ଅଚଳ ହୋଇଗଲା ପିଙ୍କ୍ ଅଟୋ ଯୋଜନା: ମହିଳା ଯାତ୍ରୀ ସୁରକ୍ଷା ଭୁଲିଗଲା ପୁଲିସ

Advertisment
ଅଚଳ ହୋଇଗଲା ପିଙ୍କ୍ ଅଟୋ ଯୋଜନା: ମହିଳା ଯାତ୍ରୀ ସୁରକ୍ଷା ଭୁଲିଗଲା ପୁଲିସ

ଭୁବନେଶ୍ବର: ରାଜଧାନୀରେ ମହିଳା ଯାତ୍ରୀମାନେ ନିରାପଦରେ ଅଟୋ ଯାତ୍ରା କରିବା ଲାଗି କମିସନରେଟ୍ ପୁଲିସ ଆରମ୍ଭ କରିଥିବା ପିଙ୍କ୍‌ ଅଟୋ ଯୋଜନା ଏବେ ଅଚଳ। ମହିଳା ଯାତ୍ରୀଙ୍କ ସୁରକ୍ଷାକୁ ଦୃଷ୍ଟିରେ ରଖି କମିସନରେଟ ପୁଲିସ ପକ୍ଷରୁ ଦୀର୍ଘ ୭ବର୍ଷ ତଳେ ହୋଇଥିବା ଏହି ବ୍ୟବସ୍ଥା ୩/୪ ବର୍ଷ ହେଲା କାର୍ଯ୍ୟକାରୀ ହେଉନାହିଁ। ଫଳରେ ବିଶେଷକରି ଏବେ ରାତିରେ କର୍ମଜୀବୀ ମହିଳାମାନେ ସମସ୍ୟାରେ ପଡ଼ୁଥିବା ଅଭିଯୋଗ ହେଉଛି।

ତତ୍କାଳୀନ ପୁଲିସ କମିସନର ଆର୍‌ପି ଶର୍ମା ଭୁବନେଶ୍ବର ଓ କଟକ ମହାନଗରୀରେ ଆରମ୍ଭ କରିଥିଲେ ପିଙ୍କ୍ ଅଟୋ ‌ଯୋଜନା। ମହିଳାଯାତ୍ରୀଙ୍କ ସୁରକ୍ଷାକୁ ଦୃଷ୍ଟିରେ ରଖି କମିସନରେଟ୍‌ ପୁଲିସ ପକ୍ଷରୁ କରାଯାଇଥିବା ଏହି ଅଭିନବ ପ୍ରୟାସକୁ ସବୁ ମହଲରୁ ସ୍ବାଗତ କରାଯାଇଥିଲା ଓ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହାକୁ ଉଦ୍‌ଘାଟନ କରିଥିଲେ। ଆରମ୍ଭରେ ରାଜଧାନୀର ୧୫୦ ଅଟୋ ଆସୋସିଏସନ୍‌ ମଧ୍ୟରୁ ୩୦୦ ଅଟୋ ଚାଳକଙ୍କୁ କମିସନରେଟ ପୁଲିସ ପକ୍ଷରୁ ବଛା ଯାଇଥିଲା। ସେମାନଙ୍କୁ ନେଇ ୬ଟି ରୁଟ୍‌ରେ ଏହି ଯୋଜନା କାର୍ଯ୍ୟକା‌ରୀ କରାଯାଇଥିଲା। ଏହି ରୁଟ୍‌ ଗୁଡ଼ିକ ହେଉଛି ଷ୍ଟେସନ, ବରମୁଣ୍ଡା ବସଷ୍ଟାଣ୍ଡ, ବାଣୀବିହାର, କିଟ୍‌ ଛକ, ରାଜମହଲ, ଖଣ୍ଡଗିରି। ଏହି ପିଙ୍କ୍‌ ଅଟୋଗୁଡ଼ିକ ମହିଳା ଯାତ୍ରୀମାନଙ୍କୁ ପ୍ରା‌ଥମିକତା ଦେବା ସହିତ ସୁରକ୍ଷିତ ଭାବେ ସେମାନଙ୍କୁ ଗନ୍ତବ୍ୟସ୍ଥଳରେ ପହଞ୍ଚାଇବା ଦାୟିତ୍ବ ନିର୍ବାହ କରୁଥିଲେ। ବାଟରେ କୌଣସି ପ୍ରକାର ଅପ୍ରୀତିକର ପରିସ୍ଥିତି ପାଇଁ ପୁଲିସ ଅଟୋ ଚାଳକମାନଙ୍କୁ ତୁରନ୍ତ ସହାୟତା ଯୋଗାଇବା ବ୍ୟବସ୍ଥା କରାଯାଇଥିଲା। ଫଳରେ ମହିଳା ଯାତ୍ରୀମାନେ ପିଙ୍କ୍‌ ଅଟୋରେ ଯାତ୍ରା କରିବା ନିରାପଦ ବୋଲି ମନେ କରୁଥିଲେ। ପ୍ରତିବର୍ଷ ଏହି ଅଟୋ ଚାଳକମାନଙ୍କୁ ଉତ୍ସାହିତ କରିବା ପାଇଁ କମିସନରେଟ ପୁଲିସ ପକ୍ଷରୁ ପ୍ରୋତ୍ସାହନ ଦେବା ଭଳି କାର୍ଯ୍ୟକ୍ରମ ଅନୁଷ୍ଠିତ ହେଉଥିଲା। ପ୍ରାୟ ୨/ ୩ ବର୍ଷ ପର୍ଯ୍ୟନ୍ତ ଏହି ଯୋଜନାଟି ବେଶ୍‌ ଭଲ ଭାବ‌େ ଚାଲିଥିଲା। କିନ୍ତୁ ପରବର୍ତ୍ତୀ ସମୟରେ ପରିଚାଳନାଗତ ତ୍ରୁଟି ଯୋଗୁଁ ଏହି ବ୍ୟବସ୍ଥାଟି ସମ୍ପୂର୍ଣ୍ଣ ବିର୍ପଯ୍ୟସ୍ତ ହୋଇଗଲା। ୨୦୧୭ ମସିହାରୁ ଏହି ଯୋଜନାଟି ବନ୍ଦ ହୋଇଯାଇଛି।

ଏହି ବ୍ୟବସ୍ଥା ସମ୍ପର୍କରେ ରାଜଧାନୀ ଅଟୋ ମହାସଂଘର ସଂପାଦକ ପଦ୍ମନ କୁମାର ସାମଲ କହନ୍ତି, ଆର୍‌ପି ଶର୍ମାଙ୍କ ବଦଳି ହୋଇଯିବା ପରେ ଆଉ କମିସନରେଟ୍‌ ପୁଲିସ ଉକ୍ତ ଯୋଜନାକୁ ଧ୍ୟାନ ଦେଲା ନାହିଁ। ଏମିତିକି ଏଥିପାଇଁ ରାଜ୍ୟ ସରକାର ମଧ୍ୟ କିଛି କଲେ ନାହିଁ। ଫଳରେ ଯେଉଁ ଯୋଜନାଟି ସ୍ବୟଂ ମୁଖ୍ୟମନ୍ତ୍ରୀଙ୍କ ଦ୍ବାରା ଉଦ୍‌ଘାଟିତ ହୋଇଥିଲା, ତାହା ପୁଲିସର ଅସହଯୋଗ କାରଣରୁ ଠପ୍‌ ହୋଇଗଲା।
ବରମୁଣ୍ଡା ଅଟୋଷ୍ଟାଣ୍ଡର ପିଙ୍କ୍‌ ଅଟୋ ଚାଳକ ଶ୍ରୀଧର କୁମାର ଭଟ୍ଟଙ୍କ କହିବାନୁସାରେ ସେତେବେଳେ ମହିଳା ଯାତ୍ରୀମାନେ ସୁରକ୍ଷିତ ଭାବେ ପିଙ୍କ୍‌ ଅଟୋରେ ଯାତାୟାତ କରୁଥିଲେ, ନିଜକୁ ନିରାପଦ ମଣୁଥିଲେ। କିନ୍ତୁ ଏହି ଯୋଜନା ବନ୍ଦ ହେବା ପରେ ସେମାନେ ବାଧ୍ୟବାଧକତାରେ ଅଟୋ ଯାତ୍ରା କରୁଛନ୍ତି। ସେତେ‌ବେଳେ ପୁଲିସ ସହାୟତା ପାଇଁ ଆମେ ପିଙ୍କ୍‌ ଅଟୋ ଚାଳକମାନେ ଉତ୍ସାହିତ ଥିଲୁ, କିନ୍ତୁ ପୁଲିସ ସହାୟତା ବନ୍ଦ ହୋଇଯିବା ପରେ ଆମେ ନିଜକୁ ନିରାପଦ ମନେ କଲୁନାହିଁ। ତେଣୁ ପିଙ୍କ୍‌ ଅଟୋ ଯୋଜନା ଆପେ ଆପେ ବନ୍ଦ ହୋଇଗଲା। ସେହିଭଳି ପ୍ରାୟ ଅଟୋରେ ଯାତାୟାତ କରୁଥିବା ଜଣେ କଲେଜ ଛାତ୍ରୀ ତେଜସ୍ବନୀ ମିଶ୍ରଙ୍କ କହିବାନୁସାରେ ସେ ପ୍ରତ୍ୟେକ ଦିନ କଲେଜ ଏବଂ ଅନ୍ୟାନ୍ୟ କାର୍ଯ୍ୟରେ ଯିବା ପାଇଁ ଅଟୋ କିମ୍ବା ବସ୍‌ ଉପରେ ନିର୍ଭର କରିଥାନ୍ତି।

ପୂର୍ବରୁ ପିଙ୍କ୍‌ ଅଟୋରେ ସେ ବଡ଼ ନିର୍ଭୟରେ ଯା’ଆସ କରୁଥିଲେ। ଏହି ଅଟୋ ସହ ପୁଲିସ ବ୍ୟବସ୍ଥା ଯୋଡ଼ି ହୋଇଥିବାରୁ ମନରେ ସଂଶୟ ରହୁନଥିଲା। ବିଶେଷକରି ଆମେ ଛାତ୍ରୀ ଓ କର୍ମଜୀବୀ ମହିଳାମାନେ ପିଙ୍କ୍‌ ଅଟୋକୁ ନେଇ ବେଶ୍ ଖୁସି ଥିଲୁ। ସେଥିରେ ଏକୁଟିଆ ଯାତ୍ରା କଲେ ବି ଭୟ ଲାଗୁନଥିଲା। କିନ୍ତୁ ସେହି ନିର୍ଭୟ ଭାବ ଏବେ ଆଉ ନାହିଁ। ଏମିତିରେ ବର୍ତ୍ତମାନ ରାଜଧାନୀରେ ଆଇନଶୃଙ୍ଖଳା ସ୍ଥିତି ଦେଖିଲେ, ମହିଳାମାନଙ୍କ ଉପରେ ଆକ୍ରମଣ ବଢ଼ୁଥିବା ଲକ୍ଷ୍ୟ କରାଯାଉଛି। ତେଣୁ ପିଙ୍କ୍‌ ଅଟୋ ବ୍ୟବସ୍ଥାର ପୁନଃପ୍ରଚଳନ ପାଇଁ ନୂଆ ପୁଲିସ କମିସନର ଧ୍ୟାନ ଦିଅନ୍ତୁ ବୋଲି ସେ ଛାତ୍ରୀମାନଙ୍କ ପକ୍ଷରୁ ଦାବି କରୁଥିବା କହିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe