ଉପଯୁକ୍ତ ମାନ୍ୟତା ଅପେକ୍ଷାରେ ପୁରୁଣା ଭୁବନେଶ୍ବର କୋରାଖଇ

Advertisment
ଉପଯୁକ୍ତ ମାନ୍ୟତା ଅପେକ୍ଷାରେ ପୁରୁଣା ଭୁବନେଶ୍ବର କୋରାଖଇ

ଭୁବନେଶ୍ବର: ଭୁବନେଶ୍ବର ବିଭିନ୍ନ ପରିଚୟ ମଧ୍ୟରୁ ପ୍ରମୁଖ ପରିଚୟ ହେଉଛି କୋରାଖଇ। ଏହା ପ୍ରାୟ ୩୦୦ ବର୍ଷ ପୁରୁଣା ବୋଲି ଅନୁମାନ କରାଯାଏ। ଏହା ଶ୍ରୀଲିଙ୍ଗରାଜଙ୍କ ଏକ ଭୋଗ ଭାବେ ପରିଚିତ। କୋରାଖଇ ପ୍ରସାଦ ସେବନ ବିନା ଏକାମ୍ର କ୍ଷେତ୍ର ଦର୍ଶନର ମାନେ କିଛି ନଥାଏ ବୋଲି ଆଜିବି ବିଶ୍ବାସ ରହିଛି। ତେଣୁ ଦେଶ ବିଦେଶରେ ପୁରୁଣା ଭୁବନେଶ୍ବର କୋରାଖଇର ନାଁ ଅଛି। ଆଜିବି ମଧ୍ୟ ପୁରୁଣା ଭୁବନେଶ୍ବରର ଅନେକ ପରିବାର କୋରାଖଇ ପ୍ରସ୍ତୁତି ଓ ବିକ୍ରିକୁ ବୃତ୍ତି ଭାବେ ଧରି ରଖିଛନ୍ତି। ତେବେ ପରିତାପର କଥା କୋରାଖଇକୁ ବ୍ରାଣ୍ଡିଂ କରି ଅଧିକ ଲୋକପ୍ରିୟ କରାଯିବା ସହ ବଜାର ସୃଷ୍ଟି କରା ଯାଇନାହିଁ। କିଛି ପରିବାର ଭିତରେ ଏହା ସୀମିତ ରହିଯାଇଛି।

କୋରାଖଇର ପ୍ରସ୍ତୁତି ହିଁ ତା’ର ପରିଚୟକୁ ଦ୍ବିଗୁଣିତ କରିଦିଏ। ଏହାର ପ୍ରସ୍ତୁତି ବେଶ୍ ଜଟିଳ ଓ ବ୍ୟୟବହୁଳ। ଧାନରୁ ଖଇ ଭାଜିବା ପରେ ଗୁଡ଼, କନ୍ଦରେ ବା ଚିନିରେ ସିରା ପ୍ରସ୍ତୁତ କରି ସେଥିରେ ଖଇକୁ ମିଶାଯାଏ। ନଡ଼ିଆକୁ ପତଳା ପତଳା କରି କାଟିବା ପରେ ଶୁଖାଇବାକୁ ହୁଏ। ଏହି ଶୁଖିଲା ପାତିକୁ ଗୁଆଘିଅ ଓ ଗୁଡ଼ସିରାରେ ମିଶାଇ ଏକ ସ୍ବତନ୍ତ୍ର ପାଗ କରି ଭାଜିବାକୁ ପଡ଼େ। ପରେ ଖଇକୁ ସିରା ସହ ମିଶାଇବା ବେଳେ ଏହି ନଡ଼ିଆପାତି ସାଙ୍ଗରେ ଗୋଲମରିଚ, ଗୁଜୁରାତି, ଜାଇଫଳ, କର୍ପୂର ଓ ପାନମଧୁରୀ ପକାଯାଏ। ପାଗ ଏପଟସେପଟ ହୋଇଗଲେ, ସ୍ବାଦ ଭଲ ହୁଏ ନାହିଁ। ତେଣୁ ଏଥିପାଇଁ ଜଗିରଖି ବଡ଼ ସତର୍କତାର ସହ କରିବାକୁ ପଡ଼ିଥାଏ। ସେହିଭଳି କୋରା ତିଆରି ବି କିଛି କମ୍‌ ପରିଶ୍ରମର କଥା ନୁହେଁ। ନଡ଼ିଆକୁ କୋରେଇ ଶୁଖାଇବାକୁ ପଡ଼େ। ଏହି ଶୁଖିଲା ଗୁଣ୍ଡକୁ ଗୁଆଘିଅ ଓ ଚିନିସିରା ବା କନ୍ଦରେ ମିଶାଇ ପାଗ କରାଯାଏ ଓ ପରେ ଗୋଲ ଗୋଲ କରି ବୋଳାଯାଏ। ଦିନଥିଲା ଏକାମ୍ର କ୍ଷେତ୍ରରେ ବଇଆ କୋରା କହିଲେ ସମସ୍ତ‌େ ଜାଣନ୍ତି। ତାକୁ କିଣିବା ପାଇଁ ଶ୍ରଦ୍ଧାଳୁମାନେ ଭିଡ଼ କରୁଥିଲେ। କିନ୍ତୁ ସେ ନାହାନ୍ତି ସତ ତାଙ୍କ ପରିବାରର ଅନେକ ସଦସ୍ୟ ଏହି ବୃତ୍ତିକୁ ବଞ୍ଚାଇ ରଖିଛନ୍ତି। ଆହୁରି ଅନେକ ଏହି ବୃତ୍ତିକୁ ମଧ୍ୟ ଆପଣେଇଛନ୍ତି। ସେଠାରେ ପାଖାପାଖି ୨୦ରୁ ୨୫ ଜଣ ଦୋକାନ ଦେଇଛନ୍ତି। ବଡ଼ଦାଣ୍ଡ ସାହିରେ ପୁରୁଣା ଦୋକାନସବୁ ରହିଛି। ପୂର୍ବପୁରୁଷ ଅମଳରୁ ସେମାନେ ଏହାକୁ ବୃତ୍ତି ଭାବେ ଆଦରି ନେଇଛନ୍ତି।

ଗୁଣବତ୍ତା ଅନୁସାରେ ଏହାର ଦାମ୍‌ କିଲୋ ପିଛା ୨୦୦ ଟଙ୍କାରୁ ୨୪୦ ଟଙ୍କା ପର୍ଯ୍ୟନ୍ତ ରହିଛି। ସବୁଠୁ ପରିଚିତ ବଇଆ ଦୋକାନର ମାଲିକ ସୁରେନ୍ଦ୍ର କୁମାର ସାହୁ କହନ୍ତି, ଦୋକାନରେ ପ୍ରତିଦିନ ପାଖାପାଖି ଦୈନିକ ୫୦କ୍ବିଣ୍ଟାଲ କୋରାଖଇ ବିକ୍ରି ହୋଇଥାଏ। କିନ୍ତୁ ସମସ୍ତ ଦୋକନୀଙ୍କ ବେପାର ମି‌ଶି ଆକଳନ କଲେ ୫ କ୍ବିଣ୍ଟାଲ ବିକ୍ରି ହୋଇଥାଏ। କିନ୍ତୁ ଜାଗର ସମୟରେ ଅଧିକ ବିକ୍ରି ହୁଏ। ଶ୍ରଦ୍ଧାଳୁମାନେ ଭୋଗ ଲାଗିବା ପାଇଁ ଯେତିକି କିଣନ୍ତି, ତା’ଠୁ ବହୁ ଅଧିକ ଅନ୍ୟ ମନ୍ଦିରର ପୂଜା ସାମଗ୍ରୀ ବିକ୍ରେତାମାନେ ବରାଦ କରି କିଣିନିଅନ୍ତି। କେବଳ ଏହା ଓଡ଼ିଶାରେ ସୀମିତ ନାହିଁ, ଦେଶର ବିଭିନ୍ନ ରାଜ୍ୟର ଲୋକେ ଖୁବ୍‌ ପସନ୍ଦ କରିଥାନ୍ତି। ରାଜ୍ୟର ବିଭିନ୍ନ ପ୍ରାନ୍ତକୁ ଅନ୍‌ଲାଇନ୍‌ ମାଧ୍ୟମରେ ପଠାଯାଇଥାଏ। ଲିଙ୍ଗରାଜକୁ ଆସୁଥିବା ବିଦେଶୀ ପର୍ଯ୍ୟଟକ କୋରାଖଇକୁ ବହୁତ ପସନ୍ଦ କରିବା ସହ ଥରେ ତା’ର ସ୍ବାଦ ନେବାପରେ ଆଉଥରେ ମଧ୍ୟ ସ୍ବାଦକୁ ଖୋଜି ହୁଅନ୍ତି। ତେଣୁ ଅନେକ ବର୍ଷ ହେଲା ବିଦେଶରେ ଏହାକୁ ପଠାଯାଉଛି। ଆମେରିକା, ନେପାଳ, ଶ୍ରୀଲଙ୍କା ଓ ଇଣ୍ଡୋନେସିଆ ପ୍ରମୁଖ ଦେଶରେ ଥିବା ଓଡ଼ିଆଙ୍କ ଭିତରେ ଏହାର ଆଦର ରହିଛି। ତେବେ କୋରାଖଇ ଜିଆଇ ମାନ୍ୟତା ପାଇଁ ହକ୍‌ଦାର ହୋଇଥିଲେ ବି ଆନ୍ତରିକତା‌ ଅଭାବରୁ ଏହା ମିଳିପାରିନାହିଁ। ବିଶ୍ବ ଦରବାରରେ ଏକ ସ୍ବତନ୍ତ୍ର ମର୍ଯ୍ୟାଦା ପାଇଥିବା କୋରାଖଇ ଜିଆଇ ମାନ୍ୟତା ପାଇବାକୁ ବିଭିନ୍ନ ମହଲରୁ ଦାବି ହେଉଛି, କିନ୍ତୁ ଆଖିଦୃଶିଆ ହେଉନାହିଁ ବୋଲି ବଇଆଙ୍କ ବଂଶଧରମାନେ କହନ୍ତି। କିନ୍ତୁ ସରକାର ଇଛାକଲେ, ଓଡ଼ିଆ କୋରାଖଇର ମହକ ସାରା ବିଶ୍ବକୁ ଖେଳାଇ ହୋଇପାରନ୍ତା ବୋଲି ବୁଦ୍ଧିଜୀବୀ ମହଲରେ ଚର୍ଚ୍ଚା ହେଉଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe