ବାପପୁଅ ରାତି ଅନିଦ୍ରା...

Advertisment

୧୦ ବର୍ଷ ହେଲା ଖୋଜା ଚାଲିଛି ଜଳବନ୍ଦିରୁ ମୁକ୍ତିର ବାଟ

୧୦ ବର୍ଷ ହେଲା ଖୋଜା ଚାଲିଛି ଜଳବନ୍ଦିରୁ ମୁକ୍ତିର ବାଟ

ବାପପୁଅ ରାତି ଅନିଦ୍ରା...

ଭୁବନେଶ୍ବର: ଅସରାଏ ବର୍ଷା ହେଲେ ଉବୁଟୁବୁ ହେଉଛି ସହର। ରାସ୍ତାରୁ ନଳା ପର୍ଯ୍ୟନ୍ତ ଏମିତି ସୁଅ ପଡ଼ୁଛି ଯେ, ଯିଏ ଭାସି ଯାଉଛି ଆଉ ଫେରୁନି। ଯେତେବେଳେ ଅଘଟଣ ଘଟୁଛି ସେତେବେଳେ ହଟଚମଟ ହେଉଛି। ତା’ପରେ ସ୍ଥିତି ଯଥା ପୂର୍ବଂ ତଥା ପରଂ। ଦୁଇଦିନ ତଳେ ମସ୍‌ଜିଦ୍‌ କଲୋନିରେ ନାଳରେ ଭାସି ଯାଇ ଜଣେ ଶିଶୁର ମୃତ୍ୟୁ ଘଟିବା ପରେ ତନାଘନା ଆରମ୍ଭ ହୋଇଛି। ଏଣେ ରୁର୍‌କି ଆଇଆଇଟିରୁ ଟେକ୍ନିସିଆନ୍‌ ଆସି ବୈଷୟିକ ଜ୍ଞାନକୌଶଳ ପ୍ରୟୋଗ ଦ୍ବାରା କିଭଳି ଜଳବନ୍ଦୀ ସମସ୍ୟାରୁ ମୁକ୍ତି ମିଳିପାରିବ ସେ ନେଇ ଘଟଣାସ୍ଥଳ ପରିଦର୍ଶନ କରିବା ସହ ରିପୋର୍ଟ ପ୍ରସ୍ତୁତ କରୁଛନ୍ତି। କିନ୍ତୁ ଏଭଳି ଯୋଜନା ନୂଆ ନୁହେଁ, ବରଂ ପୂର୍ବରୁ ଜିଆଇଜେଡ୍‌ ଟେକ୍ନୋଲୋଜି ଓ ଆଇଆଇଟି ବିଶେଷଜ୍ଞଙ୍କ ଜ୍ଞାନ କୌଶଳ ସବୁ ଫେଲ୍‌ ମାରିଥିବା ନଜିର ରହିଛି। ସବୁ ଯୋଜନା ଫେଲ୍‌ ପଛରେ ଜବରଦଖଲ ଗୋଟିଏ ବଡ଼ ସମସ୍ୟା ହୋଇ ଛିଡ଼ା ହୋଇଛି। ବଡ଼ବଡ଼ିଆ ନାଳ ମାଡ଼ି ବସିଛନ୍ତି। ଜବରଦଖଲ ଉଚ୍ଛେଦ ଯୋଜନା ସବୁ ବେଳେ ଫେଲ୍‌ ମାରିଛି। ଏଣୁ କେମିତି ମିଳିବ ଜଳବନ୍ଦୀରୁ ମୁକ୍ତି?

ଇସ୍କନ ସାମ୍ନା ରାସ୍ତା ଜଳବନ୍ଦୀର ଏକ ଜ୍ବଳନ୍ତ ଉଦାହରଣ। ବର୍ଷା ଦିନେ ଏଠାରେ କାର୍‌ ବୁଡ଼ିଯିବା, ବାଇକ୍‌ ଭାସିଯିବା ସାଧାରଣ କଥା। ଏହାର ସମାଧାନ ପାଇଁ ପୂର୍ତ୍ତ ବିଭାଗ ଏକ ଡ୍ରେନେଜ୍‌ ପ୍ଲାନ୍‌ ପ୍ରସ୍ତୁତ କରିଥିଲା। ଇସ୍କନରୁ ବାଣୀବିହାର ପର୍ଯ୍ୟନ୍ତ ପ୍ରାୟ ୧୦୦ କୋଟି ଟଙ୍କାର ଡ୍ରେନ୍‌ ନିର୍ମାଣ ଯୋଜନା କରିଥିଲା। ଏହା ସମ୍ଭବ ହେଲା ନାହିଁ। ବିଦେଶରୁ ଜିଆଇଜେଡ୍‌ ଜ୍ଞାନକୌଶଳ ସହାୟତା ମିଳିଛି। ବର୍ଷା ପାଣିକୁ ମୋଟର ସାହାଯ୍ୟରେ ଉଠାଇ ଏକ ଓଭରହେଡ୍‌ ଟାଙ୍କିରେ ରଖି ବର୍ଷା ପରେ ଧୀରେ ଧୀରେ ଛାଡ଼ିବା ଯୋଜନା ମଧ୍ୟ ଫେଲ୍‌ ମାରିଛି। ଏହି ଅଞ୍ଚଳ ଜାତୀୟ ରାଜପଥ ଅଧୀନରେ ଯାଉଥିବାରୁ ୨୦୧୭ ମସିହାରେ ପୂର୍ବତନ ମୁଖ୍ୟମନ୍ତ୍ରୀ କେନ୍ଦ୍ର ସରକାରଙ୍କୁ ଚିଠି ଲେଖିଥିଲେ। ହେଲେ ଉତ୍ତର ଆସୁନି। ୨୦୧୮ ମସିହାରେ ବିଏମ୍‌ସି ଓ ବିଡିଏ ଏହି ସମସ୍ୟାର ସମାଧାନ ବାଟ ବାହାର କରିବା ପାଇଁ ମିଳିତ ଭାବେ ସର୍ଭେ କରିଥିଲେ। କ୍ରିଷ୍ଣା ଟାୱାର ସାମ୍ନା ସାଇଫନ୍‌ ସଫାହେବା ସହ ଏନ୍‌.ଏଚ୍‌ ସର୍ଭିସ୍‌ ରୋଡ୍‌କୁ ଲାଗି ରହିଥିବା ଅଙ୍କା ବଙ୍କା ଡ୍ରେନ୍‌ ସିଧା କରିବାକୁ ଯୋଜନା କଲେ। ଏଥି ପାଇଁ କିଛି ଘରୋଇ ଜମି ଅଧିଗ୍ରହଣ ଓ ସରକାରୀ ଜମିରୁ ଜବରଦଖଲ ଉଚ୍ଛେଦ କରିବା ଦରକାର ଥିଲା। ହେଲେ ଏହା ମଧ୍ୟ ସମ୍ଭବ ହେଲା ନାହିଁ। ଭୁବନେଶ୍ବର ସ୍ମାର୍ଟ ସିଟି ଲିମିଟେଡ୍‌ (ବିଏସ୍‌ସିଏଲ୍‌) ‘ଜିଆଇଜେଡ୍‌’ ବିଦେଶୀ (ଜର୍ମାନ) ଜ୍ଞାନକୌଶଳ ବ୍ୟବହାର କରି ଏଠାକାର ଜଳବନ୍ଦି ସମସ୍ୟା ସମାଧାନ କରିବା ପାଇଁ ଅଣ୍ଟା ଭିଡ଼ିଲା। ୩ଟି ବଡ଼ ବଡ଼ ସମ୍ପ ତିଆରି କରି ଜମୁଥିବା ପାଣିକୁ ସେଠାରେ ମହଜୁଦ ରଖିବା ପାଇଁ ଯୋଜନା କଲା। ପ୍ରାୟ ୧୦ କୋଟି ଟଙ୍କା ବ୍ୟୟ ଅଟକଳ ହେଲା। ହେ‌ଲେ ତାହା ମଧ୍ୟ ସମ୍ଭବ ହେଲାନାହିଁ।

ସହରରୁ ବର୍ଜ୍ୟଜଳ ନିଷ୍କାସନ ପାଇଁ ଗଙ୍ଗୁଆ‌ ଓ ଦୟା ୱେଷ୍ଟ କନୋଲ୍‌ ମୁଖ୍ୟ ଭୁମିକା ନିଭାନ୍ତି। ଏଣୁ ଜଳସମ୍ପଦ ବିଭାଗ ଅଧୀନରେ ଥିବା ଗଙ୍ଗୁଆକୁ ବିଏମ୍‌ସି ନିଜ ଅଧୀନକୁ ଆଣି ପୁନରୁଦ୍ଧାର ଯୋଜନା କରିଥିଲା। ଏ ନେଇ ଜଳସମ୍ପଦ ବିଭାଗକୁ ଚିଠି ମଧ୍ୟ ଲେଖିଲା। ହେଲେ କର୍ମଚାରୀ ନଥିବା କହି ଏହାକୁ ବିଏମ୍‌ସି ଆଉ ନିଜ ଅଧୀନକୁ ଆଣିନଥିଲା। ବାସ୍ତବରେ ଗଙ୍ଗୁଆକୁ ମାଡ଼ି ବସିଥିବା ଲୋକଙ୍କର ଚାପ ପଡ଼ିବାରୁ ବିଏମ୍‌ସି ଏଥିରୁ ଓହରି ଯାଇଥିବା ଚର୍ଚ୍ଚା ହୋଇଥିଲା। ସେହିଭଳି ଦୟା ୱେଷ୍ଟ କେନାଲ ସଫା କରିବା ସହ ରାସ୍ତା ପ୍ରଶସ୍ତ କରିବା ଯୋଜନା ଥିଲା। କିନ୍ତୁ ଜବରଦଖଲ ହଟାଇ ନ ପାରିବାରୁ ଯୋଜନା ନାଲି ଫିତା ତଳେ ରହିଗଲା। ବିଏମ୍‌ସି ଓ ଭୁବନେଶ୍ବର ସ୍ମାର୍ଟ ସିଟି ଲିମିଟେଡ ପକ୍ଷରୁ ଜର୍ମାନ୍ ଡେଭଲପମେଣ୍ଟ କୋଅପରେସନ୍ ସହାୟତାରେ ‘ମୁଁ ‌ସିଟି ସେଭିୟର୍‌’ ଆପ୍ ପ୍ରସ୍ତୁତ ହୋଇଥିଲା। ଏହି ଆପ୍‌ ଜରିଆରେ ଲୋକମାନେ ସେମାନଙ୍କ ଅଞ୍ଚଳର ଡ୍ରେନ୍ ସ୍ଥିତି, ବର୍ଷା ଜଳ ପ୍ରବାହ ସ୍ଥିତି ବିଷୟରେ ବିଏମ୍‌ସି କର୍ତ୍ତୃପକ୍ଷଙ୍କୁ ଜଣାଇବା ପରେ ବିଏମ୍‌ସି ତାହାର ମୁକାବିଲା ପାଇଁ ପଦକ୍ଷେପ ନେବ ବୋଲି କୁହାଯାଇଥିଲା। ହେଲେ ସବୁ ଫେଲ୍‌ ମାରିଲା। ଏବେ ଆଇଆଟି ରୁର୍‌କି ବି‌ଶେଷଜ୍ଞଙ୍କ ଜ୍ଞାନ କୌଶଳ ଏହାର ସମାଧାନ କରିବାରେ କେତେଦୂର ସଫଳ ହେଉଛି ତାହା ଦେଖିବା ବାକି ରହିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe