ପୁଣି ବନ୍ଦ ହେଲା ଖଣ୍ଡଗିରି-ଉଦୟଗିରି ମଝି ରାସ୍ତା

ପୁଣି ବନ୍ଦ ହେଲା ଖଣ୍ଡଗିରି-ଉଦୟଗିରି ମଝି ରାସ୍ତା

Dailyhunt

ଖଣ୍ଡଗିରି: ଖଣ୍ଡଗିରି-ଉଦୟଗିରି ମଝି ରାସ୍ତାକୁ ପୁଣି ବନ୍ଦ କରାଯାଇଛି। ଖଣ୍ଡଗିରି ଯାତ୍ରା ପୂର୍ବରୁ ବ୍ୟାରିକେଡ୍‌ କରି ଏହି ରାସ୍ତାକୁ ବନ୍ଦ କରାଯାଇଥିଲା। କିନ୍ତୁ ଖଣ୍ଡଗିରି ମେଳା ସରିବା ପରେ ଏଏସ୍‌ଆଇର ଦାୟିତ୍ବହୀନତା ପାଇଁ ବ୍ୟାରିକେଡ୍‌ ସୁରକ୍ଷିତ ରହିପାରିଲାନାହିଁ ଏବଂ ଉକ୍ତ ରାସ୍ତାରେ ଲୋକେ ଯାତାୟାତ କରିବା ଆରମ୍ଭ କରିଥିଲେ। ଏମିତିକି ଭାରୀଯାନ ବି ଚଳାଚଳ ଆରମ୍ଭ ହୋଇଯାଇଥିଲା। ଏନେଇ ‘ସମ୍ବାଦ’ରେ ଖବର ପ୍ରକାଶ ପାଇବା ପରେ ଏଏସ୍‌ଆଇର ଚେତା ଫେରିଛି। ଆଜି ପୁଣି ବ୍ୟାରିକେଡ୍‌ ପକାଇ ଉକ୍ତ ରାସ୍ତାକୁ ସମ୍ପୂର୍ଣ୍ଣ ବନ୍ଦ କରିଦିଆଯାଇଛି।

ଏହି ମଝି ରାସ୍ତାରେ ଭାରୀଯାନ ଚଳାଚଳ କରିବା ଦ୍ବାରା ଖଣ୍ଡଗିରି-ଉଦୟଗିରି ଐତିହ୍ୟ ଅସୁରକ୍ଷିତ ହୋଇପଡ଼ୁଥିଲା ବୋଲି ଗବେଷକମାନେ ଆଶଙ୍କା କରିଥିଲେ। ତେଣୁ ଉକ୍ତ ରାସ୍ତାରେ ଗାଡ଼ି ଚଳାଚଳ ବନ୍ଦ କରିବାକୁ ବିଭିନ୍ନ ମହଲରୁ ଦାବି ହୋଇଆସୁଥିଲା। ମାତ୍ର ସ୍ଥାନୀୟ ଲୋକଙ୍କ ଯାତାୟାତ ପାଇଁ ସମସ୍ୟା ଥିବାରୁ ଏହାକୁ ବନ୍ଦ କରାଯାଇପାରୁନଥିଲା। ମାତ୍ର ଏବେ ଏହି ପାହାଡ଼ ଚାରିକଡ଼ରେ ଉନ୍ନତମାନର ରାସ୍ତା ହୋଇସାରିଥିବାରୁ ସ୍ଥାନୀୟ ଲୋକଙ୍କ ସମସ୍ୟା ନାହିଁ। ତେଣୁ ଏହି ମଝି ରାସ୍ତାକୁ ବନ୍ଦ କରିଦିଆଗଲା। ପାନ୍ଥିକା ଛକରୁ ବସ୍ ଟର୍ମିନାଲ ପର୍ଯ୍ୟନ୍ତ ରାସ୍ତାରେ ଗାଡ଼ି ଚଳାଚଳ ବନ୍ଦ କରିଦିଆଗଲା। ପାନ୍ଥିକା ଛକରେ ବ୍ୟାରିକେଡ୍‌ ପକାଇଦିଆଗଲା। ମାତ୍ର ଖଣ୍ଡଗିରି ମେଳା ସରିବା ପରେ ଏହି କଟକଣା ଉପରେ ଏଏସ୍‌ଆଇର ନଜର ରହିଲା ନାହିଁ। ତେଣୁ ବ୍ୟାରିକେଡ୍‌କୁ ଘୁଞ୍ଚାଇ ଲୋକେ ପୁଣି ଗାଡ଼ିରେ ଯା’ଆସ କଲେ। ଏନେଇ ଖବର ପ୍ରସାରଣ ହେବା ପରେ ଆଜିଠାରୁ ପୁଣି ଏହି ରାସ୍ତାକୁ ବନ୍ଦ କରିଦିଆଯାଇଛି। ସୂଚନାନୁସାରେ ପାର୍କିଂ ସ୍ଥଳୀରୁ ପାହାଡ଼ ପର୍ଯ୍ୟନ୍ତ ବୟସ୍କ ଲୋକଙ୍କ ଯାତାୟାତ ପାଇଁ ଖୁବ୍‌ ଶୀଘ୍ର ବ୍ୟାଟେରିଚାଳିତ ଯାନ ଚଳାଚଳ ବ୍ୟବସ୍ଥା କରିବାକୁ ପଦକ୍ଷେପ ନିଆଯାଉଛି ବୋଲି ଏଏସ୍‌ଆଇ ପକ୍ଷରୁ କୁହାଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe