Advertisment

The red meteor: ଲିଭିଗଲା ଲାଲ୍‌ ଉଲ୍‌କା

Advertisment

୮୦ଦଶକ ବେଳକୁ ବଲିଉଡ୍‌ରେ ହିଁ ଦେଖିବାକୁ ମିଳୁଥିଲା ଡବଲ୍‌ ରୋଲ୍‌। ଓଲିଉଡ୍‌ରେ କୌଣସି କଳାକାରଙ୍କୁ ନେଇ ଡବଲ୍ ରୋଲ୍‌ କ୍ବଚିତ୍‌ ଥିଲା। କିନ୍ତୁ ଏକ୍ଷେତ୍ରରେ ଜଲିଉଡ୍‌ ଥିଲା....

୮୦ଦଶକ ବେଳକୁ ବଲିଉଡ୍‌ରେ ହିଁ ଦେଖିବାକୁ ମିଳୁଥିଲା ଡବଲ୍‌ ରୋଲ୍‌। ଓଲିଉଡ୍‌ରେ କୌଣସି କଳାକାରଙ୍କୁ ନେଇ ଡବଲ୍ ରୋଲ୍‌ କ୍ବଚିତ୍‌ ଥିଲା। କିନ୍ତୁ ଏକ୍ଷେତ୍ରରେ ଜଲିଉଡ୍‌ ଥିଲା....

Untitled-1

ଖଣ୍ଡଗିରି: ୮୦ଦଶକ ବେଳକୁ ବଲିଉଡ୍‌ରେ ହିଁ ଦେଖିବାକୁ ମିଳୁଥିଲା ଡବଲ୍‌ ରୋଲ୍‌। ଓଲିଉଡ୍‌ରେ କୌଣସି କଳାକାରଙ୍କୁ ନେଇ ଡବଲ୍ ରୋଲ୍‌ କ୍ବଚିତ୍‌ ଥିଲା। କିନ୍ତୁ ଏକ୍ଷେତ୍ରରେ ଜଲିଉଡ୍‌ ଥିଲା ଓଲିଉଡ୍‌ଠାରୁ ଆଗରେ। ନାଟକ ଥିଲା ତାରପୁର ଅପେରାର ‘ପ୍ରେମ ସମାଧିରେ ବିବାହ ବେଦି’। ସେତେବେଳର ଜଲିଉଡ୍‌ ତାରକା ଦେବୀପ୍ରସାଦ ରଥ ସେଥିରେ ଡବଲ୍ ରୋଲ୍‌ କରିଥିଲେ। ଗୋଟିଏ ଚରିତ୍ର ଥିଲା ଦସ୍ୟୁ ଲାଲ୍‌ ଉଲ୍‌କା ଓ ଅନ୍ୟଟି ଥିଲା ବିଦୂଷକ। ଯେଉଁ ଦୃଶ୍ୟରେ ଦେବୀ ରଥ ପୂରା ଲାଲ୍‌ରଙ୍ଗର ପୋଷାକ ପିନ୍ଧି ଭୟଙ୍କର ଦସ୍ୟୁ ବେଶରେ ମଞ୍ଚ ଥରହର କରୁଥିଲେ, ଠିକ୍‌ ସେହି ଦୃଶ୍ୟରେ କିଛି କ୍ଷଣ ମଧ୍ୟରେ ସେ ପୂରା ଧଳା ପୋଷାକରେ ବିଦୂଷକ ସାଜି ପହଞ୍ଚି ଯାଉଥିଲେ ଏବଂ ଦର୍ଶକଙ୍କୁ ହସେଇ ହସେଇ ବେଦମ୍‌ କରୁଥିଲେ। ଚମତ୍କାର ଥିଲା ତାଙ୍କ ଅଭିନୟ। ଆଜିକାଲି ନାମୀ ଅପେରା ପାର୍ଟିଗୁଡ଼ିକର ଯେ କୌଣସି ହିଟ୍‌ ବହି ଅତି ବେଶିରେ ଦୁଇ ବର୍ଷ ପର୍ଯ୍ୟନ୍ତ ଦର୍ଶକଙ୍କ ମନ କିଣି ପାରୁଛି। କିନ୍ତୁ ଦେବୀ ରଥଙ୍କ ‘ପ୍ରେମ ସମାଧିରେ ବିବାହ ବେଦି’ ସମଗ୍ର ଓଡ଼ିଶାରେ ଦୀର୍ଘ ୫ବର୍ଷ ଦର୍ଶକଙ୍କୁ ଆକର୍ଷିତ କରିଥିଲା। ତାହାର ମୁଖ୍ୟ କାରଣ ଥିଲେ ଦେବୀ ରଥ। ରାଜଧାନୀରେ ଖଣ୍ଡଗିରି ମେଳା ହେଉଛି ଯାତ୍ରା ମହାସମରର କ୍ଷେତ୍ର। ଖଣ୍ଡଗିରି ହରେକୃଷ୍ଣ ମହତାବ ପେଣ୍ଡାଲରେ ଦେବୀ ରଥଙ୍କ ଏହି ନାଟକ ଲଗାତାର ୫ବର୍ଷ ଦର୍ଶକଙ୍କୁ ମନ୍ତ୍ରମୁଗ୍‌ଧ କରିଥିଲା। ସେତେବେଳେ ଖଣ୍ଡଗିରି ମେଳା ଆସିଲେ, ଲୋକେ ମନେ ପକାଉଥିଲେ ଦେବୀ ରଥଙ୍କୁ ଓ ତାଙ୍କ ନାଟକ ‘ପ୍ରେମ ସମାଧିରେ ବିବାହ ବେଦି’କୁ। ଆଜି ସେହି ବେଦି(ଯାତ୍ରା ପେଣ୍ଡାଲ) ଅଛି, ମାତ୍ର ଦେବୀ(ଲାଲ୍‌ ଉଲ୍‌କା) ନାହାନ୍ତି। ପବିତ୍ର କାର୍ତ୍ତିକ ପୂର୍ଣ୍ଣିମାର ପାହାନ୍ତି ପହରରେ ଲୋକେ ବୋଇତକୁ ମେଲାଣି ଦେବା ବେଳକୁ ଦେବୀ ରଥ ବିଦାୟ ନେଇ ଅଫେରା ରାଇଜରେ ପହଞ୍ଚିସାରିଛନ୍ତି। ଆକାଶରେ ପୂନେଇ ଜହ୍ନ ମଳିନ ପଡ଼ି ନଥିବା ବେଳେ ଜଲିଉଡ୍‌ ଆକାଶରୁ ଲାଲ୍‌ ଉଲ୍‌କା ଲିଭିଯାଇଛି।

ମନେ ରହିବେ ଜେଲ୍‌ ଟାଇଗର୍‌  

ତାରପୁର ଅପେରାର ମୁଖ୍ୟ ନାୟକ ଥିଲେ ଦେବୀ ରଥ ଓରଫ ମାମା। ନିଜ ଭିଣୋଇଙ୍କ ଯାତ୍ରା ପାର୍ଟି(ତତ୍କାଳୀନ ନମ୍ବର ୱାନ୍‌ ଅପେରା)ରୁ ସେ ତାଙ୍କ ଅଭିନୟ ଜୀବନ ଆରମ୍ଭ କରିଥିଲେ। ସେ ୧୯୭୭ ମସିହାରୁ ଖଣ୍ଡଗିରି ମଞ୍ଚରେ ଅଭିନୟ କରି ଆସୁଥିଲେ। ‘ପ୍ରେମ ସମାଧିରେ ବିବାହ ବେଦି’ ନାଟକର ଲାଲ୍ ଉଲ୍‌କା ଚରିତ୍ର ତାଙ୍କୁ ବହୁ ସମ୍ମାନ ଦେଇଥିଲା। କେବଳ ତାଙ୍କ ପାଇଁ ହିଁ ଖଣ୍ଡଗିରି ଯାତ୍ରା କମିଟି ମଧ୍ୟ ବେଶ୍‌ ସଫଳ ହୋଇଥିଲା। ସେହିଭଳି ତାଙ୍କ ଅଭିନୀତ ନାଟକ ‘ଜେଲ୍‌ ଟାଇଗର୍’ ମଧ୍ୟ ଆଜି ଲୋକଙ୍କ ମନରେ ବସା ବାନ୍ଧିରହିଛି। ଯାତ୍ରା ଜୀବନର ଶେଷଭାଗରେ ମଧ୍ୟ ତାଙ୍କ ଅଭିନୀତ ନାଟକ ‘ଅଧା ରାତିର ସାଥୀ’ ଖଣ୍ଡଗିରିରେ ‌ଦର୍ଶକଙ୍କ ଭଲ ପାଇବା ସାଉଁଟିପାରିଥିଲା। ତାରପୁର ଗଣନାଟ୍ୟ ପରେ ବାଘାଯତୀନ, ଇଷ୍ଟର୍ଣ୍ଣ ବ୍ଲୁ ଓ ତୁଳସୀ ଭଳି ବହୁ ନାମୀ ଯାତ୍ରାପାର୍ଟିରେ ଅଭିନୟ କରିଥିଲେ ଏବଂ ଖଣ୍ଡଗିରିକୁ ଭଲ ପାଇଥିଲେ।  ଖଣ୍ଡଗିରି ତାଙ୍କୁ ସବୁବେଳେ ମନେରଖିବ। ମେଳା ଆସିଲେ ଖଣ୍ଡଗିରି ତାଙ୍କୁ ଝୁରିବ ନିଶ୍ଚୟ। 

କୃଷ୍ଣଚନ୍ଦ୍ର ଜେନା, ସଭାପତି, ହରେକୃଷ୍ଣ ମହତାବ ସାଂସ୍କୃତିକ ପରିଷଦ

ଜଲିଉଡ୍‌ର ଯାଦୁକର

ଦେବୀ ରଥ ଥିଲେ ଜଲିଉଡ୍‌ର ଯାଦୁକର। ନାୟକଠାରୁ ଆରମ୍ଭ କରି ହାସ୍ୟ କଳାକାର ଭାବେ ସେ ସବୁ ଚରିତ୍ରକୁ ନିଖୁଣ ଭାବେ ପ୍ରଦର୍ଶନ କରିପାରୁଥିଲେ। ତାଙ୍କ ଅଭିନୟରେ ଥିଲା ଯାଦୁ। ଓଡ଼ିଶା ଲୋକେ ତାଙ୍କୁ କେବେ ଭୁଲିପାରିବେନି। ୭୧ବର୍ଷ ବୟସରେ ସେ ଆମକୁ ଛାଡ଼ି ଚାଲି ଯାଇଛନ୍ତି। ସେ ସିନା ଚାଲିଗଲେ, କିନ୍ତୁ ‘ମାମା’ ଡାକ ହଜିଯିବନି। ତାଙ୍କ ଡାକ ନାଁ ବୁଟୁ ହୋଇଥିଲେ ହେଁ ସମସ୍ତେ ତାଙ୍କୁ ମାମା ବୋଲି ସମ୍ବୋଧନ କରୁଥିଲେ। ମହାଭାରତରେ ଅର୍ଜୁନ ଭୂମିକା ସହ ତାଙ୍କ ଅଭିନୀତ ନାଟକ ‘ପ୍ରେମ ସମାଧିରେ ବିବାହ ବେଦି’,  ‘ବାଟ ଛାଡ଼ ଷଣ୍ଢ ଆସୁଛି’, ‘ପାକିସ୍ତାନ ଝିଅ ଭାରତ ବୋହୂ’, ‘ମଦର ଇଣ୍ଡିଆ’, ‘ଛତା ଚିହ୍ନରେ ଭୋଟ୍‌ ଦିଅ’ ଭଳି ନାଟକ ତାଙ୍କୁ ସବୁବେଳେ ଅମର କରି ରଖିଥିବ। ତାଙ୍କ ଅମର ଆତ୍ମାର ସଦ୍‌ଗତି ହେଉ, ଏତିକି ହିଁ ପ୍ରଭୁ ଜଗନ୍ନାଥଙ୍କ ନିକଟରେ ପ୍ରାର୍ଥନା।  

ଆର୍‌କେ ହୀରାଲାଲ୍‌, ସମ୍ପାଦକ, ଯାତ୍ରା କଳାକାର ଓ କର୍ମଚାରୀ ସଂଘ  

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe