ରହସ୍ୟଘେରରେ ଫ୍ଲାଏଓଭର୍‌ରୁ ପଡ଼ି ଲୁଟେରା ମୃତ୍ୟୁ ଘଟଣା: ରାକେଶଙ୍କୁ ଉଲଗ୍ନ କଲା କିଏ?

ଗାମୁଛା ପିନ୍ଧି ରାକେଶ ଲୁଟ୍‌ କରୁଥିଲେ! ଘଟଣାସ୍ଥଳରେ ସାଇଣ୍ଟିଫିକ୍‌‌ ଟିମ୍‌ର ଛାନ୍‌ଭିନ୍‌

ଫ୍ଲାଏଓଭର୍‌ରୁ ପଡ଼ି ଲୁଟେରା ମୃତ, ‌ପେଲିଦେଲେ ନା ଡେଇଁ ପଡ଼ିଲେ

ଭୁବନେଶ୍ବର: ସତ୍ୟନଗର ଆଦିତ୍ୟ ଲେନ୍‌ର ରାକେଶ ପଣ୍ଡାଙ୍କ ମୃତ୍ୟୁ ଘଟଣାକୁ ନେଇ ରହସ୍ୟ ବଢ଼ିବା‌ରେ ଲାଗିଛି। ରାଜପଥ ଉପରେ ଗାଡ଼ିଗୁଡ଼ିକୁ ଅଟକାଇ ଲୁଟ୍‌ କରୁଥିବା ରାକେଶ ପୁଲିସ୍‌ ଭୟରେ ଫାୟାରଷ୍ଟେସନ୍‌ ଫ୍ଲାଏଓଭର୍‌ରୁ ଡେଇଁ ପଡ଼ିଥିବା କୁହାଯାଉଥିଲେ ହେଁ ପାରିପାର୍ଶ୍ବିକ ସ୍ଥିତିରୁ ଏହା ଏକ ଯୋଜନାବଦ୍ଧ ହତ୍ୟାକାଣ୍ଡ ବୋଲି ସନ୍ଦେହ କରାଯାଉଛି। ଘଟଣାର ୧୦ ଘଣ୍ଟା ପରେ ରାକେଶଙ୍କ ଉଲଗ୍ନ ଶବ ମିଳିବା, ପୁଲିସ୍‌ ତାଙ୍କ ପ୍ୟାଣ୍ଟ ସାର୍ଟ ଜବତ କରି ନପାରିବା ଓ ସବୁଠୁ ଗୁରୁତ୍ବପୂର୍ଣ୍ଣ, ଏ ବାବଦରେ ପରିବାରଲୋକ ମୁହଁ ନ ଖୋଲିବା; ରହସ୍ୟକୁ ଅଧିକ ଘନୀଭୂତ କରିବାରେ ଲାଗିଛି।

ଶନିବାର ସକାଳେ ପୁଲିସ୍‌ ଫ୍ଲାଏଓଭର୍‌ ତଳୁ ରାକେଶଙ୍କ ଉଲଗ୍ନ ଶବ ଜବତ କରିଥିଲା। ପାଖରୁ ପୁଲିସ୍‌କୁ ଗୋଟିଏ ଗାମୁଛା ମିଳିଥିଲା। ଏଠାରେ ପ୍ରଶ୍ନ ଉଠୁଛି, ରାକେଶ କ’ଣ ଗାମୁଛା ପିନ୍ଧି ରାଜପଥ ଉପରେ ଲୁଟ୍‌ କରୁଥିଲେ? ସେହିପରି ତାଙ୍କ ଶବ ନିକଟରୁ ଗୋଟିଏ ପର୍ସ (୪ ହଜାର ୫ଶହ ଟଙ୍କା ଥିବା) ଜବତ ହୋଇଥିଲା। ଯଦି ସେ ଗାମୁଛା ପିନ୍ଧିଥିଲେ, ତେବେ ପର୍ସ କେଉଁଠି ରଖିଥିଲେ? ଯଦି ପୁଲିସ୍‌ ତାଙ୍କୁ ଗୋଡ଼ାଇବାରୁ ଭୟରେ ସେ ତଳକୁ ଡେଇଁ ପଡ଼ିଲେ, ତେବେ ପିଛା କରୁଥିବା କର୍ମଚାରୀ ଦେଖିପାରିଲେନି କେମିତି? ଯଦି ପୁଲିସ ପିଛା କରୁନଥିଲା, ତେବେ ସେ ଡେଇଁଲେ ବା କାହିଁକି? ସେହିପରି ଫ୍ଲାଏଓଭର୍‌ ତଳେ ୧୦ଘଣ୍ଟା ଧରି ଶବ ପଡ଼ି ରହିଥିଲେ ମଧ୍ୟ ପୁଲିସ୍‌ କିଭଳି ଦେଖିପାରିଲା ନାହିଁ? ଏଭଳି ଅନେକ ଅସମାହିତ ପ୍ରଶ୍ନ ଏବେ ସାଧାରଣରେ ଉଙ୍କି ମାରୁଛି। ରାକେଶଙ୍କୁ କେହି ହତ୍ୟା କରି ତାଙ୍କୁ ସେହିଠାରେ ଶୁଆଇ ଦେଇଛି କିମ୍ବା ଫ୍ଲାଏଓଭର୍‌ ତଳୁ ଫୋପାଡ଼ି ଦେଇଛି ବୋଲି ସନ୍ଦେହ କରାଯାଉଛି।

ଅପରପକ୍ଷେ ଆଜି ସାଇଣ୍ଟିଫିକ୍‌ ଟିମ୍‌ ଛାନ୍‌ଭିନ୍‌ କରିଛି। ଘଟଣାସ୍ଥଳରୁ ମାଟିରେ ଲାଗିଥିବା ରକ୍ତନମୁନା ସହ ଓ ଅନ୍ୟାନ୍ୟ ପ୍ରମାଣ ଯୋଗାଡ଼ କରିଛି। କେଉଁ ପରିସ୍ଥିତିରେ ମୃତ୍ୟୁ ହୋଇଛି, ପଡ଼ିବା ବେଳେ ଆଉ କେଉଁଠି ମାଡ଼ ହୋଇଛି କି ନାହିଁ ଏ ସବୁ ଯାଞ୍ଚ କରିଛି। ଘଟଣା ସମୟରେ ମୃତଦେହ ଛଡ଼ା ଆଉ କାହା ପାଦଚିହ୍ନ ଥିଲା କି ନାହିଁ, ତାହା ମଧ୍ୟ ଯାଞ୍ଚ କରିଛି ଟିମ୍‌। ଏପଟେ ଶବ ବ୍ୟ‌ବଚ୍ଛେଦ ସରିବା ପରେ ରିପୋର୍ଟ ପ୍ରସ୍ତୁତ ହେଉଛି। ସାଇଣ୍ଟିଫିକ୍‌ ଟିମ୍‌ର ରିପୋର୍ଟ ସହ ବ୍ୟବଚ୍ଛେଦ ରିପୋର୍ଟ ଏହି ମୃତ୍ୟୁର କାରଣ ସ୍ପଷ୍ଟ କରିବ ବୋଲି କୁହାଯାଉଛି।

ପୁଲିସ୍‌ ସୂଚନା ଅନୁଯାୟୀ, ଶୁକ୍ରବାର ବିଳମ୍ବିତ ରାତିରେ ରାକେଶ ଓ ତାଙ୍କ ସହଯୋଗୀ ଅସୀମ ଆନନ୍ଦ ଜେନା ରାଜପଥ ଉପରେ ଗାଡ଼ିଗୁଡ଼ିକୁ ଅଟକାଇ ଲୁଟ୍‌ କରୁଥିଲେ। ସେମାନେ ଜଣେ ଅଟୋ ଚାଳକଙ୍କୁ ଲୁଟ୍‌ କରୁଥିବା ବେଳେ କଣ୍ଟ୍ରୋଲ ରୁମ୍‌ରୁ ଖବର ପାଇ ଖଣ୍ଡଗିରି ଥାନା ପିସିଆର୍‌ ଘଟଣାସ୍ଥଳରେ ପହଞ୍ଚି ଯାଇଥିଲା। ପୁଲିସ୍‌କୁ ଦେଖି ଅସୀମ ନିଜ ବୁଲେଟ୍‌ରେ ରସୁଲଗଡ଼ ଅଭିମୁଖେ ଫେରାର୍‌ ହୋଇଯାଇଥିଲା। ସେହିପରି ରାକେଶ ଫାୟାର ଷ୍ଟେସନ୍‌ ଆଡ଼େ ଦୌଡ଼ିଥିଲେ। ତାକୁ ଦୁଇଜଣ ପୁଲିସ୍‌ ପିଛା କରିଥିଲେ ମଧ୍ୟ କିଛି ବାଟ ପରେ ସେ ଉଭାନ୍‌ ହୋଇଯାଇଥିଲେ। ଘଟଣାର ୧୦ ଘଣ୍ଟା ପରେ ଅର୍ଥାତ୍‌ ପରଦିନ ପୂର୍ବାହ୍ନ ସାଢ଼େ ୧୦ଟା ବେଳେ ଜଣେ ବ୍ୟକ୍ତି ଏହି ମୃତଦେହ ଦେଖିବା ପରେ ପୁଲିସକୁ ଖବର ଦେଇଥିଲେ। ପୁଲିସ ଖୋଳତାଡ଼ କରୁ କରୁ ମୃତକ ଗତ ରାତିର ରାଜପଥ ଲୁଟେରା ବୋଲି ଚିହ୍ନଟ କରିଥିଲା। ଅପରପକ୍ଷରେ ପୁଲିସ ଅସୀମକୁ ଗିରଫ କରି ଆଜି କୋର୍ଟ ଚାଲାଣ କରିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe