ଦୁଇ ଦଳର ରାଜନୈତିକ କାର୍ଯ୍ୟକ୍ରମ: ରାଜଧାନୀବାସୀ ୩ ଘଣ୍ଟା ନାକେଦମ‌

ରାଜନୈତିକ କାର୍ଯ୍ୟକ୍ରମ ପାଇଁ ଭୁବନେଶ୍ବରରେ ଭିଡ଼

ଦୁଇ ଦଳର ରାଜନୈତିକ କାର୍ଯ୍ୟକ୍ରମ: ରାଜଧାନୀବାସୀ ୩ ଘଣ୍ଟା ନାକେଦମ‌

ଭୁବନେଶ୍ବର: ରାଜଧାନୀ‌ର ଚାରିପଟୁ ଯେଉଁଆଡ଼େ ଦେଖିଲେ ସୁବୁଠି ଖାଲି ମାଳମାଳ ଗାଡ଼ି। ବସ୍‌, କାର୍‌, ବୋଲେରୋ ଭଳି ଗାଡ଼ି ପଛକୁ ଗାଡ଼ିର ଲମ୍ବା ଲାଇନ୍‌। ଯିଏ ଯୁଆଡ଼େ ପାରିଲେ ମନଇଚ୍ଛା ଗାଡ଼ି ପୂରାଇଦେଲେ। ପୁଲିସ୍‌ର କିଛି ଆକଟ ରହୁନଥିଲା। ଆଜି ରାଜଧାନୀରେ ଗୋଟିଏ ପଟେ କଂଗ୍ରେସ ପକ୍ଷରୁ ଭାରତ ଯୋଡ଼ ଅଭିଯାନ ପାଇଁ ବିଶାଳ ପଦଯାତ୍ରା ଆୟୋଜନ କରାଯାଇଥିବା ବେଳେ ଅନ୍ୟ ପଟେ ବିଜେପିର ନବୀନ ନିବାସ ଘେରାଉ। ଗୋଟିଏ ଦିନରେ ଏଭଳି ଦୁଇ ଦୁଇଟି ବଡ଼ ଶୋଭାଯାତ୍ରା ସମୟରେ ରାଜଧାନୀରେ ଏଭଳି ବିକଳ ଚିତ୍ର ଦେଖିବାକୁ ମିଳିଥିଲା। ବିଶେଷକରି ଜନପଥ ଟ୍ରାଫିକ୍‌ ବ୍ୟବସ୍ଥା ଏକ ପ୍ରକାର ଭୁଶୁଡ଼ିପଡ଼ିଥିଲା। ଫଳରେ ରାଜଧାନୀବାସୀଙ୍କୁ ନାକେଦମ ହେବାକୁ ପଡ଼ିଥିଲା। ଏମିତିକି ଏଥିରୁ ଜରୁରୀକାଳୀନ ସେବା ମଧ୍ୟ ବାଦ୍‌ ପଡ଼ିନଥିଲା। କାରଣ ରାସ୍ତାରେ ହଜାର ହଜାର ଲୋକଙ୍କ ପଦଯାତ୍ରା ସାଙ୍ଗକୁ ମାଳମାଳ ଗାଡ଼ିକୁ ନିୟନ୍ତ୍ରଣ କରିବା ଟ୍ରାଫିକ୍‌ ପୁଲିସ ପାଇଁ ଅସମ୍ଭବ ହୋଇପଡ଼ିଥିଲା।

publive-image

ଏହାର ପ୍ରମୁଖ କାରଣ ଥିଲା ନବୀନ ନିବାସ ଘେରାଉ। ଏଥିପାଇଁ ବିଜେପିର ହଜାର ହଜାର କର୍ମୀ କାର୍ଯ୍ୟାଳୟରୁ ଶିଶୁଭବନ ମୁହାଁ ‌ହୋଇଥିଲେ। ଶୋଭାଯାତ୍ରା ଯୋଗୁଁ ରାମ ମନ୍ଦିର ଛକରୁ ଶିଶୁଭବନ ଛକ ଓ ସଂଲଗ୍ନ ରାସ୍ତାରେ ଗାଡ଼ି ଗଡ଼ିବା ଅସମ୍ଭବ ‌ହୋଇପଡ଼ିଥିଲା। ସେହିପରି କଂଗ୍ରେସର ଆଇଜି ପାର୍କରୁ ବାହାରିଥିବା ଶୋଭାଯାତ୍ରା ବାଣୀବିବହାର ହୋଇ ଫୁଲନଖରା ଲକ୍ଷେଶ୍ବର ମନ୍ଦିର ପର୍ଯ୍ୟନ୍ତ ଯାଇଥିଲା। ଉଦ୍‌ବେଗର କଥା ଶୋଭାଯାତ୍ରାକୁ ନିୟନ୍ତ୍ରଣ କରିବା ପାଇଁ ପର୍ଯ୍ୟାପ୍ତ ଟ୍ରାଫିକ୍‌ ପୁଲିସ ନଥିଲେ। ବାଣୀବିହାର, ରସୁଲଗଡ଼ ଭଳି ବଡ଼ ଟ୍ରାଫିକ୍‌ରେ ହାତଗଣତି ଟ୍ରାଫିକ୍‌ ପୁଲିସ ଏବଂ ହୋମ୍‌ଗାର୍ଡଙ୍କୁ ଦେଖିବାକୁ ମିଳିଥିଲା। ଏତେ ବଡ଼ ଶୋଭାଯାତ୍ରାକୁ ସମ୍ଭାଳିବା ସମ୍ଭବପର ନଥିଲା। ଫଳରେ ଜାତୀୟ ରାଜପଥରରେ ଯାଉଥିବା ଗାଡ଼ି ଓ ସହର ଗାଡ଼ି ସବୁ ଜାମ୍‌ରେ ଫସିଥିଲେ। ଦୁଇଟି ଶୋଭାଯାତ୍ରା ‌ଯୋଗୁଁ ବିଗିଡ଼ି ଯାଇଥିଲା ରୁଟ୍‌ ମ୍ୟାପ୍‌। ଦିନ ୧୧ଟାରୁ ଅପରାହ୍‌ଣ ୨ଟା ଏମିତି ୩ ଘଣ୍ଟା କାଳ ରାଜଧାନୀବାସୀ ନାକେଦମ ହୋଇଛନ୍ତି। ଏଠି ପ୍ରଶ୍ନ ଉଠୁଛି ଯେ, ଟ୍ରାଫିକ୍‌ ନିୟନ୍ତ୍ରଣ ପାଇଁ ପର୍ଯ୍ୟାପ୍ତ କର୍ମଚାରୀ ନାହାନ୍ତି ନା ଟ୍ରାଫିକ୍‌ ପୁଲିସ୍‌ର ଅଭିଜ୍ଞତାର ଅଭାବ ଅଛି? କେଉଁ ଆଧାରରରେ ଏଭଳି ଦୁଇ ଦୁଇଟି ଶୋଭାଯାତ୍ରାକୁ ଅନୁମତି ଦିଆଗଲା ? ଅତୀତର ତିକ୍ତ ଅନୁଭୂତିରୁ ପୁଲିସ୍‌ କିଛି ଶିକ୍ଷା ଗ୍ରହଣ ନ କରିବା ସଚେତନ ନାଗରିକମାନଙ୍କୁ ବ୍ୟଥିତ କରିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe