Sambad
ଭୁବନେଶ୍ବର: ୨୪ ତାରିଖରେ ହେବାକୁ ଥିବା ମତଦାନ ପାଇଁ ପ୍ରଶାସନିକ ପ୍ରସ୍ତୁତି ଶେଷ ହୋଇଛି। ସୋମବାର ସମସ୍ତ ଇଭିଏମ୍ର କମିସନିଂ ହୋଇଛି। ବିଭିନ୍ନ ରାଜନୈତିକ ଦଳର ପ୍ରତିନିଧିଙ୍କ ଉପସ୍ଥିତିରେ ଏହି କମିସନିଂ କରାଯାଇଛି। କମିସନିଂ ପରେ ବିଜେବି କଲେଜରେ ହୋଇଥିବା ଷ୍ଟ୍ରଙ୍ଗ୍ରୁମ୍ ପରିସରରେ ଏଗୁଡ଼ିକୁ କଡ଼ା ସୁରକ୍ଷା ବଳୟରେ ରଖାଯାଇଛି। ଭୋଟ ଗଣତି ଶେଷ ପର୍ଯ୍ୟନ୍ତ ଏହା ସିସିଟିଭି ନଜରରେ ରହିବ। ଏହା ସୁରକ୍ଷିତ ଅଛି ଓ ଟ୍ୟାମ୍ପରିଂ କରାଯାଉ ନାହିଁ ବୋଲି ଜାଣିବା ପାଇଁ ପ୍ରଥମ ଥର ଲାଗି ସିସିଟିଭି କ୍ୟାମେରାର ଚିତ୍ର ପ୍ରାର୍ଥୀମାନଙ୍କ ପାଇଁ ପ୍ରଦର୍ଶିତ ହେବ। ଷ୍ଟ୍ରଙ୍ଗରୁମ୍ ସମ୍ମୁଖରେ ନିର୍ଦ୍ଧାରିତ ସ୍ଥାନରୁ ପ୍ରାର୍ଥୀମାନଙ୍କର ପ୍ରତିନିଧିମାନେ ଟିଭି ସ୍କ୍ରିନ୍ରେ ଷ୍ଟ୍ରଙ୍ଗ୍ରୁମ୍ ଭିତରର ଚିତ୍ର ଦେଖିବା ଭଳି ବ୍ୟବସ୍ଥା ହୋଇଛି। ତେବେ ଭୁବନେଶ୍ବରରେ ଉତ୍ତେଜନାପ୍ରବଣ ବୁଥ୍ ସଂଖ୍ୟା ବଢ଼ୁଥିବାରୁ ଏହା ଏବେ ପ୍ରଶାସନ ପାଇଁ ଚିନ୍ତାର ବିଷୟ ହୋଇଛି।
୨୩ ତାରିଖ ସକାଳୁ ଅଫିସରଙ୍କ ସମେତ ୫ଜଣିଆ ଟିମ୍ ଏହି ମେସିନ୍ ଧରି ନିଜ ନିଜ ବୁଥ୍କୁ ବାହାରିଯିବେ। ୭୦୫ ବୁଥ୍ ପାଇଁ ୧୭୬୩ ଟି ବାଲାଟ ୟୁନିଟ୍ ଓ ୧୭୬୩ଟି କଣ୍ଟ୍ରୋଲ ୟୁନିଟ୍ ପ୍ରସ୍ତୁତ ହୋଇଛି। ବୁଥ୍ରେ ୧୪୧୦ ମେସିନ୍ ବ୍ୟବହୃତ ହେବ। ବାକି ମେସିନ୍ ସଂରକ୍ଷିତ ରଖାଯିବ। କୌଣସି ମେସିନ୍ ଖରାପ ହେଲେ ବା ସମସ୍ୟା ଦେଖା ଦେଲେ ଏହି ସଂରକ୍ଷିତ ମେସିନ୍ ଗୁଡ଼ିକୁ ବ୍ୟବହାର କରାଯିବ। ୨୪ ତାରିଖ ଦିନ ମତଦାନ ହେବ। ମତଦାନ ପୂର୍ବରୁ ମକ୍ଡ୍ରିଲ୍ ହେବ। ଏଥିପାଇଁ ପ୍ରଶାସନର ସମସ୍ତ ପ୍ରସ୍ତୁତି ଶେଷ ହୋଇଛି।
ଅନ୍ୟପଟେ ମତଦାନ ଯେତିକି ପାଖେଇ ଆସୁଛି ବିଭିନ୍ନ ୱାର୍ଡରେ ନିର୍ବାଚନୀ ହିଂସା ବଢ଼ିବାରେ ଲାଗିଛି। ଫଳରେ ପୁଲିସ ଠାରୁ ଆରମ୍ଭ କରି ପ୍ରଶାସନ ପର୍ଯ୍ୟନ୍ତ ଚିନ୍ତାରେ ପଡ଼ିଛନ୍ତି। ପୂର୍ବରୁ ପ୍ରାୟ ୨୯୧ଟି ଉତ୍ତେଜନାପ୍ରବଣ ବୁଥ୍ ଚିହ୍ନଟ ହୋଇଥିବା ବେଳେ ଏହି ସଂଖ୍ୟା ବଢ଼ିବାରେ ଲାଗିଛି। ଅଦ୍ୟାବଧି ଏହି ସଂଖ୍ୟା ୩୦୦ ଅତିକ୍ରମ କରିଥିବା କୁହାଯାଉଛି। ପ୍ରଚାର ଆରମ୍ଭ ହେବା ପର ଠାରୁ ନିୟମିତ ଭାବରେ କେଉଁଠି ନା କେଉଁଠି ହିଂସାକାଣ୍ଡ ଘଟୁଛି। ଲକ୍ଷ୍ମୀସାଗର ଅଞ୍ଚଳରେ ହୋଇଥିବା ହିଂସାକାଣ୍ଡରେ ଉଭୟ ପକ୍ଷରୁ ପୁଲିସ ଏକାଧିକ ସମର୍ଥକଙ୍କୁ ଗିରଫ କରିଥିଲେ ମଧ୍ୟ ସେଠାରେ ଉତ୍ତେଜନା ରହିଛି। ଏହା ମତଦାନ ଦିନ ବିସ୍ଫୋରକ ରୂପ ନେଇ ପାରେ ବୋଲି ପୁଲିସ ଆଶଙ୍କା କରୁଛି। ଏଣୁ ଏହି ଅଞ୍ଚଳରେ ଥିବା ୩୩ ନମ୍ବର ୱାର୍ଡର ୨ଟି କେନ୍ଦ୍ରର ୧୦ଟି ବୁଥ୍ ଓ ୩୨ ନମ୍ବର ୱାର୍ଡର ୩ଟି କେନ୍ଦ୍ରରେ ଥିବା ୧୪ଟି ବୁଥ୍ ଉପରେ ପୁଲିସ କଡ଼ା ନଜର ରଖିବାକୁ ଯାଉଛି।
ସେହିଭଳି ୪୫ ନମ୍ବର ୱାର୍ଡରେ ମଧ୍ୟ ଉତ୍ତେଜନା ଦେଖା ଦେଇଥିଲା। ବିଜେଡି ପ୍ରାର୍ଥୀଙ୍କ ଚରିତ୍ର ସଂହାର କରାଯିବା ସହ କର୍ମୀଙ୍କୁ ଆକ୍ରମଣ ହୋଇଥିବା ଅଭିଯୋଗ ରହିଥିଲା। ଏଣୁ ଏହି ୱାର୍ଡର ୫ଟି କେନ୍ଦ୍ରରେ ଥିବା ୧୧ଟି ବୁଥ୍ ମଧ୍ୟ ପୁଲିସର କଡ଼ା ନଜରରେ ରହିବ। ସେହିଭଳି ୧୫ ନମ୍ବର ୱାର୍ଡରେ ନିର୍ବାଚନୀ ହିଂସା ଦେଖା ଦେଇଥିଲା। ଭୋଜି କରିବାକୁ ନେଇ ଦୁଇ ପ୍ରାର୍ଥୀଙ୍କ ସମର୍ଥକଙ୍କ ମଧ୍ୟରେ ଗଣ୍ଡଗୋଳ ହୋଇଥିଲା। ଏଠାରେ ବିଦ୍ରୋହୀ ବିଜେଡି ପ୍ରାର୍ଥୀ ରହିଥିବାରୁ ମତଦାନ ସମୟରେ ମଧ୍ୟ ଗଣ୍ଡଗୋଳ ହେବାର ଆଶଙ୍କା ରହିଛି। ତେଣୁ ଏଠାରେ ଥିବା ୨ଟି କେନ୍ଦ୍ରର ୫ଟି ବୁଥ୍କୁ ପୁଲିସ ଉତ୍ତେଜନା ପ୍ରବଣ ତାଲିକାରେ ସାମିଲ କରିଛି। ସେହିଭଳି ସାଲିଆ ସାହିରେ ଥିବା ଅର୍ଦ୍ଧାଧିକ ବୁଥ୍କୁ ଉତ୍ତେଜନା ପ୍ରବଣ ଭାବରେ ଚିହ୍ନଟ କରାଯାଇଛି। ବିଶେଷ କରି ବିଦ୍ରୋହୀ ବିଜେଡି ପ୍ରାର୍ଥୀ ଥିବା ୱାର୍ଡ ଉପରେ ପୁଲିସର କଡ଼ା ନଜର ରହିବ ବୋଲି ବିଶ୍ବସ୍ତ ସୂତ୍ରରୁ ଜଣାପଡ଼ିଛି।
Follow Us