ଦୁର୍ଘଟଣା‌ରେ ଏକମାତ୍ର ପୁଅ ଚାଲିଗଲା, ଏବେ ୧୫୦୦ ପିଲାଙ୍କ ଜନନୀ ପାଲଟିଛନ୍ତି ଅମିୟବାଳା

Advertisment

ବସ୍ତି ପିଲାଙ୍କୁ ପଢ଼ାଉଛନ୍ତି, ସଡ଼କ ସଚେତନତା ବାର୍ତ୍ତା ବାଣ୍ଟୁଛନ୍ତି

ବସ୍ତି ପିଲାଙ୍କୁ ପଢ଼ାଉଛନ୍ତି, ସଡ଼କ ସଚେତନତା ବାର୍ତ୍ତା ବାଣ୍ଟୁଛନ୍ତି

ଦୁର୍ଘଟଣା‌ରେ ଏକମାତ୍ର ପୁଅ ଚାଲିଗଲା, ଏବେ ୧୫୦୦ ପିଲାଙ୍କ ଜନନୀ ପାଲଟିଛନ୍ତି ଅମିୟବାଳା

କୁହାଯାଏ, ମା’ ଆଖି ଆଗରେ ପୁଅ ଚାଲିଯିବାଠାରୁ ବଡ଼ ଦୁଃଖ ଏ ସଂସାରରେ କିଛି ନାହିଁ। ଅମିୟବାଳାଙ୍କୁ ବି ଦିନେ ଏମିତି ଦୁଃଖର ସାମ୍ନା କରିବାକୁ ପଡ଼ିବ ବୋଲି ସେ କେବେ ଭାବି ନଥିଲେ। ଏକ ମର୍ମନ୍ତୁଦ ଦୁର୍ଘଟଣାରେ ତାଙ୍କ ୧୮ ବର୍ଷ ପୁଅର ମୃତ୍ୟୁ ହୋଇଗଲା। କିନ୍ତୁ ବିଧିର ବିଧାନ, ତାଙ୍କୁ ଏବେ ୧୫୦୦ ପିଲାଙ୍କ ମା’ କରିଦେଇଛି।

ଦୁଇ ବର୍ଷ ତଳେ ମୃତ୍ୟୁ ହୋଇଥିବା ପୁଅ ଗିରିଜା ଶଙ୍କର ବାଗଙ୍କ ସ୍ମୃତିରେ ‘ଗିରିଜା ପାଠଶାଳା’ ଗଢ଼ି ସେ ଗରିବ ଓ ଅବହେଳିତ ବସ୍ତି ପିଲାଙ୍କ ଶିକ୍ଷାଦାନ କରି ସମାଜର ମୁଖ୍ୟସ୍ରୋତରେ ସାମିଲ କରିବାକୁ ଉଦ୍ୟମ ଜାରି ରଖିଛନ୍ତି। ତାଙ୍କର ଏହି ପ୍ରୟାସରେ ୧୫୦୦ ପିଲା ଯୋଡ଼ି ହେଲେଣି। ଖାଲି ସେତିକି ନୁହେଁ, ତାଙ୍କ ଭଳି ଆଉ କେହି ମା’ ଯେମିତି ସଡ଼କ ଦୁର୍ଘଟଣାରେ ନିଜ ସନ୍ତାନକୁ ନ ହରାଉ, ସେ ନେଇ ସଚେତନତା ବାର୍ତ୍ତା ମଧ୍ୟ ବାଣ୍ଟୁଛନ୍ତି। ପୁଅ ନାମରେ ‘ଗିରିଜା ସଡ଼କ ସୁରକ୍ଷା ସଂଗଠନ’ ନାମରେ ଏକ ସଂସ୍ଥା ଗଢ଼ି ଅହରହ ସମାଜର ଏନେଇ ସଚେତନତା ସୃଷ୍ଟି କରିବାରେ ଲାଗିଛନ୍ତି।

ଅମିୟବାଳା କହିଛନ୍ତି, ମାତ୍ର ୧୮ ବର୍ଷ ବୟସରେ ମୋ’ ପୁଅ ମୋତେ ଛାଡ଼ି ଆରପାରିକୁ ଚାଲିଗଲା। ପୁଅ ଯିବା ଦୁଃଖ ମନରୁ ଲିଭିନି, ସ୍ବାମୀ ମଧ୍ୟ ପୁଅ ପାଖକୁ ଚାଲିଗଲେ। ସାମାଜିକ କଟକଣା ଓ ଲୋକନିନ୍ଦାକୁ ପଛରେ ପକାଇ ପୁଅର ଫଟୋକୁ ହାତରେ ଧରି ସ୍ବାମୀଙ୍କ ମୁହଁରେ ନିଆଁ ଦେଇଥିଲି। ହେଲେ ଏତେ ସବୁ ଦୁଃଖ ଭିତରେ ବି ବଞ୍ଚିବାର ରାହା ଟିକକ ମିଳିଗଲା। ଜନ୍ମିତ ପୁଅ ସିନା ଚାଲିଗଲା, କିନ୍ତୁ ସାରା ସମାଜର ପିଲାଙ୍କ ମା’ ସଜେଇ ଦେଲେ ଭଗବାନ। ଅମିୟବାଳା ଆହୁରି କହିଛନ୍ତି, ମୋର ଗୋଟିଏ ପୁଅ ସିନା ମୋତେ ଛାଡ଼ି ଚାଲିଗଲା ବୋଲି ମୁଁ ଦୁଃଖ କରୁଥିଲି। ହେଲେ ସମସ୍ତଙ୍କ ଭିତରେ ମୋ ପୁଅକୁ ଦେଖିବା ପାଇଁ କିଛି କଲେଜ ପଢୁଆ ପିଲାଙ୍କୁ ସାଙ୍ଗରେ ନେଇ ବସ୍ତି ଅଞ୍ଚଳରେ ଏବେ ଗିରିଜା ପାଠଶାଳା ଶିକ୍ଷାଦାନ କରୁଛି। ଏଥିରେ ମୋ ସହିତ ବର୍ତ୍ତମାନ ସୁଦ୍ଧା ୧୫୦୦ ପିଲା ସାମି‌ଲ ହେଲେଣି। ଏହା ମୋ ପୁଅର ଅଭାବକୁ ପୂରଣ କରିବାରେ ସମ୍ଭବ ହୋଇଛି। ସେହିପରି ପୁଅର ସ୍ମୃତିରକ୍ଷା ଉଦ୍ଦେଶ୍ୟରେ ‘ଗିରିଜା ସଡ଼କ ସୁରକ୍ଷା ସଂଗଠନ’ ଗଢ଼ି ଦୁଇ ବର୍ଷ ହେଲା ସଚେତନତା କରୁଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe