ଆଉଟ୍‌ରିଚ୍‌ର ରେଡିଓ ମେଳା ଉଦ୍‌ଘାଟିତ, ଭ୍ରମାତ୍ମକ ସମ୍ବାଦର ମହୌଷଧି ରେଡିଓ: ସୌମ୍ୟରଂଜନ

Advertisment
ଆଉଟ୍‌ରିଚ୍‌ର ରେଡିଓ ମେଳା ଉଦ୍‌ଘାଟିତ, ଭ୍ରମାତ୍ମକ ସମ୍ବାଦର ମହୌଷଧି ରେଡିଓ: ସୌମ୍ୟରଂଜନ

ଭୁବନେଶ୍ବର: ବର୍ତ୍ତମାନ ସାମାଜିକ ଗଣମାଧ୍ୟମର ବହୁଳ ବ୍ୟବହାର ଫଳରେ ଖବରର ସତ୍ୟାସତ୍ୟକୁ ନେଇ ସାଧାରଣରେ ଦ୍ବନ୍ଦ୍ବ ପ୍ରକାଶ ପାଉଛି। ଏହି ଦ୍ବନ୍ଦ୍ବ ଦୂର କରିବାରେ ରେଡିଓ ମହୌଷଧ ହୋଇପାରିବ ବୋଲି କହିଛନ୍ତି ‘ସମ୍ବାଦ’ର ସମ୍ପାଦକ ସୌମ୍ୟରଞ୍ଜନ ପଟ୍ଟନାୟକ। ଅନ୍ତର୍ଜାତୀୟ ରେଡିଓ ଦିବସ ଅବସରରେ ‘ଆଉଟ୍‌ରିଚ୍‌’ ତରଫରୁ ଭଞ୍ଜ କଳାମଣ୍ଡପରେ ଅନୁଷ୍ଠିତ ରେଡିଓ ମେଳାର ଉଦ୍‌ଘାଟନୀ ଉତ୍ସବରେ ମୁଖ୍ୟ ଅତିଥି ଭାବରେ ଯୋଗଦେଇ ଶ୍ରୀ ପଟ୍ଟନାୟକ ଏହା କହିଛନ୍ତି।

ସେ ଆହୁରି ମଧ୍ୟ କହିଥି‌‌ଲେ ଯେ ରେଡିଓ ଲୋକମାନଙ୍କର ଅଭାବ, ଅସୁବିଧା ଓ ସମସ୍ୟାକୁ ଲୋକଲୋଚନକୁ ଆଣିଥାଏ। ସେହିପରି ରେଡିଓ ଭାଷା ସାହିତ୍ୟର ପୃଷ୍ଠପୋଷକ। ପିଲାଦିନର ସ୍ମୃତି ବାଣ୍ଟିବାକୁ ଯାଇ ଶ୍ରୀ ପଟ୍ଟନାୟକ କହିଥିଲେ, ଏପରି ଏକ ସମୟ ଥିଲା, ରେଡିଓ ଶୁଣିବାର ସୌଭାଗ୍ୟ ସମସ୍ତଙ୍କର ପକ୍ଷରେ ନଥିଲା। କିନ୍ତୁ ତାଙ୍କୁ ତାଙ୍କ ବଡ଼ ଭାଇ ରେଡିଓ ଶୁଣିବାର ସୁଯୋଗ ଦେଇଥିଲେ। ରେଡିଓରୁ ହିଁ ସେ ଅନେକ କଥା ଜାଣିବାକୁ ପାଉଥିଲେ ବୋଲି କହିଥିଲେ।

ଆଉଟ୍‌ରିଚ୍‌ର ପ୍ରତିଷ୍ଠାତା ସୁବ୍ରତ ପତିଙ୍କ ଅଧ୍ୟକ୍ଷତା‌ରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ଜାତୀୟସ୍ତରରେ ପ୍ରତିଷ୍ଠା ଅର୍ଜନ କରିଥିବା ରେଡିଓ ନମସ୍କାରର ଏନ୍.ଏ ଶାହା ଅନ୍‌ସାରି ମୁଖ୍ୟବକ୍ତା ଭାବେ ଯୋଗ ଦେଇଥିଲେ। ରେଡିଓକୁ ଘରେଘରେ ପହଞ୍ଚାଇବାର ଆନ୍ଦୋଳନରେ ସମସ୍ତଙ୍କୁ ସାମିଲ୍ ହେବାକୁ ସେ ଆହ୍ୱାନ ଦେଇଥିଲେ। ଆଜିକାଲି ଅନେକ ଜିନିଷ ନକଲି ହୋଇଥିଲେ ମଧ୍ୟ ରେଡିଓ ଏ ପର୍ଯ୍ୟନ୍ତ ଭେଜାଲ ହୋଇନାହିଁ। ସେ ଏହି ଅବସର ସବୁ ବ୍ଲକରେ କମ୍ୟୁନିଟି ରେଡିଓ ସେଣ୍ଟର୍‌ ଖୋଲିବା ଉପରେ ଗୁରୁତ୍ବ ଦେଇଥିଲେ। କାର୍ଯ୍ୟକ୍ରମରେ ସମ୍ମାନିତ ଅତିଥି ଭାବେ ଓଡ଼ିଶା ଷ୍ଟେଟ୍‌ ହାଉସିଂ ବୋର୍ଡର ଅଧ୍ୟକ୍ଷ ପ୍ରିୟଦର୍ଶୀ ମିଶ୍ର, ସମାଜସେବୀ ରୋଜାଲିନ୍‌ ପାଟ୍ଟଶାଣୀ ମିଶ୍ର ପ୍ରମୁଖ ମଞ୍ଚାସୀନ ଥିଲେ। ଖ୍ୟାତିସଂପନ୍ନ ରେଡିଓ ଜକି ଆର୍.ଜେ ପ୍ରବୀଣ ଏବଂ ଆର୍‌.ଜେ ଅରିତ୍ରୋ କାର୍ଯ୍ୟକ୍ରମର ମୁଖ୍ୟ ଆକର୍ଷଣ ସାଜିଥିଲେ। ଆଉଟ୍‌ରିଚ୍‌ର ସହ ଆୟୋଜକ ଶାଶ୍ବତୀ କର ମଞ୍ଚ ସଂଯୋଜନା କରିଥିଲେ।

ଏହି ଅବସରରେ ଶ୍ରୀ ଇନ୍‌ଷ୍ଟିଚ୍ୟୁଟ୍‌ ଅଫ୍ ଡ୍ୟାନ୍ସ ଆଣ୍ଡ ପର୍‌ଫର୍ମିଂ ଆର୍ଟ ଅନୁଷ୍ଠାନର କଳାକାରମାନଙ୍କ ଦ୍ବାରା ଓଡ଼ିଶୀ ନୃତ୍ୟ ସମେତ ଅନେକ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ସଭାରେ କରୋନା କଟକଣା ସମୟରେ ନିଜର ଦାୟିତ୍ବକୁ ନିଷ୍ଠାର ସହିତ ସମ୍ପାଦନା କରିଥିବା ୧୫ଜଣ ରେଡିଓ ଉପସ୍ଥାପକଙ୍କୁ କରୋନା ଯୋଦ୍ଧା ସମ୍ମାନରେ ସମ୍ମାନିତ କରାଯାଇଥିଲା। ସପ୍ତମଥର ପାଇଁ ଆୟୋଜିତ ହୋଇଥିବା ଏହି ମେଳାରେ ଶହଶହ ସଂଖ୍ୟାରେ ରେଡିଓପ୍ରେମୀ ଓ ଯୁବପିଢ଼ି ଯୋଗଦେଇ ବିଭିନ୍ନ ଷ୍ଟଲ୍ ବୁଲି ନୂଆ ପୁରୁଣା ରେଡିଓ ସମେତ ଗ୍ରାମଫୋନ୍‌, ପ୍ରସାରଣ ସାମଗ୍ରୀ ବିଭିନ୍ନ ପ୍ରକାରର ୱାକିଟକି ଓ ହୋମ୍‌ ରେଡିଓକୁ ବୁଲି ଦେଖିଥିଲେ। ମେଳାରେ ୨୦ରୁ ଅଧିକ ଷ୍ଟଲ୍ ପଡ଼ିଛି। ଏହି ପ୍ରଦର୍ଶନୀରେ ରେଡିଓ ଚକଲେଟ୍‌ର ଏକ ଷ୍ଟଲରେ ରେଡିଓକୁ ନେଇ ପ୍ରଶ୍ନୋତ୍ତର କାର୍ଯ୍ୟକ୍ରମ ହୋଇଥିଲା। ଏଥିରେ ୬ଜଣ ସଠିକ୍ ଉତ୍ତର ଦେଇଥିବା ଶ୍ରୋତାଙ୍କୁ ଉପହାର ପ୍ରଦାନ କରାଯାଇଥିଲା। ପୂର୍ବାହ୍ନରେ ମେଳାରେ ବିଭିନ୍ନ ଛାତ୍ରଛାତ୍ରୀଙ୍କୁ ନେଇ ସମ୍ବାଦ ପଠନ, ଆର୍‌ଜେଇଂ, ତର୍କ ଏବଂ ଚିତ୍ରାଙ୍କନ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା। ଆଜି ପ୍ରଥମ ଦିନରେ କରୋନା କଟକଣା ମଧ୍ୟରେ ବହୁ ଲୋକ ପ୍ରଦର୍ଶନୀ ବୁଲି ଦେଖିବା ସହ ରେଡିଓ ମଧ୍ୟ କିଣିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe