ଲୋକସେବା ଭବନର ଆର୍‌ଟିଆଇ ସେଲ୍‌ ବନ୍ଦ, କରୋନା ଆଳରେ ମାର୍ଚ୍ଚ ମାସରୁ ତାଲା ପଡ଼ିଛି

ଫାଟକ ସାମ୍ନାରେ ପ୍ରତିବାଦ ଜଣାଇଲେ ଆର୍‌ଟିଆଇ କର୍ମୀ

ଲୋକସେବା ଭବନର ଆର୍‌ଟିଆଇ ସେଲ୍‌ ବନ୍ଦ, କରୋନା ଆଳରେ ମାର୍ଚ୍ଚ ମାସରୁ ତାଲା ପଡ଼ିଛି

ଭୁବନେଶ୍ବର: କରୋନା ପାଇଁ ଗତ ମାର୍ଚ୍ଚ ମାସରୁ ଲୋକସେବା ଭବନରେ ପ୍ରବେଶ ଉପରେ କଟକଣା ଜାରି କରାଯାଇଛି। ଏହା ସହ ଅଭ୍ୟର୍ଥନା ପ୍ରକୋଷ୍ଠ ନିକଟରେ ଥିବା ଆର୍‌ଟିଆଇ ସେଲ୍‌କୁ ମଧ୍ୟ ବନ୍ଦ କରିଦିଆଯାଇଛି। ଫଳରେ କୌଣସି ବ୍ୟକ୍ତି ଲୋକସେବା ଭବନର କୌଣସି ବିଭାଗରୁ ସୂଚନା ଅଧିକାର ଆଇନ ବଳରେ ସୂଚନା ନେବା ସମ୍ଭବ ହେଉନାହିଁ। ଏହାର ତୀବ୍ର ପ୍ରତିବାଦ କରିଛନ୍ତି ସୂଚନା ଅଧିକାର କର୍ମୀ। କରୋନା ଆଳରେ ସରକାରଙ୍କ ଏପରି ଏକଛତ୍ରବାଦ କାର୍ଯ୍ୟକୁ ବରଦାସ୍ତ କରାଯିବ ନାହିଁ ବୋଲି ଚେତାଇ ଦେଇଛନ୍ତି।

ଦୀର୍ଘ ଦିନ ଧରି ଆର୍‌ଟିଆଇ ସେଲ୍‌ ବନ୍ଦ ଥିବାରୁ ଗତ ୩ତାରିଖରେ ସୂଚନା ଅଧିକାର କର୍ମୀମାନେ ମୁଖ୍ୟ ଶାସନ ସଚିବଙ୍କୁ ଲିଖିତ ଭାବେ ଜଣାଇଥିଲେ। ଯଦି ସେଲ୍‌ ବନ୍ଦ ଅଛି, ତେବେ ସୂଚନା ପାଇଁ ଅ‌ାବେଦନ ପତ୍ର ଗ୍ରହଣ କରିବା ନିମନ୍ତେ ବିକଳ୍ପ ବ୍ୟବସ୍ଥା କରିବାକୁ ସେମାନେ ଦାବି କରିଥିଲେ। କିନ୍ତୁ ସରକାର କୌଣସି ପଦକ୍ଷେପ ନ ନେବାରୁ ଆଜି ସୂଚନା ଅଧିକାର କର୍ମୀମାନେ ସିଧାସଳଖ ଲୋକସେବା ଭବନର ଫାଟକ ନିକଟକୁ ଯାଇଥିଲେ। ସୂଚନା ଅଧିକାର ଆଇନ ବଳରେ ଆଜି ସେମାନେ ସୂଚନା ପାଇଁ ଆବେଦନ କରିବେ ବୋଲି କହିଥିଲେ। କିନ୍ତୁ ଉପସ୍ଥତି ପୁଲିସ୍‌ କର୍ମଚାରୀମାନେ ସେମାନଙ୍କୁ ଛାଡ଼ି ନ ଥିଲେ। କିନ୍ତୁ ସେମାନେ ସେଠାରେ ପ୍ରତିବାଦ କରିବା ସହ ଆଜି ଆବେଦନ କରିବେ ବୋଲି ଅଡ଼ି ବସିଥିଲେ। ଫଳରେ ପୁଲିସ୍‌ ଅଡ଼ୁଆରେ ପଡ଼ି ଯାଇଥିଲା। ଗୃହ ବିଭାଗର ପ୍ରମୁଖ ସଚିବ କିମ୍ବା ସ୍ବତନ୍ତ୍ର ସଚିବଙ୍କୁ ଯୋଗାଯୋଗ କରାଯାଇଥିଲା। କିନ୍ତୁ ସେମାନେ କାର୍ଯ୍ୟାଳୟରେ ଅନୁପସ୍ଥିତ ଥିବାରୁ ତାଙ୍କ କାର୍ଯ୍ୟାଳୟର କର୍ମଚାରୀମାନେ ସୂଚନା ଅଧିକାର କର୍ମୀମାନଙ୍କ ସହ ଫୋନ୍‌ରେ କଥା ହୋଇଥିଲେ। ୭ ଦିନ ଭିତରେ ଆର୍‌ଟିଆଇ ସେଲ୍‌ ଖୋଲିବା କିମ୍ବା ତାହାର ବିକଳ୍ପ ବ୍ୟବସ୍ଥା ‌ପାଇଁ ପଦକ୍ଷେପ ନିଆ ନ ଗଲେ ଅନଶନରେ ବସିବେ ବୋଲି ସେମାନେ ଚେତାବନୀ ଦେଇଥିଲେ। ସୂଚନା ଅଧିକାର କର୍ମୀ ପ୍ରଦୀପ ପ୍ରଧାନଙ୍କ ନେତୃତ୍ବରେ ସଂଯୁକ୍ତା ପାଣିଗ୍ରାହୀ, ଜିତେନ୍ଦ୍ର ସାହୁ, ମାଧବାନନ୍ଦ ଭୋଇ, ଦିଲ୍ଲୀପ ସାମନ୍ତରାୟ ଓ ଭକ୍ତିଚରଣ ପଲାଇ ପ୍ରମୁଖ ଏଥିରେ ସାମିଲ ହୋଇଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe