କଙ୍ଗନାଙ୍କ ଚାଞ୍ଚଲ୍ୟକର ଖୁଲାସା, ବଲିଉଡ୍‌ ଡ୍ରଗ୍ସ ପାର୍ଟି‌ର ଆୟୋଜକ ଖଣି ବ୍ୟବସାୟୀ

କଙ୍ଗନାଙ୍କ ଚାଞ୍ଚଲ୍ୟକର ଖୁଲାସା, ବଲିଉଡ୍‌ ଡ୍ରଗ୍ସ ପାର୍ଟି‌ର ଆୟୋଜକ ଖଣି ବ୍ୟବସାୟୀ

Hindustan

ଭୁବନେଶ୍ବର: ବହୁଚର୍ଚ୍ଚିତ ଅଭିନେତା ସୁଶାନ୍ତ ସିଂ ରାଜପୁତ ମୃତ୍ୟୁ ମାମଲାରେ ବାନ୍ଧବୀ ରିୟା ଚକ୍ରବର୍ତ୍ତୀଙ୍କ ହ୍ବାଟ୍ସଆପ୍ ଚାଟିଂରୁ ନିଶା କାରବାରରେ ଭୁବନେଶ୍ବର ଲିଙ୍କ୍ ନେଇ ହଇଚଇ ସୃଷ୍ଟି ହୋଇଥିବା ବେଳେ ଆଉ ଏକ ଓଡ଼ିଶା ଲିଙ୍କ୍ ଚର୍ଚ୍ଚାକୁ ଆସିଛି। ବଲିଉଡ୍‌ରେ ଡ୍ରଗ୍ସ କାରବାର ନେଇ ଏକ ଜାତୀୟ ଗଣମାଧ୍ୟମରେ ଅଭିନେତ୍ରୀ କଙ୍ଗନା ରଣାଵତଙ୍କ ସାକ୍ଷାତକାର ଅନେକ ଗୁମର ଖୋଲିଛି। କେମିତି ପାର୍ଟିର ଆୟୋଜନ ହୁଏ, ପାର୍ଟି ଆଳରେ କେମିତି ଡ୍ରଗ୍ସ କାରବାର ହୁଏ, କିଏ ଏହି କାରବାରର ମଙ୍ଗ ଧରନ୍ତି; ଏ ସବୁର ବଡ଼ ଖୁଲାସା କରିଛନ୍ତି କଙ୍ଗନା। ସେଥିରେ ଓଡ଼ିଶାର ଲିଙ୍କ୍ ମଧ୍ୟ ସାମ୍ନାକୁ ଆସିଛି।

ସାକ୍ଷାତକାରରେ କଙ୍ଗନାଙ୍କ କହିବା ଅନୁସାରେ, ଭୁବନେଶ୍ବର ଭଳି ସହରର ଖଣି ବ୍ୟବସାୟୀ, ବିଲ୍ଡର୍‌, ଡ୍ରଗ୍ସ ଡିଲର୍‌ମାନେ ପାର୍ଟିର ଆୟୋଜନ କରନ୍ତି। ପାର୍ଟିରେ କୋଟି କୋଟି ଟଙ୍କାର ଡ୍ରଗ୍ସ କାରବାର ହୁଏ। ପାର୍ଟିକୁ ଆଳ କରି ଅଭିନେତା, ଅଭିନେତ୍ରୀ, ପ୍ରତିଷ୍ଠିତ ବ୍ୟକ୍ତି ଡ୍ରଗ୍ସ ସେବନ କରିଥା’ନ୍ତି। ଖଣି ବ୍ୟବସାୟୀମାନେ ଅଭିନେତ୍ରୀଙ୍କ ପଛରେ ପାଗଳ ପରି ବୁଲନ୍ତି। କୋଟି କୋଟି ଟଙ୍କାର ଖଣିଜ ସମ୍ପତ୍ତି ଲୁଟ୍ କରୁଥିବା ବ୍ୟବସାୟୀ ଏଭଳି ପାର୍ଟିର ଆୟୋଜନ କରନ୍ତି। କଙ୍ଗନାଙ୍କ ଏହି ବୟାନ ପରେ ରାଜ୍ୟ‌‌‌‌‌ରେ ହଇଚଇ ସୃଷ୍ଟି ହୋଇଛି। କେଉଁ ଖଣି ବ୍ୟବସାୟୀ ବଲିଉଡ୍‌ରେ ଏଭଳି ଡ୍ରଗ୍ସ ପାର୍ଟିର ଆୟୋଜନ କରନ୍ତି, ତାହାକୁ ନେଇ ଏବେ ରାଜ୍ୟରେ ଜୋରଦାର ଚର୍ଚ୍ଚା ଆରମ୍ଭ ହୋଇଯାଇଛି। ତେବେ ନାର୍କୋଟିକ୍ସ କଣ୍ଟ୍ରୋଲ ବ୍ୟୁରୋ (ଏନସିବି) ରିୟାଙ୍କ ବିରୋଧରେ ଆପରାଧିକ ମାମଲା ରୁଜୁ କରି ଏହାର ତଦନ୍ତ ଜାରି ରଖିଥିବା ବେଳେ କଙ୍ଗନାଙ୍କ ବୟାନକୁ ନେଇ ଛାନଭିନ୍ କରିବ କି? ରିୟାଙ୍କ ହ୍ବାଟସଆପ୍ ଚାଟିଂ ତଥ୍ୟ ଆଧାରରେ ଏନସିବି ୨୦ ଜଣଙ୍କ ତାଲିକା ପ୍ରସ୍ତୁତ କରିଛି। ତେବେ ତଦନ୍ତ ଲାଗି ଏନ୍‌ସିବି ଓଡ଼ିଶା ଆସିପାରେ ବୋଲି କୁହାଯାଉଛି। ଅନ୍ୟପକ୍ଷରେ ପୂର୍ବାଞ୍ଚଳ ଖଣି ସଂଘ(ଇଷ୍ଟର୍ଣ୍ଣ ଜୋନ୍ ମାଇନିଂ ଆସୋସିଏସନ୍) ସାଧାରଣ ସମ୍ପାଦକ ପ୍ରବୋଧ ମହାନ୍ତି ପ୍ରତିକ୍ରିୟା‌ରେ କହିଛନ୍ତି, ଓଡ଼ିଶାର ଖଣି ମାଲିକଙ୍କର ଡ୍ରଗ୍ସ କାରବାରରେ କୌଣସି ଲିଙ୍କ୍ ନାହିଁ।

ସୂଚନାଯୋଗ୍ୟ, ରିୟାଙ୍କ ନିଶା କାରବାର ସଂପର୍କରେ ହ୍ବାଟସଆପ୍ ଚାଟିଂରୁ ଭୁବନେଶ୍ବର ଲିଙ୍କ୍ ମିଳିଥିଲା। ନିଶା କାରବାର ଚାଟିଂ ସମୟରେ ଏବେ ସବୁ କିଛି ଭୁବନେଶ୍ବରରେ ଘଟୁଛି ବୋଲି ରିୟା ଉଲ୍ଲେଖ କରିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe