମ୍ୟାଟେରିଆଲ୍ ବିକ୍ରୟ ପାଇଁ ଆସିଛି। ଉଦ୍‌ଘାଟନ ଦିନରେ ପୂରବୀ ପୂର୍ଣ୍ଣସା ମିଶ୍ରଙ୍କ ଦ୍ବାରା ନିର୍ମିତ ହସ୍ତ କାରିଗରି ସ୍ଥାନ ପାଇଛି।

୧୭ ଫେବ୍ରୁଆରି ପର୍ଯ୍ୟନ୍ତ ଅନୁଷ୍ଠିତ ହେବାକୁ ଥିବା ଏହି ମେଳାରେ ପ୍ରତିଦିନ ଷ୍ଟଲ୍‌ଗୁଡ଼ିକ ୧୧ଟା ୩୦ରୁ ୯ଟା ୩୦ ପର୍ଯ୍ୟନ୍ତ ଖୋଲିବ। ମେଳାକୁ କରୋନା ନିୟମାବଳୀ ଅନୁଯାୟୀ ପାଳନ କରିବା ପାଇଁ ପଦକ୍ଷେପ ନିଆଯାଇଛି। ୨୦୨୦ରେ ଏହି ମେଳାରେ ୧୦ କୋଟି ଟଙ୍କା ବ୍ୟବସାୟ ହୋଇଥିଲା। ଚଳିତ ବର୍ଷ କରୋନା ସତ୍ତ୍ବେ ୧୦ କୋଟିରୁ ଅଧିକ ଟଙ୍କାର ବ୍ୟବସାୟ କରିବ ବୋଲି ହସ୍ତଶିଳ୍ପ ବିଭାଗ ଆଶା ପ୍ରକଟ କରିଛି।

୧୫ଲକ୍ଷ ଟଙ୍କିଆ ଶାଲ୍

ଗୋଟିଏ ଶାଲ୍‌ର ମୂଲ୍ୟ ୧୫ ଲକ୍ଷ। ବିଶ୍ବାସ ନ ହେଲେ ବି ଏହା ସତ। ପ୍ରତି ଥର ଭଳି ଚଳିତ ଥର ମଧ୍ୟ ଜାମ୍ମୁ-କଶ୍ମୀରରୁ ଏଭଳି ବହୁମୂଲ୍ୟ ‘ପଶ୍ମିନା ଶାଲ୍’ ଜାତୀୟ ହସ୍ତତନ୍ତ ମେଳାକୁ ବିକ୍ରୟ ପାଇଁ ଆସିଛି। ପାର୍ସି ଶବ୍ଦର ‘ପାସମ୍’ ଶବ୍ଦରୁ ଆନୀତ ପଶ୍ମିନା ଶବ୍ଦର ଅର୍ଥ ହେଉଛି ଉଲ୍’। ପଶ୍ମିନା ଉଲ୍ ହିମାଳୟର ଛାଙ୍ଗତାଙ୍ଗି ଛେଳିଙ୍କଠାରୁ ମିଳିଥାଏ। ଅତ୍ୟନ୍ତ ଥଣ୍ଡା ପରିବେଶରେ ସେମାନେ ବଢିଥାଆନ୍ତି ଓ ଶୀତ ଦାଉରୁ ରକ୍ଷା ପାଇବା ପାଇଁ ସେମାନେ ଏହି ଉଲ୍‌କୁ ତାଙ୍କ ଦେହରେ ଜାତ କରାଇଥାନ୍ତି। କେବଳ ହିମାଳୟ ଅଞ୍ଚଳରେ ଏହି ଛେଳି ଦେଖା ଦେଉଥିବାରୁ ଏହି ଶାଲ୍‌ ବା ଉଲ୍‌ର ଦର ମଧ୍ୟ ଆକାଶ ଛୁଆଁ। ସେଠାକାର ସମୁଦାୟକୁ ଅର୍ଥନୈତିକ ଭାବେ ସକ୍ଷମ କରିବା ଲାଗି ଭାରତରେ ପଶ୍ମିନା ଶିଳ୍ପ ସୃଷ୍ଟି ହୋଇଛି। ଜାମ୍ମୁ-କଶ୍ମୀରରୁ ଆସିଥିବା ବ୍ୟବସାୟୀ ୟାସିର୍‌ଙ୍କ କହିବାନୁଯାୟୀ ଏଥର ସର୍ବାଧିକ ୧୫ଲକ୍ଷ ଟଙ୍କାର ପଶ୍ମିନା ଶାଲ୍ ଆସିଛି ଏବଂ ସର୍ବନିମ୍ନ ୧୦ ହଜାର ଟଙ୍କାର ଶାଲ୍ ରହିଛି। ଗଲାଥର ଏହା ଅଳ୍ପ କିଛି ପରିମାଣରେ ବିକ୍ରି ହୋଇଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe