ବର୍ଷା କମିଲା; ଦୁର୍ଦ୍ଦଶା କମିନି, ଦୁଇ ଦିନରେ ରାଜଧାନୀରେ ୨୫୪ ମିମି ବର୍ଷା

Advertisment

ବହୁ ଅଞ୍ଚଳ ଏବେ ବି ଜଳବନ୍ଦୀ, ଧୋଇଗଲା ରାସ୍ତା, ବହୁଛି ଡ୍ରେନ୍ ପାଣି

ବହୁ ଅଞ୍ଚଳ ଏବେ ବି ଜଳବନ୍ଦୀ, ଧୋଇଗଲା ରାସ୍ତା, ବହୁଛି ଡ୍ରେନ୍ ପାଣି

ବର୍ଷା କମିଲା; ଦୁର୍ଦ୍ଦଶା କମିନି, ଦୁଇ ଦିନରେ ରାଜଧାନୀରେ ୨୫୪ ମିମି ବର୍ଷା

ଭୁବନେଶ୍ବର: ପ୍ରାୟ ୫୫ ଘଣ୍ଟା ଧରି ରାଜଧାନୀବାସୀଙ୍କୁ ଅସ୍ତବ୍ୟସ୍ତ କରିପକାଇଥିବା ଲଘୁଚାପ ବର୍ଷା ଆଜି ସକାଳୁ ବିରାମ ନେଇଛି। ତା’ପରେ ବି ଲୋକଙ୍କ ଦୁର୍ଦଶା କମି ନାହିଁ। ବରଂ ଯନ୍ତ୍ରଣା ବଢ଼ି ଚାଲିଛି। ସହରର କେତେକ ଅଞ୍ଚଳରେ ଆଜି ବି ଲୋକେ ଜଳବନ୍ଦୀ ଅବସ୍ଥାରେ ରହିଥିଲେ। କେଉଁଠି ପିଇବା ପାଣି ମିଳି ନ ଥିଲା ତ ଆଉ କେଉଁଠି ଲୋକେ ଘରେ ପହଞ୍ଚି ପାରି ନ ଥିଲେ। ଅତିପ୍ରବଳ ବର୍ଷା ଯୋଗୁଁ ସହରର ଅନେକ ସ୍ଥାନରେ ରାସ୍ତା ଧୋଇଯାଇଛି। ରାସ୍ତା ମଝିରେ ବଡ଼ ବଡ଼ ଖାଲ ସୃଷ୍ଟି ହୋଇଛି। ଝାରପଡ଼ା ବଜରଙ୍ଗନଗର ଅଞ୍ଚଳର ରାସ୍ତାରେ ପାଖାପାଖି ଅଧ କିଲୋମିଟର ରାସ୍ତାରୁ ପିଚୁ ଉଠିଯାଇଥିବାବେଳେ ବମିଖାଲ, ପଳାସୁଣୀ, ଜିଜିପି କଲୋନି, ସତ୍ୟବିହାର ଆଦି ଅଞ୍ଚଳରେ ମଧ୍ୟ ସମାନ ସ୍ଥିତି ଦେଖିବାକୁ ମିଳିଛି।

ରାସ୍ତା ଓ ଡ୍ରେନ୍‌ ଏକାକାର ହୋଇଯିବାରୁ ଆଜି ୧୦ରୁ ଅଧିକ ଦୁର୍ଘଟଣା ଘଟିଛି। ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ରର ସୂଚନା ଅନୁଯାୟୀ ଲଘୁଚାପ ଜନିତ ବର୍ଷା ୧୨ ତାରିଖ ଭୋରୁ ରାଜଧାନୀରେ ଆରମ୍ଭ ହୋଇଥିଲା। ୧୩ ତାରିଖ ସକାଳ ସୁଦ୍ଧା ପ୍ରାୟ ୨୦୦ ମିମି ବର୍ଷା ରେକର୍ଡ ହୋଇଥିଲା। ୧୩ ତାରିଖ ସକାଳ ୮ଟା ୩୦ରୁ ୧୪ ତାରିଖ ସକାଳ ୮ଟା ୩୦ ମଧ୍ୟରେ ଆଉ ୫୪ ମିମି ବର୍ଷା ରେକର୍ଡ କରାଯାଇଛି। ଅର୍ଥ‌ାତ ଏହି ଦୁଇ ଦିନରେ ୨୫୪ ମିମି ବର୍ଷା ହୋଇଛି।

ତେବେ ଲୋକଙ୍କ ଏହି ଦୁର୍ଦ୍ଦଶା ବେଳେ ଲୋକ ପ୍ରତିନିଧିମାନେ ପହଞ୍ଚି ସହାୟତାର ହାତ ବଢ଼ାଇଛନ୍ତି। ଭୁବନେଶ୍ବର ଉତ୍ତର ବିଧାୟକ ସୁଶାନ୍ତ କୁମାର ରାଉତ ପଥରବନ୍ଧ ବସ୍ତିରେ ୩୦୦ରୁ ଅଧିକ ଲୋକଙ୍କୁ ଖାଦ୍ୟ ସାମଗ୍ରୀ ସହ ପଲିଥିନ୍‌ ବଣ୍ଟନ କରିଛନ୍ତି। ବିଏମ୍‌ସି ୨୬ ନମ୍ବର ୱାର୍ଡ ସାଲିଆସାହିରେ ୩ଟି ପରିବାରଙ୍କ ଘର ନଷ୍ଟ ହୋଇଥିବା ଖବର ପାଇ ଶ୍ରୀ ରାଉତ ସେମାନଙ୍କୁ ସହାୟତାର ହାତ ବଢ଼ାଇଛନ୍ତି। ସେହିପରି ପଳାସୁଣୀ ପ୍ରାଚୀ ବିହାରରେ ବର୍ଷା ପାଣି ଜମି ରହିବା ଦ୍ବାରା ରାସ୍ତା ନଷ୍ଟ ହୋଇଯାଇଥିଲା। ବିଧାୟକ ନଷ୍ଟ ହୋଇଥିବା ରାସ୍ତାର ଅନୁଧ୍ୟାନ କରିବା ସହ ତୁରନ୍ତ ମରାମତି କରିବା ଦିଗରେ ପଦକ୍ଷେପ ନେବାକୁ ନିର୍ବାହୀ ଯନ୍ତ୍ରୀଙ୍କୁ ନିର୍ଦେଶ ଦେଇଛନ୍ତି। ସେହିପରି ଲଗାଣ ବର୍ଷା ଯୋଗୁଁ ଅଶୋକ ନଗର ଫାଳିକିଆ ବସ୍ତିରେ ଲୋକଙ୍କ ଘର ଭାଙ୍ଗିବା ଖବର ଶୁଣି ଭୁବନେଶ୍ବର ମଧ୍ୟ ବିଧାୟକ ଅନନ୍ତ ନାରାୟଣ ଜେନା ପହଞ୍ଚି ଶୁଖିଲା ଖାଦ୍ୟ ଓ ଆର୍ଥିକ ସହାୟତା ପ୍ରଦାନ କରିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe