ମେଣ୍ଢାଶାଳ: ଚନ୍ଦକା ଅଭୟାରଣ୍ୟରେ ପକ୍ଷୀଗଣନା ଶେଷ ହୋଇଛି। ଚଳିତବର୍ଷ ଅଭୟାରଣ୍ୟକୁ ୨୧୯୪୮ ପକ୍ଷୀ ଆସିଛନ୍ତି। ଗତବର୍ଷ ତୁଳନାରେ ଅଧିକ ୫୯୩୫ ପକ୍ଷୀ ଆସିଥିବା ବେଳେ ୨୭ ପ୍ରଜାତିର ବିଦେଶୀ ପକ୍ଷୀ ଦେଖିବାକୁ ମିଳିଛନ୍ତି। ଶନିବାର ଅଭୟାରଣ୍ୟର ୪ଟି ରେଞ୍ଜକୁ ନେଇ ପକ୍ଷୀଗଣନା କରାଯାଇଥିଲା। ଏଥିରେ ଶହେରୁ ଅଧିକ ଛାତ୍ରଛାତ୍ରୀ, ବିଭାଗୀୟ ଅଧିକାରୀ, ସ୍ବେଚ୍ଛାସେବୀ, ଭାଗ ନେଇଥିଲେ। ଚନ୍ଦକା ରେଞ୍ଜର ଭାଲୁଗାଁପାଟ, ଭୁଆସୁଣୀ, ବାରିମିଆ ପୋଖରୀ, ପୁରୀ କେନାଲ, ଝୁମୁକା ଓ କୁମାରଖୁଣ୍ଟି, ଭୁବନେଶ୍ୱର ରେଞ୍ଜର ଏକାମ୍ରକାନନ, କୂଅସୌରା, ଢିମାଖାଲ, ଦାରୁଠେଙ୍ଗ ପୋଖରୀ, ପ୍ରଶାନ୍ତି ବିହାର, ହଳଦିଆ ରେଞ୍ଜର ମାଡୁଆ, ପଣୁସଝର, ଲାଙ୍ଗୁଡ଼ି, କଜଳାଗଣ୍ଡ, ଗୁପ୍ତପଡ଼ାଗଣ୍ଡ, କନ୍ଧରେଇ, ଅମ୍ବିଲେ ଏବଂ ଡମପଡ଼ା ରେଞ୍ଜର ପାଥିପୁର, ଘସିପୁର, ମୁଣ୍ଡୁଳି, ନରାଜ ଓ ଗହଳବାଙ୍କରେ ପକ୍ଷୀ ଗଣନା କରାଯାଇଥିଲା।
କାର୍ଯ୍ୟକ୍ରମରେ ଚନ୍ଦକା ବନଖଣ୍ଡ ଅଧିକାରୀ କେଦାରନାଥ ସ୍ୱାଇଁ, ଏସିଏଫ୍ ହିମାଂଶୁ ଶେଖର ମହାନ୍ତି, ରମାକାନ୍ତ ନାୟକ, ଗିରୀଶ ଚନ୍ଦ୍ର ଶତପଥୀ, ସେଞ୍ଚୁରିଆନ କଲେଜର ଡାକ୍ତର ଶିବପ୍ରସାଦ ପରିଡ଼ା, ରମାକାନ୍ତ ବିଶ୍ୱାଳ, ପକ୍ଷୀପ୍ରେମୀ ଶୁଭେନ୍ଦୁ ଭଟ୍ଟାଚାର୍ଯ୍ୟ ପ୍ରମୁଖ ସାମିଲ ହୋଇଥିଲେ।
Follow Us