୧୦ରେ ରମାଦେବୀ ଆସୁଛନ୍ତି ରାଷ୍ଟ୍ରପତି

Advertisment
୧୦ରେ ରମାଦେବୀ ଆସୁଛନ୍ତି ରାଷ୍ଟ୍ରପତି

ଭୁବନେଶ୍ବର: ଫେବ୍ରୁଆରି ୧୦ରେ ରମାଦେବୀ ମହିଳା ବିଶ୍ବବିଦ୍ୟାଳୟକୁ ଆସୁଛନ୍ତି ରାଷ୍ଟ୍ରପତି ଦ୍ରୈପଦୀ ମୁର୍ମୁ। ହାତରେ ଆଉ କମ୍‌ ସମୟ ବାକି ଥିବାରୁ ପ୍ରସ୍ତୁତି ଜୋରଦାର ହୋଇଛି। କ୍ୟାମ୍ପସକୁ ନବବଧୂ ବେଶରେ ସୁସଜ୍ଜିତ କରାଯିବା ସହ ରଙ୍ଗିନ୍‌ ଆଲୋକରେ ଆଲୋକିତ କରାଯାଉଛି। ପ୍ରବେଶ ପଥରୁ ଏକାଡେମିକ୍‌ ବିଲ୍‌ଡିଂ ପର୍ଯ୍ୟନ୍ତ, ସବୁଠି ରାଷ୍ଟ୍ରପତିଙ୍କ ସ୍ବାଗତ ଲାଗି ଭବ୍ୟ ଆୟୋଜନ। ଛାତ୍ରୀଙ୍କଠାରୁ ଆରମ୍ଭ କରି କୁଳପତିଙ୍କ ପର୍ଯ୍ୟନ୍ତ ସମସ୍ତେ ଏକାଗ୍ରତାର ସହ କାମ କରୁଛନ୍ତି। କିଭଳି ଭାବେ ରାଷ୍ଟ୍ରପତିଙ୍କୁ ସ୍ୱାଗତ କରିବେ, ସେନେଇ ଜୋରଦାର ପ୍ରସ୍ତୁତି ଚାଲିଛି। କମିସନରେଟ୍‌ ପୁଲିସ ପକ୍ଷରୁ ମଧ୍ୟ ଭିତ୍ତିଭୂମି ଯାଞ୍ଚ ଚାଲିଛି। ବିଶ୍ବବିଦ୍ୟାଳୟର ଦ୍ବିତୀୟ ସମାବର୍ତ୍ତନ ଉତ୍ସବରେ ‌କେତେଜଣ ଛାତ୍ରୀ ଉପସ୍ଥିତ ରହିବେ, ମଞ୍ଚ ତଳେ କେତେଜଣ ନିମନ୍ତ୍ରିତ ଅତିଥି ଉପସ୍ଥିତ ରହିବେ, ତାହାର ତାଲିକା ପ୍ରସ୍ତୁତ ଚାଲିଛି।

ରାଷ୍ଟ୍ରପତି ନିଜେ ଏହି ଶିକ୍ଷାନୁଷ୍ଠାନରେ ଯୁକ୍ତ୨ ଓ ଯୁକ୍ତ୩ ଶିକ୍ଷା ଗ୍ରହଣ କରୁଥିଲେ। ତେଣୁ କଲେଜ ପଢୁଥିବା ସମୟର ସାଙ୍ଗମାନଙ୍କ ସହ ରାଷ୍ଟ୍ରପତି ଏକାଠି ହେବାର ସମ୍ଭାବନା ରହିଛି। କ୍ୟାମ୍ପସରେ ପୁରୁଣା ଦିନର ସ୍ମୃତି ସାଉଁଟିବେ। ତାହାକୁ ନଜରରେ ରଖି ସୁରକ୍ଷା ବ୍ୟବସ୍ଥା ବଢ଼ାଇବାକୁ ନିଷ୍ପତ୍ତି ହୋଇଛି। ୮ ତାରିଖଠାରୁ ପୁଲିସ ପହରା ବଢ଼ାଯିବ। କ୍ୟାମ୍ପସ ପ୍ରବେଶ ପଥ ବଦଳିଛି। ନୂଆ ଭାବେ ନିର୍ମାଣ ହୋଇଥିବା ପ୍ରବେଶ ପଥ ଦେଇ ରାଷ୍ଟ୍ରପତି କ୍ୟାମ୍ପସକୁ ପ୍ରବେଶ କରିବେ। ରାଷ୍ଟ୍ରପତିଙ୍କ ଗସ୍ତ ବାବଦରେ ୭୮ ଲକ୍ଷ ୨୦ ହଜାର ଟଙ୍କା ଖର୍ଚ୍ଚ ହେବ। ବିଶ୍ବବିଦ୍ୟାଳୟ ପାଣ୍ଠିରୁ ଏହି ଖର୍ଚ୍ଚ କରିବାକୁ ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ କର୍ତ୍ତୃପକ୍ଷଙ୍କୁ ଅନୁମତି ଦିଆଯାଇଛି। ରାଷ୍ଟ୍ରପତିଙ୍କ ସହ ରାଜ୍ୟପାଳ ତଥା ବିଶ୍ବବିଦ୍ୟାଳୟ କୁଳାଧିପତି ପ୍ରଫେସର ଗଣେଶୀ ଲାଲ୍‌, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ଉଚ୍ଚଶିକ୍ଷା ମନ୍ତ୍ରୀ ରୋହିତ୍‌ ପୂଜାରୀ ପ୍ରମୁଖ ଉପସ୍ଥିତ ରହିବେ। ଏଥର ସମାବର୍ତ୍ତନ ଉତ୍ସବରେ ବିଶ୍ବବିଦ୍ୟାଳୟ ପକ୍ଷରୁ ଦେଶର ୪ଜଣ ବିଶିଷ୍ଟ ମହିଳାଙ୍କୁ ସମ୍ମାନସୂଚକ ଡକ୍ଟରେଟ୍‌ ଡିଗ୍ରି ପ୍ରଦାନ କରାଯିବ ବୋଲି ନିଷ୍ପତ୍ତି ହୋଇଛି। ମାତ୍ର ଏବେ ସୁଦ୍ଧା ଚୂଡ଼ାନ୍ତ ମୋହର ମରାଯାଇ ନ ଥିବାରୁ ନାମ ଘୋଷଣା କରାଯାଇନାହିଁ।

ପ୍ରେକ୍ଷାଳୟ ଉଦ୍‌ଘାଟନ କରିବେ ମୁଖ୍ୟମନ୍ତ୍ରୀ
ହଜାରେ ସିଟ୍‌, ଖର୍ଚ୍ଚ ୧୭ କୋଟି
ରାଷ୍ଟ୍ରପତିଙ୍କ ଗସ୍ତରେ ଖର୍ଚ୍ଚ ହେବ ୭୮ ଲକ୍ଷ

ଅନ୍ୟପକ୍ଷରେ ରାଷ୍ଟ୍ରପତିଙ୍କ ଗସ୍ତ ପୂର୍ବରୁ ମଙ୍ଗଳବାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କ୍ୟାମ୍ପସକୁ ଆସୁଛନ୍ତି। ରାଷ୍ଟ୍ରୀୟ ଉଚ୍ଚତର ଶିକ୍ଷା ଅଭିଯାନ(ରୁସା) ଓ ରାଜ୍ୟ ସରକାରଙ୍କ ସହଭାଗିତାରେ ରାଜ୍ୟର ପ୍ରଥମ ମହିଳା ବିଶ୍ବବିଦ୍ୟାଳୟରେ ଏକ ବିଶାଳ ପ୍ରେକ୍ଷାଳୟ ନିର୍ମାଣ ହୋଇଛି। ବିଶିଷ୍ଟ ସ୍ୱାଧୀନତା ସଂଗ୍ରାମୀ ମା’ ରମାଦେବୀଙ୍କ ନାମରେ ନାମିତ ଏହି ପ୍ରେକ୍ଷାଳୟରେ ୧୦୦୦ ଲୋକ ବସିବାର କ୍ଷମତା ରହିଛି। ୧୭ କୋଟି ଟଙ୍କା ବ୍ୟୟରେ ନିର୍ମିତ ହୋଇଥିବା ଏହି ପ୍ରେକ୍ଷାଳୟକୁ ମଙ୍ଗଳବାର ଅପରାହ୍ଣରେ ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ ଉଦ୍‌ଘାଟନ କରିବେ। ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟକ୍ରମ ଲାଗି ପ୍ରାୟ ୧୦ ଲକ୍ଷ ଟଙ୍କା ଖର୍ଚ୍ଚ ହେବ। ବିଶ୍ବବିଦ୍ୟାଳୟ ପାଣ୍ଠିରୁ ଏହି ଖର୍ଚ୍ଚ କରିବାକୁ ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ଅନୁମୋଦନ ଦିଆଯାଇଛି। ଉଦ୍‌ଘାଟନୀ କାର୍ଯ୍ୟକ୍ରମରେ ଉଚ୍ଚଶିକ୍ଷା ମନ୍ତ୍ରୀ ରୋହିତ୍‌ ପୂଜାରୀ ଓ ବିଭାଗୀୟ ସଚିବ ବିଷ୍ଣୁପଦ ସେଠୀ ଉପସ୍ଥିତ ରହିବାର କାର୍ଯ୍ୟକ୍ରମ ରହିଛି। କୌଣସି ପ୍ରକାର ବୈଠକ ହେବ ନାହିଁ ବୋଲି ବିଶ୍ବବିଦ୍ୟାଳୟ ପକ୍ଷରୁ ସୂଚନା ଦିଆଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe