କ୍ୟାପିଟାଲ ହସ୍ପିଟାଲରେ ଅସ୍ତ୍ରୋପଚାର ସଫଳ: ପୁଣି ଥରେ ନିଜ ଗୋଡ଼ରେ ଚାଲିବେ ସଞ୍ଜୁ

Advertisment
କ୍ୟାପିଟାଲ ହସ୍ପିଟାଲରେ ଅସ୍ତ୍ରୋପଚାର ସଫଳ: ପୁଣି ଥରେ ନିଜ ଗୋଡ଼ରେ ଚାଲିବେ ସଞ୍ଜୁ

ଭୁବନେଶ୍ୱର: ‘ଫନି’ ବା‌ତ୍ୟା ପରେ ନିଜ ଚାଳଛପର ଘରକୁ ସଜାଡ଼ୁଥିବାବେଳେ ଉଚ୍ଚରୁ ପଡ଼ିଯାଇ ଅକର୍ମଣ୍ୟ ହୋଇ ଯାଇଥିବା ପୁରୀ ସମଗରାର ସଞ୍ଜୁ ଜେନାଙ୍କର କ୍ୟାପିଟାଲ୍‌ ହସ୍ପିଟାଲରେ ସଫଳ ଅସ୍ତ୍ରୋପଚାର ହୋଇଛି। ଦୁଇଜଣ ସହ‌ଯୋଗୀଙ୍କ ସହ ଡାକ୍ତର ସୁବ୍ରତ ମହାନ୍ତି ପ୍ରାୟ ଦୁଇ ଘଣ୍ଟା ପରିଶ୍ରମ କରି ତାଙ୍କର ଅପରେସନ୍‌ କରିଛନ୍ତି। ଅପରେସନ୍‌ ପରେ ସଞ୍ଜୁ ସୁସ୍ଥ ଅଛନ୍ତି ଏବଂ ଦିନେ ଦୁଇ ଦିନ ଭିତରେ ସେ ଚାଲିବାକୁ ସକ୍ଷମ ହେବେ ବୋଲି କହିଛନ୍ତି ଡାକ୍ତର ଶ୍ରୀ ମହାନ୍ତି। ଡାକ୍ତର ମହାନ୍ତିଙ୍କ ପ୍ରଚେଷ୍ଟାରେ ସଞ୍ଜୁ ନୂ୍ଆ ଜୀବନ ପାଇବାକୁ ଯାଉଥିବାରୁ ତାଙ୍କ ପରିବାର ଓ ବନ୍ଧୁମାନେ ଗଭୀର କୃତଜ୍ଞତା ପ୍ରକାଶ କରିଛନ୍ତି।

ଅପରେସନ ବେଳେ ଜଣାପଡ଼ିଥିଲା, ସଞ୍ଜୁ ପଡ଼ିଯିବା ପରେ ତାଙ୍କର ଶରୀର ସହ ଗୋଡ଼ ସଂଯୋଗ ସ୍ଥଳରେ ଶକ୍ତ ଆଘାତ ଲାଗିଥିଲା। ଫଳରେ ଶରୀରରୁ ଗୋଡ଼ ଖସି ଯାଇଥିଲା। ହାଡ଼ ଭାଙ୍ଗି ଯାଇଥିବାରୁ ସେ ଚାଲିବାକୁ ସକ୍ଷମ ହୋଇ ପାରୁନଥିଲେ। ଅନ୍ୟପଟେ ଗୋଡ଼ ଶରୀରରେ ଯୋଡ଼ା ହୋଇନଥିଲା, ହେଲେ ସେ ସେକ ନେଇଥିଲେ। ଫଳରେ ସ୍ଥିତି ଟିକେ ବିଗିଡ଼ି ଯାଇଥିଲା। ଦୀର୍ଘ ଦେଢ଼ବର୍ଷ କାଳ ଘରେ ପଡ଼ି ରହିବାରୁ ଗୋଡ଼ ହାଡ଼ ଅନ୍ୟ ଜାଗାରେ ଯୋଡ଼ି ହେଉଥିଲା। ଆଉ ବିଳମ୍ବ ହୋଇଥିଲେ ହୁଏତ ଅପରେସନ କଷ୍ଟକର ହୋଇଥାନ୍ତା। ତାଙ୍କର ଚାଲିବା ଏକ ପ୍ରକାର ଅସମ୍ଭବ ହୋଇଥାନ୍ତା। ତେବେ ‌ବିଳମ୍ବ ହୋଇଥିଲେ ମଧ୍ୟ ସ୍ଥିତି ହାତରୁ ଖସି ଯାଇନଥିଲା। ଏଣୁ ଅପରେସନ ସଫଳ ହୋ‌ଇଥିଲା। ଅପରେସନ ପରେ ପରୀକ୍ଷା ନିରୀକ୍ଷା କରାଯିବା ପରେ ସେ ସୁସ୍ଥ ଥିବା ଜଣାପଡ଼ିଛି। ଆସନ୍ତାକାଲି ସେ ୱାକର ସାହାଯ୍ୟରେ ଚାଲିବେ। କମ୍‌ ଦିନ ଭିତରେ ସେ ଏଠାରୁ ଡିସ୍‌ଚାର୍ଜ ହୋଇ ଘରକୁ ଯିବେ ବୋଲି କହିଛନ୍ତି ଡାକ୍ତର ଶ୍ରୀ ମହାନ୍ତି।

ଅନ୍ୟପଟେ ସଞ୍ଜୁଙ୍କ ଅପରେସନ ସଫଳ ହେବା ପରେ ପରିବାର ସଦସ୍ୟ ବେଶ୍‌ ଖୁସି ଅଛନ୍ତି। ଦୀର୍ଘ ଦେଢ଼ ବର୍ଷ କାଳ ଘରେ ପଡ଼ି ରହିବା ପରେ ଅନେକ ତାଙ୍କ ସାଙ୍ଗ ଛାଡ଼ି ଦେଇଥିଲେ। ସେ ସୁସ୍ଥ ହେଉଥିବା ଖବର ପାଇ କେତେକ ସାଙ୍ଗ ମଧ୍ୟ ତାଙ୍କୁ ମେଡିକାଲ୍‌ରେ ଦେଖା କରିଛନ୍ତି। କେତେବେ‌ଳେ ସଞ୍ଜୁ ଘରକୁ ଫେରିବେ ସେ ବାଟକୁ ଚାହିଁ ବସିଛନ୍ତି ବିଧବା ମା’। ସଞ୍ଜୁ ଚାଳରୁ ପଡ଼ି ଆହତ ହେବା ପରେ ନବବିବାହିତା ପତ୍ନୀ ମଧ୍ୟ ବାପ ଘରକୁ ଚାଲି ଯାଇଥିଲେ। ତେବେ ସଞ୍ଜୁ ମେଡିକାଲରେ ଆଡ୍‌ମିଟ୍‌ ହେବା ପରଠାରୁ ପତ୍ନୀ ମେଡିକାଲ୍‌ରେ ପହଞ୍ଚି ତାଙ୍କର ସେବା କରୁଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe