ଭୁବନେଶ୍ବର: ଓଡ଼ିଶା ପ୍ରଦେଶ କଂଗ୍ରେସ କମିଟି ପକ୍ଷରୁ ଆଜି ଭାରତରତ୍ନ ତଥା ପୂର୍ବତନ ପ୍ରଧାନମନ୍ତ୍ରୀ ସ୍ବର୍ଗତଃ ରାଜୀବ ଗାନ୍ଧୀଙ୍କ ୭୬ତମ ଜୟନ୍ତୀ ପାଳିତ ହୋଇଯାଇଛି। ଏହି ଉପଲକ୍ଷେ ପ୍ରଦେଶ କଂଗ୍ରେସ କମିଟି ପକ୍ଷରୁ ରାଜୀବ ଭବନ ପରିସରରେ ଥିବା ରାଜୀବ ଗାନ୍ଧୀଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରିଥିଲେ। ପରେ ସ୍ଥାନୀୟ କଂଗ୍ରେସ ଭବନ ପରିସରରେ ଥିବା ସ୍ବର୍ଗତଃ ଗାନ୍ଧୀଙ୍କ ପ୍ରତିମୂର୍ତ୍ତିରେ ପୁଷ୍ପମାଲ୍ୟ ଅର୍ପଣ କରାଯାଇଥିଲା। ଏହି ଅବସରରେ ପ୍ରଦେଶ କିଷାନ କଂଗ୍ରେସ ସେଲ୍ ଅଧ୍ୟକ୍ଷ ଅମୀୟ କୁମାର ପଟ୍ଟନାୟକଙ୍କ ସଂଯୋଜନାରେ କଂଗ୍ରେସ ଭବନ ପରିସରରେ ବୃକ୍ଷରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା।
ଏକ ଭିଡିଓ ବାର୍ତ୍ତା ଜାରିକରି ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ କହିଛନ୍ତି, ପୂର୍ବତନ ପ୍ରଧାନମନ୍ତ୍ରୀ ରାଜୀବ ଗାନ୍ଧୀ ଭାରତକୁ ଅନ୍ୟ ବିକଶିତ ରାଷ୍ଟ୍ର ସହ ସମକକ୍ଷ କରିବା ପାଇଁ ସ୍ବପ୍ନ ଦେଖିଥିଲେ। ଖାଲି ସ୍ବପ୍ନ ନୁହେଁ ସେ ଦିଗରେ ଅନେକ କାର୍ଯ୍ୟ କରିଥିଲେ। ଦେଶର ଅର୍ଥନୀତି, ପଞ୍ଚାୟତିରାଜ ବ୍ୟବସ୍ଥା ଓ ସର୍ବୋପରି ଗଣତନ୍ତ୍ରକୁ ମଜଭୁତ କରିବା ଦିଗରେ ଅନେକ ଯୋଜନା କାର୍ଯ୍ୟକାରୀ କରିଥିଲେ। ଆଜି ବି ତାଙ୍କର ସମସ୍ତ ସ୍ବପ୍ନ ସାକାର ହୋଇପାରିନି। ତାଙ୍କ ପବିତ୍ର ଜନ୍ମଦିନରେ ଦେଶର ଯୁବବର୍ଗ ସେହି ମହାନ୍ ରାଷ୍ଟ୍ରନେତାଙ୍କ ସ୍ବପ୍ନକୁ ସାକାର କରିବା ଦିଗରେ ବ୍ରତୀ ହେବା ଉଚିତ୍। କାର୍ଯ୍ୟକ୍ରମରେ କଂଗ୍ରେସ ନେତୃବୃନ୍ଦ ହେମାନନ୍ଦ ବିଶ୍ବାଳ, ରାମଚନ୍ଦ୍ର ଖୁଣ୍ଟିଆ, ଜୟଦେବ ଜେନା, ଶରତ ପଟ୍ଟନାୟକ, ସୁରେଶ କୁମାର ରାଉତରାୟ, ଶିବାନନ୍ଦ ରାୟ, ଶୁଭେନ୍ଦୁ ମହାନ୍ତି, କିଶୋର ଜେନା, ମନୋରଞ୍ଜନ ଦାଶ, ରଶ୍ମି ମହାପାତ୍ର, ଜାନକୀ ବଲ୍ଲଭ ପଟ୍ଟନାୟକ, ବିଶ୍ବଜିତ୍ ଦାସ, ବିପିନ୍ ଦାସ, ମାନସ ଆଚାର୍ଯ୍ୟ, ଚିନ୍ମୟ ସୁନ୍ଦର ଦାସଙ୍କ ସମେତ ବହୁ କଂଗ୍ରେସ କର୍ମୀ ଅଂଶଗ୍ରହଣ କରିଥିଲେ।
Follow Us