ବିଶ୍ବବିଦ୍ୟାଳୟ କୁଳପତି ଚୟନ ପ୍ରକ୍ରିୟା, ରାଜଭବନକୁ ଗଲା ନାଁ

କୁଳପତିଙ୍କ ଛୁଟିରେ ରାଜଭବନର କଟକଣା: ମୁଖ୍ୟାଳୟ ଛାଡ଼ିଲେ କାରଣ ଦର୍ଶାଇବେ

The Samikhsya

ଭୁବନେଶ୍ବର: ଉତ୍କଳ ସମେତ ରାଜ୍ୟର ୬ଟି ବିଶ୍ବବିଦ୍ୟାଳୟ କୁଳପତି ଚୟନ ଲାଗି ଚାଲିଥିବା ପ୍ରକ୍ରିୟା ଚୂଡ଼ାନ୍ତ ପର୍ଯ୍ୟାୟରେ ପହଞ୍ଚିଛି। ସଂକ୍ଷିପ୍ତ ତାଲିକାରେ ଥିବା ପ୍ରଫେସରମାନଙ୍କର ପ୍ରଥମ ପର୍ଯ୍ୟାୟ ସାକ୍ଷାତକାର ଶେଷ ହୋଇଛି। ମୋଟ ଉପରେ ୬ଟି ବିଶ୍ବବିଦ୍ୟାଳୟ ଲାଗି ପାଖାପାଖି ଶହେ ପ୍ରଫେସରଙ୍କ ସାକ୍ଷାତକାର ନିଆଯାଇଛି। ସପ୍ତାହେ ଧରି ୬ଟି ବିଶ୍ବବିଦ୍ୟାଳୟ ଲାଗି ଗଠିତ ସର୍ଚ୍ଚ କମିଟି ପ୍ରଫେସରଙ୍କ ସାକ୍ଷାତକାର ନେଇଥିଲେ। ଯାହାକି ନଭେମ୍ବର ୯ରେ ଶେଷ ହୋଇଛି। ଶେଷ ଦୁଇ ଦିନ ଯଥା ଗତ ୮ ଓ ୯ ତାରିଖରେ ଉତ୍କଳ ବିଶ୍ବବିଦ୍ୟାଳୟ କୁଳପତି ପଦ ଲାଗି ରାଜ୍ୟ ଅତିଥି ଭବନରେ ସର୍ଚ୍ଚ କମିଟିର ସଦସ୍ୟମାନେ ଆଶାୟୀ ପ୍ରଫେସରଙ୍କ ସାକ୍ଷାତକାର ନେଇଛନ୍ତି। ସମସ୍ତ ୬ଟି ଯାକ ସର୍ଚ୍ଚ କମିଟିର ସଦସ୍ୟମାନେ ୩ଜଣ ଲେଖାଏଁ ପ୍ରଫେସରଙ୍କ ନାଁ ରାଜଭବନକୁ ପଠାଇଛନ୍ତି। ଯଦି ଉତ୍କଳ ବିଶ୍ବବିଦ୍ୟାଳୟ କଥା ବିଚାକୁ ନିଆଯାଏ, ତେବେ ସଂକ୍ଷିପ୍ତ ୩ଟି ନାଁରେ ଉଭୟ ରାଜ୍ୟ ଭିତର ଓ ବାହାରର ପ୍ର‌ଫେସର ରହିଛନ୍ତି। ରାଜ୍ୟର ଏହି ପ୍ରମୁଖ ବିଶ୍ବବିଦ୍ୟାଳୟର ମୁଖିଆ ହେବାକୁ ଆଶା ବାନ୍ଧି ବସିଥିବା କେତେଜଣ ପ୍ରଫେସର ଦ୍ବିତୀୟ ପର୍ଯ୍ୟାୟରେ ବାଦ୍‌ ପଡ଼ିଛନ୍ତି। ଆବେଦନ କରି ପ୍ରଥମ ପର୍ଯ୍ୟାୟରେ ୭୦ ଜଣ ପ୍ରଫେସର ନିରାଶ ହୋଇଥିଲେ। ଆଉ ଏବେ ୧୧ଜଣ ପ୍ରଫେସର କୁଳପତି ଦୌଡ଼ରୁ ବାଦ୍‌ ପଡ଼ିଛନ୍ତି। ମୋଟ ୧୪ ଜଣ ପ୍ରଫେସର ସଂକ୍ଷିପ୍ତ ତାଲିକାରେ ଥିବା ବେଳେ ସେଥିମଧ୍ୟରୁ କେତେଜଣ ଅନୁପସ୍ଥିତ ରହିଥିଲେ। ପ୍ରଫେସରଙ୍କ ସହ ସାକ୍ଷାତକାର ନେବା ପରେ ସର୍ଚ୍ଚ କମିଟିର ସଦସ୍ୟମାନେ ଶେଷରେ ୩ଜଣଙ୍କ ନାଁରେ ମୋହର ମାରି ରାଜଭବନକୁ ପଠାଇ ଦେଇଛନ୍ତି। ସେହିପରି ରମାଦେବୀ ମହିଳା ବିଶ୍ବବିଦ୍ୟାଳୟ ଲାଗି ରାଜଭବନକୁ ପଠାଯାଇଥିବା ୩ଜଣଙ୍କ ମଧ୍ୟରେ ମହିଳା ପ୍ରଫେସର ରହିଥିବା ସୂଚନା ମିଳିଛି। ଉତ୍କଳ ବିଶ୍ବବିଦ୍ୟାଳୟର ଜଣେ ପ୍ରଫେସର ରମାଦେବୀ ମହିଳା ବିଶ୍ବବିଦ୍ୟାଳୟର ଚୂଡ଼ାନ୍ତ ତାଲିକାରେ ରହିଛନ୍ତି।

ଅନ୍ୟପକ୍ଷରେ ଫକୀର ମୋହନ, ଉତ୍ତର ଓଡ଼ିଶା, ଗଙ୍ଗାଧର ମେହେର ଓ ଖଲ୍ଲିକୋଟ ବିଶ୍ବବିଦ୍ୟାଳୟର ସଂକ୍ଷିପ୍ତ ତାଲିକା ବି ଇତିମଧ୍ୟରେ ରାଜଭବନକୁ ଯାଇଛି। ଉକ୍ତ ୪ଟି ବିଶ୍ବବିଦ୍ୟାଳୟ ଲାଗି ଯାଇଥିବା ୧୨ଜଣ ପ୍ରଫେସରଙ୍କ ମଧ୍ୟରେ ଅଧିକାଂଶ ଓଡ଼ିଶାରୁ ହିଁ ରହିଛନ୍ତି। ଉତ୍ତର ଓଡ଼ିଶା ଓ ଫକୀର ମୋହନ ଲାଗି ପଠାଯାଇଥିବା ନାଁ ମଧ୍ୟରେ ଉତ୍କଳ ବିଶ୍ବବିଦ୍ୟାଳୟର ଦୁଇ ଜଣ ପ୍ରଫେସରଙ୍କ ନାଁ ଥିବା ନେଇ ଚର୍ଚ୍ଚା ହେଉଛି। ଖଲ୍ଲିକୋଟ ବିଶ୍ବବିଦ୍ୟାଳୟ ପାଇଁ ରାଜ୍ୟ ବାହାରର ଏକ ଶିକ୍ଷାନୁଷ୍ଠାନରେ କାର୍ଯ୍ୟ କରୁଥିବା ଜଣେ ପ୍ରଫେସରଙ୍କ ନାଁ ରହିଛି। ମିଳିଥିବା ସୂଚନା ଅନୁଯାୟୀ, ରାଜ୍ୟପାଳ ତଥା କୁଳାଧିପତି ପ୍ରଫେସର ଗଣେଶୀ ଲାଲ୍‌ ଖୁବ୍‌ଶୀଘ୍ର ଆଶାୟୀ ପ୍ରଫେସରଙ୍କ ସାକ୍ଷାତକାର ନେବେ। କୋଭିଡ୍‌-୧୯ରେ ଆକ୍ରାନ୍ତ ହୋଇଥିବାରୁ ପ୍ରଫେସର ଲାଲ୍‌ ଏବେ ମେଡିକାଲରେ ଚିକିତ୍ସାଧୀନ ରହିଛନ୍ତି। ଚଳିତ ସପ୍ତାହରେ ସେ ମେଡିକାଲରୁ ଫେରିବାର ସମ୍ଭାବନା ରହିଛି। ତେଣୁ ଦୀପାବଳି ପରେ ଯେକୌଣସି ସମୟରେ ବିଶ୍ବବିଦ୍ୟାଳୟ କୁଳପତି ଲାଗି ଚୂଡ଼ାନ୍ତ ସାକ୍ଷାତକାର ନିଆଯାଇପାରେ। ନଭେମ୍ବର ଶେଷ ସୁଦ୍ଧା ସମସ୍ତ ବିଶ୍ବବିଦ୍ୟାଳୟ କୁଳପତି ଚୟନ ପ୍ରକ୍ରିୟା ଶେଷ ହେବ। ତାହାକୁ ଲକ୍ଷ୍ୟରେ ରଖି ନଭେମ୍ବର ୨୦ରୁ ପର୍ଯ୍ୟାୟକ୍ରମେ ବିଶ୍ବବିଦ୍ୟାଳୟ ଲାଗି ସାକ୍ଷାତକାର ନିଆଯିବ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe