ପୁଲିସ ଚଳାଇଥିଲା ଠକେଇ ରୢାକେଟ୍‌: ସରକାରୀ ଚାକିରି ନାଁରେ ୫୦ରୁ ଅଧିକ ଆଶାୟୀଙ୍କୁ ଚୂନ

କାହାକୁ ପୁଲିସରେ ତ କାହାକୁ ବ୍ୟାଙ୍କ୍‌ରେ। ପୁଣି କାହାକୁ ରେଲ୍‌ୱେ ତ କାହାକୁ ଲୋକସେବା ଭବନରେ ଏଏସ୍‌ଓ ଚାକିରି କରାଇଦେବାକୁ କହୁଥିଲେ। ପୁଲିସ ପୋଷାକ ସାଙ୍ଗକୁ ସରକାରୀ ଛାପା ବାଜିଥିବା ପରିଚୟପତ୍ର।

police

ଭୁବନେଶ୍ବର: କାହାକୁ ପୁଲିସରେ ତ କାହାକୁ ବ୍ୟାଙ୍କ୍‌ରେ। ପୁଣି କାହାକୁ ରେଲ୍‌ୱେ ତ କାହାକୁ ଲୋକସେବା ଭବନରେ ଏଏସ୍‌ଓ ଚାକିରି କରାଇଦେବାକୁ କହୁଥିଲେ। ପୁଲିସ ପୋଷାକ ସାଙ୍ଗକୁ ସରକାରୀ ଛାପା ବାଜିଥିବା ପରିଚୟପତ୍ର। ବଡ଼ ବଡ଼ ଅଧିକାରୀଙ୍କ ସହ ଫଟୋ ଦେଖାଇ ଲୋକଙ୍କ ବିଶ୍ବାସ ଭାଜନ ହେଉଥିଲେ। ଫଳରେ ପୁଲିସ ଚେହେରା ତଳେ ଲୁଚିରହିଥିବା ଅପରାଧୀ ମୁଖାକୁ ଚିହ୍ନିବା କାଠିକର ପାଠ ହୋଇପଡ଼ିଥିଲା। ଗତ ୩ବର୍ଷ ଧରି ରାଜଧାନୀରୁ ସାରା ରାଜ୍ୟରେ ଠକେଇ ଜାଲ ବିଛାଇ ୪କୋଟିରୁ ଅଧିକ ଟଙ୍କା ଚଳୁ କରିଥିଲେ। ଠକେଇ ଟଙ୍କାରେ ଦାମୀ ଗାଡ଼ି ସାଙ୍ଗକୁ ହେଟେଲ୍‌ରେ ଅୟସ କରୁଥିଲେ। ଏଭଳି ଏକ  ରୢାକେଟ୍‌ର ପର୍ଦ୍ଦାଫାଶ କରିଛି ଏୟାରପୋର୍ଟ ଥାନା ପୁଲିସ। ଏହି ରୢାକେ୍‌ଟରେ ସମ୍ପୃକ୍ତ ଥିବା ୨ଜଣ କନେଷ୍ଟବଳ, ଜଣେ ଗୃହରକ୍ଷୀ ସମେତ ୬ଜଣଙ୍କୁ ଗିରଫ କରିଛି। ସେମାନେ ହେଲେ ସପ୍ତମ ବାଟାଲିୟନ୍‌ର କନେଷ୍ଟବଳ ତଥା ରୢାକେଟ୍‌ର ମାଷ୍ଟର୍‌ମାଇଣ୍ଡ ଯାଜପୁର ଜିଲ୍ଲା ଟାଉନ୍‌ ଥାନା ସପନପୁର ଅଞ୍ଚଳର ପତିତପାବନ ପତି(୪୦), ଗଞ୍ଜାମ ଜିଲ୍ଲା ପୋଲସରା ଅଞ୍ଚଳର କନେଷ୍ଟବଳ ଅମିତାବଚନ ସାହୁ(୩୩) ଓ ନୟାଗଡ଼ ଜିଲ୍ଲା ଓଡ଼ଗାଁ ଅଞ୍ଚଳର ଗୃହରକ୍ଷୀ ପୁରୁଷୋତ୍ତମ ସାହୁ(୩୨)। ସହଯୋଗୀ କଟକ ନିଆଳି ଅଞ୍ଚଳର ଚାଳକ ପ୍ରମୋଦ ମଲ୍ଲିକ(୩୨), ବାଙ୍କି ଅଞ୍ଚଳର ଅମିୟ କୁମାର ମନ୍ତ୍ରୀ(୨୫) ଓ ଖଣ୍ଡଗିରି ଅଞ୍ଚଳର ପବିତ୍ର ମୋହନ ବେହେରା(୪୭)। ପୁଲିସ ସେମାନଙ୍କ ନିକଟରୁ ନଗଦ ୪ଲକ୍ଷ ଟଙ୍କା,୨ଟି କାର୍‌, ବାଇକ୍‌ ଓ ଅନେକ ଜାଲ୍‌ କାଗଜପତ୍ର ଜବତ କରିଛି। 

ସରକାରୀ ଚାକିରି ନାଁରେ ୫୦ରୁ ଅଧିକ ଆଶାୟୀଙ୍କୁ ଚୂନ
୩ ବର୍ଷରେ ଲୁଟିଛନ୍ତି ୪ କୋଟିରୁ ଅଧିକ ଟଙ୍କା
ବନ୍ଧାହେଲେ ୨ କନେଷ୍ଟବଳ, ଜଣେ ଗୃହରକ୍ଷୀ ସମେତ ୬ ଅଭିଯୁକ୍ତ
ମିଛ ମମାଲାରେ ଫସାଇ ଗିରଫ ଧମକ ଦେଉଥିଲେ

ତଦନ୍ତରୁ ଜଣାପଡ଼ିଛି ଯେ ସପ୍ତମ ବାଟାଲିୟନ୍‌ରେ କାର୍ଯ୍ୟରତ ଥିବା ପତିତପାବନ ୩ବର୍ଷ ତଳେ ଏହି ରୢାକେଟ୍‌ର ବ୍ଲୁ-ପ୍ରିଣ୍ଟ ପ୍ରସ୍ତୁତ କରିଥିଲା। ପରେ ଅମିତାବଚନ ଓ ପୁରୁଷୋତ୍ତମକୁ ସାମିଲ୍‌ କରିଥିଲା। ସେମାନଙ୍କୁ ସହଯୋଗ କରିବା ପାଇଁ ପ୍ରମୋଦ, ଅମିୟ ଓ ମୋହନକୁ ଏଜେଣ୍ଟ ଭଳି ବ୍ୟବହାର କରୁଥିଲେ। ଯୋଜନା ମୁତାବକ ସେମାନେ ରାଜଧାନୀକୁ ଆସୁଥିବା ଆଶାୟୀଙ୍କୁ ଟା‌ର୍ଗେଟ୍‌ କରିଥ‌ିଲେ। ପୁଲିସ ଚାକିରି କରିଥିବାରୁ ସହଜରେ ସମସ୍ତଙ୍କ ପାଖରେ ପହଞ୍ଚି ପାରୁଥିଲେ। ଆଉ ବିନା ଦ୍ବିଧାରେ ଆଶାୟୀଙ୍କୁ ପଚାରି ସେମାନଙ୍କ ତଥ୍ୟ ସଂଗ୍ରହ କରୁଥିଲେ। ଆଶାୟୀଙ୍କୁ ବିଭିନ୍ନ ସରକାରୀ ଚାକିରି କରାଇ ଦେବାକୁ କହି ଲକ୍ଷ ଲକ୍ଷ ଟଙ୍କା ଦାବି କରୁଥିଲେ। ‌କେବଳ ରାଜଧାନୀ ନୁହେଁ,  ଅନ୍ୟ ଜିଲ୍ଲାକୁ ମଧ୍ୟ ଟାର୍ଗେଟ୍‌ କରୁଥିଲେ। କାର୍‌ରେ ବୁଲି ବୁଲି ଆଶାୟୀଙ୍କ ପାଖରେ ପହଞ୍ଚୁଥିଲେ। ଚାକିରି ବାବଦକୁ କାହାଠାରୁ ୧୦ଲକ୍ଷ ତ କାହଠାରୁ ୫ଲକ୍ଷ ଏମିତି ଟଙ୍କା ସଂଗ୍ରହ କରୁଥିଲେ। ଟଙ୍କା ହାତେଇବା ପରେ ଆଉ ଧରାଛୁଆଁ ଦେଉ ନଥିଲେ। ବାରମ୍ବାର ଟଙ୍କା ମାଗିଲେ ପୁଲିସିଆ ବୁଦ୍ଧିରେ ନାଲିଆଖି ଦେଖାଇ ମିଛ ମାମଲାରେ ଫସାଇ ଗିରଫର ଧମକ ଦେଉଥିଲେ। ଟଙ୍କା ଯାଉ ପଛେ ଭୟରେ ସେମାନଙ୍କ ବିରୋଧରେ କେହି ମୁହଁ ଖୋଲୁ ନଥିଲେ। ହେଲେ ସରକାରୀ ଚାକିରି ନାଁରେ ୫ଲକ୍ଷ ହରାଇଥିବା ସାଜନ ସାହୁ ନାମକ ଜଣେ ଆଶାୟୀ ସାହସ ଜୁଟାଇ ଏୟାରପୋର୍ଟ ଥାନାରେ ଅଭିଯୋଗ କରିବା ପରେ ପୁଲିସ ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଥିଲା। ପତିତପାବନର ଲିଙ୍କ୍‌ ବାହାରିବା ପରେ ପ୍ରଥମେ ପୁଲିସ ତାକୁ ଗିରଫ କରି ଜେରା ବେଳେ ପୂରା ରୢାକେଟ୍‌ର ଚିତ୍ର ସାମ୍ନାକୁ ଆସିଥିଲା। ପୁଲିସ ଜଣକ ପରେ ଜଣେ ୬ଜଣଙ୍କୁ ଗିରଫ କରି କୋର୍ଟଚାଲାଣ କରିଛି। ତେବେ ଏହି ରୢାକେଟ୍‌ରେ ଆହୁରି ଅନେକଙ୍କ ସମ୍ପୃକ୍ତି ଥିବା ପୁଲିସ ସନ୍ଦେହ କରୁଛି। ସମସ୍ତ ଅଭିଯୁକ୍ତଙ୍କୁ ଗିରଫ ପାଇଁ ପୁଲିସ ତଦନ୍ତ ଜାରି ରଖିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe