ବିଧାୟକଙ୍କ ନାଁ ରଖିବାକୁ ବଦଳିଲା ଫଳକ

Advertisment
ବିଧାୟକଙ୍କ ନାଁ ରଖିବାକୁ ବଦଳିଲା ଫଳକ

ତ୍ରିଶୁଳିଆ: ଫଳକରେ ବିଧାୟକଙ୍କ ନାଁ ରଖିବାକୁ ନେଇ ବାରଙ୍ଗ ବ୍ଲକ୍‌ରେ ଦେଖାଦେଇଥିବା ରାଜନୀତି ଏବେ ବେଶ୍ ଚର୍ଚ୍ଚାରେ। ନିଆଳି ବିଧାୟକଙ୍କ ନାଁ ନଥିବା ଫଳକକୁ ବଦଳାଇ ବ୍ଲକ୍‌ କର୍ତ୍ତୃପକ୍ଷଙ୍କୁ ପୁଣି ଏକ ନୂଆ ଫଳକ ଲଗାଇବାକୁ ପଡ଼ିଛି। ଏନେଇ ନିଆଳି ବିଧାୟକ ବ୍ଲକ୍‌ କର୍ତ୍ତୃପକ୍ଷଙ୍କ ଉପରେ ନିଜର ଅସନ୍ତୋଷ ଝାଡ଼ିବା ପରେ ରାତାରାତି ନୂଆ ଫଳକ ଲଗାଯାଇଛି।

ସୂଚନାଯୋଗ୍ୟ ଯେ ଗତ ୩ତାରିଖ ଦିନ ବ୍ଲକ୍‌ ପରିସରରେ ମିସନ୍‌ ଶକ୍ତି କାର୍ଯ୍ୟାଳୟ ନିର୍ମାଣ ପାଇଁ ଶିଳାନ୍ୟାସ କରାଯାଇଥିଲା। ୪୨ ଲକ୍ଷ ଟଙ୍କା ବ୍ୟୟରେ ନିର୍ମାଣ ହେବାକୁ ଥିବା ଏହି ମିସନ ଶକ୍ତି ଗୃହ ପାଇଁ ଆୟୋଜନ ହୋଇଥିବା ଭୂମି ପୂଜନ କାର୍ଯ୍ୟକ୍ରମରେ ବାଙ୍କୀ ବିଧାୟକ ଦେବୀରଞ୍ଜନ ତ୍ରିପାଠୀ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ। ଏଥିପାଇଁ ଆୟୋଜିତ ସଭାରେ ବିଧାୟକ ଶ୍ରୀ ତ୍ରିପାଠୀଙ୍କ ସହ ପୂର୍ବତନ ବିଧାୟକ ପ୍ରଭାତ କୁମାର ତ୍ରିପାଠୀ, ବାରଙ୍ଗ ବ୍ଲକ୍‌ ଅଧ୍ୟକ୍ଷା ସାବିତ୍ରୀ ଦଳେଇ, ବିଡିଓ ବିଶ୍ବରଞ୍ଜନ ବିଶ୍ବାସ, କୃଷି ଅଧିକାରୀ ଶରତ ଚନ୍ଦ୍ର ଦାସ, ସାଂସଦ ପ୍ରତିନିଧି ରମାକାନ୍ତ ରାଉତ, ସିଡିପିଓ ନୀହାରିକା ମହାନ୍ତି, ନାରୀ ସଶକ୍ତୀକରଣ ସଭାନେତ୍ରୀ ସୁମିନା ପ୍ରଧାନଙ୍କ ସମେତ ଅନ୍ୟାନ୍ୟ ଅଧିକାରୀମାନେ ଯୋଗ ଦେଇଥିଲେ। କିନ୍ତୁ ଏହି ବ୍ଲକ୍‌ ଅନ୍ତର୍ଗତ ନିଆଳି ଅଞ୍ଚଳର ବହୁ ସରପଞ୍ଚ, ସମିତି ସଭ୍ୟା ଓ ଜନପ୍ରତିନିଧିମାନେ କାର୍ଯ୍ୟକ୍ରମରେ ଯୋଗ ଦେଇନଥିଲେ। ନିଆଳି ବିଧାୟକ ଡ. ପ୍ରମୋଦ ମଲ୍ଲିକଙ୍କ ନାଁ ଶିଳାନ୍ୟାସ ଫଳକରେ ନଥିବାରୁ ସେମାନେ କେହି ଯୋଗ ଦେଇନଥିଲେ। ଏମିତିକି ନିଆଳି ବିଧାୟକ ଡ. ମଲ୍ଲିକ ଏନେଇ ବାରଙ୍ଗ ବ୍ଲକ୍‌ କର୍ତ୍ତୃପକ୍ଷଙ୍କ ଉପରେ ପ୍ରବଳ ବର୍ଷିଥିଲେ। ତେବେ ସେଦିନ ଶିଳାନ୍ୟାସ କାର୍ଯ୍ୟକ୍ରମ ସମାହିତ ହୋଇଥିଲା ଏବଂ ବିଧାୟକ ଡ. ମଲ୍ଲିକଙ୍କ ନାଁ ନଥିବା ଫଳକ ଲଗାଯାଇଥିଲା। କିନ୍ତୁ ରାତାରାତି ଏହି ଫଳକକୁ ବାହାର କରାଯାଇଥିଲା। ଏକ ନୂଆ ଫଳକରେ ଉଭୟ ବାଙ୍କୀ ବିଧାୟକ ଓ ନିଆଳି ବିଧାୟକଙ୍କ ନାଁ ଥିବା ନୂଆ ଫଳକ ଲଗାଯାଇଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe