ଭୁବନେଶ୍ବର: ବହୁ ପ୍ରତୀକ୍ଷାର ଅନ୍ତ ଘଟିଛି। ଏକାମ୍ର କ୍ଷେତ୍ରର ଆରାଧ୍ୟ ଦେବତା ପ୍ରଭୁ ଶ୍ରୀଲିଙ୍ଗରାଜଙ୍କ ମହାଦୀପ ଉଠିଛି। ମହାଦୀପ ଉଠିବା ପାଇଁ ପୂର୍ବରୁ ରାତି ୧୦ଟା ରଖାଯାଇଥିଲା। କିନ୍ତୁ ସମସ୍ତ ନୀତିକାନ୍ତି ଶ୍ରୀଘ୍ର ସମାପନ କରାଯାଇଥିବାରୁ ଏହା ରାତି ୮ଟା ୩୮ ମିନିଟରେ ଉଠିଛି। ନିର୍ଦ୍ଧାରିତ ସମୟ ପୂର୍ବରୁ ମହାଦୀପ ଉଠିଥିବାରୁ ଶ୍ରଦ୍ଧାଳୁଙ୍କ ମନରେ ଉତ୍ସାହ ଦେଖାଯାଇଛି। ମହାଦୀପ ଉଠିଲା ପରେ ଭକ୍ତମାନେ ବ୍ରତ ଭାଙ୍ଗିଛନ୍ତି।
ଶ୍ରୀଲିଙ୍ଗରାଜ ମନ୍ଦିର ଚୂଡ଼ାକୁ ମହାଦୀପ ଉଠିଛି ଏବଂ ଏହି ଦିବ୍ୟଦୃଶ୍ୟକୁ ଅବଲୋକନ କରିବାକୁ ଭକ୍ତମାନେ ଭାବ ଓ ଆବେଗର ସହ ଅପେକ୍ଷା କରିଥିଲେ। ଶିବ ପଞ୍ଚାକ୍ଷରୀରେ ଏକାମ୍ରକ୍ଷେତ୍ର କମ୍ପି ଉଠିଛି। ଏଥି ସହିତ ବ୍ରତଧାରୀମାନେ ବ୍ରତ ଭାଙ୍ଗିଛନ୍ତି। ଶିବରାତ୍ରି ପାଇଁ ଏକାମ୍ର କ୍ଷେତ୍ର ଆଜି ଦିନସାରା ଚଳଚଞ୍ଚଳ ହୋଇଉଠିଛି। ଭକ୍ତିମୟ ପରିବେଶରେ ଭାରତର ଅନ୍ୟତମ ଶୈବ ପୀଠ ଶ୍ରୀଲିଙ୍ଗରାଜଙ୍କ କ୍ଷେତ୍ର ଉଛୁଳି ପଡ଼ିଛି। ଶନିବାର ରାତିରୁ ଭକ୍ତମାନେ ଲିଙ୍ଗରାଜ ଦର୍ଶନ ପାଇଁ ଧାଡ଼ି ବାନ୍ଧି ଅପେକ୍ଷା କରିଥିଲେ। ଆଜି ଦିନତମାମ ମହାଦେବଙ୍କ ଦର୍ଶନ ଲାଗି ରହିଥିଲା ଏବଂ ସନ୍ଧ୍ୟାରୁ ଭଜନ ସମାରୋହ ସାଙ୍ଗକୁ ରାତିରେ ମହାଦୀପ ଦର୍ଶନ ପାଇଁ ଭିଡ଼ ହୋଇଥିଲା। ଏଥିପାଇଁ ମନ୍ଦିର ପ୍ରଶାସନରୁ ଆରମ୍ଭ କରି ବିଏମ୍ସି ଓ କମିସନରେଟ୍ ପୁଲିସ ପକ୍ଷରୁ ସବୁ ପ୍ରସ୍ତୁତି ଚୂଡ଼ାନ୍ତ ହୋଇସାରି ଥିଲା।
ଆହୁରି ପଢ଼ନ୍ତୁ: Maha Shivratri: ନିର୍ଦ୍ଧାରିତ ସମୟ ପୂର୍ବରୁ ଉଠିଲା ପ୍ରଭୁ ଲିଙ୍ଗରାଜଙ୍କ ମହାଦୀପ
ଜାଗର ପାଇଁ ସମଗ୍ର ଏକାମ୍ର କ୍ଷେତ୍ର ସମେତ ଶ୍ରୀ ଲିଙ୍ଗରାଜ ମନ୍ଦିରରେ ଭକ୍ତଙ୍କ ପ୍ରବଳ ଭିଡ଼ ଦେଖିବାକୁ ମିଳିଛି। ଲିଙ୍ଗରାଜ ମନ୍ଦିର ମୁଖ୍ୟ ଫାଟକ ଠାରୁ ଆରମ୍ଭ ହୋଇ ବଢେଇବାଙ୍କ ଛକ ପର୍ଯ୍ୟନ୍ତ ଲୋକଙ୍କ ପ୍ରବଳ ଭିଡ଼ ପରିଲକ୍ଷିତ ହୋଇଛି। ପୂର୍ବ ନିର୍ଦ୍ଧାରିତ ନୀତି ନିର୍ଘଣ୍ଟ ଅନୁଯାୟୀ ଭୋର ସାଢ଼େ ୩ଟାରେ ପ୍ରଭୁ ଲିଙ୍ଗରାଜଙ୍କ ଦ୍ଵାରଫିଟା ନୀତି ଅନୁଷ୍ଠିତ ହୋଇଥିଲା। ଏହା ପରେ ପ୍ରଭୁ ଲିଙ୍ଗରାଜଙ୍କ ମଙ୍ଗଳ ଆଳତି ଓ ଅବକାଶ ନୀତି କରାଯାଇଥିଲା।
Follow Us