ପାନ୍ଥନିବାସରେ ଆରମ୍ଭ ହେଲା ରଜ ମହୋତ୍ସବ

Advertisment
ପାନ୍ଥନିବାସରେ ଆରମ୍ଭ ହେଲା ରଜ ମହୋତ୍ସବ

ଭୁବନେଶ୍ୱର: ଓଡ଼ିଶାର ସାଂସ୍କୃତିକ ଗଣପର୍ବ ରଜର ପ୍ରଚାରପ୍ରସାର ଓ ପରମ୍ପରା ରକ୍ଷା ଉଦ୍ଦେଶ୍ୟରେ ପ୍ରତିବର୍ଷ ପାନ୍ଥନିବାସ ପରିସରେ ଆୟୋଜିତ ହେଉଥିବା ‘ରଜ ମହୋତ୍ସବ’ କାର୍ଯ୍ୟକ୍ରମ ଚଳିତ ବର୍ଷ ବି ଆୟୋଜିତ ହୋଇଯାଇଛି। ଏଥର କିନ୍ତୁ କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ନିରାଡ଼ମ୍ବର ଭାବେ ଉଦ୍‌ଘାଟିତ ହୋଇଛି। ଓଡ଼ିଶା ପର୍ଯ୍ୟଟନ ଉନ୍ନୟନ ନିଗମ(ଓଟିଡିସି) ପକ୍ଷରୁ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଆଜି ‘ପିଠା ଅନ୍ ହ୍ୱିଲ୍‌’କୁ ମଧ୍ୟ ଉନ୍ମୋଚିତ କରାଯାଇଛି। ଆସନ୍ତାକାଲିଠାରୁ ଏହି ‘ପିଠା ଅନ୍‌ ହ୍ବଲ୍‌’ ଗାଡ଼ି ରାଜଧାନୀ ସାରା ବୁଲି ଲୋକଙ୍କୁ ପାରମ୍ପରିକ ପିଠାର ସ୍ବାଦ ଚଖାଇବ। ରାଜଧାନୀ ଭୁବନେଶ୍ୱର ସମେତ ସମ୍ବଲପୁର ଓ କଟକରେ ସୁଲଭ ଦରରେ ସୁସ୍ୱାଦୁ ଓଡ଼ିଆ ପିଠା ଯୋଗାଇ ଦେବ ଏହି ଗାଡ଼ି। ଅନ୍ୟପଟେ ପାନ୍ଥନିବାସରେ ଏଥର କେବଳ ପ୍ରତୀକାତ୍ମକ ଭାବେ ଦୋଳି ପକାଯାଇଛି। ଦୋଳିରେ କଣ୍ଢେଇ ଝୁଲୁଛି। ଦର୍ଶକ ଦୋଳି ସାମ୍‌ନାରେ ସେଲ୍ଫି ନେବାର ଓ ପାନ୍ଥନିବାସ ପରିସରରୁ ପିଠା କିଣି ଖାଇବାର ବ୍ୟବସ୍ଥା କରାଯାଇଛି।

ଆଜି ଏହି କାର୍ଯ୍ୟକ୍ରମକୁ ଓଟିଡିସି ଅଧ୍ୟକ୍ଷା ଶ୍ରୀମୟୀ ମିଶ୍ର ଉଦ୍‌ଘାଟନ କରିଥିଲେ। ଶ୍ରୀମତୀ ମିଶ୍ର ପ୍ରାରମ୍ଭରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ବାର୍ତ୍ତା ପାଠ କରି ଓଡ଼ିଶାବାସୀଙ୍କୁ ରଜ ଶୁଭେଚ୍ଛା ଜଣାଇଥିଲେ। ଓଟିଡିସିର ପାନ୍ଥନିବାସ ଓ ମିସନ ଶକ୍ତି ମା’ମାନଙ୍କ ସହାୟତାରେ ଆୟୋଜନ କରାଯାଉଥିବା ‘ପିଠା ଅନ୍ ହ୍ୱିଲ୍‌’ କାର୍ଯ୍ୟକ୍ରମକୁ ମଧ୍ୟ ଶୁଭେଚ୍ଛା ଜଣାଇଛନ୍ତି। ଏହାସହିତ ସମସ୍ତେ କଟକଣା ମାନି ନିରାଡ଼ମ୍ବର ଭାବେ ରଜପର୍ବ ପାଳନ କଲେ କୋଭିଡ୍ ସଂକ୍ରମଣରୁ ଦୂରେଇ ରହିହେବ ବୋଲି ମୁଖ୍ୟମନ୍ତ୍ରୀ ତାଙ୍କ ବାର୍ତ୍ତାରେ କହିଛନ୍ତି। ଏହି ଅବସରରେ ଓଟିଡିସି ପରିଚାଳନା ନିର୍ଦ୍ଦେଶକ ତଥା ରାଜ୍ୟ ପର୍ଯ୍ୟଟନ ନିର୍ଦ୍ଦେଶକ ସଚିନ ଆର. ଯାଦବ ବି ଉପସ୍ଥିତ ଥିଲେ।

ରାଜଧାନୀ ଭୁବନେଶ୍ୱରର ୬ଟି ସ୍ଥାନରେ ସକାଳ ୭ଟାରୁ ୧୧ଟା ପର୍ଯ୍ୟନ୍ତ ଏହି ପିଠା ମିଳିବ। ମାଷ୍ଟରକ୍ୟାଣ୍ଟିନ ଛକ, ଖଣ୍ଡଗିରି ଛକ, ସିଆରପି ଛକ, ପଟିଆ ଛକ, ଚନ୍ଦ୍ରଶେଖରପୁର ଓ ରୁପାଲି ଛକରେ ପାନ୍ଥନିବାସ ଓ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀ ପକ୍ଷରୁ ‘ପିଠା ଅନ୍ ହ୍ୱିଲ୍‌’ ମାଧ୍ୟମରେ ଏହି ପିଠା ବିକ୍ରି କରାଯିବ। ପିଠା ବିକ୍ରି ନିମନ୍ତେ ସ୍ୱତନ୍ତ୍ର ମୋବାଇଲ ଫୋନ୍ ନମ୍ବର ଜାରି କରାଯାଇଛି। ଏହି ନମ୍ବର ଓଟିଡିସି ସୋସିଆଲ ମିଡିଆ ପେଜ୍‌ରେ ମଧ୍ୟ ଉପଲବ୍ଧ ଅଛି। ଭୁବନେଶ୍ୱର, ସମ୍ବଲପୁର ଓ କଟକ ପାନ୍ଥନିବାସରେ ସ୍ୱତନ୍ତ୍ର କାଉଣ୍ଟର ଖୋଲା ଯାଇ ଏହି ପିଠା ବିକ୍ରି କରାଯିବ ବୋଲି ଶ୍ରୀମତୀ ମିଶ୍ର କହିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe