The Path of Shri Ram: ଶ୍ରୀରାମଙ୍କ ପଥ: ଆମର ତୀର୍ଥ, ରାମ-ବନଗମନ-ପଥ ପରିଯୋଜନା

ପ୍ରୟାଗରାଜ ହନୁମାନ ମନ୍ଦିର: ପ୍ରୟାଗରା‌ଜ (ସଂଗମ ନଗରୀ ପ୍ରୟାଗ)ର ଗଙ୍ଗା ଯମୁନା ତଟ ଦେଶରେ ଏକ ହନୁମାନ ମନ୍ଦିର ରହିଛି। ଏହି ହନୁମାନ ବଡ଼ ହନୁମାନଜୀ, କିଲେବାଲେ ହନୁମାନଜି, ଲେଟେ ହନୁମାନଜି ଆଦି ନାମରେ ପରିଚିତ।

sfhfsfhf

ପ୍ରୟାଗରାଜ ହନୁମାନ ମନ୍ଦିର: ପ୍ରୟାଗରା‌ଜ (ସଂଗମ ନଗରୀ ପ୍ରୟାଗ)ର ଗଙ୍ଗା ଯମୁନା ତଟ ଦେଶରେ ଏକ ହନୁମାନ ମନ୍ଦିର ରହିଛି। ଏହି ହନୁମାନ ବଡ଼ ହନୁମାନଜୀ, କିଲେବାଲେ ହନୁମାନଜି, ଲେଟେ ହନୁମାନଜି ଆଦି ନାମରେ ପରିଚିତ। ଏହି ମନ୍ଦିର ଗର୍ଭରେ ହନୁମାନ ଶୟନ ମୁଦ୍ରାରେ ଥିବା ଦେଖାଯାଏ। ଗୋଟିଏ ଭୁଜରେ ସେ ମହୀରାବଣ ଏବଂ ଅନ୍ୟ ଭୁଜରେ ଅନ୍ୟ ଏକ ରାକ୍ଷସକୁ ଚାପି ଧରିଥିବାର ଦେଖାଯାଏ। ଏହି ଶାୟିତ ହନୁମାନ ମୂର୍ତ୍ତିର ଲମ୍ବ ପ୍ରାୟ କୋଡ଼ିଏ ଫୁଟ। ପୌରାଣିକ କଥା ଅନୁସାରେ, ଲଂକା ବିଜୟ ସାରି ଫେରିଲା ବେଳକୁ ହନୁମାନ ଥକି ଯାଇଥିବା ଦେଖି ମାତା ସୀତା ତାଙ୍କୁ ସଂଗମସ୍ଥଳ ନିକଟରେ ବିଶ୍ରାମ ନେବାକୁ କହିଥିଲେ। ତେଣୁ ଏହାକୁ ହନୁମାନଙ୍କର ବିଶ୍ରାମ ସ୍ଥଳ କୁହାଯାଏ। କୁହାଯାଏ ଯେ କନୌଜର ଜଣେ ବ୍ୟବସାୟୀ ଏହି ମୂର୍ତ୍ତିକୁ ବିନ୍ଧ୍ୟାଚଳରୁ ଏଠାକୁ ଆଣିଥିଲେ। ପ୍ରତ୍ୟେକ ଆଷାଢ଼ ଶ୍ରାବଣ ମାସରେ ଗଙ୍ଗାଯମୁନାର ଜଳ ଏ ମୂର୍ତ୍ତିକୁ ବୁଡ଼ାଇ ଦେଇଥାଏ। ଏହାଦ୍ବାରା ଗଙ୍ଗା‌ମାତା ହନୁମାନଙ୍କର କ୍ଳାନ୍ତି ହରଣ ପାଇଁ ତାଙ୍କୁ ସ୍ନାନ କରାଉଛନ୍ତି ବୋଲି କୁହାଯାଏ। ମାନ୍ୟତା ଅନୁସାରେ, ଏହି ହନୁମାନ ଭକ୍ତଙ୍କୁ ସମସ୍ତ ସଙ୍କଟରୁ ରକ୍ଷା କରନ୍ତି ଏବଂ ତାଙ୍କ କୃପାରୁ ଭକ୍ତକୁ ରାମଙ୍କ ଆଶୀର୍ବାଦ ମିଳେ। ହନୁମାନ ଜୟନ୍ତୀ, ରାମନବମୀ ଓ ନରକ ଚତୁର୍ଦ୍ଦଶୀରେ ଏଠାରେ ବଡ଼ ଉତ୍ସବ ହୁଏ। ରାମ-ବନଗମନ-ପଥ ପରିକ୍ରମା ପ୍ରକଳ୍ପର ଏହା ଏକ ବି‌େଶଷ ଅଂଶ।

ଚିତ୍ରକୂଟ: ଆପାତତଃ ଉତ୍ତରପ୍ରଦେଶ ଓ ମଧ୍ୟପ୍ରଦେଶ ସୀମାରେ ଅବସ୍ଥିତ ଚିତ୍ରକୂଟ ସମଗ୍ର ପରିକ୍ରମା ପଥ ପରିଯୋଜନାର ଏକ ମହତ୍ତ୍ବପୂର୍ଣ୍ଣ ଅଂଶ। କାରଣ ବନବାସକାଳରେ ରାମ ଏଠାରେ ପ୍ରାୟ ଏଗାରବର୍ଷ ଅତିବାହିତ କରିଥିଲେ। ଅତ୍ରି, ଅନସୂୟା, ଦତ୍ତାତ୍ରେୟ, ମହର୍ଷି ମାର୍କଣ୍ଡ, ଶରଭଙ୍ଗ, ସୌତିକ ଆଦି ମହାନ ମହର୍ଷିମାନଙ୍କର ଆଶ୍ରମ ଏଠାରେ ଥିଲା। ସାଧ୍ବୀ ଅନସୂୟାଙ୍କର ନିଷ୍କାମ ତପସ୍ୟା ହେତୁ ମହାନଦୀ ମନ୍ଦାକିନୀ ଏଠାରେ ମର୍ତ୍ତ୍ୟାବରଣ କରି ପ୍ରବାହିତ ହୋଇଥିଲା। ମହର୍ଷି ଭରଦ୍ବାଜଙ୍କ ନିର୍ଦ୍ଦେଶରେ ରାମ ଏଠାରେ କୁଟୀର ସ୍ଥାପନ କରି ରହିଥିଲେ। କଥିତ ଅଛି ପ୍ରୟାଗରାଜ ତୀର୍ଥମାନଙ୍କର ରାଜା ହେଲେ ମଧ୍ୟ ନିଜକୁ ପବିତ୍ର କରିବାପାଇଁ ପ୍ରତ୍ୟେକ ବର୍ଷ ମନ୍ଦାକିନୀରେ ସ୍ନାନ କରିବାକୁ ପ୍ରୟାଗରାଜ ଏଠାକୁ ଆସନ୍ତି। ଗୁପ୍ତ ଗୋଦାବରୀ ଗୁମ୍ଫା, ରାମଘାଟ, ଅନସୂୟାଙ୍କ ମନ୍ଦିର, ସ୍ଫଟିକଶିଳା, କାମତ୍‌ଜୀ ମନ୍ଦିର, କାମଦାଗିରି ମନ୍ଦିର, ହନୁମାନ ଧାମ, ଭରତକୂପ, ସୀତା ରୋଷେଇ, ରାମଭରତ ମିଳନ ମନ୍ଦିର, ଜାନକୀ କୁଣ୍ଡ ପରି ଅନେକ ସ୍ମୃତି ତୀର୍ଥରେ ଚିତ୍ରକୂଟ ଆଚ୍ଛାଦିତ। ଲକ୍ଷ୍ମଣ ପାହାଡ଼ି: ଚିତ୍ରକୂଟ ସ୍ଥିତ କାମଦାଗିରି ନିକଟରେ ଅଛି ଲକ୍ଷ୍ମଣ ପାହାଡ଼ି। ଏହା ଚିତ୍ରକୂଟ ପରିକ୍ରମାର ଏକ ବି‌େଶଷ ଅଂଶ। ଜନଶ୍ରୁତି ଅନୁସାରେ ଲକ୍ଷ୍ମଣ ଏଠାରେ ରହି ରାମ ଓ ସୀତାଙ୍କ ଉପରେ ଦୃଷ୍ଟି ରଖୁଥିଲେ। ସଂପ୍ରତି ଏହି ପାହାଡ଼ ଉପରକୁ ଯିବାପାଇଁ ଏକ ‘ରୋପ୍‌ୱେ’ ନିର୍ମିତ ହୋଇଛି। ଏଠାରେ ରାମ, ଲକ୍ଷ୍ମଣ, ସୀତା ଓ ଭରତଙ୍କ ମୂର୍ତ୍ତି ପୂଜା ପାଉଥିବା ଏକ ମନ୍ଦିର ରହିଛି।

ଗୁପ୍ତ ଗୋଦାବରୀ: କିଂବଦନ୍ତି ଅନୁସାରେ ଏକଦା ରାମଙ୍କୁ ଦର୍ଶନ କରିବାପାଇଁ ଗୋଦାବରୀଙ୍କର ପ୍ରବଳ ଇଚ୍ଛା ହେବାରୁ ସେ ଗୁପ୍ତରେ ତ୍ରୟମ୍ବକେଶ୍ବରରୁ ବାହାରି ରାମ ବିଶ୍ରାମ ନେଉଥିବା ଏକ ଗୁମ୍ଫାରେ ରାମଙ୍କୁ ଦର୍ଶନ କରି ଏକ ପୁଷ୍କରିଣୀ ମଧ୍ୟରେ ଲୀନ ହୋଇଗଲେ। ରାମଘାଟଠାରୁ ଏହା ପ୍ରାୟ ୧୮ କିଲୋମିଟର ଦୂରରେ ଅବସ୍ଥିତ। ଏକ ସଂକୀର୍ଣ୍ଣ ପଥ ଦେଇ ଏହି ଗୁମ୍ଫା ମଧ୍ୟକୁ ପ୍ରବେଶ କରାଯାଇଥାଏ। କିଛି ବାଟ ଗଲା ପରେ ଗୁମ୍ଫା ମଧ୍ୟରେ ଥିବା ଜଳ ପ୍ରବାହକୁ ଅନୁଭବ କରିହୁଏ। ଗୁମ୍ଫା ଶେଷରେ ସୀତାକୁଣ୍ଡ ନାମରେ ଏକ ପୁଷ୍କରିଣୀ ରହିଛି।

ରାମଘାଟ: ଏହା ମନ୍ଦାକିନୀ ନଦୀ ତୀରରେ ଥିବା ଏକ ସ୍ନାନ ଘାଟ। ଏହି ସ୍ଥାନକୁ ଭଗବାନ ରାମ, ଲକ୍ଷ୍ମଣ ଓ ସୀତାଙ୍କ ସହିତ ଗୋସ୍ବାମୀ ତୁଳସୀ ଦାସଙ୍କର ସାକ୍ଷାତ୍‌କାର ସ୍ଥଳ ଭାବରେ ବର୍ଣ୍ଣନା କରାଯାଏ। କଥିତ ଅଛି ରାମଙ୍କ ପ୍ରେରଣାରେ ତୁଳସୀ ଦାସ ‘ରାମ ଚରିତ ମାନସ’ ରଚନା କରିଥିଲେ। ଏହି ଘାଟ ନିକକଟରେ ରାମ ମନ୍ଦିର, ଭରତ ମନ୍ଦିର, ହନୁମାନ ମନ୍ଦିର ଓ ସନ୍ଥ ତୁଳସୀ ଦାସଙ୍କର ମନ୍ଦିର ରହିଛି। ସନ୍ନ୍ୟାସୀମାନଙ୍କ ଦ୍ବାରା ପ୍ରଭାତର ମନ୍ତ୍ର ଉଚ୍ଚାରଣ, ସଂଧ୍ୟା କାଳରେ ସଂଧ୍ୟା ଆଳତି ରାମଘାଟକୁ ଏକ ଅପୂର୍ବ ଆଧ୍ୟାତ୍ମିକ ପରିବେଶ ପ୍ରଦାନ କରିଥାଏ। ଜାନକୀ କୁଣ୍ଡ: ଏହା ଏକ ବହୁ ପ୍ରାଚୀନ ଜଳାଶୟ। ରାମଘାଟଠାରୁ ପ୍ରାୟ ୩ କି.ମି. ଦୂରରେ ଏହା ଅବସ୍ଥିତ। କୁହାଯାଏ ଦେବୀ ଜାନକୀ ଏଠାରେ ପ୍ରତ୍ୟହ ସ୍ନାନ କରୁଥିଲେ। ଏହାର ତଟ ଦେଶରେ ରାମ, ଲକ୍ଷ୍ମଣ, ସୀତା ଓ ହନୁମାନଙ୍କର କ୍ଷୁଦ୍ର ମନ୍ଦିରମାନ ରହିଛି। କୁଣ୍ଡ ମଧ୍ୟକୁ ଲମ୍ବିଥିବା ପାହାଚ ଉପରେ ଏକ ପିଣ୍ଡି ଉପରେ ସୀତାଙ୍କର ପଦଚିହ୍ନ ରହିଛି। ସ୍ଫଟିକଶିଳା: କୁହାଯାଏ ସ୍ନାନ ପରେ ସୀତା ଏଠାରେ ଶୃଙ୍ଗାର କରୁଥିଲେ। ଏଠାରେ ସ୍ଫଟିକ ଶିଳା ଉପରେ ଶ୍ରୀରାମଙ୍କ ପାଦଚିହ୍ନ ରହିଛି। ଇନ୍ଦ୍ରପୁତ୍ର ଜୟନ୍ତ ଏଠାରେ ସୀତାଙ୍କ ପାଦକୁ କାକ ରୂପ ଧାରଣ କରି ଖୁମ୍ପି ଥିଲେ ଏବଂ ରାମଚନ୍ଦ୍ରଙ୍କ ଦ୍ବାରା ଦଣ୍ଡିତ ହୋଇଥିଲେ।
–ଡକ୍ଟର ତୁଳସୀ ଓଝା

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe