ଭୁବନେଶ୍ବର: ୩୦ ଲକ୍ଷ ଟଙ୍କା ବ୍ୟୟରେ ତିଆରି ନଳାକୁ ପୋତିଦେବା ଘଟଣାରେ ପୁଣି ଥରେ ଚର୍ଚ୍ଚାକୁ ଆସିଛି ଏନ୍ଏଚ୍ଏଆଇ (ଜାତୀୟ ରାଜପଥ ପ୍ରାଧିକରଣ)। ଏମ୍ସ୍ ଛକରୁ କସ୍ମୋପଲିସ୍ ଛକ ପର୍ଯ୍ୟନ୍ତ ତିଆରି ହେଉଥିବା ନଳା ପାଇଁ ଖୋଳା ଯାଇଥିବା ଗାତ ଯୋଗୁଁ ୧୬ନମ୍ବର ଜାତୀୟ ରାଜପଥ ଭୁଶୁଡ଼ି ପଡ଼ିଛି। ଏଥିପାଇଁ ୨ଶହ ମିଟର ପର୍ଯ୍ୟନ୍ତ ଜାତୀୟ ରାଜପଥକୁ ଅବରୋଧ କରାଯାଇ ଟ୍ରାଫିକ୍ ଦିଗ ବଦଳାଇ ଦିଆଯାଇଛି। ରାସ୍ତାକଡ଼କୁ ଲାଗି ପ୍ରାୟ ୨୦ ଫୁଟ୍ ଗଭୀରରେ ମାଟି ଖୋଳିଦେବାରୁ ଏଭଳି ପରିସ୍ଥିତି ଉପୁଜିଛି।
କସ୍ମୋପଲିସ୍ରୁ ଛକରେ ଏକ ଫ୍ଲାଏଓଭର ନିର୍ମାଣ ଯୋଜନା ହୋଇଛି। ଏହାର ନିର୍ମାଣ ପୂର୍ବରୁ ଏମ୍ସ ଅଣ୍ଡରପାସ୍ରୁ କସ୍ମୋପଲିସ୍ ଛକ ପର୍ଯ୍ୟନ୍ତ ସର୍ଭିସ୍ ରୋଡ୍କୁ ୩ଲେନ୍ ବିଶିଷ୍ଟ କରାଯାଉଛି। ଏହି ସର୍ଭିସ୍ ରୋଡ୍କୁ ଲଗାଇ ନଳା ତିଆରି କରାଯାଇଥିବାରୁ ଏବେ ରାସ୍ତା ଚଉଡ଼ା ପାଇଁ ସେ ନଳାକୁ ପୋତି ଦିଆଯାଇଛି। ଏବେ ଏହି ନଳାକୁ ଜାତୀୟ ରାଜପଥକୁ ଲଗାଇ ନିର୍ମାଣ କରାଯାଉଛି। ରାସ୍ତାକଡ଼ରେ ୨୦ ଫୁଟ୍ ଗଭୀର ପର୍ଯ୍ୟନ୍ତ ଖୋଳି ଦିଆଯାଇଥିବାରୁ ରାସ୍ତା ଧସି ଯାଇଛି। ଅନ୍ୟପଟେ ଏନ୍ଏଚ୍ଏଆଇର ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି, ତାହା ଧସି ଯାଇନି, ବରଂ ସେହି ରାସ୍ତାକୁ ଭଙ୍ଗା ଯାଉଛି।
କସ୍ମୋପଲିସ୍ ଛକରେ ହେବାକୁ ଥିବା ଫ୍ଲାଏଓଭର ପାଇଁ ଏହି ରାସ୍ତାକୁ ଉଚ୍ଚା କରାଯିବ। ରାସ୍ତାକୁ ଭଙ୍ଗା ଯାଇ ସମ୍ପୂର୍ଣ୍ଣ ନୂଆ କରାଯିବ। ଏଣୁ ଏଥିରେ ଭୟଭୀତ ହେବାର ନାହିଁ। ଏଠାରେ ଉଲ୍ଲେଖ କରାଯାଇପାରେ, ଏହି ରାସ୍ତା ତିଆରି ହେବାକୁ ବର୍ଷେ ପୂରି ନାହିଁ। ଏବେ ଏହାକୁ ଭଙ୍ଗାଯାଇ ନୂଆ ରାସ୍ତା ନିର୍ମାଣ ହେବାକୁ ଯାଉଛି। ଯେଉଁ ନଳାକୁ ପୋତି ଦିଆଯାଇଛି, ସେଥିରେ ପାଖାପାଖି ୩୦ ଲକ୍ଷ ଟଙ୍କା ଖର୍ଚ୍ଚ ହୋଇଥିଲା। ଦୂରଦୃଷ୍ଟି ଅଭାବରୁ ଏନଏଚ୍ଏଆଇ ଏଭଳି କୋଟି କୋଟି ଟଙ୍କା କାହିଁକି ବରବାଦ କରୁଛି, ସେନେଇ ପ୍ରଶ୍ନ ଉଠୁଛି।
ସୂଚନାଯୋଗ୍ୟ, ଜାତୀୟ ରାଜପଥ ପ୍ରାଧିକରଣ(ଏନ୍ଏଚ୍ଏଆଇ) ୩୯ କୋଟି ଖର୍ଚ୍ଚ କରି ନୂଆ ନଳା, ପ୍ରଶସ୍ତ ସର୍ଭିସ୍ରୋଡ୍ ଓ ଫ୍ଲାଏଓଭର ନିର୍ମାଣ କରୁଛି। ରାସ୍ତା ଓ ନଳାର ଲମ୍ବ ୯ଶହ ମିଟର ରହିଛି। ଦେଢ଼ମାସ ମଧ୍ୟରେ ରାସ୍ତା ଓ ନଳା ସାରିବାକୁ ସମୟ ଧାର୍ଯ୍ୟ ହୋଇଥିବାରୁ ଏନ୍ଏଚ୍ଏଆଇ ଏହି ନିର୍ମାଣ କାମ ଯୁଦ୍ଧକାଳୀନ ଭିତ୍ତିରେ କରୁଛି। ଦେଢ଼ମାସ ମଧ୍ୟରେ ଡ୍ରେନ୍ ଓ ରାସ୍ତା ହେବା ପରେ ଫ୍ଲାଏ ଓଭର କାମ ଆରମ୍ଭ ହେବ।
Follow Us