ଜନଶୁଣାଣି ଆରମ୍ଭ କଲେ ଉତ୍ତର ବିଧାୟକ

Advertisment
ଜନଶୁଣାଣି ଆରମ୍ଭ କଲେ ଉତ୍ତର ବିଧାୟକ

ଚନ୍ଦ୍ରଶେଖରପୁର: ଏଣିକି ଲୋକଙ୍କ ପାଖକୁ ଯିବେ ଉତ୍ତର ଭୁବନେଶ୍ବର ବିଧାୟକ ସୁଶାନ୍ତ କୁମାର ରାଉତ। ସମସ୍ୟା ଶୁଣିବେ। ଅସୁବିଧା, ହାନିଲାଭ ନେଇ ବରିଷ୍ଠ ନାଗରିକଙ୍କ ସହ କଥା ହେବେ। କେଉଁଠି ତ୍ରୁଟି ରହୁଛି ତାହାକୁ ଧରିବେ। ସମସ୍ୟାଗୁଡ଼ିକର କିଭଳି ସମାଧାନ ହୋଇପାରିବ ସେନେଇ ବି ଆଲୋଚନା କରିବେ। ନିର୍ବାଚନମଣ୍ଡଳୀ ଅଧୀନରେ ଥିବା ବିଏମ୍‌ସିର ପ୍ରତି ୱାର୍ଡରୁ ୱାର୍ଡକୁ ବୁଲି ଜନ ଅଭିଯୋଗ ଶୁଣାଣି ଶିବିର କରିବେ। ଏହି ଶିବିରରେ ପୂର୍ବତନ କର୍ପୋରେଟରଙ୍କ ସମେତ ସରକାରୀ ଅଧିକାରୀମାନେ ମଧ୍ୟ ଉପସ୍ଥିତ ରହିବେ। ଆଗକୁ ଭୁବନେଶ୍ବର ମହାନଗର ନିଗମ ନିର୍ବାଚନ ଥିବା ବେଳେ ବିଧାୟକ ଶ୍ରୀ ରାଉତଙ୍କ ଏଭଳି ଅଭିନବ ପ୍ରୟାସକୁ ନେଇ ନିର୍ବାଚନ ମଣ୍ଡଳୀ ରାଜନୀତି ସରଗରମ ହୋଇ ଉଠିଛି। ଲଗାତାର ଭାବେ ୪ ମାସ ଧରି ବିଭିନ୍ନ ୱାର୍ଡରେ ଉନ୍ନୟନମୂଳକ କାର୍ଯ୍ୟକ୍ରମର ଉଦ୍‌ଘାଟନ ଓ ଶିଳାନ୍ୟାସ କରିବା ପରେ ଏବେ ଅଭିଯୋଗ ଶିବିରକୁ ନେଇ ବିଜେଡି କର୍ମକର୍ତ୍ତାଙ୍କ ମଧ୍ୟରେ ଉତ୍ସାହ ଦେଖିବାକୁ ମିଳିଛି।

ପ୍ରଥମ ପଦକ୍ଷେପ ‌ସ୍ବରୂପ ଆଜି ଶ୍ରୀ ରାଉତ ବିଏମ୍‌ସିର ଏକ ନମ୍ବର ୱାର୍ଡରେ ଜନ ଅଭିଯୋଗ ଶୁଣାଣି ଶିବିର କରିଛନ୍ତି। ପ୍ରଶାନ୍ତି ବିହାର କମ୍ୟୁନିଟି ହଲ୍‌ରେ ଅନୁଷ୍ଠିତ ଏହି ଶିବିରରେ ୫୦୦ରୁ ଅଧିକ ସ୍ଥାନୀୟ ଲୋକ ସାମିଲ ହୋଇ ସେମାନଙ୍କ ସମସ୍ୟା ସମ୍ପର୍କରେ କହିଥିଲେ। ନିଜ ତଥା ସାମୂହିକ ସମସ୍ୟା ସମ୍ପର୍କରେ ଜଣ ଜଣ କରି ବିଧାୟକଙ୍କ ଦୃଷ୍ଟିଗୋଚର କରିବା ପରେ ତାହାର କିଭଳି ସମାଧାନ କରାଯାଇପାରିବ, ସେ ଦିଗରେ ପଦକ୍ଷେପ ନେବାକୁ ବିଧାୟକ ଶ୍ରୀ ରାଉତ ଉପସ୍ଥିତ ସରକାରୀ ଅଧିକାରଙ୍କୁ ନିର୍ଦେଶ ଦେଇଥିଲେ। କଲୋନି ପଞ୍ଜୀକରଣ, ଡ୍ରେନ୍‌ର ଆବଶ୍ୟକତା, ଲୋ-ଭୋଲଟେଜ୍‌, ବସ୍ତିରେ ପାଣି ପାଇପ୍‌ ଫାଟିବା ପରି ବିଭିନ୍ନ ସମସ୍ୟା ସମ୍ପର୍କରେ ଲୋକେ କହିଥିଲେ। ଏହି ଶିବିରରେ ପୂର୍ବତନ କର୍ପୋରେଟର ମମତା ରାଉତ, ଯୁବନେତା ମିହିର ରାଉତ ପ୍ରମୁଖ ଉପସ୍ଥିତ ରହିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe