ସାଇବର୍‌ ଠକଙ୍କ ନୂଆ କରାମତି: ଔଷଧ ଡିଷ୍ଟ୍ରିବ୍ୟୁଟର୍‌ ସଂସ୍ଥାକୁ ଦେଢ଼ ଲକ୍ଷର ଚୂନ

ମେଡିକାୟା ଏଣ୍ଟରପ୍ରାଇଜ୍‌ ନାଁରେ ଠକିଲେ, ନକଲି ୱେବ୍‌ସାଇଟ୍‌ ପ୍ରତି ସାବଧାନ ରୁହନ୍ତୁ: ବିଶେଷଜ୍ଞ

ସାଇବର୍‌ ଠକଙ୍କ ଟାର୍ଗେଟ୍‌ରେ ଆର୍ଥିକ ଦୁର୍ବଳ ଶ୍ରେଣୀ: ନଜରରେ ସୀମାନ୍ତ ଓ ଗ୍ରାମାଞ୍ଚଳର ଅପାଠୁଆ

PYMNTS.com

ଭୁବନେଶ୍ବର: ‘‘ମେଡିକାୟା ଏଣ୍ଟର୍‌ପ୍ରାଇଜ୍‌ ସଂସ୍ଥାରୁ ଶିଳ୍ପା ଶାସ୍ତ୍ରୀ କହୁଛି। ଭୁବନେଶ୍ବର, ଖୋର୍ଧା ଅଞ୍ଚଳରେ ଆମ ସଂସ୍ଥାର ବହୁତ ଚାହିଦା ଅଛି। ବହୁ ଔଷଧ ଦୋକାନୀ ଆମ କମ୍ପାନିର ଔଷଧ ଓ ଅନ୍ୟାନ୍ୟ ଉତ୍ପାଦ ନେବା ପାଇଁ ଚାହୁଛନ୍ତି। କିନ୍ତୁ ଓଡ଼ିଶାରେ ଆମର କୌଣସି ଆଞ୍ଚଳିକ ଡିଷ୍ଟ୍ରିବ୍ୟୁଟର୍‌ ନଥିବାରୁ ଆମେ ଉତ୍ପାଦଗୁଡ଼ିକୁ ଦୋକାନୀଙ୍କୁ ଯୋଗାଇ ପାରୁନାହିଁ। ଆପଣଙ୍କ ସଂସ୍ଥା ଏକ ଭଲ ଔଷଧ ଡିଷ୍ଟ୍ରିବ୍ୟୁଟର୍‌ ସଂସ୍ଥା ବୋଲି ଆମେ ଅନୁସନ୍ଧାନ କରି ଜାଣିବାକୁ ପାଇଛୁ। ତେଣୁ ଆପଣ ରାଜି ହେଲେ, ଆମ ଭିତରେ ଭାଗିଦାରିତା ହୋଇପାରିବ ଓ ଆପଣଙ୍କ ଜରିଆରେ ଆମେ ଓଡ଼ିଶା‌ରେ ବେପାର ଆରମ୍ଭ କରିପାରିବୁ।’’ ଏମିତି ବ୍ୟାବସାୟିକ ଫାଇଦା ଦେବାର ଆଳ ଦେଖାଇ ସାଇବର୍‌ ଠକ ଭୁବନେଶ୍ବରର ଏକ ଔଷଧ ଡିଷ୍ଟ୍ରିବ୍ୟୁଟର୍‌ ସଂସ୍ଥାର ମାଲିକଙ୍କୁ ଦେଢ଼ ଲକ୍ଷ ଟଙ୍କାର ଚୂନ ମାରିଛି। ଠକେଇର ଶିକାର ହୋଇଛନ୍ତି ନୂଆପଲ୍ଲୀ ନୂଆସାହିର ନାୟକ ଡିଷ୍ଟ୍ରିବ୍ୟୁଟର୍‌ର ସ୍ବତ୍ବାଧିକାରୀ ରଶ୍ମିରଂଜନ ନାୟକ। ଏ ସଂପର୍କରେ ସେ ଭୁବନେଶ୍ବରର ସାଇବର ସେଲ୍‌, ଅର୍ଥନୈତିକ ଅପରାଧ ଶାଖା ଓ ପରେ ନୂଆପଲ୍ଲୀ ଥାନାରେ ଅଭିଯୋଗ କରିଛନ୍ତି।

ରଶ୍ମିଙ୍କ ଏତଲା ଅନୁଯାୟୀ, ୨୦୨୧ ନଭେମ୍ବର ୧୩ ତାରିଖରେ ତାଙ୍କ ପାଖକୁ ଏକ ଅଜଣା ନମ୍ବରରୁ କଲ୍ ଆସିଥିଲା। ଠକ ନିଜକୁ ମଧ୍ୟପ୍ରଦେଶର ଔଷଧ କମ୍ପାନି ମେଡିକାୟା ଏଣ୍ଟରପ୍ରାଇଜ୍‌ର କର୍ମଚାରୀ ପରିଚୟ ଦେଇଥିଲା। ଓଡ଼ିଶା ପାଇଁ ତାଙ୍କ ସଂସ୍ଥାର ଡିଲରସିପ୍‌ ନେବାକୁ ଅନୁରୋଧ କରିଥିଲା। କମ୍ପାନି ସଂପର୍କରେ ସନ୍ଦେହ ହେଉଥିଲେ ଗୁଗୁଲ୍‌ରେ ତାଙ୍କ ସଂସ୍ଥାର ୱେବ୍‌ସାଇଟ୍‌ ଦେଖିବା ପାଇଁ କହିଥିଲା। ରଶ୍ମି ସଂସ୍ଥା ବିଷୟରେ ଜାଣିବା ପାଇଁ ଗୁଗୁଲ୍‌ରେ ସର୍ଚ୍ଚ କରିବା ସହ ସମସ୍ତ ତଥ୍ୟ ଦେଖିଥିଲେ। କିନ୍ତୁ ତାହା ଏକ ନକଲି ୱେବ୍‌ସାଇଟ୍‌ ଓ କେବଳ ଠକିବା ପାଇଁ ଏହାକୁ ଯୋଜନାବଦ୍ଧ ଭାବେ ତିଆରି କରାଯାଇଛି ବୋଲି ଆଦୌ ଠଉରାଇ ପାରିନଥିଲେ। ତେଣୁ ରଶ୍ମି ସଂସ୍ଥା ସହ ଚୁକ୍ତି କରିବାକୁ ରାଜି ହୋଇଯାଇଥିଲେ। ପ୍ରଥମେ ସିକ୍ୟୁରିଟି ଫି’ ବାବଦକୁ ୫୦ ହଜାର ଟଙ୍କା ଦେଇଥିଲେ। ଟଙ୍କା ପାଇବାର ୭ରୁ ୮ଦିନ ପରେ ତାଙ୍କ ପାଖରେ ଔଷଧ ପହଞ୍ଚିଯିବ ବୋଲି ଠକ ତାଙ୍କୁ କହିଥିଲା। ମାତ୍ର ୨ ଦିନ ପରେ ଠକ ପୁଣିଥରେ ଫୋନ୍ କରି କହିଥିଲା ଯେ ଓଡ଼ିଶା ବଜାରରେ ଆମ ସଂସ୍ଥାର ଚାହିଦା ବଢ଼ୁଛି। ଜଣେ ଔଷଧ ଦୋକାନୀ ୩ ଲକ୍ଷରୁ ଅଧିକ ଟଙ୍କାର ଔଷଧ ଅର୍ଡର୍‌ ଦେଇଛନ୍ତି। ଆମେ ତାଙ୍କୁ ଆପଣଙ୍କ ସଂସ୍ଥା ବିଷୟରେ ଜଣାଇ ଦେଇଛୁ। ତେଣୁ ଆପଣ ୫୦ପ୍ରତିଶତ ଟଙ୍କା ଡିପୋଜିଟ୍ କରି ଔଷଧ ନେଇ ଯାଆନ୍ତୁ। ଆଗ ପଛ ବିଚାର ନ କରି ରଶ୍ମି ପୁଣିଥରେ ଗତ ୧୮ ନଭେମ୍ବର ମାସରେ ୨ଟି ପର୍ଯ୍ୟାୟରେ ଆଉ ଲକ୍ଷେ ଟଙ୍କା ଅନ୍‌ଲାଇନ୍‌ରେ ପଠାଇ ଦେଇଥିଲେ। ଦୀର୍ଘ ଦିନ ଅପେକ୍ଷା କରିବା ପରେ ମଧ୍ୟ ଔଷଧ ତାଙ୍କ ପାଖରେ ନ ପହଞ୍ଚିବାରୁ ସେ ପୁଣି ଉକ୍ତ ନମ୍ବରକୁ ଫୋନ୍ କରିବା ସହିତ ମେଲ୍ କରିଥିଲେ। କିନ୍ତୁ କୌଣସି ଉତ୍ତର ଆସି ନଥିଲା। ତେଣୁ ସେ ବାଧ୍ୟ ହୋଇ ଜାନୁଆରି ୧୭ ତାରିଖରେ ପ୍ରଥମେ ସାଇବର ଥାନାରେ ଅଭିଯୋଗ କରିଥିଲେ। ଆଜି ଏନେଇ ସେ ନୂଆପଲ୍ଲୀ ଥାନାରେ ଅଭିଯୋଗ କରିଛନ୍ତି।

ସାଇବର ବିଶେଷଜ୍ଞ ଆକାଶ ମିଶ୍ର କହିଛନ୍ତି, ମେଡିକାୟା ଏଣ୍ଟରପ୍ରାଇଜ୍‌ ନାଁରେ ସେଭଳି କୌଣସି ଔଷଧ କମ୍ପାନି ନାହିଁ। ସାଇବର ଠକ, ଅନ୍‌ଲାଇନ୍‌ରେ ଏକ ଫେକ୍ ୱେବସାଇଟ୍ ଖୋଲି ଔଷଧ ବିତରଣକାରୀ ସଂସ୍ଥାକୁ ଟାର୍ଗେଟ୍‌ କରୁଛନ୍ତି। ୨୮ସେପ୍ଟେମ୍ବର ୨୦୨୧ରେ ଏହି ଵେବସାଇଟ୍ ତିଆରି ହୋଇଥିଲା। ଆସନ୍ତା ବର୍ଷେ ପରେ ଏହାର ବୈଧତା ଶେଷ ହେବ। ପଶ୍ଚିମବଙ୍ଗ, ମହାରାଷ୍ଟ୍ର, ଗୁଜୁରାଟ ପ୍ରମୁଖ ରାଜ୍ୟରୁ ଏଭଳି ଠକେଇ ହୋଇଥିବା ଅଭିଯୋଗ ହୋଇଛି। ଏବେ ଓଡ଼ିଶା‌ରେ ମଧ୍ୟ ଏହି ଠକେଇ ହୋଇଛି। ତେଣୁ କୌଣସି ସଂସ୍ଥାକୁ ଟଙ୍କା ପଠାଇବା ପୂର୍ବରୁ, ଉକ୍ତ ସଂସ୍ଥା ବାବଦରେ ଟିକିନିଖି ତଥ୍ୟ ସଂଗ୍ରହ କରନ୍ତୁ। କମ୍ପାନି କର୍ତ୍ତୃପକ୍ଷଙ୍କୁ ଫୋନ୍‌ କରି ଯୋଗାଯୋଗ କରିବାକୁ ସେ ପରାମର୍ଶ ଦେଇଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe