ଚନ୍ଦ୍ରଶେଖରପୁର: ମାନବିକତାକୁ ନେଇ ରଚନା କରାଯାଉଥିବା ସାହିତ୍ୟ ହିଁ ବଞ୍ଚିରହେ। ସମୟ ଓ କାଳକୁ ଅତିକ୍ରମ କରି ବ୍ୟାପ୍ତୀ ଦେଖାଉଥିବ କିନ୍ତୁ ଏକ ନିର୍ଦ୍ଦିଷ୍ଟ ବିନ୍ଦୁକୁ ଦର୍ଶାଉଥିବା ରଚନା ହିଁ କାଳଜୟୀ ସାହିତ୍ୟର ମାନ୍ୟତା ପାଇଥାଏ। ଏଥିପ୍ରତି ଲେଖକମାନେ ଯତ୍ନବାନ ହେବା ଉଚିତ। ଶନିବାର ଲେଖକ ସରୋଜ ମିଶ୍ରଙ୍କ ରଚିତ ଇଂରାଜୀ ପୁସ୍ତକ ‘ଦି ରୋଡ ଟୁ ପାରାଡାଇଜ୍’ର ଉନ୍ମୋଚନ ଉତ୍ସବରେ ମୁଖ୍ୟଅତିଥି ଭାବରେ ଯୋଗ ଦେଇ ଏପରି ମତ ବ୍ୟକ୍ତ କରିଛନ୍ତି ବିଶିଷ୍ଟ ସାହିତ୍ୟିକ ପ୍ରଫେସର ଶାନ୍ତନୁ ଆଚାର୍ଯ୍ୟ।
ବିଶିଷ୍ଟ କଥାକାର ଡ. ଗୌରହରି ଦାସ ପୁସ୍ତକଟିର ସମୀକ୍ଷା କରି ଲେଖକଙ୍କ ପ୍ରଚେଷ୍ଟାକୁ ପ୍ରଶଂସା କରିଥିଲେ। ବିଶାଳ ପ୍ରେକ୍ଷାପଟ ରହିଥିବା ଏହି ପୁସ୍ତକଟିରେ ଓଡ଼ିଶାର ଅଖ୍ୟାତ ପଲ୍ଲୀଠାରୁ ଆରମ୍ଭ କରି କଟକ ପରେ ବମ୍ବେର ବିଳାସମୟ ଜୀବନଶୈଳୀ ଓ ଇରାକର ଯୁଦ୍ଧ ପରିସ୍ଥିତିକୁ ସୁନ୍ଦର ଭାବରେ ବର୍ଣ୍ଣନା କରାଯାଇଛି। ଜାତୀୟ, ଅନ୍ତର୍ଜାତୀୟ ତଥା ଆଞ୍ଚଳିକ ରାଜନୈତିକ ଦୃଶ୍ୟପଟ୍ଟଠାରୁ ଆରମ୍ଭ କରି ସାହିତ୍ୟ, ସଂସ୍କୃତି ଓ ସାମାଜିକ ବ୍ୟବସ୍ଥାର ଚିତ୍ର ମଧ୍ୟ ଦର୍ଶାଯାଇଛି। ଯଥାର୍ଥରେ ସାହିତ୍ୟ ସମାଜର ସମାନ୍ତରଳ ଇତିହାସ ଉକ୍ତିକୁ ଏହି ପୁସ୍ତକ ପୂର୍ଣ୍ଣ କରୁଥିବା ଡ. ଦାସ ପ୍ରକାଶ କରିଥିଲେ। ଅନୁବାଦକ ପ୍ରଫେସର ଯତୀନ ନାୟକ ଉତ୍ସବଟିକୁ ସଂଯୋଜନା କରିଥିଲେ। ଲେଖକ ସରୋଜ ମିଶ୍ର ଏହି ପୁସ୍ତକ ରଚନା ଅନୁଭୂତି ବିଷୟରେ ବର୍ଣ୍ଣନା କରିଥିଲେ।
Follow Us