ସମସ୍ୟା ଘେରରେ ମସଜିଦ୍‌ କଲୋନି, ଅସରାଏ ବର୍ଷାରେ ଘରେ ପଶୁଛି ପାଣି

Advertisment

୩ ବର୍ଷ ହେଲା ଡ୍ରେନ୍‌ ସଫା ହେଉନି

୩ ବର୍ଷ ହେଲା ଡ୍ରେନ୍‌ ସଫା ହେଉନି

ସମସ୍ୟା ଘେରରେ ମସଜିଦ୍‌ କଲୋନି, ଅସରାଏ ବର୍ଷାରେ ଘରେ ପଶୁଛି ପାଣି

ଭୁବନେଶ୍ବର: ଭୁବନେଶ୍ବର ସ୍ମାର୍ଟ ସିଟି ମୁଖ୍ୟ ରାସ୍ତା ଚକାଚକ୍। ହେଲେ ମୁଖ୍ୟ ରାସ୍ତାକୁ ଲାଗି ରହିଥିବା ଗଳି ରାସ୍ତାର ଚିତ୍ର ସମ୍ପୂର୍ଣ୍ଣ ଭିନ୍ନ। ଭୁବନେଶ୍ବର ସ୍ମାର୍ଟ ଜନପଥକୁ ଲାଗିଥିବା ୪୧ନଂ ୱାର୍ଡ ମସଜିଦ୍‌ କଲୋନି ରାସ୍ତାକୁ ଦେଖିଲେ ଏହା ସ୍ପଷ୍ଟ ଅନୁମେୟ। କଲୋନିରେ ରାସ୍ତା ଠାରୁ ଆରମ୍ଭ କରି ଡ୍ରେନ ସମସ୍ୟା ବର୍ଷ ବର୍ଷ ଧରି ଲାଗିରହିଥିବା ବେଳେ ଏଥିପ୍ରତି ବିଏମ୍‌ସିର ନଜର ପଡ଼ୁନି।

ମସଜିଦ୍‌ କଲୋନିର ଅବସ୍ଥା ଗତ ୩ବର୍ଷ ହେଲା ଶୋଚନୀୟ ହୋଇପଡ଼ିଛି। ରାସ୍ତାରେ ଚାଲିକି ଯିବା ସମ୍ଭବପର ନୁହେଁ। କଲୋନିରେ ପ୍ରାୟ ୨ହଜାରରୁ ଅଧିକ ଲୋକ ବସବାସ କରୁଛନ୍ତି। ହେଲେ ରାସ୍ତା ସମସ୍ୟା କହିଲେ ନସରେ। ଏହି ରାସ୍ତା ଉପରେ ୫୦୦ ପରିବାର ନିର୍ଭରଶୀଳ ହୋଇଥିବା ବେଳେ ପାଖରେ ମଧ୍ୟ ଏକ ମସଜିଦ୍‌ ରହିଛି। ସ୍ଥାନୀୟ ମୁସଲିମ୍ ସମ୍ପ୍ରଦାୟର ଲୋକମାନେ ନମାଜ ପାଠ କରିବା ପାଇଁ ଯା’ଆସ କରୁଛନ୍ତି। କଲୋନି ବାସିନ୍ଦାଙ୍କ ଅଭିଯୋଗ ଅନୁଯାୟୀ ଗତ ୩ବର୍ଷ ହେଲାଣି ଡ୍ରେନ୍ ସଫା କରାଯାଉନି। ଡ୍ରେନ ଭିତରେ ଅଳିଆ ଆବର୍ଜନା ଭର୍ତ୍ତି ହୋଇ ରହିଥିବାରୁ ବର୍ଷା ଜଳ ନିଷ୍କାସନ ହେଉନାହିଁ। ଫଳରେ ଲଗାଣ ବର୍ଷାରେ ରାସ୍ତାରେ ପାଣି ଜମିବା ସହ ଘରେ ପଶୁଛି। ବର୍ଷାରେ କାଦୁଅ ପଚପଚ ହୋଇଯାଉଛି ରାସ୍ତା। ରାସ୍ତାରୁ ପିଚୁ ଉଠି ଖାଲଖମାରେ ଭର୍ତ୍ତି ହେଲାଣି। ସେହିପରି ସାହିରୁ ଅଳିଆ ଆବର୍ଜନାକୁ ବିଏମସି ସଫା କରୁନଥିବାରୁ ପରିବେଶ ଆବର୍ଜନାମୟ ହୋଇ ପଡ଼ିଛି। ନିକଟରେ ଉକ୍ତ ସାହିରେ ଡ୍ରେନ କାର୍ଯ୍ୟ ପାଇଁ ଶିଳାନ୍ୟାସ କରାଯାଇଛି।

ସ୍ଥାନୀୟ ବାସିନ୍ଦା କଲୋନିର ସମସ୍ୟା ନେଇ ବାରମ୍ବାର ଅଭିଯୋଗ କରିବା ସତ୍ତ୍ବେ ପ୍ରଶାସନିକ ଅଧିକାରୀ ମାନେ କର୍ଣ୍ଣପାତ କରୁନାହାନ୍ତି। କଲୋନିର ରାଜିଆ ବିବିଙ୍କ କହିବାନୁଯାୟୀ ଡ୍ରେନ ସଫା ହେଉନଥିବାରୁ ପାଣି ନିଷ୍କାସନ ହୋଇପାରୁନାହିଁ। ଫଳରେ ରାସ୍ତାରେ ଆଣ୍ଠୁଏ ଉଚ୍ଚାରେ ପାଣି ଜମି ରହୁଛି। ଆଗରୁ କର୍ପୋରେଟର ଥିଲେ ତାଙ୍କୁ ଆମେ ଅଭିଯୋଗ କରୁଥିଲୁ ବର୍ତ୍ତମାନ ମ୍ୟୁନିସପାଲିଟିରେ ନିର୍ବାଚିତ ପ୍ରତିନିଧି ନଥିବାରୁ ଆମର ଦାବିକୁ କେହି ଶୁଣୁନାହାନ୍ତି ବୋଲି ସେ କହିଛନ୍ତି। ପୂର୍ବତନ କର୍ପୋରେଟର ଗୁରୁ ଚରଣ ସାହୁ କହିଛନ୍ତି, ବିଏମସିରେ ବାରମ୍ବାର ଅଭିଯୋଗ କରିବା ସତ୍ତ୍ବେ ସେମାନେ କାମ କରୁନାହାନ୍ତି। ଏହି କଲୋନିର ଲୋକ ମାନେ ବାହାର ରାଜ୍ୟରୁ ଆସି ପିଢ଼ି ପିଢ଼ି ଧରି ରହୁଛନ୍ତି। ସେମାନଙ୍କର ରାସନ କାର୍ଡ ଠାରୁ ଆରମ୍ଭ କରି ଆଧାରକାର୍ଡ ପର୍ଯ୍ୟନ୍ତ ରହିଛି। ସରକାରୀ ସହାୟତା ମଧ୍ୟ ପାଉଛନ୍ତି। ମାତ୍ର ସମସ୍ତ ପରିଚୟ ପତ୍ର ରହିଥିବା ବେଳେ ସେମାନଙ୍କର ମୌଳିକ ସୁବିଧା ଆଜି ମଧ୍ୟ ଅପୂରଣୀୟ ହୋଇରହିଛି। ‌

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe