Ilam Times
ଭୁବନେଶ୍ବର: ଚଳିତ ସପ୍ତାହରେ ପୁଲିସ ଏକାଧିକ ଲୁଟେରା ଗ୍ୟାଙ୍ଗ୍କୁ ଧରିବାରେ ସକ୍ଷମ ହୋଇଥିଲେ ହେଁ ରାଜଧାନୀରେ ଏବେ ଆଉ ଏକ ଲୁଟେରା ଗ୍ୟାଙ୍ଗ୍ ମାତିଛନ୍ତି। ବନ୍ଦ ଘରକୁ ଟାର୍ଗେଟ୍ କରି ଲୁଟ୍ପାଟ୍ କରୁଛନ୍ତି। ମାତ୍ର ସପ୍ତାହକ ମଧ୍ୟରେ ନୂଆପଲ୍ଲୀ ଓ ଖଣ୍ଡଗିରି ଥାନା ଅଞ୍ଚଳରେ ୩ଟି ଘରେ ପଶି ଲୁଟେରାମାନେ ପ୍ରାୟ ୩୦ଲକ୍ଷ ଟଙ୍କାର ସୁନା ଗହଣା ନଗଦ ୫ଲକ୍ଷରୁ ଅଧିକ ଟଙ୍କା ଲୁଟି ନେଇଥିବା ଅଭିଯୋଗ ହୋଇଛି।
ନିକଟରେ ନୂଆପଲ୍ଲୀରେ ଜଳେଶ୍ବର ବାର୍ ଆସୋସିଏସନ୍ର ସଭାପତି ଅନୀଲ କୁମାର ପରିଡ଼ାଙ୍କ ଘରେ ପଶି ଲୁଟ୍ କରିବା ପରେ ପୁଣି ଖଣ୍ଡଗିରିରେ ୨ଟି ଲୁଟ୍ ହୋଇଛି। ରବିବାର ବିଳମ୍ବିତ ରାତିରେ ଖଣ୍ଡଗିରିର ହରିଶ୍ଚନ୍ଦ୍ର ପତିଙ୍କ ଘରେ ପଶି ଲୁଟେରା ସମାନ ଢଙ୍ଗରେ କଳାକନା ବୁଲାଇଛନ୍ତି। ୫ଲକ୍ଷ ଟଙ୍କାର ସୁନା ଅଳଙ୍କାର ଓ ନଗଦ ୧.୩୦ହଜାର ଟଙ୍କା ଲୁଟି ନେଇଛନ୍ତି। ସେହିପରି ସୋମବାର ସକାଳେ ଜାଗମରାରେ ରହୁଥିବା ସବ୍ୟସାଚୀ ସାହୁଙ୍କ ଘରେ ପଶି ଲୁଟେରାମାନେ ପ୍ରାୟ ସାଢ଼େ ୩ଲକ୍ଷ ଟଙ୍କାର ଗହଣା ଚୋରି କରି ନେଇଛନ୍ତି।
ସବ୍ୟସାଚୀଙ୍କ ଅଭିଯୋଗ ମୁତାବକ, ସେ ତାଙ୍କ ପରିବାର ସହ ବାହାରକୁ ଯାଇଥିଲେ। ୨୩ତାରିଖରେ ଆସି ଦେଖିବା ବେଳକୁ ଘର କବାଟ ଭଙ୍ଗା ହୋଇ ଲୁଟ୍ପାଟ୍ ହୋଇଥିଲା। ପଡ଼ୋଶୀଙ୍କୁ ପଚାରିବାରୁ ରବିବାର ରାତି ପର୍ଯ୍ୟନ୍ତ ସବୁ ଠିକ୍ ଥିବା କହିଥିଲେ। ତେଣୁ ସୋମବାର ଭୋର୍ରୁ ଲୁଟ୍ ହୋଇଥିବା ସେ ଥାନାରେ ଅଭିଯୋଗ କରିଛନ୍ତି।
Follow Us