ସନ୍ଦେହରେ କ୍ରାଇମବ୍ରାଞ୍ଚ ଭୂମିକା, ଆକାଶଙ୍କ ବିରୋଧରେ ତଥ୍ୟ ପ୍ରମାଣ ଦେଇଥିଲା ଟାଟା ମୋଟର୍ସ

Advertisment

କାହିଁକି କାର୍ଯ୍ୟାନୁଷ୍ଠାନ ନିଆଯାଉ ନ ଥିଲା, ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିକୁ ୫ ଲକ୍ଷ ଦେଇ ବିଶ୍ବାସ ଜନ୍ମାଇଥିଲା

କାହିଁକି କାର୍ଯ୍ୟାନୁଷ୍ଠାନ ନିଆଯାଉ ନ ଥିଲା, ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିକୁ ୫ ଲକ୍ଷ ଦେଇ ବିଶ୍ବାସ ଜନ୍ମାଇଥିଲା

ସନ୍ଦେହରେ କ୍ରାଇମବ୍ରାଞ୍ଚ ଭୂମିକା, ଆକାଶଙ୍କ ବିରୋଧରେ ତଥ୍ୟ ପ୍ରମାଣ ଦେଇଥିଲା ଟାଟା ମୋଟର୍ସ

ଭୁବନେଶ୍ବର: କୁବେର ଆଇଏଫଏସ୍ ଅଫିସର୍‌ ଅଭୟକାନ୍ତଙ୍କ ପୁଅ ଆକାଶ ନିଜକୁ ଟାଟା ମୋଟର୍ସ ପାସେଞ୍ଜର ଡିଭିଜନ ଏମ୍‌ଡି ବୋଲି ଦର୍ଶାଇଥିଲା। ଟାଟା ମୋଟର୍ସ ଲୋଗୋ ବ୍ୟବହାର କରିବା ସହ ଜାଲିଆତି କରି ପରିଚୟପତ୍ରଠାରୁ ଆରମ୍ଭ କରି ଭିଜିଟିଂ କାର୍ଡ ସବୁ ତିଆରି କରିଥିଲା। ପୁନେ ପିମ୍ପ୍ରିରେ ନକଲି ଅଫିସ ମଧ୍ୟ ବନାଇଥିଲା। ନିଜର ଫେସବୁକ୍ ପେଜ୍‌ରେ ଟାଟା ମୋଟର୍ସରେ ନିଜକୁ ଉଚ୍ଚ ପଦାଧିକାରୀ ଦର୍ଶାଇଥିଲା। ଖାଲି ସେତିକି ନୁହେଁ, ଗତ ଏପ୍ରିଲରେ କୋଭିଡ୍ ମୁକାବିଲା ପାଇଁ ମୁଖ୍ୟମନ୍ତ୍ରୀଙ୍କ ରିଲିଫ୍ ପାଣ୍ଠିକୁ ଟାଟା ମୋଟର୍ସ ଅଧିକାରୀ ଦର୍ଶାଇ ୫ଲକ୍ଷ ଟଙ୍କା ପ୍ରଦାନ କରିଥିଲା। ରିଲିଫ୍ ପାଣ୍ଠି ତଥ୍ୟରେ ଆକାଶ ପାଠକ ଟାଟା ମୋଟର୍ସର ବୋଲି ଦର୍ଶାଯାଇଛି। ଏହାକୁ ଆଧାର କରି କେତେକ ଗଣମାଧ୍ୟମରେ ନ୍ୟୁଜ୍ ମଧ୍ୟ କରାଇଥିଲା। ଯାହା ତାହାର ଅସ୍ତ୍ର ଥିଲା। କିନ୍ତୁ ଏହା ପଛରେ ଶିକ୍ଷିତ ବେକାରୀଙ୍କୁ ଠକିବା ଥିଲା ତା’ର ଯୋଜନା। ଟାଟା ମୋଟର୍ସରେ ଚାକିରି ପାଇଁ ବିଜ୍ଞାପନ ଦେଇଥିଲା। ଜାଲ୍ ଇ-ମେଲ୍ ଆଇଡି ମଧ୍ୟ ତିଆରି କରିଥିଲା। ସେହି ମେଲ୍ ଆଇଡିରେ ଆବେଦନ କରିବା ପାଇଁ ବିଜ୍ଞାପନରେ କୁହା ଯାଇଥିଲା। ଲକ୍‌ଡାଉନ୍‌ ସମୟରେ ମୋଟା ଅଙ୍କର ଦରମା ଲୋଭ ଦେଖାଇଥିଲା। ନିଜେ ସାକ୍ଷାତକାର ନେଇଥିଲା।

ଯେଉଁମାନଙ୍କ ନାଁ ଚୂଡ଼ାନ୍ତ ତାଲିକାରେ ରଖିଥିଲା, ସେମାନଙ୍କଠାରୁ ଲକ୍ଷାଧିକ ଟଙ୍କା ଆଦାୟ କରିଥିଲା। ଏ ସଂକ୍ରାନ୍ତରେ ଟାଟା ମୋଟର୍ସ କର୍ତ୍ତୃପକ୍ଷ ଜାଣିବା ପରେ ଡିଜିଏମ୍ ତ୍ରିଲୋଚନ ମହାନ୍ତି ଗତ ମେ’ ୭ ତାରିଖରେ କ୍ରାଇମବ୍ରାଞ୍ଚର ଦ୍ବାରସ୍ଥ ହୋଇଥିଲେ। ଅଭିଯୁକ୍ତ ଆକାଶ ଆଇଏଫ୍ଏସ ଅଭୟକାନ୍ତ ପାଠକଙ୍କ ପୁଅ ବୋଲି ଅଭିଯୋଗରେ ଦର୍ଶାଇଥିଲେ। ଏହା ସହ ଫେସବୁକ୍ ଆଇଡିର ଫଟୋ, ମୁଖ୍ୟମନ୍ତ୍ରୀଙ୍କ ରିଲିଫ୍ ପାଣ୍ଠିକୁ ଦିଆ ଯାଇଥିବା ସହାୟତାର ନ୍ୟୁଜ୍ କ୍ଲିପିଂ, ସ୍କ୍ରିନସଟ୍ ଦିଆ ଯାଇଥିଲା। ସାଇବର ଥାନାରେ ଅଭିଯୋଗ ପରେ ମାମଲା ରୁଜୁ ହୋଇଥିଲା। ସିଧାସଳଖ କ୍ରାଇମବ୍ରାଞ୍ଚ ଆଇଜି ଅମିତେନ୍ଦ୍ର ନାଥ ସିହ୍ନାଙ୍କୁ ଏହି ଅଭିଯୋଗ ଦିଆଯାଇଥିଲା। ଠକେଇ, ଜାଲିଆତି, ଆଇଟି ଆକ୍ଟ ଭଳି ସଙ୍ଗିନ ଦଫା ଲାଗିଥିଲା। କିନ୍ତୁ ହାତ ବାନ୍ଧି ବସି ପଡ଼ିଥିଲା କ୍ରାଇମବ୍ରାଞ୍ଚ। ଏଠାରେ ପ୍ରଶ୍ନ ଉଠୁଛି, ଏତେ ସବୁ ପ୍ରମାଣ ପରେ ମଧ୍ୟ କାହିଁକି କ୍ରାଇମବ୍ରାଞ୍ଚ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିନଥିଲା? ଆଇଏଫଏସ୍‌ ଅଫିସରଙ୍କ ପୁଅ ବୋଲି, ନା ଆକାଶର ଜଣେ ବିଧାୟକଙ୍କ ଝିଅ ସହ ବିବାହ ହେବାକୁ ଥିବାରୁ କ୍ରାଇମବ୍ରାଞ୍ଚ ଉପରେ ଚାପ ପଡ଼ିଥିଲା? ସଙ୍ଗିନ୍‌ ମାମଲାରେ କାହିଁକି କ୍ରାଇମବ୍ରାଞ୍ଚ ତ୍ବରିତ କାର୍ଯ୍ୟାନୁଷ୍ଠାନ ନେଇ ନଥିଲା? ଏହି ଘଟଣାରେ କେଉଁ ଅଧିକାରୀଙ୍କୁ ଅବହେଳା ନେଇ ଦାୟୀ କରାଯିବ କି? ବୋଲି ସାଧାରଣରେ ପ୍ରଶ୍ନ ଉଠିଛି। ଆକାଶ କେବଳ ଏହି ଗୋଟିଏ ଠକେଇ ନା ପୁନେରେ ଅଫିସ୍‌ ଖୋଲି ଆହୁରି ଏକାଧିକ ଠକେଇ କରିଛି, ତାହା ମଧ୍ୟ ତଦନ୍ତସାପେକ୍ଷ।

ଚଢ଼ଉ ବେଳେ ସୁନା ଲୁଚାଇ ଦେଲେ ଆଇଏଫଏସଙ୍କ ପତ୍ନୀ!
ପୁଅ ବାହାଘରକୁ ମାତ୍ର ୧୫ ଦିନ ବାକି ଥିବା ବେଳେ ଗତକାଲି ଭିଜିଲାନ୍ସ ଚଢ଼ଉ ପରେ ଅବାକ୍ ହୋଇ ଯାଇଥିଲେ ଆଇଏଫ୍ଏସ ଅଫିସର ଅଭୟକାନ୍ତ ପାଠକଙ୍କ ପରିବାର। ଚଢ଼ଉ ଆରମ୍ଭ ହେବା ପରେ ଅଭୟକାନ୍ତଙ୍କ ପତ୍ନୀ କିଛି ସୁନା ଅଳଙ୍କାର ଲୁଚାଇ ଦେଇଥିଲେ। କିନ୍ତୁ ଭିଜିଲାନ୍ସ ନଜରରୁ ବର୍ତ୍ତି ପାରି ନ ଥିଲେ। ମହିଳା ଅଧିକାରୀ ସେହି ସୁନାକୁ ଖୋଜି ପାଇ ଯାଇଥିଲେ। ଆଉ କେଉଁଠି ଲୁଚାଇ ରଖାଯାଇଥିବା ସନ୍ଦେହରେ ଅଧିକାରୀମାନେ ଦୀର୍ଘ ସମୟ ଧରି ଖୋଳତାଡ଼ କରିଥିଲେ। ଦିନତମାମ ଚଢ଼ଉ ପରେ ୮୦୦ ଗ୍ରାମର ସୁନା ଅଳଙ୍କାର ଜବତ ହୋଇଥିଲା। ୨୩ ଲକ୍ଷ ଟଙ୍କାର ଗହଣା ବିଲ୍ ମଧ୍ୟ ଜବତ କରାଯାଇଛି।

କ’ଣ ହୋଇପାରେ କଳା ଟଙ୍କା ଆୟର ସୂତ୍ର?
ଆଜି ପର୍ଯ୍ୟନ୍ତ ଯେତେ ଭିଜିଲାନ୍ସ ଚଢ଼ଉ ହୋଇଛି, ଏତେ ପରିମାଣର ସମ୍ପତ୍ତି କେବେ ମିଳି ନଥିଲା। କୋଟିକୋଟି ଟଙ୍କାର କଳାଧନ ଆୟର ସୂତ୍ର କ’ଣ ହୋଇପାରେ ତାକୁ ନେଇ ଆରମ୍ଭ ହୋଇଛି ଛାନଭିନ୍। ବିଭିନ୍ନ ଦିଗକୁ ଆଧାର କରି ଭିଜିଲାନ୍ସ ଖୋଳତାଡ଼ କରୁଛି। ତାଙ୍କ ଚାକିରି ଜୀବନର ଫର୍ଦ୍ଦ ଲେଉଟାଇଛି ତଦନ୍ତକାରୀ ଟିମ୍। ଦୁଇ ବର୍ଷ ହେଲା ସେ ବନୀକରଣ ଦାୟିତ୍ବରେ ଥିଲେ। ବନୀକରଣ ନାଁରେ କୋଟି କୋଟି ଟଙ୍କା ହଡ଼ପ କରାଯିବାର ସନ୍ଦେହ ପ୍ରକାଶ ପାଇଛି। କାଗଜ କଲମରେ ବନୀକରଣ ନାଁରେ କୋଟି କୋଟି ଟଙ୍କାର ବିଲ୍ କରି ହଡ଼ପ ହୋଇଥିବା କୁହାଯାଉଛି। ସେହିପରି ଜଙ୍ଗଲରେ ବିଭିନ୍ନ ଉନ୍ନୟନ କାମ ପାଇଁ କୋଟି କୋଟି ଟଙ୍କା ଆସେ। ତେଣୁ ଉନ୍ନୟନ କାମ ନାଁରେ ମଧ୍ୟ ଟଙ୍କା ହଡ଼ପ କରାଯାଇଥିବା ଦିଗକୁ ନେଇ ତଦନ୍ତ ଜାରି ରଖିଛି ଭିଜିଲାନ୍ସ। ସେହିପରି କାଠ ମାଫିଆ ଓ ଜନ୍ତୁ ଶିକାରୀଙ୍କ ସହ ସମ୍ପର୍କ ଥିବା କଥାକୁ ମଧ୍ୟ ଏଡ଼ାଇ ଦିଆଯାଇ ନପାରେ। ତେଣୁ ଏହାକୁ ତଦନ୍ତ ପରିସରକୁ ନେବା ପାଇଁ କୁହାଯାଉଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe