ଭୁବନେଶ୍ବର: ରାଜଧାନୀରେ ୯ ଶହ ବର୍ଗଫୁଟ୍ ପ୍ଲଟ୍ର ମୂଲ୍ୟ ମାତ୍ର ୨ ଲକ୍ଷ ଟଙ୍କା। ପ୍ରକୃତରେ ରାଜଧାନୀରେ ଏତିକି ପରିମିତ ଜମିର ମୂଲ୍ୟ ନିହାତି ୨୦ ଲକ୍ଷ ଟଙ୍କା ହେବା କଥା। ମାତ୍ର ମିଳୁଛି ୧୦ ଭାଗରୁ ଭାଗେ ମୂଲ୍ୟରେ। ଶୁଣିବାକୁ ଆଶ୍ଚର୍ଯ୍ୟ ଲାଗୁଥିଲେ ବି ପୂରା ସତ। ତେବେ ବିକ୍ରି ପ୍ଲଟ୍ ହେଉଛି ସରକାରୀ ଜମି। ସରକାରୀ ଜମି ବିକିବା କିଣିବା ବେଆଇନ ହୋଇଥିଲେ ବି ଉଭୟ କ୍ରେତା ଓ ବିକ୍ରେତା ଏହି ବେଆଇନ କାମ ପାଇଁ ରାଜି। ସାଧାରଣ ପ୍ରଶାସନ ବିଭାଗ, ବିଡିଏ ଓ ବିଏମ୍ସି ସରକାରୀ ଜମିର ମାଲିକ ଓ ସେମାନେ ଜଗିବା କଥା। କିନ୍ତୁ ଏହି ତିନି ବିଭାଗର ଉଦାସୀନତା ପାଇଁ ମାଫିଆମାନେ ସରକାରୀ ଜମିକୁ ପ୍ଲଟିଂ କରି ବିକୁଛନ୍ତି ଓ କ୍ରେତାମାନେ ବି ବଡ଼ ଆଗ୍ରହର ସହ କିଣୁଛନ୍ତି। ପାଣ୍ଡରା ଛକ ଜାତୀୟ ରାଜପଥ କଡ଼ରୁ ମାତ୍ର ୧କିମି ଦୂରରେ ଚାଲିଛି ଏହି କାରବାର।
ଏଠାରେ ପ୍ରାୟ ୪ଏକର ୪୦ ଡିସିମିଲ୍ ସରକାରୀ ଜମି ରହିଛି। ବିଏମ୍ସିର ୧୮ନମ୍ବର ୱାର୍ଡ ଅନ୍ତର୍ଗତ ପାଣ୍ଡରା ମୌଜା ଖାତା ନଂ ୧୩୫୨, ପ୍ଲଟ ନଂ ୩୭୫୮ରେ ଏହି ସରକାରୀ ଜମି ରହିଛି। ଏହି ଜମିରୁ ପାଖାପାଖି ୨ଏକର ପରିମିତ ଜମିକୁ ବିସ୍ଥାପିତ ଲୋକଙ୍କୁ ମିଳିଛି। ୨୦୧୫ ମସିହାରେ ପଳାସୁଣୀ ଅଣ୍ଡରପାସ୍ ନିର୍ମାଣ ସମୟରେ ଯେଉଁ ୨୫ପରିବାରଙ୍କୁ ବିସ୍ଥାପିତ କରାଯାଇଥିଲା, ତାଙ୍କୁ ଏଠାରେ ଥଇଥାନ କରାଯାଇଛି। ଯେଉଁ ବଳକା ୨ଏକର ୪୦ ଡିସିମିଲ୍ ଜମି ରହିଛି, ସେଥିରେ ଚାଲିଛି ମାଫିଆ ବା ଜମି ଦଲାଲଙ୍କ ଖେଳ। ପୈତୃକ ସମ୍ପତ୍ତି ଭଳି ମାଫିଆମାନେ ୯ଶହ ବର୍ଗଫୁଟିଆ ପ୍ଲଟିଂ କରି ୨ଲକ୍ଷ ଟଙ୍କା ଦରରେ ବିକ୍ରି କରୁଛନ୍ତି। ପ୍ଲଟ୍ କ୍ରେତାଙ୍କ ସୁବିଧା ପାଇଁ ମୋରମ୍ ପକାଇ ୨୦ଫୁଟିଆ ରାସ୍ତା ନିର୍ମାଣ କରାଯାଉଛି। କେବଳ ଉପଯୁକ୍ତ ଦଲିଲ୍କୁ ବାଦ୍ ଦେଲେ, ଜମି ଦଖଲ ଓ ଘର କରି ରହିବା ପର୍ଯ୍ୟନ୍ତ ସବୁକିଛି ବିନା ସମସ୍ୟାରେ ହୋଇପାରୁଛି। କ୍ରେତାଙ୍କୁ ଦଲାଲମାନେ ସବୁ ସୁରକ୍ଷା ଯୋଗାଇ ଦେଉଛନ୍ତି। ସ୍ଥାନୀୟ ବାସିନ୍ଦାଙ୍କ ଅଭିଯୋଗ ଅନୁସାରେ ଏହି ଅଞ୍ଚଳରେ ଆହୁରି ସରକାରୀ ଜମି ରହିଛି। ଏବେଠୁ ଦଲାଲ୍ମାନଙ୍କ ଉପରେ ରୋକ୍ ନ ଲାଗିଲେ, ସେମାନେ ସବୁ ସରକାରୀ ଜମିକୁ ଧୀରେଧୀରେ ଅକ୍ତିଆର କରି ବିକ୍ରି କରିଦେବେ। ଏହା ଆଗକୁ ସ୍ଥାନୀୟ ଲୋକଙ୍କ ପାଇଁ ବହୁ ସମସ୍ୟା ସୃଷ୍ଟି କରିବ। ସେମାନେ ସାମାଜିକ କାର୍ଯ୍ୟକ୍ରମ ପାଇଁ ଖୋଲା ପଡ଼ିଆ ପାଇବେ ନାହିଁ। ଏମିତିକି ସେମାନଙ୍କ ଗୋ-ସମ୍ପଦ ମଧ୍ୟ ବିଶେଷ ଭାବେ ପ୍ରଭାବିତ ହେବ।
Follow Us